Unknown

 

 

 

 

 

 

 

 

 

 

 

ନିରୁଦ୍ଦିଷ୍ଟ

ସୁରେଶ କୁମାର ସାହୁ

 

 

 

 

 

 

 

ମୋର

ପୂଜ୍ୟପାଦ ନନା

ଶ୍ରୀଯୁକ୍ତ ରଘୁନାଥ ସାହୁଙ୍କ

ପାଦପଦ୍ମରେ.......

 

ଅଭିମତ

 

ଶ୍ରୀମାନ୍‌ ସୁରେଶ କୁମାର ସାହୁଙ୍କ ରଚିତ ‘‘ନିରୁଦ୍ଦିଷ୍ଟ’’ ଶୀର୍ଷକ ଉପନ୍ୟାସ ପାଠକରି ପ୍ରୀତ ହେଲି । ଉପନ୍ୟାସ ଏକ ସ୍ୱତନ୍ତ୍ର କଳା । ଏ କଳାରେ କୃତୀତ୍ୱ ଅର୍ଜନ କରିବା ଶ୍ରମ ଓ ପ୍ରତିଭା ସାପେକ୍ଷ । ଶ୍ରୀମାନ୍‌ ସାହୁଙ୍କର ଏ ଦିଗରେ ଦୃଷ୍ଟି ଅଛି । ବର୍ଣ୍ଣନା ଭଙ୍ଗୀ ସରସ, ଚିତ୍ରଣ ଚାତୁରୀ ବେଶ ଉପଭୋଗ୍ୟ । ମୋର ବିଶ୍ୱାସ ଲେଖକ ସାଧାନାରତ ହେଲେ ତାଙ୍କ ଲେଖନୀରୁ ଉଚ୍ଚକୋଟୀର ଉପନ୍ୟାସ ଆତ୍ମ ଲାଭ କରିବ ଆଜିକାଲି ଉପନ୍ୟାସ ହିଁ ଜନଗଣମନର ଅଧିନାୟକ ଓ ଜୀବନ ଭାଷ୍ୟ ରୂପେ ପରିଗଣିତ । ଔପନ୍ୟାସିକ ଯୁବକ ଏବଂ ଏ କ୍ଷେତ୍ରରେ ଜଣେ ନବାଗତ । ତାଙ୍କର ଶକ୍ତି ଅଛି ମାତ୍ର ସେ ଶକ୍ତି ପ୍ରତିଫଳନରେ ଆହୁରି ଅଭିଜ୍ଞତା, ମାନବ ଚରିତ୍ର ଅଧ୍ୟୟନରେ ପଟୁତା ଓ ପାଣ୍ଡିତ୍ୟ ଦରକାର । କ୍ରମେ କ୍ରମେ ଲେଖକ କ୍ରମୋନ୍ନତି ପଥରେ ଆଗେଇବେ, ଏହାହିଁ ମୋର ଆନ୍ତରିକ କାମନା ।

 

ଅଧ୍ୟାପକ ଡକ୍ଟର କାହ୍ନୁଚରଣ ମିଶ୍ର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

Image

 

ସଂପର୍କରେ

 

ପ୍ରଣୟାବିଷ୍ଟ ଦୁଇଟି ପ୍ରାଣର ନୀରବ ଭାଷାକୁ ପ୍ରକାଶ କରିବା କ’ଣ ଏତେ ସହଜ ! ଏତେ ସୁବିଧା !! ଏତେ ଶସ୍ତା !! ପ୍ରଣୟନୀଟି ବହୁରୂପିଣୀ । ତା’ର ରୂପକୁ ବୁଝିବା କେତେ କଷ୍ଟକର-? ବିରହର ଅକଥନୀୟ ଯନ୍ତ୍ରଣାକୁ ସଙ୍ଗୀତର ମୂର୍ଚ୍ଛନା ମାଧ୍ୟମରେ ହୁଏତ କିଞ୍ଚିତ ପ୍ରକାଶ କରିହେବ-

 

ମିଳନରେ ସେମାନଙ୍କୁ ନର୍କ ମଧ୍ୟ ସ୍ୱର୍ଗ ପରି ଲାଗେ । ଯନ୍ତ୍ରଣା ସବୁ ସୁଖ, ସ୍ୱର୍ଗ ସୁଖ । ପ୍ରେମ ଅନ୍ଧ । ସେ ଦେଶ କାଳ ପାତ୍ର ବିଚାର କରେନା । ପ୍ରେମ ହେଉଛି ଉତକ୍ଷିପ୍ତା-ସ୍ରୋତସ୍ୱିନୀ ଆବେଗମୟୀ–ଉନ୍ମାଦିନୀ । ସେ କୌଣସି ବାଧା ମାନେନା, ମାନେନା ବନ୍ଧନ । ପ୍ରେମ ଚାହେଁ ନିବିଡ଼ ସଂସ୍ପର୍ଶ–ନୀରବ ଭାବାବେଶ–ନିର୍ଦ୍ୱନ୍ଦ୍ୱ ସହଯୋଗ ।

 

ହସ କାନ୍ଦର ସଂସାରରେ ଡେଣା ଲଗାଇ ମନ ଖୋଜିବୁଲେ ମନ ମୁତାବକ ଜଣେ ସୁନ୍ଦରୀ–ମାନସୀ–ପ୍ରେୟସୀ, ଉର୍ବଶୀ । ପ୍ରାଣହୀନ– ଭାଷାହୀନ ଜୀବନର ମରୁଭୂମିରେ ଚିର ସବୁଜ ନନ୍ଦନକାନନ ସୃଷ୍ଟି କରିପାରେ ପ୍ରେମ ।

 

ପ୍ରେମାବେଶ ଦୁଇଟି ପ୍ରାଣର ସ୍ୱପ୍ନକୁ କେହି ରଙ୍ଗଦେଇ ଆଙ୍କି ପାରିବ ? ସେମାନଙ୍କର ବିରହ ବେଦନାକୁ କେହି ଅନୁଭବ କରିପାରିବ ?? ସେମାନଙ୍କର ସୀମାହୀନ କଳ୍ପନାର ସୌଧକୁ କେହି ତୋଳି ପାରିବ ??? ମନେହେବ ପୃଥିବୀଟା ଯେମିତି ଅସରନ୍ତି ରଙ୍ଗିନ ସ୍ୱପ୍ନର ବିପୁଳ ସମାବେଶ । ଜୀବନଟା ଏକ ସୀମାହୀନ ସୁନୀଳ ଆକାଶ । ସବୁଠିଁ ଯେମିତି ଆନନ୍ଦ–ଅଫୁରନ୍ତ ଆନନ୍ଦ । ପ୍ରାଣ ଚାହିଁବ ମନର ଆକାଂକ୍ଷା ନିମିଷକରେ ପୂରଣ ହୋଇ ଯାଆନ୍ତା କି ? ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେମାନଙ୍କର ହାତ ଦୁଇଟି ଏହିପରି ଛନ୍ଦି ହୋଇ ରହନ୍ତା କି ? ଅପଲକ ଦୃଷ୍ଟିରେ ପରସ୍ପରକୁ ଏମିତି ଚାହିଁ ରହନ୍ତେ !! ଜୀବନଟା ଏମିତି କଟିଯାଆନ୍ତା କି ?

 

ସନ୍ଦେହ ହେଉଛି ପ୍ରେମର ଶତ୍ରୁ । ପ୍ରେମରେ ଥରେ ସନ୍ଦେହର କୀଟ ପ୍ରବେଶ କଲେ, ସେ ପ୍ରେମର ମୃତ୍ୟୁ ନ କରାଇ ଛାଡ଼େ ନାହିଁ । ଅନାବିଳ ପ୍ରେମର ରଜ୍ଜୁକୁ ଛିନ୍ନ କରବା ଯେ କି କଷ୍ଟକର ବ୍ୟାପାର ତାହା ଅନୁଭବୀ ହିଁ ଜାଣେ ।

 

ମିଳନ ଓ ବିରହ ଗୋଟିଏ ବୃନ୍ତରେ ଦୁଇଟି କୁସୁମ । ଗୋଟିକ ବିନା ଅନ୍ୟଟିର ଅସ୍ତିତ୍ୱ ଅନୁଭବ କରି ହୁଏନା । ସୁଖ ପରେ ଦୁଃଖପରି, ମିଳନ ପରେ ବିରହ ଆସେ । ଏଇଠି ହୁଏ ପ୍ରେମ ଓ ପ୍ରଣୟର ଅଗ୍ନି ପରୀକ୍ଷା । ଆଶା ଓ ବିଶ୍ୱାସ ହେଉଛି ପ୍ରେମର ପାର୍ଥେୟ । ଏଣୁ ଆଶାର ପ୍ରଦୀପ ଜାଳି ବିରହର କଠିନ ସ୍ତରକୁ ପାରି ହେବାକୁ ହେବାକୁ ହେବ ।

 

ସେମାନଙ୍କର ସ୍ୱପ୍ନ ସଫଳ ହୁଏ । ଅବଶ୍ୟ ସେ ଆନନ୍ଦ ସବୁବେଳେ ରହେନି କାରଣ ଜୀବନ ହେଉଛି ଜୀବନ । ସେଠି ପ୍ରେମ ସାଙ୍ଗକୁ ସମାଜ, ଦାୟୀତ୍ୱ ଓ କର୍ତ୍ତବ୍ୟ ରହିଛି । କିନ୍ତୁ ପ୍ରେମର ମହନୀୟ ପଥରେ ଏମାନେ ପ୍ରତିବନ୍ଧକ ହୋଇ ପାରନ୍ତି ନାହିଁ । ପ୍ରଣୟୀ ସ୍ୱପ୍ନ ସଫଳ ହୁଏ ଯଦି ସେଥିରେ ନଥାଏ ଦୁର୍ବଳତା, ଆବିଳତା, ବ୍ୟଭିଚାରିତା ।

 

ପ୍ରେମ ସାଗରରୁ ବୁନ୍ଦାଏ ଜଳ ପାଠକ ପାଠିକା ମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିଛି । ତାହାକୁ ପାନକରି ଅନୁଭବ କରିବା ସଙ୍ଗେ ସଙ୍ଗେ ହୃଦୟଙ୍ଗମ କରିପାରିଲେ ମୋର ଶ୍ରମ ସାର୍ଥକ ହେଲା ବୋଲି ଜାଣିବି ।

 

ଭୁବନେଶ୍ୱର

-ଲେଖକ

୧-୫-୬୯

ସୁରେଶ କୁମାର ସାହୁ

Image

 

ଆକାଶରେ ଫିକା ଫିକା ବାଦଲ । ଉଦୀୟମାନ ଅରୁଣ । ଫୁଲର ସାନ୍ନିଧ୍ୟ ପାଇବା ପାଇଁ ଚୋର ପ୍ରଜାପତିର ଅକ୍ଳାନ୍ତ ପରିଶ୍ରମ । ମୋର ଠିକ୍‌ ମୁହଁ ଉପରେ ବାଳ ଅରୁଣର ରକ୍ତାଭ କିରଣ ପଡ଼ିବାରୁ ବୋଧହୁଏ ମୋର ନିଦ ଭାଙ୍ଗିଗଲା । ନିଜକୁ ମୁଁ ଆବିଷ୍କାର କଲି ବଗିଚାର ଗୋଟିଏ ସିମେଣ୍ଟ ବେଞ୍ଚ ଉପରେ । ତେବେ ମୁଁ କ’ଣ ଗତକାଲି ସାରା ରାତି ଏହି ସିମେଣ୍ଟ ବେଞ୍ଚଟାରେ ଶୋଇ ଶୋଇ କଟାଇଛି ? ଆଶ୍ଚର୍ଯ୍ୟ ହେଲି ମନେ ମନେ । ଗୁଡ଼ାଏ ଫୁଲ ପଡ଼ିଥିଲା ମୋ ଉପରେ । ଝାଡ଼ିଦେଲି ସେଗୁଡ଼ିକୁ ।

 

ଗତ ରାତିର କଥା ମନେ ପଡ଼ିଲା ।

 

ଗତକାଲି ମୁଁ ଖୁବ୍‌ ଡେରିରେ ଫେରିଲି କାରରେ ମୁରାରି ମୋହନ ବାବୁଙ୍କୁ ନେଇ । ବାବୁ ଉପରକୁ ଚାଲିଗଲେ । ମୁଁ ମୋ ନିଜ ରୁମ୍‌କୁ ଚାଲିଗଲି କିନ୍ତୁ ପରେ ଆସି ଏହି ସିମେଣ୍ଟ ବେଞ୍ଚଟା ଉପରେ ବସି ଭାବୁଥିଲି ମୋର ଅତୀତ ଇତିହାସ । ତା’ପରେ ବୋଧହୁଏ ମୁଁ ନିଦ୍ରାଦେବୀଙ୍କର ଆହ୍ୱାନକୁ ଉପେକ୍ଷା କରିପାରିନି । ମନେ ମନେ ମୁରୁକି ହସିଲି–ନିରର୍ଥକ ହସ ।

 

ହାତବନ୍ଧା ଘଣ୍ଟା ଆଡ଼କୁ ଚାହିଁଲି । ଇସ୍‌ ! ଛ’ଟା ବାଜି ପନ୍ଦର ମିନିଟ ହୋଇଗଲାଣି । ଆଜି ମୁରାରି ମୋହନ ବାବୁ କେଉଁ ଆଡ଼କୁ ଯିବେ, କେଉଁ ଏକ ଦୂର ସ୍ଥାନକୁ । କାରରେ ଦୁଇ ତିନି ଘଣ୍ଟାର ବାଟ ।

 

ମୁଁ ଏକରକମ ଦୌଡ଼ିଲା ପରି ଯାଇ ମୋର ରୁମ୍‌ ଭିତରେ ପ୍ରବେଶ କଲି । ଗତ ରାତିରୁ ବୋଧହୁଏ ଫ୍ୟାନଟା ଘୁରୁଥିଲା । ରୁମ୍‌ ସାରା ବିଞ୍ଚିହୋଇ ପଡ଼ିଥିଲା ନୀଳାଭ ଆଲୋକ । କେହି ଦେଖିଲେ କାଳେ କ’ଣ ଭାବିବ । ମୁଁ ଚଟାପଟ ଫ୍ୟାନ ଓ ଲାଇଟ ବନ୍ଦ କରିଦେଲି । ପୋଷାକ ପରିବର୍ତ୍ତନ କରି ମୁଁ ନିତ୍ୟକର୍ମ ସାରିବା ପାଇଁ ପ୍ରସ୍ତୁତ ହୋଇ ପଡ଼ିଲି ।

 

ଅବିଳମ୍ବେ ମୋର ନିତ୍ୟକର୍ମ ସାରି ଟ୍ରାଂଜିଷ୍ଟର ଖୋଲି ସିଲୋନ ଶୁଣିବାରେ ଲାଗିଲି । ଏହା ମୋର ବହୁ ଦିନର ଅଭ୍ୟାସ । ଗର୍ବ କରି କହୁନି, ରେଡ଼ିଓ ନ ବାଜିଲେ ମୋର ପାଠପଢ଼ା ହୁଏନା । ଅରଣ୍ୟ ଏଥିପାଇଁ ସମସ୍ତେ ଚିଡ଼ନ୍ତି । ମୋର ରେଡ଼ିଓ ଶୁଣା ବନ୍ଦ କରିବା ପାଇଁ କଲେଜ ଲାଇଫରେ ମୋତେ ହଷ୍ଟେଲରେ ରହିବାକୁ ବାଧ୍ୟ କରାଯାଇଥିଲା । ଦୁଇ ତିନି ମାସ ଖୁବ୍‌ କଷ୍ଟରେ କଟିଲା । ତା’ପରେ ମୋର କୌଣସି ଅସୁବିଧା ହେଲାନି କାରଣ ମୁଁ ମୋର ବଜେଟକୁ କମେଇ ଦେଇ ଟ୍ରାଂଜିଷ୍ଟରଟିଏ କିଣିନେଲି । ମୋର ରୁମ୍‌ ମେଟ ଥିଲେ ପରେଶ ଓ ରମେଶ । ରେଡ଼ିଓ ବାଜିବାରୁ ସେମାନଙ୍କର ପଢ଼ାରେ ବାଧା ସୃଷ୍ଟି ହେଲା । ତେଣୁ ସେମାନେ ଭିତରେ ରାଗିଲେ ମଧ୍ୟ ମୋତେ କିଛି କହନ୍ତିନି । ବୋଧହୁଏ ମୋର ବନ୍ଧୁତ୍ୱକୁ ସେମାନେ ସମ୍ମାନ କରୁଥିଲେ । ଦିନେ ପରେଶର ଖଣ୍ଡେ ପ୍ରୋବେଲେମ୍ ମୋଟେ ହେଲାନି ତେଣୁ ମୋତେ ରେଡ଼ିଓ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା ଟିକେ ବିରକ୍ତି ଭାବ ପ୍ରକାଶ କରି । ଅଗ୍ନିରେ ଘୃତାହୁତି ଦେଲାପରି ରମେଶ ସେଥିରେ ଖିଅ ଯୋଡ଼ିଲା । ମୋତେ କଥାଟା ଭାରି ବାଧିଲା । ମୁଁ ସଙ୍ଗେ ସଙ୍ଗେ ରେଡ଼ିଓ ବନ୍ଦ କରିଦେଲି । ତା’ପରେ ମୁଁ ଖୁବ୍‌ ଧିରେ ଧିରେ ରେଡ଼ିଓ ବଜାଇ ଶୁଣେ ।

 

ସେ କଥା ଆଜି ମୋର ମନେ ପଡ଼ୁଛି । ସେମାନେ ହୁଏତ ଡାକ୍ତର କି ଇଂଜିନିୟର ହୋଇ ବସିଥିବେ । ମୋତେ ପୂରା ଭୁଲିଯାଇଥିବେ ଆଉ ମୁଁ.... ଆଖି ମୋର ଛଳ ଛଳ ହୋଇ ଆସିଲା । ଆଜି ହୁଏତ ମୁଁ କେଉଁଠି ଅଧ୍ୟାପକ ହୋଇ ବସିଥାଆନ୍ତି । M.Sc. ଫାଷ୍ଟ୍‌କ୍ଳାସ ଫାଷ୍ଟ । କ’ଣ ଅତି ନିକୁଛରେ ଖଣ୍ଡେ ଅଧ୍ୟାପକ ଚାକିରି ମିଳି ନଥାନ୍ତା । କିନ୍ତୁ ହାୟ....ଭଗବାନ ସେହି ରାସ୍ତାଟିକୁ ବନ୍ଦ କରି ଦେଇଛନ୍ତି । ମୋର ସମସ୍ତ ଭାବନାକୁ ବାଧାଦେଇ ଉପର ମହଲାରୁ ଶୁଣାଗଲା, ‘‘ଡ୍ରାଇଭରକୁ କୁହ, ଗାଡ଼ି ଠିକ୍‌ କରିବ ।’’ ମୁଁ ବୁଝିଲି କଥାଟା ମୋ ଉଦ୍ଦେଶ୍ୟରେ କୁହାଯାଇଛି । ଟ୍ରାଂଜିଷ୍ଟର ବନ୍ଦ କଲି । ଗ୍ୟାରେଜରୁ ଗାଡ଼ି ଆଣି ପୋର୍ଟିକରେ ଠିଆ କରାଇ ଦୁଇ ତିନିଥର ହର୍ଣ୍ଣ ଦେଲି । ମୁଁ ଜଣାଇ ଦେବାକୁ ଚାହୁଁଥିଲି ଯେ ମୁଁ ପ୍ରସ୍ତୁତ ହୋଇ ଯଥେଷ୍ଟ ଆଗରୁ ବସିଛି ।

 

ଜୋତା ମଚ୍‌ ମଚ୍‌ କରି ମୁରାରି ମୋହନ ବାବୁ ଉପର ମହଲାରୁ ଓହ୍ଲାଇ ଆସୁଥିଲେ । ମୁହଁରେ ଜ୍ୱଳନ୍ତ ଟୋବାକ ପାଇପ । ଇଂଜିନରୁ ଧୂଆଁ ବାହାରିଲା ପରି ଧୂଆଁ ଛାଡ଼ୁ ଛାଡ଼ୁ ଆଗେଇ ଆସୁଛନ୍ତି । ଜଳିଲା ଜଳିଲା ଆଖି । ଦେହରେ ଦାମି ସୁଟ୍‌ । ହାତରେ ସୌଖିନ ଆଶାବାଡ଼ି । ମୁହଁରେ ସୁନାଫ୍ରେମ ଦିଆ ଚଷମା । ମୁଁ ଅତି ସନ୍ତର୍ପଣରେ ତଳକୁ ଓହ୍ଲାଇ ଆସି ଗେଟ ଖୋଲି ଅପେକ୍ଷା କଲି । ମୁରାରି ମୋହନ ବାବୁ ଝଡ଼ ପରି ଆସି ଗାଡ଼ି ଭିତରେ ବସିଯାଇ କହିଲେ, ‘‘ଚଲାଓ’’ ।

 

ମୁଁ ଯନ୍ତ୍ରଚାଳିତ ପରି ଗାଡ଼ିରେ ଷ୍ଟାର୍ଟ ଦେଲି । କେଉଁ ଆଡ଼େ ଯିବାକୁ ହେବ ସେ କଥା ମୁଁ ମୋଟେ ଜାଣି ନ ଥିଲି । କେବଳ ଜାଣିଥିଲି ଦୁଇ, ତିନି ଘଣ୍ଟାର ବାଟ ବୋଲି । ମୁରାରି ମୋହନ ବାବୁ କହିଲେ, ‘‘ଗାଡ଼ିରେ ପେଟ୍ରୋଲ ଭରିବାକୁ ହେବ କମ୍‌ ଅଛି’’ । ମୁଁ ନିକଟସ୍ଥ ପେଟ୍ରୋଲ ଟ୍ୟାଙ୍କ ଆଡ଼କୁ କାରଟିକୁ ମୁହାଁଇଲି । ଭିଡ଼ ନଥିଲା । ପେଟ୍ରୋଲ ନେଇ ଚଞ୍ଚଳ, କାରରେ ମୁଁ ଷ୍ଟାର୍ଟ ଦେଲି । ଗାଡ଼ି ଉଡ଼ି ଚାଲିଲା ସମୟ ସହିତ ତାଳ ଦେଇ । ମୁରାରି ମୋହନ ବାବୁଙ୍କ ଆଡ଼କୁ ଚାହିଁଲି, ସେ ପୂର୍ବପରି ଗମ୍ଭୀର । ଆଜି ମୋ ସହିତ ମୋଟେ ହସି ହସି କଥା କହୁନାହାନ୍ତି । ଯାହାହେଉ ଗୋଟିଏ ଦିଗରୁ ମୁଁ ରକ୍ଷାପାଇ ଯାଇଛି । କେତେ କ’ଣ ପଚାରି ବସି ଥାଆନ୍ତେ କିନ୍ତୁ ଚୁପ୍‌ଚାପ୍‌ ଯେତେବେଳେ ବସିଛନ୍ତି ସେତେବେଳେ ମୋର ଖୁସି ଦେଖେ କିଏ ? ମୁଁ ନିଜକୁ ଭାବନା ସାଗରରେ ବୁଡ଼ାଇ ରଖିଲି ।

 

ଆଜିପରି ସେଦିନ ମଧ୍ୟ ଥିଲା ଅଗଷ୍ଟ ଏକ ତାରିଖ । ମୁରାରି ବାବୁ ଅସ୍ତ ବ୍ୟସ୍ତ ହୋଇ କାର ମଧ୍ୟକୁ ଉଠିଯାଇ ଡ୍ରାଇଭର ସିଟରେ ବସି ପଡ଼ିଲେ । ମୁଁ ଖୁବ୍‌ ତରତରରେ ମୁରାରି ବାବୁଙ୍କୁ କାଗଜ ଖଣ୍ଡିଏ ବଢ଼ାଇ ଦେଲି, ସେଥିରେ ଲେଖାଥିଲା ''Be kind enough to help me with a service under you. ପଢ଼ିସାରି ଗୋଟାଏ ନିଃଶ୍ୱାସରେ ମୁରାରି ବାବୁ ପଚାରିଥିଲେ, ''What kind of service do you want ? ମୁଁ ପୁଣି ଲେଖିଦେଲି, ''Any kind of service''. ମୁରାରି ମୋହନ ବାବୁ କହିଲେ, ''As My Driver''. ମୁଁ କିଛି ନ ଭାବି ମୁଣ୍ଡ ଟୁଙ୍ଗାରି ସମ୍ମତି ପ୍ରଦାନ କଲି ।

 

ହଠାତ୍‌, ମୋତେ କାରଟିକୁ ଡ୍ରାଇଭିଂ କରି ଯିବାକୁ ମୁରାରି ବାବୁ କହିଲେ । ମୁଁ ମୋର ମାଷ୍ଟରଙ୍କୁ ଖୁସି କରିବା ପାଇଁ ସଙ୍ଗେ ସଙ୍ଗେ ଗାଡ଼ିରେ ଷ୍ଟାର୍ଟ ଦେଇ ମୁରାରି ମୋହନ ବାବୁଙ୍କର ନିର୍ଦ୍ଦେଶରେ ଗାଡ଼ିକୁ ତାଙ୍କ ଘର ଗେଟ୍‌ ଆଗରେ ବ୍ରେକ୍‌ କରିଲି । ଏଥର ମୋତେ ମୁରାରି ବାବୁ ଟିକିଏ ହସି ପଚାରିଲେ, ‘‘କ’ଣ ୟାଙ୍ଗ୍‌ ମ୍ୟାନ ତୁମେ ତୁମର ଚାକିରି ପାଇ ଖୁସିତ ? (ସେ ଯେମିତି ଗୋଟାଏ ଡ୍ରାଇଭର ଖୋଜୁଥିଲେ !!) ମୁଁ ଟିକିଏ ହସିଲା ହସିଲା ଚାହାଣୀରେ ମୁଣ୍ଡ ହଲାଇ ‘‘ହଁ’’ ଭରିଲି ।

 

ଆଚ୍ଛା ତୁମେ କେଉଁଠି ରୁହ ? ପଚାରିଲେ ମୁରାରି ବାବୁ । ମୁଁ ପୁଣି ଖଣ୍ଡେ କାଗଜ ବାହାର କରି ଲେଖିଲି, ‘‘ମୋର ଏଠାରେ ବାସ ସ୍ଥାନ ନାହିଁ । ଏଠରେ ମୁଁ ନୂଆ ।’’ କେମିତିକା ଏକ ଚାହାଣୀରେ ମୋଆଡ଼କୁ ଦୃଷ୍ଟିପାତ କରି ମୁରାରି ବାବୁ କହିଲେ, ‘‘ଆଚ୍ଛା ଠିକ୍‌ ଅଛି, ତୁମେ ଏଠାରେ ରୁହ । ତୁମ ପାଇଁ ଗୋଟିଏ ରୁମ୍‌ ଖାଲି କରିଦେଉଛି । ତୁମର ଏଠାରେ କିଛି ଅସୁବିଧା ହେବନି ତ-?’’ ସେ କଥାରେ ଭରି ରହିଥିଲା ଅନେକ ଦୟା, ଅନେକ ସହାନୁଭୂତି, ଅନେକ ଆଶ୍ୱାସନା-। ମୁଁ ନାସ୍ତିସୂଚକ ମୁଣ୍ଡ ହଲାଇଦେଲି । ସେହିଦିନଠୁଁ ମୁଁ ଏଠାରେ ଅଛି । ବର୍ଷେ ପୂରିଗଲାଣି ଆଜିକୁ-। କାହିଁ ଦିନେହେଲେ ତ ମୁରାରି ବାବୁ ମୋ ଉପରେ ବିରକ୍ତ ହୋଇନାହାନ୍ତି । ବରଂ ସେ ମୋ ଉପରେ ସବୁବେଳେ ଖୁସି ।

 

ସେଦିନ ଯଦି ମୁଁ ସେପରି ଶୁଣିନଥାନ୍ତି ତେବେ କ’ଣ ମୁଁ ଜଣେ ସାମାନ୍ୟ ଡ୍ରାଇଭର ହୋଇଥାନ୍ତି । ସେ ଦିନ ବୋଉ କହୁଥିଲା ବାପାଙ୍କୁ, ‘‘ରାଜେଶର ବାହାଘର କଥା ଟିକିଏ ବୁଝ । ତା’ ତଳେ ଆଉ ଗୋଟାଏ ପୁଅ ପୁଣି ବାହା ହେବାକୁ ବାହାରିଲାଣି, ଏକଥା ତୁମେ ଜାଣିପାରୁନ ।’’

 

ସେଥିପାଇଁ ମୋର ମୁଣ୍ଡ ଖରାପ ହୋଇଗଲାଣି । ମୁଁ ପାରିବିନି ତୁମେ ଯଦି ପାରୁଚ ଖୋଜିନିଅ । କେଉଁ ଝିଅଟା ତାକୁ ବାହା ହେବାକୁ ଚାହିଁ ବସିଛି ? କେଉଁ ବାପାଟା ତା’ ଝିଅକୁ ଏହାପରି ଏକ.......ବାପା ନୀରବ ହେଲେ । ବୋଉ ବୋଧହୁଏ ବାପାଙ୍କର ମୁହଁରେ ହାତ ଦେଇଦେଲା । ମୁଁ ମଧ୍ୟ ଆଉ ଶୁଣିବାକୁ ପ୍ରସ୍ତୁତ ନଥିଲି । ମୋର ରୁମ୍‌କୁ ଚାଲିଯାଇ ଖୁଣ୍ଟ ଉପରେ ମୁହଁ ମାଡ଼ି ଶୋଇ କଇଁ କଇଁ ହୋଇ କାନ୍ଦି ଉଠିଥିଲି ଠିକ୍‌ ଶିଶୁଟିପରି । ମନେ ମନେ ଠିକ୍‌ କଲି ଆତ୍ମହତ୍ୟା କରିବି । କିନ୍ତୁ ଆତ୍ମହତ୍ୟା ପାଇଁ କାହିଁକି କେଜାଣି ମୋର ବିବେକ ମୋତେ ମନାକଲା । ଭାବିଲି, ମୁଁ ଯଦି ମୋର ବାପା ବୋଉଙ୍କର ଦୁଃଖର କାରଣ, ତେବେ ଏଠାରୁ ଚାଲିଯିବା କ’ଣ ଭଲ ନୁହେଁ । ମୋ ଯୋଗୁଁ ମୋର ସାନ ଭାଇର ବିବାହ ହୋଇପାରୁନି ।

 

ଆଉ ଭାଉଜ....

 

ସେ ମୋତେ ଖୁବ୍‌ ଭଲ ପାଆନ୍ତି । ସବୁବେଳେ ମୋତେ ହସାଇବାକୁ ଚେଷ୍ଟା କରନ୍ତି । କିନ୍ତୁ କେବେ ପାରିନାହାନ୍ତି । ବଡ଼ଭାଇଙ୍କୁ ମୁଁ ଖୁବ୍‌ ଡରୁଥିଲି । ଭାଉଜ ମୋତେ ଭାଇଙ୍କୁ କହିଦେବି କହି ଡରାନ୍ତି । ମୋ ପାଇଁ ଦୁଃଖ କରନ୍ତି । କିନ୍ତୁ ସେଦିନ ଥଟ୍ଟା କରି କହିଥିଲେ–ତୁମକୁ କିଏ କେଉଁଠି କନ୍ୟାଟିଏ ଦେବ ଯେ । କଥାଟା କିନ୍ତୁ ମୋତେ ଖୁବ୍‌ ବାଧିଥିଲା । କିନ୍ତୁ ମୁଁ ଚୁପ୍‌ଚାପ ରହି ମୁରୁକି ହସିଲି ।

 

ଘରେ ମୁଁ କାହା ସଙ୍ଗେ ମିଶିପାରେନି । କିନ୍ତୁ ମୁଁ ଯେ ମିଶିବାକୁ ଚେଷ୍ଟା ନକରେ–ଏପରି ନୁହେଁ । କିନ୍ତୁ କାହିଁକି କେଜାଣି ସବୁବେଳେ ଏକୁଟିଆ ରହିବାକୁ ଭଲପାଏ । ମୁଁ ମୋ ରୁମରେ ଥାଏ, ଚାକର ଆସି ଖାଇବାକୁ ଦେଇଯାଏ । ମୁଁ ଖାଇ ସାରି ସେହି ରୁମ୍‌ରେ ହିଁ ଥାଏ । ଖଟ ଉପରେ ଶୋଇ ଶୋଇ ଇଂରେଜୀ ନଭେଲ ପଢ଼ୁଥାଏ । ଦିନେ ଦିନେ ଭାଉଜ ମୋ ପାଇଁ ଖାଇବାକୁ ଆଣନ୍ତି ମୁଁ ଶୋଇପଡ଼ିଥିଲେ ମୋତେ ଉଠାଇ ଖୁଆଇ ଦିଅନ୍ତି ।

 

ବାସ୍ତବିକ ମୋ ପାଇଁ ଆମ ଘରେ ସମସ୍ତଙ୍କ ମନରେ ଗୋଟାଏ ଅଶାନ୍ତି ଥିଲା । କିନ୍ତୁ ମୁଁ କ’ଣ ପ୍ରକୃତରେ ସେମାନଙ୍କ ଅଶାନ୍ତି ପାଇଁ ଦାୟୀ ? ମୋର ସେଥିରେ କ’ଣ କରିବାର ଥିଲା । ମୁଁ ନିଜେ ଜାଣିପାରୁ ନ ଥିଲି । ମୁଁ ଖୁବ୍‌ ଅନ୍ୟମନସ୍କ ହୋଇ ପଡ଼ିଥିଲି । ଆଃ....ଅଳ୍ପକେ ଆସନ୍ନ ଆକ୍‌ସିଡ଼େଣ୍ଟର ମୁଁ କାରଟିକୁ ବଞ୍ଚାଇଦେଲି । ଆଖିରେ ଦେଖାଦେଇଥିଲା ଲୁହର ଝରଣା । ମୁଁ ନିଜକୁ ପ୍ରକୃତିସ୍ଥ କରିବାକୁ ଚେଷ୍ଟା କଲି କିନ୍ତୁ ହାୟ ! ମୁଁ ମୋଟେ ପାରୁନି । କିନ୍ତୁ ରକ୍ଷା କରିଦେଲେ ମୁରାରି ବାବୁ, କହିଲେ–Right hand side, Right hand side ରାଜେଶ । ମୁଁ ସଙ୍ଗେ ସଙ୍ଗେ କାରଟିକୁ ଟର୍ଣ୍ଣ କଲି । ‘‘ସେହି ଯେଉଁ ଗୋଲାପିଆ ଘରଟା ନିକଟରେ ରଖିବ’’ ମୁରାରି ବାବୁ କହିଲେ ।

 

ମୁଁ କାରଟିକୁ ଠିକ୍‌ ସ୍ଥାନରେ ପହୁଞ୍ଚାଇଦେଇ କାରରୁ ଓହ୍ଲାଇପଡ଼ି ଗେଟ୍‌ ଖୋଲି ଦେଲି ଠିକ୍‌ ଯେପରି ଆମ ଡ୍ରାଇଭର ଗେଟ ଖୋଲିଦିଏ ମୁଁ କଲେଜ ଗଲାବେଳେ । ମୁରାରି ବାବୁ ମଚ୍‌ ମଚ୍‌ କରି ଚାଲିଗଲେ । ଆଉ ମୁଁ ସେଠାରେ ଡ୍ରାଇଭର ସିଟ୍‌ରେ ବସିରହିଲି ।

 

ମୁରାରି ବାବୁ ଜାଣନ୍ତିନି ଯେ ମୁଁ ଓଡ଼ିଆ ଜାଣେ, କାରଣ ମୁଁ ଓଡ଼ିଆ କେବେ ହେଲେ କଥା କହିନି । କେବଳ ଏହି ବର୍ଷକ କାହିଁକି ସାରା ଜୀବନ ମୁଁ ଓଡ଼ିଆରେ କଥା କହି ପାରିନି ଆଉ ଜୀବନ ସାରା କହିପାରିବିନି । ଯେତେବେଳେ ଯାହା ଲେଖିଛି ସବୁ ଇଂରାଜୀରେ । ତେଣୁ ମୋତେ ମୁରାରି ବାବୁ ସବୁବେଳେ ଇଂରାଜୀରେ କଥା କହନ୍ତି ।

 

ଏକୁଟିଆ ମୁହୂର୍ତ୍ତତକ ମୋତେ ଭାରି ବାଧୁଥିଲା । କିନ୍ତୁ ମୁଁ କ’ଣ କରିଥାଆନ୍ତି, ଯେ କୌଣସି ମୁହୂର୍ତ୍ତରେ ମୂରାରି ବାବୁ ଆସି ଯାଇପାରନ୍ତି । ତେଣୁ ମୁଁ ମୋର ଇଂରାଜୀ ନଭେଲ୍‌ଟିକୁ ବାହାର କଲି କେତେ ସମୟ ବା ଏକାକୀ କାଟିଥାଆନ୍ତି । ବହିଟି ଖୋଲି ମନୋନିବେଶ କଲି । କିନ୍ତୁ ନା ପଢ଼ି ହେବନି । ମୋତେ ଭାରି ବିରକ୍ତ ଲାଗିଲା । ବହିଟିକୁ ପୁଣି ଥୋଇଦେଲି ।

 

ଏଇ ମୁରାରି ବାବୁ କି ଶାନ୍ତ ! କି ଉଦାର ! କି ମହତ୍‌ ! ମୋତେ ସେ ଖୁବ୍‌ ଭଲ ପାଆନ୍ତି । ଠିକ୍‌ ନିଜର ପୁଅ ପରି । ସେ ଜଣେ ଓଡ଼ିଆ ଏ କଥା ମୁଁ ଭଲ ଭାବରେ ଜାଣେ । କିନ୍ତୁ କାଳେ ଖବରଟା ଆମ ଘରକୁ ଚାଲିଯିବ, ସେହି ଭୟରେ ମୁଁ କେବେ ହେଲେ ଓଡ଼ିଆରେ କୌଣସି ବିଷୟ ଲେଖି ଜଣାଇନି । ମୁରାରି ବାବୁଙ୍କର କେବଳ ଗୋଟିଏ ମାତ୍ର ଝିଅ । ପୁଅ ମୋଟେ ନାହିଁ । ସ୍ତ୍ରୀ ମରି ଯାଇଛନ୍ତି ଯେତେବେଳେ ଝିଅଟିକୁ ମୋଟେ ପାଞ୍ଚ ବର୍ଷ । ନିଜ ସ୍ତ୍ରୀ କଥା ମନେ ପକାଇ ଖୁବ୍‌ ଦୁଃଖ କରନ୍ତି ମୁରାରି ବାବୁ । ମୁଁ କେବଳ ନୀରବରେ ଶୁଣେ । ଆଖିରୁ ମୋର ଲୁହ ଝରିଆସେ-। ଲୁଚେଇ ଲୁଚେଇ ପୋଛି ପକାଏ ।

 

ସବୁ ବିଷୟ ସେ ମୋତେ କହନ୍ତି । ସତେ ଯେପରି ମୁଁ ତାଙ୍କର ଏକାନ୍ତ ଆପଣାର । ଏକାନ୍ତ ନିଜର, ଏକାନ୍ତ ପରିଚିତ । ଇଚ୍ଛା ନଥିଲେ ମଧ୍ୟ ମୁଁ ଶୁଣେ । କ’ଣ ବା ଆଉ କରନ୍ତି । ଜଣେ ଦରଦୀର ଦରଦଭରା କେଇ ପଦ କଥା ଶୁଣି ତାକୁ ସାନ୍ତ୍ୱନା ଦେଇ ମୁଁ କ’ଣ ଭୁଲ କରିଛି ?

 

ସେହି ଝିଅଟି । ବନ୍ଦନା । ମୁରାରି ବାବୁଙ୍କର ଏକମାତ୍ର ଅଲିଅଳ କନ୍ୟା । ତାକୁ ମୁଁ ପ୍ରାୟ ଦେଖେନି ଯଦିଓ ଆମେ ଗୋଟିଏ ଘରେ ବାସ କରୁ । କିନ୍ତୁ ଯେତେବେଳେ ମୁଁ ଦେଖେ ସେତେବେଳେ ମୋର ମନେ ପଡ଼େ ମୋର....ନା...ନା...ମୋର କିନ୍ତୁ ମନେ ପଡ଼େନା । ମୋର କେହି ନାହାନ୍ତି । ମୁଁ ଏକାକୀ, ହଁ ମୁଁ ଚିର ଦିନ ଏକାକୀ । ଭଉଣୀ ବୋଲି ମୁଁ କେତେ ଆଦର ନ କରିଛି । ପୁଣି ଗୋଟାଏ । ମୋର ଅନ୍ୟ ସବୁ ଚାରି ଭାଇ ମଧ୍ୟ ଆଦର କରନ୍ତି । କିନ୍ତୁ ଯେଉଁଦିନ ମୋ ବିରୁଦ୍ଧରେ ସେ କହୁଥିବାର ଶୁଣିଲି ସେତେବେଳେ ଘୃଣାରେ ମୋର ମନ ପୂରିଗଲା । ମୁଁ ଜାଣିନେଲି ଯେ ସମସ୍ତଙ୍କ ପରି ସେ ବି ମୋତେ ଘୃଣା କରେ । କିନ୍ତୁ କାହିଁକି ? ସେଇଟା କ’ଣ ମୋର ଭୁଲ୍‌ ? ହଁ, ମୋର ନୁହେ ତ ଆଉ କାହାର ?

 

ମୁଁ ପିଆନୋ ବଜାଇବାକୁ ଭଲପାଏ । ଆଉ ସେଥିପାଇଁ ପିଆନୋଟିକୁ ମୋ ରୁମ୍‌ରେ ରଖିଥିଲି । କିନ୍ତୁ ଦିନେ ଦେଖିଲି ପିଆନୋଟି ଅଚଳ ହୋଇଯାଇଛି–ଆଉ ବାଜୁନି । କେହି ଯେମିତି ଜାଣି ଜାଣି ସେମିତି କରିଛି ! ବାସ୍ତବିକ ସେଦିନ ମୁଁ ଖୁବ୍‌ ମର୍ମାହତ ହୋଇ ପଡ଼ିଥିଲି । ଏପରି ଅନ୍ୟ କୌଣସି ଦିନ ମୁଁ ଅନୁଭବ କରିନଥିଲି । ଯଦି କାହାର ଅସୁବିଧା ହେଉଥିଲା, ମୋତେ କହିଥିଲେ ମୁଁ ବଜାଇ ନଥାଆନ୍ତି । ଆଉ ଦିନେ କେହି ମୋର ମାଉଥ୍‌ ଅର୍ଗାନଟିକୁ ଜାଳି ଦେଇଥିଲା । ମୋ ଆଖିରେ ଲୁହ ଜକେଇ ଆସିଲା । ମୁଁ ଦେଖୁଥିଲି ମୋର ଅର୍ଗାନଟା ଜଳି ଯାଉଥିଲା । ସେଦିନ ମୁଁ ଅଖିଆ ଶୋଇ ଯାଇଥିଲି । ଭାଉଜଙ୍କ ନିକଟରେ ଅବାଧ୍ୟ ହୋଇଥିଲି । ରାତି ସାରା ମୋର ଉଜାଗରରେ କଟିଥିଲା–ବୋଧହୁଏ ସେଦିନ ମୋ ପାଇଁ ଶିବରାତ୍ରି ଥିଲା ।

 

ଏମିତି ଅନେକ କଥା, ଅନେକ ଘଟଣା । ସେ ସବୁ ମୋ ପାଇଁ ନୂଆ ନଥିଲା । ସବୁ ଶୁଣି, ସବୁ ଅବୁଭବ କରି, ମୁଁ ଯେପରି ପଥର ପାଲଟି ଯାଇଥିଲି । ମୋର ମନେ ହେଉଥିଲା ମୋଠୁ ରାଗିବା ଶକ୍ତିଟା କେହି ଯେପରି କାଢ଼ି ନେଇଛି ! କାହା ଉପରେ ବା ଅଭିମାନ କରିଥାଆନ୍ତି-? ଅଭିମାନ କରିଥିଲେ ବୋଧହୁଏ ମୋତେ କେହି ପଚାରି ନ ଥାଆନ୍ତେ ।

 

ଆଉ ଯେଉଁଦିନ ମୁଁ ଘରୁ ଗୋଡ଼ କାଢ଼ିଲି । ସେ ଦିନଟାକୁ ଜୀବନରେ କେବେ ଭୁଲି ପାରିବିନି । ସେ ଦିନଟା ମୋର ଆପାଶୋରା ସ୍ମୃତି । ମୋର ଠିକ୍‌ ମନେ ପଡ଼ୁଛି..... ମୋର ଭାବନାରେ ବାଧା ଦେଇ ମୁରାରି ବାବୁ ଡାକି ଉଠିଲେ–ରାକେଶ....ରାକେଶ Come here. ସେ ହାତ ହଲାଇ ମୋତେ ଡାକୁଥିଲେ । ମୁଁ ତରତରରେ ହାତବନ୍ଧା ଘଣ୍ଟାଆଡ଼କୁ ଚାହିଁଲି । ଇସ୍‌ ! ଗୋଟେ ବାଜିବାକୁ ମୋଟେ ପାଞ୍ଚ ମିନିଟ୍‌ ବାକି । ସକାଳେ ଯାହା ଖଣ୍ଡେ ବିସ୍‌କୁଟ ଆଉ କପେ ଚା’ ଖାଇଥିଲି । ମୋତେ ଖୁବ୍‌ ଭୋକ ଲାଗୁଥିଲା । ଏହା ଭିତରେ ହୋଟେଲରୁ ଖାଇଦେଇ ଖୁସିରେ ଆସିପାରିଥାଆନ୍ତି । ମୁଁ ସହଳ ସହଳ ପାଦ ପକାଇ ବଗିଚା ପାର ହୋଇ ଏଣ୍ଟ୍ରାନ୍‌ସରେ ପହଞ୍ଚିଲି । ସେଠାରେ ମୁରାରି ବାବୁ ମୋର ଅପେକ୍ଷାରେ ଥିଲେ କହିଲେ, ‘‘ତୁମେ ସେତେବେଳୁ ସେଠାରେ ବସିଛ ?’’ ମୁଁ ଖାଲି ଟିକିଏ ଚେଷ୍ଟାକରି ହସିଲି ।

ଖୁବ୍‌ ତରତରରେ ସେ ଘରଭିତରକୁ ପଶିଗଲେ । ମୁଁ ବାହାରେ ଅପେକ୍ଷା କରୁଥିଲି । ଭୋକରେ ପେଟ ଜଳୁଥିଲା । କିନ୍ତୁ କ’ଣ କରାଯାଇଥାନ୍ତା ଆଉ । ନୀରବରେ ମୁଁ ଦେଖୁଥିଲି ଆଧୁନିକ ଭଙ୍ଗୀରେ ସଜା ହୋଇଥିବା ଘର ଓ ତା’ର ସମ୍ମୁଖସ୍ଥ ବଗିଚାଟିକୁ । ଖୁବ୍‌ ଭଲ ଲାଗୁଥିଲା ମୋତେ ସେ ବଗିଚାଟି । ହଠାତ୍‌ ଦେଖିଲି କେହି ଜଣେ ଗୋଟିଏ ରକ୍ତ ରଙ୍ଗର ଗୋଲାପ ଫୁଲଟିକୁ ଛିଣ୍ଡାଇଦେଲା । ମୋର ଲକ୍ଷ୍ୟ ଥିଲା ସେ ରକ୍ତ ଗୋଲାପଟି ଉପରେ । ଫୁଲଟିକୁ ଛିଣ୍ଡାଇଦେବା ସଙ୍ଗେ ସଙ୍ଗେ ସେ ଅଡ଼ୁଆ କରିଦେଲା ମୋର ଭାବନା ରାଇଜକୁ । ମୁଁ ଦେଖିଲି ସେ ଗୋଟିଏ ଝିଅ-। ଆଶ୍ଚର୍ଯ୍ୟ ହେଲିନି କିମ୍ବା ସେଥିରେ ଗୁରୁତ୍ୱ ଦେଲିନି କିନ୍ତୁ ଦୁଃଖ ଲାଗିଲା, ସେ ଫୁଲଟିକୁ ତୋଳିନେଲା ।

ସେ ଧୀରେ ଧୀରେ ଏଣ୍ଟ୍ରାନସ ଆଡ଼କୁ ଆସୁଥିଲା । ପରିଧାନ ଗାଢ଼ ସବୁଜ ରଙ୍ଗର ଶାଢ଼ୀ ସାଙ୍ଗକୁ ବ୍ଳାଉଜ୍ । ତରଳା ସୁନା ପରି ଦେହର ରଙ୍ଗ । ହଠାତ୍‌ ସେ ମୋରି ଆଡ଼କୁ ଚାହିଁଦେଲା । ମୁଁ ମୁହଁ ବୁଲାଇବାକୁ ଚେଷ୍ଟା କଲି । ଇତି ମଧ୍ୟରେ ସେ ମୋ ନିକଟକୁ ଆସିଯାଇଥିଲା-। ଧୀରେ ଧୀରେ ପାଦ ଶବ୍ଦ ମିଳେଇଗଲା । ମୁଁ ପଛକୁ ଫେରି ଚାହିଁଲି ସେ ଭିତରକୁ ଚାଲିଯାଉଛି-

ଭୋକିଲା ସମୟତକ ମୋର ବହୁ କଷ୍ଟରେ କଟୁଥିଲା । ପେଟରେ ଚିନ୍ତା ଥିବାବେଳେ ମନୁଷ୍ୟ ଅନ୍ୟ କୌଣସି କଥା ଚିନ୍ତା କରିପାରେନି । ଭଲ ମନ୍ଦ ବାଛିପାରେନା । ଭଲ ମନ୍ଦ ବାଛିପାରେନା । କ’ଣ ଯେ କରିବ ସେ ନିଜେ ବୁଝିପାରେନି, ଖାଲି ପେଟ ଜ୍ୱାଳାରେ ଖାଲି ପେଟ ଚାଖଣ୍ଡକ ପାଇଁ । ପେଟ ପାଇଁ ତ ନାଟ । ଏହା ତ ଚିରନ୍ତନ ସତ୍ୟ । ଯାଃ....ଏଗୁଡ଼ାକ ମୁଁ କାହିଁକି ଚିନ୍ତା କରୁଛି । ମନେ ମନେ ଲଜ୍ଜିତ ହେଲି । ଦେଖିଲି ସେହି ଝିଅଟି ପୁଣି ମୋରି ଆଡ଼କୁ ଆସୁଛି । ମୁଁ ଟିକିଏ ଚୁପ୍‌ଚାପ୍‌ ଠିଆ ହୋଇଗଲି । ସେ ମୋ ପାଖକୁ ଆସିଗଲା । ପୂରାପୂରି ପାଖକୁ । ଆଶ୍ଚର୍ଯ୍ୟ ହେଲି ।

ଆପଣଙ୍କକ ନାମ ରାକେଶ ବାବୁ ? ଝିଅଟି ପଚାରିଦେଇ କେମିତି ଏକ କରୁଣ ଚାହାଣୀରେ ମୋ ଆଡ଼କୁ ଚାହିଁ ରହିଲା । କ’ଣ କହିବି ହଠାତ୍‌ ଭାବିନପାରି ମୁଁ ପ୍ରଥମେ କିଛି କହିପାରିଲି ନାହିଁ । ଆଶ୍ଚର୍ଯ୍ୟ ହେଲି ମନେ ମନେ । ଝିଅଟି ପୁଣି ଦ୍ୱିତୀୟ ଥର ପାଇଁ ପ୍ରଶ୍ନ କଲା । ଏଥର କିନ୍ତୁ ମୁଁ ନୀରବରେ ରହି ପାରୁନଥିଲି । ମୁଣ୍ଡ ହଲାଇ ସମ୍ମତି ପ୍ରଦାନ କଲି ।

ଝିଅଟି କହିଲା, ‘‘ଆସନ୍ତୁ ଖାଇବେ । ଆପଣଙ୍କୁ କ’ଣ ଏ ପର୍ଯ୍ୟନ୍ତ ଭୋକ ହୋଇନି ।’’ ଝିଅଟି ଏତିକି କହିସାରି ଧୀରେ ଧୀରେ ଚାଲିଲା । ମନେ ମନେ ମୁଁ ଭାବିଲି, ଭୋକ କ’ଣ ଲାଗନ୍ତାନି । ଗୋଟେ ଉପରେ ବାଜିଲାଣି । କିନ୍ତୁ ଏହି ଝିଅଟିର ମୋ ପ୍ରତି କି ଆନ୍ତରିକତା, କି ସ୍ନେହ, କି ସଦ୍‌ଭାବ । ସତେ ଯେପରି ମୁଁ ତା’ର ବହୁ ଦିନରୁ ପରିଚିତ । ଅନେକ ଦିନ ବିଦେଶରେ ରହିବା ପରେ ପ୍ରଥମ କରି ତା’ର ଘରେ ପାଦ ଦେଇଛି । ଅଗତ୍ୟା ମୁଁ ତାକୁ ଅନୁସରଣ କରିବାରେ ଲାଗିଲି ଯେମିତି ସେ ମୋର ଗାଇଡ୍‌ !

ମୁଁ ଡାଇନିଂ ହଲ୍‌ ଭିତରକୁ ପ୍ରବେଶ କରି ଦେଖିଲି ସେଠାରେ ମୁରାରି ବାବୁ ମୋତେ ଅପେକ୍ଷା କରିଛନ୍ତି । ଝିଅଟି ମୋତେ ବସିବାକୁ ନିର୍ଦ୍ଦେଶ ଦେଇ ଚାଲିଗଲା । ମୁଁ କିନ୍ତୁ ବସିପାରୁ ନଥିଲି କାରଣ ମୁଁ ଜଣେ ସାମାନ୍ୟ ଡ଼୍ରାଇଭର । ମୁରାରି ବାବୁ ଓ ତାଙ୍କର ବଡ଼ ବଡ଼ ସାଙ୍ଗ, ସେମାନଙ୍କ ସଙ୍ଗେ ବସି ଖାଇବାକୁ ମୁଁ କେମିତି ଏକ ସଙ୍କୋଚ ବୋଧ କରୁଥିଲି । ମୋର ଥ ଥ ମ ମ ଭାବକୁ ଦେଖି ମୁରାରି ବାବୁ କହିଲେ, ‘‘ ତୁମେ ବସିଲେ ଆମେ ଖାଇବା ଆରମ୍ଭ କରିବୁ ।’’ ଆଉ ମୋର ପରିଚୟ ଦେଇ କହିଲେ, ‘‘ରାକେଶ ଆମ ଘରେ ଥାଏ । କୁଆଡ଼େ ଦୂର ବାଟକୁ ଗଲେ ରାକେଶକୁ ଧରିଯାଏ ସେ ତ ମୋର ପୁଅ ସମାନ’’ । ସମସ୍ତଙ୍କୁ ମୁଁ ହାତଯୋଡ଼ି ନମସ୍କାର କଲି । ତା’ପରେ ମୁଁ ବାଧ୍ୟ ହୋଇ ବସିପଡ଼ିଲି । ଖାଇବା ପର୍ବ ଶେଷ ହୋଇ ଆସିଲା । ସେହି ଝିଅଟି ଗୋଟିଏ କବାଟ ଫାଙ୍କରୁ ମୋ ଆଡ଼କୁ ସେମିତି କରୁଣ ଦୃଷ୍ଟିରେ ଚାହୁଁଥିଲା । ସତେ ଯେମିତି ତା’ ମନରେ ମୋ ପାଇଁ ଅନେକ ସହାନୁଭୂତି !

ମୁଁ ଭାବୁଥିଲି ମୋ ପରି ଗୋଟିଏ ସାମାନ୍ୟ ଡ୍ରାଇଭରକୁ କିପରି ମୁରାରି ବାବୁ ଏତେ ସମ୍ମାନ ଦେଲେ । କେହି ପ୍ରାୟ ଦିଅନ୍ତି ନାହିଁ । ମୋ ନିଜ କଥା ଦେଖିଲେ କାହିଁ ଦିନେ ହେଲେ ମୁଁ ମୋ ଡ୍ରାଇଭରକୁ ସାଙ୍ଗରେ ନେଇ ଖାଇବା ତ ଦୂରର କଥା ସେ ସିଗାରେଟ୍‌ ଖଣ୍ଡେ ମୋ ଆଗରେ ଖାଉ–ଏହା ମୁଁ ପସନ୍ଦ କରେନା । ଅଥଚ.......ଚମକି ପଡ଼ିଲି । ଝିଅଟି ଆସି ପାଣି ଗ୍ଳାସଟିକୁ ହାତକୁ ବଢ଼ାଇ କହୁଛି, ‘‘କ’ଣ ଏମିତି ବସିଥିବେ ନା କ’ଣ ? ’’ ତା’ର ବ୍ୟବହାର କି ସରଳ ! କି ସୁନ୍ଦର ! କି ନିଷ୍କପଟ ! ମନେ ମନେ ଲଜ୍ଜିତ ହେଲି । ଦେଖିଲି, ସମସ୍ତେ କେତେବେଳୁ ଚାଲିଗଲେଣି ।

ତା’ପରେ ସେମିତି ଆଉ କିଛି ଘଟି ନ ଥିଲା । ମୁଁ ମୁରାରି ବାବୁଙ୍କୁ ନେଇ କାରରେ ଫେରି ଆସିଥିଲି । କିନ୍ତୁ କେମିତିକା ଏକ ମାନସିକ ଅସୁସ୍ଥତା ଅନୁଭବ କରୁଥିଲି । ସେ ଯାହା ହେଉ ଆଜି ଦିନଟା ମନ୍ଦରେ କଟିନି । ସେଇ କେଇ ପଦ ନୂତନ ମିଠା କଥା । ଏତିକି ଆଜି ଦିନଟାର ବିଶେଷତ୍ୱ । ଆଉ ସେହି କରୁଣ ଚାହାଣୀ ଟିକକ ।

ମୁଁ ଗାଡ଼ିର ସ୍ଫିଡ଼୍‌ ବଢ଼ାଇଦେଲି । ମୋତେ ଶୀଘ୍ର ଘରେ ପହଞ୍ଚିବାକୁ ହେବ । ରାସ୍ତା ଫାଙ୍କା ଥିଲା । ଆକାଶରେ ଅସ୍ତ ରଙ୍ଗର ଗୋଧୂଳି । ମୁଁ ଆକ୍‌ସିଲେଟର ଉପରେ ଗୋଡ଼ ଦାବିଦେଲି-

 

ତା’ ପରଦିନ ।

 

ବାହାରେ ଝିପ୍‌ ଝିପ୍‌ ବର୍ଷା । ମୋର କିଛି କାମ ନଥିଲା । ପୈତୃକ ଶରୀରଟା ଉପରେ ଚଦରଟାଏ ଢାଙ୍କି ଦେଇ ଇଂରେଜ ନଭେଲ୍‌ଟାରେ ମନୋନିବେଶ କରିଲି କିନ୍ତୁ କାହିଁକି କେଜାଣି ମୋତେ ମୋଟେ ଆଜି ପଢ଼ିବାକୁ ଇଚ୍ଛା ହେଉନଥିଲା । ଅତୀତ ଆସି ଦୁଆର ଠେଲୁଥିଲା । ମୁଁ କିନ୍ତୁ ଚାହୁଁନଥିଲି ଅତୀତକୁ ବର୍ତ୍ତମାନ କହିବାକୁ । ଏମିତି ଦିନ ହୁଏତ ମୋର ଜୀବନରେ ବହୁତ ଥର ଆସିଛି କିନ୍ତୁ ଆଜିର ସମୟତକ କେବଳ ଆସିଛି ଥରକ ପାଇଁ ମୋ ଜୀବନରେ ।

 

ମୋତେ ଖୁବ୍‌ ଏକାଟିଆ ଏକାଟିଆ ଲାଗୁଥିଲା । ଯାହାହେଉ ଶେଷ ଆଡ଼କୁ ଶଙ୍କର ଆସି କେତେ କଥା କହିଗଲା । ପୂରା ନାମଟା ରବିଶଙ୍କର । ମୁଁ ତାକୁ ଶଙ୍କର କହେ । ଶଙ୍କର ଆସେ, ବସେ କେତେ ଆଡ଼ର କେତେ କଥା କହେ । ତା’ର ବାହାଘର କଥା । ତା’ର ସ୍ତ୍ରୀ କଥା.......ସେ କୁଆଡ଼େ ଖୁବ୍‌ ସୁନ୍ଦର–ମିଠା କଥା କହେ–ଖୁବ୍‌ ଧନୀଘର ଝିଅ–ଟିକିଏ ରାଗିଲେ କାନ୍ଦିପକାଏ, ମୁହଁ ଫୁଲାଏ–ତାକୁ ଖୁବ୍‌ ଭଲପାଏ..ଭାରି ଲାଜକୁଳୀ......ଇତ୍ୟାଦି, ଇତ୍ୟାଦି.....ଅନେକ କଥା । ଯାହାହେଉ ସମୟତକ ମନ୍ଦ କଟେନି ।

 

ଆଜି ରବିଶଙ୍କର ଠିକ୍‌ ସମୟରେ ଖାଇବାକୁ ଆଣିଦେଇ ନଥିଲା । କିନ୍ତୁ କ’ଣ କରାଯିବ-। ସେ ଯେତେବେଳକୁ ଦେବତାକୁ ହିଁ ଅପେକ୍ଷା କରିବାକୁ ହେବ । ନଚେତ୍‌ ଉପବାସ ରହିବାକୁ ହେବ । ଅଭିମାନ ରାଗକୁ ମନ ଅଭିଧାନରୁ ପୋଛି ଲିଭେଇ ଦେବାକୁ ପଡ଼ିବ ।

 

ଚାରିଟା ବେଳକୁ ଶଙ୍କର ଜଳଖିଆ ନେଇ ଆସିଲା । ସେତକ ଉଦରସାତ୍‌ କରି ଅପେକ୍ଷା କଲି ମୁରାରି ବାବୁଙ୍କ ଆଦେଶକୁ କିନ୍ତୁ ଦୁର୍ଭାଗ୍ୟ ବା ସୌଭାଗ୍ୟ ହେଉ ମୋତେ ଡକରା ପଡ଼ିଲାନି । ଦେଖିଲି ଘଣ୍ଟା କଣ୍ଟା ଆଗକୁ ଆଗକୁ ଚାଲିଛି । ସାଢ଼େ ପାଞ୍ଚଟା ବାଜିଗଲା । ମୋର ନିତିଦିନିଆ କାର୍ଯ୍ୟ ଆରମ୍ଭ ହୋଇଗଲା । ଏହି ସମୟତକ ମୋର ଛୁଟି । ଏହି ସମୟରେ ମୋତେ ମୁରାରି ବାବୁ ନ୍ୟସ୍ତ କରନ୍ତି ନାହିଁ । ଅବଶ୍ୟ ଆଜ୍ଞାଧୀନ ଭୃତ୍ୟ ତଥାପି ମୋତେ ଦୟା କରି ଏତକ ସମୟ ଛାଡ଼ି ଦେଇଛନ୍ତି, ମୁରାରି ବାବୁ । ମୁଁ ଗୀଟାରଟା ବାହାର କରି ଝଙ୍କାର ସୃଷ୍ଟି କଲି ।

 

କାହିଁକି କେଜାଣି ଆଜି ତାଳ ମୋର ବେତାଳ ହୋଇପଡ଼ିଲା । ମୁଁ ଖୁବ୍‌ ଚେଷ୍ଟା କରିଥିଲି କିନ୍ତୁ ମୋଟେ ଭଲ ବାଜୁ ନଥିଲା । ମୁଁ ଘଣ୍ଟାଏ ବଜାଏ । ଦୋଖିଲି ସାଢ଼େ ଛ’ ବାଜିଗଲାଣି । ତେଣୁ ଗୀଟାର ବଜା ଶେଷ କଲି ।

 

ମୁଁ ବଡ଼ ହଇରାଣରେ ପଡ଼ିଥିଲି ନା ବୁଲି ଯାଇପାରୁଥିଲି ନା ଘରେ ସ୍ଥିର ହୋଇ ବସିପାରୁଥିଲି । ଏଠାରେ ମୋର ଅନ୍ୟ କୌଣସି ବନ୍ଧୁ ନାହାନ୍ତି । କାରଣ ମୁଁ ଯେ ଜଣେ ସାମାନ୍ୟ ଡ୍ରାଇଭର । ମୋର ମାନ ସମ୍ମାନ କ’ଣ ଅଛି !?

 

ସାରା ଜୀବନଟା ଏମିତି କଟିଯାଆନ୍ତାକି ? ବହୁ ପଛେ ଦୁଃଖ ଝଡ଼ । ଆସୁପଛେ ଶତ ଝଡ଼ଝଞ୍ଜା । ସବୁକୁ ଧୈର୍ଯ୍ୟ ସହକାରେ ଅତିକ୍ରମ କରିବାକୁ ମୁଁ ପ୍ରସ୍ତୁତ ଅଛି । କିନ୍ତୁ ହାୟ ! ମନୁଷ୍ୟ ଯାହା ଭାବେ ତାହା କଦାପି ହୋଇପାରେନା । ସାରା ଜୀବନ ଯାର ଦୁଃଖ ଉପାଦାନରେ ଗଢ଼ା ତା’ର ଜୀବନର ପ୍ରତ୍ୟେକ ଅଣୁ ପରମାଣୁରେ ସୁଖର ଉପାଦାନ ସ୍ୱପ୍ନ ନିଶ୍ଚୟ । ମୋ ଜୀବନରେ ସୁଖର ସନ୍ଧାନ କରିବା ଅର୍ଥ ମରୁଭୂମିରେ ମରୀଚିକା ପଛରେ ଦୌଡ଼ିବା ।

 

ଆଜି ସେମିତି କିଛି ନୂତନ ଘଟଣା ଘଟିଛି–କାହିଁ ମନେ ପଡ଼ୁନି ତ ? ଯାଃ....ନିଦଟା ଆଜି ଖୁବ୍‌ ଶୀଘ୍ର ଆସିଯାଇଛି । ମନେ ମନେ ନିଦ୍ରାଦେବୀଙ୍କୁ ଧନ୍ୟବାଦ ଦେଲି ।

 

ବନ୍ଦନା ଘରେ ଏକା ଥିଲା । ରାକେଶ ମୁରାରି ବାବୁଙ୍କୁ ଗାଡ଼ିରେ କେଉଁଆଡ଼େ ନେଇଯାଉଥିଲା । ରବିଶଙ୍କର ବୋଧହୁଏ ଛିଙ୍କୁଛି । କାରଣ ତା’ର ଛିଙ୍କ ବନ୍ଦନାର ରୁମ୍‌ ଯାଏ ମଧ୍ୟ ଶୁଭୁଛି । ଆଉ ଅନ୍ୟ ଦୁଇ ଜଣ ଚାକର ବୋଧହୁଏ ତଳଘରେ ବସି ଗପୁଥିବେ । ବନ୍ଦନାକୁ ବସି ବସି ବିରକ୍ତ ଲାଗୁଥିଲା । ପାଠପଢ଼ାରେ ମୋଟେ ମନ ଲାଗୁନଥିଲା ।

 

ବନ୍ଦନାର ଇଚ୍ଛା ହେଲା ସେ ରାକେଶର ରୁମ୍‌କୁ ଟିକିଏ ବୁଲି ଯାଆନ୍ତା କି ? ସେଇ ରୁମ୍‌ଟା ତା’ର ଘରର ଗୋଟାଏ ଅଂଶ ଅଥଚ ତା’ ପାଇଁ ଯେମିତି ଗୋଟାଏ ନିଷିଦ୍ଧାଞ୍ଚଳ । ବନ୍ଦନା ଧୀରେ ଧୀରେ ଆଗେଇଲା । ବନ୍ଦନା ରାକେଶର ରୁମ୍‌ ନିକଟରେ ପହଞ୍ଚି ଦେଖିଲା ସେଠାରେ କେହି ନାହାନ୍ତି । ରାକେଶର ରୁମ୍ ଭିତରକୁ ପଶିଗଲା ବନ୍ଦନା ।

 

ରୁମ୍‌ଟାରେ ପଶିଯାଇ ବନ୍ଦନା ଦେଖିଲା ଘରଟାରେ କେତେ ଧୂଳି ! କେତେ ଧୂସର । ବୁଢ଼ୀଆଣି ଜାଲ ଚାରିଆଡ଼େ ବାନ୍ଧିଛି । ଚାକରୁଗୁଡ଼ାକର ଏ ରୁମ୍‌ଟା ଉପରେ ଟିକିଏ ବୋଲି ନିଘା ନାହିଁ । ଆଉ ରାକେଶ ନିଜେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେଉନି । ନିଜେ ବନ୍ଦନା ରାକେଶର ରୁମ୍‌କୁ ସଜାଡ଼ିବା ଆରମ୍ଭ କଲା । ବିଛଣା ଚାଦର ବଦଳାଇ ଦେଲା । ତକିଆଖୋଳ ବଦଳାଇଦେଲା । ଏମିତି ଘର ସଜାଡ଼ୁ ସଜାଡ଼ୁ ତା’ର ହାତରେ ପଡ଼ିଲା ରାକେଶର ଡାଏରୀଗୁଡ଼ାକ ।

 

ଘର ସଜଡ଼ା ଛାଡ଼ି ଡାଏରୀ ପଢ଼ିବାରେ ଲାଗିଲା ବନ୍ଦନା । ଯଦିଓ ବନ୍ଦନା ଜାଣିଥିଲା, ଅନ୍ୟର ଡାଏରୀ ପଢ଼ିବା ଅନ୍ୟାୟ ତଥାପି ରାକେଶ ପାଇଁ ତା’ର ଅସୀମ ଆଗ୍ରହ । ଅନେକ କଥା ପଢ଼ିଗଲା ବନ୍ଦନା । ହଠାତ୍‌ ବନ୍ଦନାର ଆଖି ଅଟକିଗଲା । ଲେଖାଥିଲା–

 

ମୁଁ ଯେଉଁଦିନ ଘର ଛାଡ଼ିଲି ସେଦିନ କିନ୍ତୁ ମୋର ମନ ଚାହୁଁ ନଥିଲା ଘର ଛାଡ଼ିବାକୁ । ମନ ଓ ବିବେକ ମଧ୍ୟରେ ପରସ୍ତେ ଝଗଡ଼ା ହେଲା ଆଉ ତା’ପରେ ବିବେକର ହିଁ ଜୟ ହେଲା ଆଉ ମୁଁ ଘର ଛାଡ଼ିଲି ।

 

ନିର୍ଜନ, ଅନ୍ଧକାର ନିଶୀଥିନୀ । ମୁଁ ଶଯ୍ୟା ତ୍ୟାଗ କରିଯିବାକୁ ପ୍ରସ୍ତୁତ ହୋଇ ପଡ଼ିଲି । ଗୋଡ଼ କାଢ଼ି ମୋର ରୁମ୍‌ ବାହାରକୁ ଆସିବାକୁ ବାହାରୁଛି, ମୋର ମନେ ହେଲା କିଏ ଯେମିତି ମୋର ଗୋଡ଼ ଦୁଇଟାକୁ ଟାଣି ଧରିଛି ! ସେ ଯେମିତି ଚାହୁଁନି ଯେ ମୁଁ ଘର ଛାଡ଼ିଯାଏ ! କିନ୍ତୁ ମୁଁ ଆଉ କ’ଣ କରିଥାଆନ୍ତି । ସେ ମୋହ ମାୟା ଯୋଗୁଁ ଏତେ ଦିନ ପଡ଼ି ରହିଥିଲି କିନ୍ତୁ ଆଉ ନୁହେଁ । ମୋର ହୃଦୟକୁ ପଥରଠୁଁ ଆହୁରି ଟାଣ, ଇସ୍ପାତ୍‌ଠୁଁ ଆହୁରି ଟାଣି କରିବାକୁ ଶପଥ ନେଲି । କିନ୍ତୁ ଯେତେବେଳେ ଚମଡ଼ା ସୁଟକେଶଟା ନେଇ ବାହାରିଲି ସେତେବେଳେ ମୁଁ ଖୁବ୍‌ ଦୁର୍ବଳ ଅନୁଭବ କଲି, ଏପରିକି ସୁଟକେଶଟାକୁ ଟେକି ପାରିବା ଶକ୍ତି ମଧ୍ୟ ମୋର ନଥିଲା । ମୁଁ ପୁଣି ତଳେ ବସିପଡ଼ିଲି । ସତେ ଯେମିତି ମୁଁ ଛ’ ମାସର ମଳୁ ! ମୋର ସମସ୍ତ ଶକ୍ତିକୁ କିଏ ଯେମିତି କାଢ଼ି ନେଇଛି ।

 

ନାଃ.....ଆଉ ନୁହେଁ ଏଥର ମନରେ ଶତ ସିଂହର ବଳ ନେଇ ମୁଁ ବାହାରିଲି । କିନ୍ତୁ ଗୋଡ଼ ଚଳୁନି । ମନ କହୁଛି ଆଉ କିଛି ଦିନ ରହିଯା । ଏଥର କିନ୍ତୁ ସିଧା ଉପର ମହଲାରୁ ଷ୍ଟେୟାର କେଶ ଦେଇ ତଳକୁ ଚାଲିଲି । ଏଁ କିଏ ଗୋଟାଏ ଆସୁଛି ! ମୁଁ ଲୁଚିଯିବାକୁ ଚେଷ୍ଟା କଲି । ନା...ଧରା ପଡ଼ିଲି । ଗୋବିନ୍ଦ ଆସି ପଚାରିଲା, ‘‘ବାବୁ ଆପଣ’’ ମୁଁ ଗୋଟାପଣେ ଥରୁଥିଲି । ତାକୁ ନୀରବ ରହିବାକୁ ନିର୍ଦ୍ଦେଶ ଦେଲି । ତା’ପରେ ସେ ମୋ ସହିତ ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲା । ମୁଁ ଭଲ ଭାବରେ ଦେଖିଲି ତା’ର ଆଖିରୁ ଲୁହ ଢଳଢ଼ଳ ହେଉଥିଲା । ମୁଁ ତାକୁ ପାଞ୍ଚ ଟଙ୍କା ଦେଲି । ଗାଡ଼ି ଛାଡ଼ିଦେଲା ହୁଇସିଲ ଦେଇ । ଗୋବିନ୍ଦ ପଛରେ ରହିଗଲା ଆଉ ମୁଁ ଚାଲିଲି ଆଗକୁ ।

 

ସୁଟକେଶଟାକୁ ଏକରକମ ଫୋପାଡ଼ିଦେଇ ଛାତିକୁ ଦୁଇ ହାତରେ ଚାପିଧରି ଚୁପ୍‌ଚାପ ବସିପଡ଼ିଲି । ଅଜାଣତରେ ମୋର ଆଖିରୁ ଗଡ଼ି ଆସିଥିଲା ଦୁଇଟୋପା ଲୁହ । ହାତବନ୍ଧା ଘଣ୍ଟାଆଡ଼କୁ ଚାହିଁ ଦେଖିଲି–ରାତି ଦୁଇଟା ।

 

ଶେଷଆଡ଼କୁ ଅକ୍ଷରଗୁଡ଼ାକ କିପରି ଅସ୍ପଷ୍ଟ ହୋଇଉଠୁଛି । ବୋଧହୁଏ ରାକେଶର ଆଖିଲୁହ ଯୋଗୁଁ । ତେବେ କ’ଣ ରାକେଶ କାନ୍ଦୁଥିଲା । ହଁ, ହୋଇଥିବ । ପୃଷ୍ଠା ଓଲଟାଇ ଚାଲିଲା ବନ୍ଦନା । ଅନେକ କଥା, ସବୁଯାକ ଯେମିତି ଦୁଃଖର ଗୋଟାଏ ଗୋଟାଏ ସ୍ୱୟଂ ସମ୍ପୂର୍ଣ୍ଣ ଚିତ୍ର ! ଦୃଷ୍ଟି ସ୍ଥିର ହୋଇଗଲା ବନ୍ଦନାର । ଲେଖାଥିଲା-

 

ଆଉ ଦିନକର କଥା । ମୁଁ ସେଦିନ ଏହି ଦୁଃଖୀ ଜୀବନଟାକୁ ଶେଷ କରିଦେବାକୁ ଚାହିଁଥିଲି । ସେଦିନ ରାତିରେ ମୁଁ ଧୀରେ ଧୀରେ ଉଠି ମୋର ରୁମ୍‌ର ହୁକ୍‌ ଖୋଲି ବାହାରକୁ ଆସିଲି । ବାହାରେ ଚନ୍ଦ୍ରକିରଣ ଝଲମଲ କରୁଥିଲା । ମୁଁ ସିଧା ଚାଲିଲି କୂଅଆଡ଼କୁ । ଛପି ଛପି ଚାଲିଲି, କେହି ମୋତେ ଦେଖୁ ନାହାନ୍ତି ତ ! କେହି ମୋର ପିଛା କରୁନିତ !

 

ଯେତେବେଳେ ମୁଁ ଆଖିବୁଜି କୂଅ ଆଡ଼କୁ ମୁହଁକରି ଭିତରକୁ ପଡ଼ିଯିବା ପାଇଁ ଚେଷ୍ଟା କରୁଥିଲି ସେତେବେଳେ ଗୋବିନ୍ଦ ମୋର ପଛ ଆଡ଼କୁ ଧରି ନେଇଥିଲା । ଏକ ପ୍ରକାର ରାଗି ଯାଇ କହିଲା, ‘‘ ଏ କ’ଣ କରିବାକୁ ଯାଉଥିଲେ ଆପଣ । ଯାଆନ୍ତୁ ଶୋଇବେ । ଯାଆନ୍ତୁ କହୁଛି । ଆଉଦିନେ ଯେପରି ଆଭାସ ନ ପାଏ ।’’ ଏକ ପ୍ରକାର ତାଗିଦା କରି ମୋ ରୁମ୍‌ରେ ମୋତେ ଛାଡ଼ିଦେଇ ଯାଇଥିଲା ଗୋବିନ୍ଦ । ସେଦିନ ରାତିରେ କିନ୍ତୁ ମୁଁ ଆଦୌ ଶୋଇ ପାରିନଥିଲି । ଯେତେ ଚେଷ୍ଟା କଲେ ମଧ୍ୟ ମୋ ଆଖିରେ ନିଦ ଆସୁନଥିଲା । ଚାହିଁ ଚାହିଁ ସକାଳ ହୋଇଗଲା । ସେ କଥା ସମସ୍ତଙ୍କର ଅଗୋଚରରେ ରହିଗଲା ।

 

ଦିନେ ଗୋବିନ୍ଦ ମୋତେ ପଚାରିଲା, ‘‘ବାବୁ ଆପଣଙ୍କର ଅଭାବ କ’ଣ ? ଆପଣ ସବୁବେଳେ ମନମାରି ବସୁଛନ୍ତି କାହିଁକି ?’’ ମୁଁ ଖାଲି ହସୁଥିଲି । ଆଉ ମୁଣ୍ଡ ହଲାଇ ମନାକଲି କିଛି ଅଭାବ ନାହିଁ ବୋଲି । କ’ଣ ତାକୁ କହି ଥାଆନ୍ତି । କହିଲେ ବା ସେ କ’ଣ ବୁଝି ଥାଆନ୍ତା । ତାକୁ କେମିତି ବୁଝେଇ ଥାଆନ୍ତି ଯେ ମଣିଷ ଖାଇ ପିଇ ଚଳିଲେ, ଆରାମରେ ଅଛି ବୋଲି କହିହେବ । ତା’ର ଆଉ କିଛି ମଧ୍ୟ ଦରକାର । ଟିକିଏ ଆଦର ! ଟୋପାଏ ସ୍ନେହ !! ଆଉ କେଇପଦ ମିଠା ମିଠା କଥା !!!

 

ଆଉ କେଉଁଠି ସେପରି ଉଲ୍ଲେଖଯୋଗ୍ୟ ଘଟଣା ନଥିଲା । ଏହି ଗୁଡ଼ିକ ବୋଧହୁଏ ରାକେଶର ଜୀବନଯାକର ଡାଏରୀ । ହାଇସ୍କୁଲ ଡାଏରୀ ଠାରୁ କଲେଜର ଡାଏରୀଟା କୌତୂହଳ ପୂର୍ଣ୍ଣ । ତେବେ ରାକେଶର ଡାଏରୀ ଲେଖିବା ଗୋଟାଏ ଝୁଙ୍କ୍‌ । ସବୁତକ ଓଡ଼ିଆରେ ଲେଖା, ତେବେ ରାକେଶ ଓଡ଼ିଆ ଜାଣିନି ବୋଲି ଛଳନା କରେ କାହିଁକି ? କାହିଁ ଦିନେ ହେଲେ ତ ସେ ଓଡ଼ିଆରେ ଲେଖି କୌଣସି କଥା ଜଣାଇନି ଅଥଚ ସେ ଭଲ ଭାବରେ ଜାରେ ଯେ ଆମେ ଓଡ଼ିଆ ଅଥଚ... । ଏହାର ଅର୍ଥ ଖୋଜିବାକୁ ଚେଷ୍ଟା କରି ହତାଶ ହେଲା ବନ୍ଦନା । ରାକେଶର ଅନେକ ଗୁଡ଼ାଏ ଡାଏରୀ ପଢ଼ି ସାରିଥିଲେ ମଧ୍ୟ ଯେପରି ବୁଝି ପାରୁନଥିଲା, ରାଜେଶ କ’ଣ ?

 

ରାଜେଶ କ’ଣ ଦୁଃଖଭରା ବନ୍ଦୀଟିଏ ?

 

ଉତ୍ତର ଖୋଜି ପାଉ ନ ଥିଲା ବନ୍ଦନା ।

 

ହଠାତ୍‌ ଦୃଷ୍ଟି ପଡ଼ିଲା ଗୋଟିଏ ଆଲବମ୍‌ ଉପରେ । ଖୋଲି ଦେଖିଲା ବନ୍ଦନା । ସବୁତକ ଫଟୋ ରାକେଶର । ସବୁ ଫଟୋରେ ଲାଖି ରହିଛି ସ୍ୱଭାବ ସୁଲଭ ହସ ଖଣ୍ଡିଏ । ଗୋଟିଏ ଫଟୋକୁ ନିରୀକ୍ଷଣ କରି ଦେଖୁଥିଲା ବନ୍ଦନା । ସେହି ଫଟୋଟା ତାକୁ କାହିଁକି ଖୁବ୍‌ ଭଲ ଲାଗୁଥିଲା । କି ସୁନ୍ଦର ଦିଶୁଛି ରାକେଶ । ଜଗତଯାକର ସୌନ୍ଦର୍ଯ୍ୟ ଯେମିତି ତାରି ପାଖରେ ଠୁଳ ହୋଇଛି । ସରୁ ସରୁ ନିଶ ଖଣ୍ଡକ ଖୁବ୍‌ ସୁନ୍ଦର ମାନୁଥିଲା ତାକୁ । ହସି ହସି ଯେମିତି ତାଆରି ଆଡ଼କୁ ଏକ ଲୟରେ ଚାହିଁଛି ରାକେଶ । ଲାଜେଇ ଗଲା ବନ୍ଦନା ମନେ ମନେ । ଫଟୋଟିକୁ କାଢ଼ି ଆଣିଲା ସେ । ଦେଖିଲା, ଫଟୋ ତଳେ ନେଗେଟିଭଟା ଅଛି । ସୂତ୍ର ଖୋଜି ପାଇଗଲା ସେ । କିଛି ନଜାଣିଲା ପରି ଫଟୋଟିକୁ ଯଥା ସ୍ଥାନରେ ରଖି ନେଗେଟିଭଟା ଧରି ବାହାରିଲା ସେ ।

 

କିନ୍ତୁ ଯାଇ ପାରିଲାନି ବନ୍ଦନା । ଘରଟା କେମିତି ବିକ୍ଷିପ୍ତ ହେଇ ପଡ଼ିଛି । ରାକେଶ ପ୍ରତି ତା’ର ସହାନୁଭୂତି ଆସୁଥିଲା । ସଜାସଜି କରିଦେଲା । ରାକେଶ–ସେ ପୁରୁଷ । ତା’ର ଘର ସଜାଇବାକୁ ସମୟ କାହିଁ । ମନେ ମନେ କ’ଣ ଭାବି ହସୁଥିଲା ବନ୍ଦନା ।

 

ରାକେଶ ଆସିଲାବେଳେ ଧରିଆସିଥିଲା ଏଇ କେଇଖଣ୍ଡ ଡାଏରୀ ଓ ଏଇ ଆଲବମ୍‍ଟା-! ଚୋରଙ୍କ ପରି ରାତିଅଧରେ ଘରଛାଡ଼ି ପଳେଇ ଆସିବାରେ ମଜା କେତେ ଏଥର ରାକେଶ ଠିକ୍‌ ବୁଝିପାରିଥିବ । ଗୋଟିଏ ପୁଅ ଘର ଛାଡ଼ି ପୁଣି ସହଜରେ ଫେରି ଆସିପାରେ ଅଥଚ ଗୋଟାଏ ଝିଅ ଘର ଛାଡ଼ି ଯାଇ ପୁଣି ସେ ଘରକୁ ଫେରି ଆସିବା କାଠିକର ପାଠ !

 

ରାକେଶ ଫେରୁଥିବ । ବାପାଙ୍କୁ ଧରି ବୋଧହୁଏ ରାକେଶ ଫେରୁଥିବ । ଇସ୍‌ ରାକେଶ କେଡ଼େ ସୁନ୍ଦର, ସତେ ଯେମିତି ସବୁତକ ସୌନ୍ଦର୍ଯ୍ୟ ତାହାରି ଦେହରେ ଲେସି ହୋଇ ରହିଛି । ଇର୍ଷା ହେଉଥିଲା ବନ୍ଦନାର । ରାକେଶର ସଦା ହସ ହସ ସେହି ମୁହଁ ଖଣ୍ଡକ ବାରମ୍ବାର ଦେଖାଯାଉଥିଲା ବନ୍ଦାର ଆଖିରେ । ପ୍ରଜାପତିଆ ନିଶ ଖଣ୍ଡକ ବେଶ୍‌ ମାନୁଥିଲା ତାକୁ । ବଳିଲା ବଳିଲା ବାହୁ, ଚଉତା ଛାତି ସେହି ଛାତି ଉପରେ କଳା କଳା ବାଳ ଗୋଛାଏ । ସେହି ଛାତି ପାଖରେ ନିଜକୁ ଦିଅନ୍ତା କି !! ଛି.....କ’ଣ ସେ ଭାବୁଛି । ସେ ଯେ ତାଙ୍କର ଡ୍ରାଇଭର ତଥାପି.....ତଥାପି ତା’ର କ’ଣ ହୃଦୟ-ହୃଦୟ ନୁହେଁ । ସେଥିରେ କ’ଣ ପ୍ରେମର ନିର୍ଝରିଣୀ ଝରୁନି । ତା’ର ମନେ ପଡ଼ିଲା ସେ କେବେ କେଉଁଠି ପଢ଼ିଥିଲା, ‘‘ A true lover does not care for rank or wealth, ତେବେ ତା’ର ଭୁଲ କ’ଣ ?

 

ରାକେଶ ଫେରୁଥିବ ।

 

ମନରେ କେତେ ଆଶା ଆଉ ଭରସାକୁ ନେଇ ରାକେଶ ଫେରୁଥିବ । ବନ୍ଦନା ଦେଖିଲା ଟିକିଏ ଦୂରକୁ ଗୀଟାରଟା ଥୁଆ ହୋଇଛି । ସେ କ’ଣ ଭାବି ଗୀଟାର ପାଖକୁ ଚାଲିଲା । ଗୀଟାରର ଷ୍ଟ୍ରିଙ୍ଗ ଗୁଡ଼ାକ ଉପରେ ହସ୍ତ ଚାଳନା କଲା । ବୋଧହୁଏ କୌଣସି ଗୀତର ସୁର ଧରିବାକୁ ଚେଷ୍ଟା କରୁଥିଲା କିନ୍ତୁ ସୁର ବେସୁରା ହୋଇ ଯାଉଥିଲା କାରଣ ସେ ଗୀଟାର ବଜେଇ ଜାଣି ନ ଥିଲା । ବଜେଇ ବଜେଇ ବିରକ୍ତ ହୋଇଗଲା ବନ୍ଦନା । କେମିତି ବା ଭଲ ଲାଗନ୍ତା ? ନାଃ....ବଜେଇ ହେବନି କହି ଗୀଟାର ପାଖରୁ ଉଠି ଆସିଲା ବନ୍ଦନା ।

 

ଭାବନାରେ ବ୍ୟସ୍ତ ରହି ଫ୍ୟାନ ଦେବାକୁ ରୀତିମତ ଭୁଲିଯାଉଥିଲା ସେ । ଗରମରେ ଗରମରେ ଦେହ ତା’ର ଝେଳେଇଁ ଯାଇଥିା । ଫ୍ୟାନଟାକୁ ଖୋଲିଦେଲା ବନ୍ଦନା । ଥଣ୍ଡା ପବନ ବହି ବନ୍ଦନାର ତନ ମନକୁ ସୁନ୍ଦର ସରସ ମଧୂମୟ କରି ତୋଳିଲା ।

 

ବସି ବସି ଖୁବ୍‌ ବିରକ୍ତ ଲାଗୁଥିଲା ବନ୍ଦନାକୁ । ରାକେଶ ଆସନ୍ତା କି ? ବସି ବସି ତା’ ସହିତ କିଛି ପଦେ ଗପ କରନ୍ତା । କିନ୍ତୁ କାହିଁ ବର୍ଷେ ହେଲା ରାକେଶ ତାଙ୍କରି ଘରେ ରହୁଥିଲେ ମଧ୍ୟ ଦିନେ ହେଲେ ତ ତା’ ସହିତ କଥା କହିପାରି ନାହିଁ । କ’ଣ ଘୃଣାରେ ନା ଲାଜରେ । ନା....ନା....ସେ ରାକେଶକୁ ଘୃଣା କରି ପାରେନା । କିନ୍ତୁ ରାକେଶ–ସେତ କାହିଁ ଦିନେ ହେଲେ ତା’ ଆଡ଼କୁ ମୁହଁ ଘୂରାଇ ଚାହିଁନି । ସେ କ’ଣ ତେବେ ତାକୁ ଘୃଣା କରେ ? ନା, ସେ କାହିଁକି ଘୃଣା କରିବ । କିନ୍ତୁ ସେତ ଏତିକି କହି ପାରନ୍ତା, ‘‘ବାପାଙ୍କୁ କହିଦିଅ, ସେ ଯିବେ ପରା । ସମୟ ହୋଇ ଗଲାଣି ଯେ’’ । କିନ୍ତୁ କାହିଁ ଦିନେ ହେଲେତ କହିନି ।

 

ରାକେଶ ଉପରେ ରାଗ ହେଉଥିଲା ବନ୍ଦନାର ।

 

କିନ୍ତୁ ରାକେଶ ଉପରେ ରାଗିବାର କି ଅଧିକାର ଅଛି ବନ୍ଦନାର ? ନିଜକୁ ପ୍ରଶ୍ନ କରି ହଇରାଣରେ ପଡ଼ିଗଲା ବନ୍ଦନା । ପ୍ରଶ୍ନଟା ମନେ ପଡ଼ି ନଥିଲେ ଭଲ ହୋଇ ଥାଆନ୍ତା । ହଁ ତା’ର ଅଧିକାର ଅଛି–ନିଶ୍ଚୟ ଅଧିକାର ଅଛି । ମନକୁ ସାନ୍ତ୍ୱନା ଦେଉଥିଲା ବନ୍ଦନା । କିନ୍ତୁ କିନ୍ତୁ ବାସ୍ତବିକ ରାକେଶ ଉପରେ ତା’ର ଅଧିକାର କ’ଣ !!

 

ଅନେକ ଥର ରାକେଶ ତାକୁ କାରରେ କଲେଜକୁ ଛାଡ଼ିବାକୁ ଯାଇଅଛି । କିନ୍ତୁ କାହିଁ ଦିନେ ହେଲେ ତ ତା’ ଆଡ଼କୁ ହସିକରି ଚାହିଁନି ? ନିଜକୁ ଅଭିଶପ୍ତ ମନେ କରୁଥିଲା ବନ୍ଦନା ।

 

ରାକେଶ ବିଷୟରେ ସେ କାହିଁକି ଭାବୁଛି ?

 

ମନକୁ ମନ ପ୍ରଶ୍ନ କରି ଚମକି ଉଠିଲା ବନ୍ଦନା । ରାକେଶ ତା’ର କିଏ ? ରାକେଶ ସହିତ ତା’ର ସଂପର୍କ କ’ଣ ? ସେ କାହିଁକି ରାକେଶ ବିଷୟ ଭାବିବ ?? ନା ସେ ଆଉ ଭାବିବନି । ମନେ ମନେ ସ୍ଥିର କଲା ବନ୍ଦନା ।

 

ରାକେଶ ଆସୁଥିବ ।

 

ହଠାତ୍‌ ହର୍ଣ୍ଣ ଶୁଭିଲା ଗାଡ଼ିର । ବନ୍ଦନା ଦେଖିଲା ଗେଟ୍‌ ପାଖରେ ଦରୁଓ୍ୱାନ ଗେଟ୍‌ ଖୋଲୁଛି । ପ୍ରକୃତିସ୍ଥ ହେଲା ସେ । ରାକେଶ, ତାକୁ ନିଜ ରୁମରେ ବସିଥିା ଦେଖି କ’ଣ ଭାବିବ ! ଆଉ ବାପା; ସେ କ’ଣ ଭାବିବେ !!

 

ବନ୍ଦନା ଲୁଚି ଲୁଚି ଦୌଡ଼ି ଚାଲିଗଲା ।

 

ଚାରିଟା ଆସି ବାଜିବ ।

 

ହାତବନ୍ଧା ଘଣ୍ଟାକୁ ଚାହୁଁଥିଲା ରାକେଶ । ସକାଳେ ଯାହା ଖାଇଥିଲା ସେତିକି । ବାସ୍‌ ଆଉ ଖାଇନାହିଁ । ପେଟ ଉପରେ ହାତ ବୁଲାଇ ଆଣିଲା ରାକେଶ । ପେଟଟା ଅନେକ ଭିତରକୁ ପଶି ଯାଇଥିଲା । ବୋଉ ଦେଖିଲେ କେତେ କ’ଣ କହି ଯାଆନ୍ତା ଛାଡ଼.....

 

ଦୀର୍ଘ ନିଃଶ୍ୱାସ ତ୍ୟାଗ କରି ରାକେଶ ଚୌକିଟା ଉପରେ ବସି ପଡ଼ିଲା । ଖୁବ୍‌ କ୍ଳାନ୍ତ ହୋଇ ପଡ଼ିଥିଲା ସେ । ବାସ୍ତବିକ ହବା କଥା, ଦିନଯାକ କେତେ ପରିଶ୍ରମ ନ କରୁଛି ସେ । କିନ୍ତୁ କାହାପାଇଁ ? ଆଖି ଛଳ ଛଳ ହୋଇ ଉଠିଲା ରାକେଶର ।

 

ରବିଶଙ୍କର ଜଳଖିଆ ଆଣୁଥିବ ।

 

ଭାବନାର ମୋଡ଼ ପରିବର୍ତ୍ତନ କଲା ରାକେଶ । ଘରଟା ଉପରେ ଆଖି ବୁଲାଇ ଆଣିଲା ସେ । କେମିତି ଏକ ପରିବର୍ତ୍ତନ ଲକ୍ଷ କଲା । ସେ ରୁମ୍‌ଟା ତାକୁ ରୀତିମତ ନୂଆ ନୂଆ ଲାଗୁଥିଲା । କିଏ ଯେମିତି ବର୍ତ୍ତମାନ ହିଁ ସଜେଇଛି ! କିନ୍ତୁ କିଏ ସଜେଇ ପାରେ ? କିଏ ରବିଶଙ୍କର ?? ନା ସେ ସଜେଇ ନଥିବ । ତା’ର କ’ଣ ଦରକାର । ସେ କାହିଁକି ମୋ ରୁମ୍‌ ସଜାଇବ ।

 

ରବିଶଙ୍କର ଆସିଲା ।

 

ବାବୁ କ’ଣ ଜଳଖିଆ ଖାଇବେଟି ? ଜଳଖିଆ ପ୍ଳେଟଟିକୁ ଟେବୁଲ ଉପରେ ରଖିଦେଇ ପ୍ରଶ୍ନ କରୁଥିଲା ରବିଶଙ୍କରର । ଟେବୁଲ ନିକଟକୁ ଉଠିଗଲା ରାକେଶ । କିନ୍ତୁ, କ’ଣ ତା’ର ଡାଏରୀତକ ଏଠାରେ କିପରି ? କିଏ ଏସବୁ ଏଠାକୁ ଆଣିଲା । ଆଲବମଟା ବି ତ ଏଇଠି ପଡ଼ିଛି-। ଫ୍ୟାନ ଆଡ଼କୁ ଚାହିଁଲା ରାକେଶ । ସେଇଟା ବୁଲୁଛି ନିର୍ବିକାର ଭାବରେ । କିଏ ସେମିତି ସବୁ କରିଛି ?

 

ବନ୍ଦନା ! ସେ ବା ଏଠାକୁ କାହିଁକି ଆସିବ । ଇସ୍‌ କ’ଣ ଭାବୁଛି ରାକେଶ । ମନେ ମନେ ଲଜ୍ଜିତ ହେଲା ରାକେଶ । କାରଣ ସେ ଭାବୁଥିଲା ବନ୍ଦନା ତା’ର ରୁମ୍‌କୁ ନରକଠାରୁ ଆହୁରି ଅଧିକ ଘୃଣା କରୁଥିଲା । ଆଉ ତାକୁ ମଧ୍ୟ.....ତେଣୁ.....

 

‘କ’ଣ ଆପଣ ଏତେ ଭାବୁଛନ୍ତି ବାବୁ ? ଜଳଖିଆ ଥଣ୍ଡା ହୋଇଯିବ ଯେ ଚଞ୍ଚଳ ଖାଇ ନିଅନ୍ତୁନା । ମୋର ତେଣେ କେତେ କାମ ପଡ଼ିଛି’ କହି ରବିଶଙ୍କର ଚାଲିଗଲା ।

 

ତା’ର ଯିବା ପଥକୁ ଚାହିଁ ରହିଲା ରାକେଶ ।

 

ରାକେଶ ଜଳଖିଆ ଖାଇବାକୁ ଆରମ୍ଭ କଲା । ଜଳଖିଆ ଖାଇସାରି ରାକେଶ ଡାଏରୀ ଗୁଡ଼ିକୁ ଖେଳେଇ ଦେଖିଲା ସବୁ ଠିକ୍‌ ଅଛି । ଆଲବମ୍‌ଟା ପୂରା ଦମ୍‌ରେ ଦେଖାଗଲା । କାହିଁ କିଛି ତ ପରିବର୍ତ୍ତନ ହୋଇନି । ଆଲବମ୍‌ଟାକୁ ପୁଣି ଥୋଇଦେଲା ରାକେଶ ଜୋତା ଖୋଲି ଖଟ ଉପରେ ଶୋଇ ପଡ଼ିଲା । ଖଟ ଉପରେ ଶୋଇ ସେ ଅନୁଭବ କଲା ଇଭନିଂ–ଇନ୍‌–ପ୍ୟାରିସର ଭୁରୁ ଭୁରୁ ବାସନା । ଆଶ୍ଚର୍ଯ୍ୟ ହେଲା ରାକେଶ । ତା’ର ତ ଏ ବିଷୟରେ ସଉକ୍‌ ନାହିଁ । ସେ ତ ଦିନେ ହେଲେ ଇଭନିଂ-ଇନ୍‌–ପ୍ୟାରିସ୍‌ କିଣିନି । ତେବେ ତା’ର ଖଟ ଉପରକୁ ଏ ବାସନା ଆସିଲା କୁଆଡ଼ୁ ! ନିଜର ପୋଷାକ ପତ୍ରକୁ ଭଲକରି ପରୀକ୍ଷା କରିନେଲା ରାକେଶ । କାଳେ କେଉଁଠି ଲାଗିଯାଇଥିବ କିନ୍ତୁ କାହିଁ ଗନ୍ଧର ସତ୍ତା ବି ଅନୁଭବ କରିପାରୁନି ସେ । ତେବେ କ’ଣ ରବିଶଙ୍କର ତା’ର ସ୍ତ୍ରୀ ପାଇଁ କିଣି ଆଣିଛି ଇଭନିଂ-ଇନ୍‌-ପ୍ୟାରିସ୍‌ । ଆଉ ତାକୁ ଜଣାଇ ଦେବାକୁ ବୋଧହୁଏ ଟିକେ ତା’ର ବିଛଣାରେ ସ୍ପର୍ଶକରି ଦେଇଛି । ହୋଇଥିବ । ସେଥିରୁ କ’ଣ ମିଳିବ ।

 

ରାକେଶ ଶୋଇ ଶୋଇ ଫ୍ୟାନକୁ ଚାହିଁଲା । ଫ୍ୟାନ୍‍ଟା ଘୁରୁଛି । ସବୁଦିନେ, ସମାନ, ସେ ଯେମିତି ଗାଡ଼ି ନେଇ ବମ୍ବେ ନଗରୀରେ ଘୁରେ । କିଛି ତ ପରିବର୍ତ୍ତନ ନାହିଁ । ସେଇଥିପାଇଁ ତ ତା’ର ସୃଷ୍ଟି । ରାକେଶ ମୁହଁ ବୁଲାଇ ଚାହିଁଲା ରେଡ଼ିଓଟା ଥୁଆ ହୋଇଛି । ବଜାଇବାକୁ ଇଚ୍ଛା ହେଉନଥିଲା । କେମିତି ଏକ ଅବଶତା ସେ ଅନୁଭବ କରୁଥିଲା ଅଙ୍ଗ ପ୍ରତ୍ୟଙ୍ଗରେ ।

 

ସନ୍ଧ୍ୟା ଆସୁଛି ।

 

ସବୁଦିନେ ଆସୁଛି ଓ ଆସୁଥିବ । ସେଥିରେ କିଛିଟା ବ୍ୟତିକ୍ରମ ହେବନି କାରଣ ଏହା ଚିରନ୍ତନ ସତ୍ୟ । କିନ୍ତୁ ସନ୍ଧ୍ୟା ଆସେ କାହିଁକି ? ପାଗଳର ପ୍ରଳାପ ହୋଇପାରେ । କିନ୍ତୁ ସନ୍ଧ୍ୟା ସମସ୍ତଙ୍କୁ ଆନନ୍ଦ ଦେଇ ପାରେନି । ଯେଉଁମାନଙ୍କ ମନ ପାତ୍ରରେ ସନ୍ଧ୍ୟା ସୁଖର ମଦିରା ଭରିଦିଏ, ସେହିମାନେ ସନ୍ଧ୍ୟାକୁ ଅଭିନନ୍ଦନ ଜଣାନ୍ତି କିନ୍ତୁ ଯେଉଁମାନଙ୍କ ମନରେ......

 

ରୁମ୍‌ଟାରେ ଅନ୍ଧାର ରାଜତ୍ୱ ବଢ଼ି ଯାଇଥିଲା । ରାକେଶ ଅତି ଭାବପ୍ରବଣ ହୋଇ ଭୁଲି ଯାଇଥିଲା ବାହ୍ୟ ଜଗତ ବିଷୟରେ । ହଠାତ୍‌ ମନେ ପଡ଼ିଗଲା ତା’ର ଗୀଟାର କଥା । ଉଠି ବସିଲା ରାକେଶ । ଲାଇଟ୍‍ ଜାଳିଦେଲା ସେ । ଘର ସାରା ଖେଳିଗଲା ଆଲୋକର ପ୍ଳାବନ ।

 

ହଠାତ୍‌ ରାକେଶ ଆବିଷ୍କାର କଲା ଏକ ଜୋତା । ନିଶ୍ଚୟ ନାରୀର କିନ୍ତୁ ଏହା ପ୍ରକୃତରେ କାହାର ? ମନେ ମନେ ଭାବି ହେଉଥିଲା । କିଛି ବୁଝିପାରୁ ନ ଥିଲା ସେ । ତେବେ କ’ଣ ରବିଶଙ୍କର ଭୁଲରେ ଛାଡ଼ି ଯାଇଛି । କିନ୍ତୁ ତା’ର ଏଠାକୁ ଆଣିବା ତ କୌଣସି ଦରକାର ନ ଥିଲା । ତେବେ କ’ଣ ସେ ତାକୁ ଦେଖାଇବାକୁ ଆଣିଥିଲା ।

 

ବନ୍ଦନା.....

 

ସେ କାହିଁକି ଆସିବ । ତା’ର କ’ଣ ଦରକାର । ରବିଶଙ୍କରକୁ ସେ ଆଜି ପଚାରିବ ସେ ଜୋତା କାହାର । ଯଦି ବନ୍ଦନାର ହୋଇଥିବ ! ହେଉ ପଛେ ବନ୍ଦନାର ତା’ର କ’ଣ ଯାଏ । ଯଦି ଜୋତାଟିକୁ ମୁରାରୀ ବାବୁ ଦେଖି ନିଅନ୍ତି । ତେବେ ସେ କ’ଣ ଭାବିବେ । ଜୋତା କାହାର ବୋଲି ଯଦି ପଚାରନ୍ତି ? ତେବେ ସେ କି ଉତ୍ତର ଦେବ ତାଙ୍କୁ । କହିବ ସେ ଜାଣେନି । ଛାଡ଼ ବାଜେ କଥାରୁ କ’ଣ ମିଳିବ । ମନକୁମନ ସାନ୍ତ୍ୱନା ଦେଲା ରାକେଶ ।

 

ତାକୁ ମୋଟେ ଭଲ ଲାଗୁନଥିଲା । ଗୀଟାର ବଜାଇବା ଆରମ୍ଭ କଲା ରାକେଶ । କିନ୍ତୁ ଆଜି ତା’ର ସ୍ୱର ବେସୁରା ହୋଇ ଯାଇଥିଲା । ତଥାପି ଚେଷ୍ଟା କରୁଥିଲା । ତଥାପି ଚେଷ୍ଟା କରୁଥିଲା ରାକେଶ । ପ୍ରାଣପଣେ ଚେଷ୍ଟା କରୁଥିଲା ।

 

ପାଖ ଡାଳରେ ଚଢ଼େଇଟିଏ ଚିତ୍କାର କରୁଥିଲା ।

 

ବନ୍ଦନା ତା’ ରୁମରେ ବସିଥିଲା ।

 

ରାକେଶର ରୁମରୁ ଦୌଡ଼ିଲା ପରି ଫେରି ଆସି କେମିତି ଏକ ଅସ୍ୱସ୍ତି ବୋଧ କରୁଥିଲା ବନ୍ଦନା ।

 

କ’ଣ ଭାବିଥିବ ରାକେଶ ?

 

ନାନା ପ୍ରକାର ଆଶଙ୍କାରେ ବନ୍ଦନାର ମନଟା ଭାରାକ୍ରାନ୍ତ ହୋଇ ଯାଇଥିଲା ! ଯଦି ରାକେଶ ଦେଖି ନେଇଥାଏ; ତା’ ରୁମରୁ ଫେରୁଥିବା ବେଳେ । ନିଶ୍ଚୟ ଖରାପ ଭାବିଥିବ । ନାଃ......ସେ ଦେଖିବା ପାଇଁ ସୁଯୋଗ ପାଇ ନ ଥିବ । ରାକେଶ ତ ଗେଟ ପାଖର ଥିବାବେଳେ ସେ ଲୁଚି ଲୁଚି ଚାଲିଯାଇଥିଲା । ଯଦି ରବିଶଙ୍କର ଦେଖିଥାଏ, ସେ ଯଦି ବାପାଙ୍କୁ କିମ୍ବା ରାକେଶକୁ କହିଦିଏ ।

 

ଆଉ ଯଦି ବାପା ଦେଖି ଥାଆନ୍ତି !!

 

ତେବେ....ତେବେ କ’ଣ ହେବ ? କିଛି ଠିକ୍‌ କରିପାରୁ ନଥିଲା ବନ୍ଦନା । ଅବଶ୍ୟ ସେ ରାକେଶ କି ରବିଶଙ୍କରକୁ ଡରିବ ନାହିଁ । ତଥାପି ବାପା କ’ଣ ଭାବିବେ ? ବାପା ଆସିବା ସଙ୍ଗେ ସଙ୍ଗେ ସେ ବାପାଙ୍କ ନିକଟକୁ ଦୌଡ଼ି ଯାଉଥିଲା ଠିକ୍‌ ପିଲାଙ୍କ ପରି । କିନ୍ତୁ ଆଜି ତ ସେ ଦୌଡ଼ି ଯାଇନି । ବାପା ନିଶ୍ଚୟ ତା’ ରୁମ୍‌କୁ ବର୍ତ୍ତମାନ ଆସିବେ । କ’ଣ କହିବେ ତାକୁ ? ଯଦି ବାପା ତାକୁ ପଚାରନ୍ତି, ‘‘ତେବେ ସେ କହିବ ଯେ ରବିଶଙ୍କରକୁ ଖୋଜିବାକୁ ଯାଇଥିଲା ।’’

 

ଚିଡ଼ି ମାଡ଼ୁଥିଲା ବନ୍ଦନାକୁ । ସେ ରାକେଶର ରୁମକୁ ନଯାଇଥିଲେ ଭଲ ହୋଇ ଥାଆନ୍ତା-। କ’ଣ ସେ ପାଇଲା ? କେବଳ ଅଶ୍ରୁ ଓ ବେଦନା । ରାକେଶ କ’ଣ ବୁଝିବ ତା’ର ମନର ବେଦନା-? ସେ ତା’ର ମନ ଖୁସିରେ ଖାଇ ପିଇ କଟେଇ ଦେଉଛି ଦିନ ଗୁଡ଼ାକ । ସେ କେମିତି ବୁଝନ୍ତା ତା’ ମନର କଥା–ହୃଦୟର କଥା–ପ୍ରାଣର କଥା । ବାସ୍ତବିକ ଭୋଗ ବିଳାସ ଭିତରେ ବୁଡ଼ିରହି ମଣିଷ ଭୁଲିଯାଏ ଦୁନିଆକୁ । ଦୁନିଆ କିନ୍ତୁ ତାକୁ ଭୁଲି ପାରେନି । ଶତ ମୁଖରେ ସେ ସମାଲୋଚିତ ହୁଏ । ଅବଶ୍ୟ ତା’ର ଅଜାଣତରେ । କାରଣ ସେ ଧନୀ, ସେ ମାନୀ । ବଡ଼ ଲୋକଙ୍କୁ ଉତ୍ତର ନାହିଁ ପରା !

ମନେ ମନେ ବିରକ୍ତ ହୋଇ ଉଠିଲା ବନ୍ଦନା ।

ଏତେ ଭାବନା ଅଥଚ ସବୁ ମୂଲ୍ୟହୀନ ।

ସବୁତକ ଅର୍ଥହୀନ ।

ସବୁତକ ଆକାଶ କୁସୁମ ।

ସବୁତକ ପାଣିର ଗାର ।

ମଣିଷ ଆଶାବାଦୀ । ମଣିଷ ଆଶା କରେ । ଆଶା ଅପୂର୍ଣ୍ଣ ହେଲେ ସେ ଦୁଃଖ ପାଏ, ଆଉ ଆଶାପୂର୍ଣ୍ଣ ହେଲେ.... ! ଏହା ଚିରନ୍ତନ ସତ୍ୟ । ଏଥିରେ ନୂତନତ୍ୱ ନାହିଁ, ବାସନା ନାହିଁ, ଆଗ୍ରହ ନାହିଁ, ଖାଲି ଗୋଟାଏ ପୁରୁଣା କଥା । ପୁରୁଣା ସ୍ମୃତିଟିଏ ।

ବାପା ବୋଧହୁଏ ଆସିବେ ।

କ’ଣ ତାକୁ ପଚାରିବେ ? କ’ଣ ତାକୁ କହିବେ ?? ଅପମାନ ଦେବେ ? କ’ଣ କରିବ ସେ । ମନଟା ଅବୁଝା ରହି ଯାଉଥିଲା ବନ୍ଦନାର । କେବେ ତ ବାପା ତାକୁ ଗାଳି ଦେଇ ନାହାନ୍ତି । ଆଜି ଯଦି ଦିଅନ୍ତି ! ସେ ନିଶ୍ଚୟ କାନ୍ଦିବ । ଆଖିରୁ ଲୁହ ଢାଳିବ । କାନ୍ଦି କାନ୍ଦି ଆଖି ଫୁଲି ଯିବ–ଲୁହ ସରିଯିବ–ତଥାପି ସେ କାନ୍ଦିବ, ଆହୁରି କାନ୍ଦିବ, ମନଭରି କାନ୍ଦିବ । ମା ନ ଥିବା ଝିଅର କେହି ନାହିଁ-। ବାପା କ’ଣ ତା’ ମନ କଥା ବୁଝି ପାରିବେ । ଗାଳି ଦେଇସାରି କ’ଣ ତାକୁ ଆଉ ସାନ୍ତ୍ୱନା ଦେବେ-!! ମୋଟେ ନୁହେଁ । ଗାଳି ଦେଇସାରି ଡ୍ରଇଂ ରୁମ୍‌ରେ ବସି ବସି ଟୋବାକୋ ଖାଇବେ-

ରାକେଶଟା କେଡ଼େ ନିଷ୍ଠୁର ।

ତା’ ପାଇଁ ସେ କେତେ ନ ଭାବୁଛି ଅଥଚ ରାକେଶ କ’ଣ ତା’ ପାଇଁ କାଣିଚାଏ ବି ଭାବୁଥିବ । ନା ସେ ମୋଟେ ଭାବୁ ନ ଥିବ । କାହିଁକି ବା ଭାବିବ । ସେ ବା କିପରି ଜାଣିବ ଯେ ଜଣେ ତା’ ପାଇଁ ଭାବୁଛି । ଜାଣିବାକୁ ଚେଷ୍ଟା ତ କରିନି ସେ । କାହିଁକି ବା କରନ୍ତା ।

ପୁରୁଷ ସେ । ସେ ବା କିମିତି ବୁଝିବ ନାରୀ ହୃଦୟର ଗୋପନ କଥା । ତଳ ରୁମ୍‌ରେ ବସି ବସି ରେଡ଼ିଓ ଶୁଣୁଥିବ–ଖୁସିରେ ଆନନ୍ଦରେ । ଫୁଟ୍‌କି ବଜାଉଥିବ । ଶିଶିରି ମାରୁଥିବ । ଜୋତାର ‘ଟୋ’ ରେ ଟିକ୍‌ ଟିକ୍‌ ଆବାଜ କରୁଥିବ । ମୁଣ୍ଡ ହଲାଇ ହଲାଇ ଗୀତର ସୁର ଧରୁଥିବ ।

ରାକେଶ କ’ଣ କିଛି ବୁଝେନା

ସତେରେ କ’ଣ ସେ ଏତେଟା ଶିଶୁ ।

ଏତେଟା ଅବୋଧ ।

ଏତେଟା ଅଜ୍ଞ ।

ନା, ବୁଝି ବି, ନ ବୁଝିବାର ଅଭିନୟ କରୁଛି । ଯଦି ସେହିପରି କରୁଥାଏ । ନା ରାକେଶ ଏତେଟା ନୀଚ ନୁହେଁ, ଲମ୍ପଟ ନୁହେଁ, ଲଫଙ୍ଗା ନୁହେଁ । ସେ ମହତ୍‌ । ସେ ଉଦାର । ସେ ନମସ୍ୟ । କାହିଁ ଦିନେ ହେଲେ ତ ସେ ମୁଣ୍ଡ ଟେକି ତାରି ଆଡ଼କୁ ଚାହିଁନି । ବରଂ ସେ କଥା କହିଲାବେଳେ ମୁଣ୍ଡକୁ ପୋତି ଖାଲି ମୁଣ୍ଡ ହଲାଏ ।

ଇଙ୍ଗିତରେ ହଁ ଭରେ, ନାହିଁ କରେ ।

ବାସ୍‌ ସେତିକି । ଆଉ ନୁହେଁ ।

ରାକେଶ ଗୋଟିଏ ପ୍ରହେଳିକା !

ଯେଉଁ ପ୍ରହେଳିକାର ପଛରେ ଦୌଡ଼ି ଦୌଡ଼ି ହତାଶ ହୋଇଛି ବନ୍ଦନା । ହାତ ଗୋଡ଼ ଦରଜ ହୋଇଛି । ମନ ଦରଦୀ ହୋଇଛି । ଅଶ୍ରୁଛଡ଼ା କିଛି ପାଇନି ସେ । ଟିକିଏ ମିଠା ମିଠା କଥା ଆଉ ଟିକିଏ ହସିଲା ଚାହାଁଣୀ ପାଇଁ କେତେ ପରିଶ୍ରମ ନ କରିଛି ସେ । କିନ୍ତୁ ଫଳ ହୋଇଛି ଓଲଟା-। ପାହାଡ଼ ପାଖରେ ଚିତ୍କାର କଲେ ପାହାଡ଼ ପ୍ରତିଧ୍ୱନୀ କରି ତା’ର ସମବେଦନା ଜ୍ଞାପନ କରେ-। କିନ୍ତୁ ରାକେଶ ସେ ପଥରଠୁଁ ଟାଣ । ଇସ୍ଫାତଠୁଁ ଟାଣ । ସେଥିରେ ଧକ୍‌କା ପାଇ ସବୁ ଫେରି ଆସୁଛି କିଛି ରହୁନି ।

ରାକେଶ ଗୋଟିଏ ପ୍ରଶ୍ନ ।

ଅବୁଝା ପ୍ରଶ୍ନ

ଶୁଷ୍କ ପ୍ରଶ୍ନ ।

ଯେଉଁ ପ୍ରଶ୍ନକୁ ସମାଧାନ କରିବା ଉପାୟ ଖୋଜି ପାଇନି ବନ୍ଦନା । ଯେଉଁ ପ୍ରଶ୍ନକୁ ସ୍ପର୍ଶ କରିବାକୁ ସେ ସକ୍ଷମ ନୁହେଁ । ଯେଉଁ ପ୍ରଶ୍ନର ଉତ୍ତର ସେ କାହାରିଠୁଁ ବୁଝି ପାରିବନି । ସେ ସେମିତି କି ? ଗୋଟାଏ ପ୍ରଶ୍ନ ।

ଆଃ....ରାକେଶ କଥା ସେ କାହିଁକି ଭାବୁଛି ? କିଛି ବୁଝି ପାରୁ ନ ଥିଲା ବନ୍ଦନା । ରାକେଶ ତା’ର କିଏ ? ନା ସେ ରାକେଶ ବିଷୟରେ ଭାବିବନି । ମନକୁ ମନ ସାନ୍ତ୍ୱନା ଦେଲା ସେ-

ଅନ୍ଧାର । ପୂରା ଅନ୍ଧାର ଜମାଟ ବାନ୍ଧିଲାଣି । ଲାଇଟ ଜଳାଇବା ପାଇଁ ବୋଧହୁଏ ମନେ ନ ଥିଲା କିମ୍ବା ଜାଣି ଜାଣି ସେ ଲାଇଟ ଜଳାଇ ନ ଥିଲା ଏହା ଜାଣିବା ମୁସ୍କିଲ ହୋଇ ପଡ଼ିଲା ଯେତେବେଳେ ବନ୍ଦନା ସୁଇଚ୍‌ ବୋର୍ଡ଼ ପାଖକୁ ଯାଇ ପୁଣି ଫେରି ଆସିଲା । ଆଲୁଅରେ ବସିବା ପାଇଁ ବୋଧହୁଏ ତାକୁ ଭଲ ଲାଗୁନଥିଲା ।

ଝରକା ଦେଇ ବାହାରକୁ ଚାହିଁଲା ବନ୍ଦନା ।

ଘର ପାଖ ଝାଉଁ ଗଛଟିରେ କେତେକ ଚଢ଼େଇ ବସି କିଚିରମିଚିର ଆରମ୍ଭ କରି ଦେଲେଣି । ବତୀ ଖୁଣ୍ଟଗୁଡ଼ିକ କେତେବେଳୁ ସଜୀବ ହୋଇଗଲେଣି । ବମ୍ବେ ନଗରୀ ହସୁଛି । ରାସ୍ତା ଉପରେ ହାତ ଧରାଧରି ହୋଇ ଯାଉଛନ୍ତି ଯୁଗଳ ଦମ୍ପତି । ସନ୍ଧ୍ୟାର ମନୋରମା ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ । ବୋଧହୁଏ ମେରିନ୍‌ଡ଼୍ରାଇଭ ଆଡ଼କୁ ମୁହାଁଇଛନ୍ତି । ଯାନବାହାନର ଭିଡ଼ ବେଶ୍‌ ଜମାଟ ବାନ୍ଧିଲାଣି ।

ହଠାତ୍‌ ଦୃଷ୍ଟି ପଡ଼ିଲା ଗୋଟିଏ ଯୁଗଳ ଦମ୍ପତି ଉପରେ । ନୂଆ ସଂସାର ଗଢ଼ିଛନ୍ତି ବୋଧହୁଏ । ଖୁବ୍ ହସି ହସି ଚାଲିଛନ୍ତି ଦୁଇଜଣ । ଖୁସିର ନିଶାରେ ମସଗୁଲ ହୋଇ ଉଠିଛନ୍ତି । ଝିଅଟି ପୁରୁଷର ହାତଟିକୁ ଧରି ଟାଣୁଛି । ବୋଧହୁଏ ତା’ର ଇଚ୍ଛାକୁ ଯୁବକଟି ପ୍ରତ୍ୟାଖ୍ୟାନ କରୁଛି । ଫଳରେ ଦୁହିଁଙ୍କର ମତଭେଦ ସୃଷ୍ଟି ହେଉଛି । ସେ ବୋଧହୁଏ କ୍ଳବ୍‌ କିମ୍ବା ସିନେମାକୁ ଯିବାକୁ କହୁଛି ଅଥଚ ପୁରୁଷଟି ରାଜି ହେଉନି ।

ଭାରି ଖୁସି ଲାଗୁଥିଲା ବନ୍ଦନାକୁ ଦେଖିବା ପାଇଁ । ସେ ବି ଏମିତି ଅଳି କରନ୍ତା । ରାଜି ନ ହେଲେ ଜୋର କରି ରାଜି କରାନ୍ତା । ଆହୁରି ଅନେକ କିଛି.....

ଦେବଜାନୀ–ତାଆରି କ୍ଳାସ ମେଟ୍‌ ।

ଦୁଇଜଣ ସ୍ୱାମୀଙ୍କୁ ଛାଡ଼ି ତୃତୀୟ ଜଣକ ହାତଧରି ବେଶ୍‌ ସୁଖରେ ଅଛି ସେ । ନାଇଟ କ୍ଳବ, ପାର୍ଟି, ପୁରୁଷ ଏ ପର୍ଯ୍ୟନ୍ତ ତା’ର ବନ୍ଦ ହୋଇନି । ତା’ର ବର୍ତ୍ତମାନ ସ୍ୱାମୀ ତାକୁ ବାଧା ଦିଅନ୍ତି ନାହିଁ । କିନ୍ତୁ ପୂର୍ବର ଦୁଇଜଣ ସ୍ୱାମୀ ବାଧା ଦେବାରୁ ସେମାନଙ୍କୁ ଛାଡ଼ପତ୍ର ଦେଇଥିଲା ଦେବଜାନୀ-। ସେମାନେ ମଧ୍ୟ ସେୟା ଚାହୁଁଥିଲେ । ସେଇ ଦେବଜାନୀ ରାସ୍ତାରେ ଯାଉଛି । ସାଙ୍ଗରେ ଅନ୍ୟ ଜଣେ କେହି ଅଛି । ବୋଧହୁଏ କେହି ଜଣେ ପୁରୁଷ ବନ୍ଧୁ । ଘୃଣାରେ ମନ ପୂରିଗଲା ବନ୍ଦନାର-

ମୁହଁ ଫେରାଇଲା ବନ୍ଦନା ।

ଟେବୁଲ୍‌ ଲାଇଟଟିକୁ ଜାଳିଦେଲା ସେ । ଆଲୋକର ବନ୍ୟା ଖେଳିଗଲା ଟେବୁଲ ଉପରେ । ଘର ସାରା ଛପିଲା ଅନ୍ଧାର । ଫ୍ୟାନଟିକୁ ଖୋଲିଦେଲା । Zoology ବହଟିକୁ ଟାଣି ଆଣି ପଢ଼ିବାରେ ମନ ଦେବାକୁ ଚେଷ୍ଟା କଲା ସେ । କିନ୍ତୁ ପଢ଼ାରେ ତା’ର ଜମା ମନ ଲାଗୁନି-। ସତେ ଯେମିତି ସେ କିଛି ହଜେଇ ବସିଛି । କିଛି ଭଲ ଲାଗୁ ନ ଥିଲା ବନ୍ଦନାକୁ । ମନଟା କିମିତି ଭାରୀ ଭାରୀ ଲାଗୁଥିଲା ।

ରାକେଶର ନେଗେଟିଭ୍‌ଟା ଉପରେ ଦୃଷ୍ଟି ପଡ଼ିଲା ବନ୍ଦନାର । ସରୁ ହସଟିଏ ଲିଗିଛି ତା’ର ଓଠରେ । ନେଗେଟିଭ୍‌ଟାରେ ବି ରାକେଶ ବନ୍ଦନା ଆଗରେ ଖୁବ୍‌ ସୁନ୍ଦର ଦେଖାଯାଉଛି । ସତେ ଯେମିତି ରାକେଶ ବନ୍ଦନାକୁ ହିଁ ଦେଖୁଛି । ମୁହଁର ଖୁବ୍‌ ପାଖକୁ ନେଗେଟିଭ୍‌ଟାକୁ ନେଇ ଦେଖିଲା ବନ୍ଦନା । ଏପଟ ସେପଟ କରି ଦେଖିଲା ତଥାପି ଶାନ୍ତି ନାହିଁ, ତୃପ୍ତି ନାହିଁ, କ୍ଳାନ୍ତି ନାହିଁ । ପୁଣି ଦେଖିବ । ଆହୁରି ଦେଖିବ । ଶତବାର ଦେଖିବ ।

ମନଭରି ଦେଖୁଥିଲା ବନ୍ଦନା ନେଗେଟିଭ୍‌ଟାକୁ ।

କାହାର ପାଦ ଶବ୍ଦ ଶୁଭିଲା । ବନ୍ଦନାର ଛାତି ଧପ୍‌ ଧପ୍‌ ହୋଇ ଉଠିଲା । ବାପା ବୋଧହୁଏ ଆସୁଛନ୍ତି । ନିଶ୍ଚୟ ପଚାରିବେ । ରାକେଶ ଆଉ ତାଙ୍କୁ କହି ଦେଇନି ତ ? ନା....ସେ ବା କିପରି ଜାଣିବ । ଆଉ ଚଟିଟା ଖୋଜି ବସିଲା ବନ୍ଦନା । ଚଟିଟା କାହିଁ ପାଉନି ତ ? ମନେ ପଡ଼ିଲା ରାକେଶ ରୁମ୍‌ରେ ଛାଡ଼ିଦେଇ ଆସିଛି ସେ । ମନେ ମନେ ଭାବିଲା; ଏଥର କିନ୍ତୁ ରକ୍ଷା ନାହିଁ । ବାପା ବୋଧହୁଏ ରାକେଶଠୁଁ ଖବରଟା ଜାଣି ତାକୁ ପଚାରିବାକୁ ଆସୁଛନ୍ତି । ଓ ହୋ.... କି ଉତ୍ତର ସେ ଦେବ । କିଛି ବୁଝି ପାରୁନଥିଲା ବନ୍ଦନା । ରାଗିକରି ନିଶ୍ଚୟ ବାପା ଆସୁଥିବେ । ବହିର ପୃଷ୍ଠାକୁ ଶବ୍ଦ କରି ଏପଟ ସେପଟ କଲା ବନ୍ଦନା । ବୋଧହୁଏ ଜଣାଇ ଦେବାକୁ ଚାହୁଁଥିଲା ଯେ ସେ ପାଠ ପଢ଼ାରେ ବ୍ୟସ୍ତ ଅଛି ତେଣୁ ତାକୁ ଯେପରି କେହି ଡିଷ୍ଟର୍ବ ନ କରନ୍ତି ।

ରାକେଶ ଉପରେ ଭାରି ରାଗ ହେଉଥିଲା ବନ୍ଦନାର ।

ଭଦ୍ରାମୀ ଦୃଷ୍ଟିରୁ ସେ ତ ଚଟିଟାକୁ ଫେରାଇ ଦେବାର ଥିଲା । ଅନ୍ତତଃ ରବିଶଙ୍କର ହାତରେ ଖବରଟା ଦେଇ ପାରି ଥାଆନ୍ତା । ଅବଶ୍ୟ ବାପାଙ୍କ ଅଗୋଚରରେ । କିନ୍ତୁ ଏତିକି ଭଦ୍ରାମୀ କ’ଣ ସେ ଶିଖିନି । ଆଉ ତାଆରି ଯୋଗୁଁ ସେ ଆଜି ଗାଳି ଶୁଣିବ । କାନ୍ଦିବ । ଆଖିରୁ ଲୁହ କାଢ଼ିବ ।

ଓ ହୋ....ରକ୍ଷା ପାଇଗଲା ବନ୍ଦନା । ରବିଶଙ୍କର ଆସୁଥିଲା । କୌଣସି କାମରେ ବୋଧହୁଏ । ସେ ତ ଭାବିଥିଲା ବାପା ବୋଲି ! ତାହାହେଲେ କିଛି ଜାଣି ପାରି ନାହାନ୍ତି ବାପା । ମନେ ମନେ ଆଶ୍ୱସ୍ତ ହେଲା ସେ । ଯାହାହେଉ ରାକେଶ କିଛି କହିନି । ନା....ରାକେଶ ଏମିତି କେବେ କରିବନି । ମନେ ମନେ ଧନ୍ୟବାଦ ଦେଲା ରାକେଶକୁ ।

ରାକେଶର ନେଗେଟିଭ୍‌ଟିକୁ ନେଇ ନିଜ ଆଲବମ୍‌ରେ ରଖିଦେଲା ବନ୍ଦନା । କାଲି ହିଁ କପି କରିବା ପାଇଁ ଦେଇଦେବ । ସେ ରାକେଶର ଫଟୋ ପାଇଁ ଏତେ ବ୍ୟସ୍ତ ଅଥଚ ରାକେଶ କ’ଣ ତା’ର ଫଟୋ ନେବା ପାଇଁ କେବେ ଯତ୍ନ କରିଛି । ମୋଟେ ନୁହେଁ କେବେ ସେ ଚେଷ୍ଟା କରିନି । କାହିଁକି ବା ସେ ଚେଷ୍ଟା କରନ୍ତା ।

ସେ କାହିଁକି ରାକେଶ କଥା ଭାବୁଛି ?

ଆଉ ସେ ରାକେଶ କଥା ମୋଟେ ଭାବିବନି । ସବୁଠି ରାକେଶ ! ରାକେଶ !! ରାକେଶ !!! ଆଉ ଯେମିତି ପୃଥିବୀରେ କିଛି ନାହିଁ କେହି ନାହାନ୍ତି । ଖାଲି ରାକେଶ ଆଉ ରାକେଶ-! ଭାରି ଚିଡ଼ି ମାଡ଼ୁଥିଲା ବନ୍ଦନାକୁ ।

ରେଡ଼ିଓ ଖୋଲିଦେଲା ବନ୍ଦନା ।

ସେ ବିନାକା ପ୍ରୋଗ୍ରାମ ଶୁଣିବ । ଅଧ ଘଣ୍ଟାଏ ଚାଲିଗଲାଣି । ଆଉ ମୋଟେ ଅଧ ଘଣ୍ଟା ଅଛି । Volume ବଢ଼େଇ ଦେଲା ବନ୍ଦନା । ରେଡ଼ିଓ ଭାସି ଆସିଲା ମନମତାଣିଆ ନାରୀ କଣ୍ଠର ସଙ୍ଗୀତ.....କେଉଁ ଏକ ବିରହିଣୀର....

ରାକେଶ ରେଡ଼ିଓ ଶୁଣୁଥିବ ।

ତା’ର ଖୁବ୍‌ ସଉକ୍‌ ରେଡ଼ିଓ ଶୁଣିବାରେ । ନିଶ୍ଚୟ ଶୁଣୁଥିବ କିନ୍ତୁ ସେ କ’ଣ ମନେ ପକାଉଥିବ ବନ୍ଦନା କଥା । ମୋଟେ ନୁହେଁ । ରାକେଶ ରେଡ଼ିଓ ଶୁଣିବାକୁ ଏତେ ଭଲପାଏ କାହିଁକି-? ନିଶ୍ଚୟ କିଛି କାରଣ ଥିବ ନତୁବା ଏମିତି ଗୋଟାଏ ଖିଆଲ ହୋଇଥିବ । ଛାଡ଼ ସେଥିରେ ସେ କ’ଣ ପାଇବ....

ରେଡ଼ିଓ ବନ୍ଦ କରିଦେଲା ବନ୍ଦନା । ତାକୁ ଶୁଣିବାକୁ ବୋଧହୁଏ ଭଲ ଲାଗୁନଥିଲା । ଟେବୁଲ୍‌ ଉପରେ ମୁଣ୍ଡ ରଖି କିଛି ସମୟ ଢୁଳେଇ ପଡ଼ିଲା ବନ୍ଦନା । ଆଃ....ଜୋତାଟା ଯେ ରାକେଶ ରୁମ୍‌ରେ ରହିଲା । କିପରି ଅଣାହେବ ? ଚିନ୍ତାର ବିଷୟ । ରାକେଶ ଜାଣୁ କ୍ଷତି କ’ଣ ? ରାକେଶ ଭଲକରି ଜାଣିବା ଉଚିତ, କିନ୍ତୁ ଜୋତାଟା......

ରବିଶଙ୍କରକୁ କହିଲେ ହୁଅନ୍ତା । କିନ୍ତୁ ତା’ ଭଳିଆ ବୁଡ଼୍‌ବକ୍‌.....ଦୁନିଆ ଯାକର ଅନର୍ଥ କରି ବସିବ । ନ ଜାଣିବା ଲୋକ ଜାଣିବେ । କିନ୍ତୁ ତାକୁ ନ କହି ଯେ ଉପାୟ ନାହିଁ । କ’ଣ କରିବ କିଛି ଭାବି ପାରୁ ନ ଥିଲା ବନ୍ଦନା । ମୁଣ୍ଡଟା ଗୋଳମାଳିଆ ଧରୁଥିଲା ତା’ର ।

ନା.....ସେ କାହାକୁ ଏତେ ଅନୁରୋଧ କରି ପାରିବ ନାହିଁ । ସେ ନିଜେ ଯିବ । ସେ ନିଜେ ଯାଇ ତା’ର ଜୋତାକୁ ନେଇ ଆସିବ । ରାକେଶ ରୁମ୍‌କୁ ସେ ବୁଲିବା ପାଇଁ ଯାଇଥିଲା । ସେ ତ କିଛି ପାପ କରି ପକେଇନି । ମଣିଷ ସହିତ ମଣିଷ କଥାବର୍ତ୍ତା ହେବା, ଆତ୍ମୀୟତା ଜନ୍ମାଇବା କ’ଣ ପାପ ? ସେ ତ ଆଉ ମଣିଷ ଖୁନ୍‌ କରିନି । ଚୋରି କରିନି ଟଙ୍କା, ସୁନା । ତେବେ ସେ ଏତେ ଡରିବ କାହିଁକି ? ଡରିଲେ ତ ସୁଖି ହୋଇ ପାରିବନି ? ବରଂ ଦୁଃଖ ବଢ଼ିଯିବ ବହୁ ଗୁଣରେ ।

ରାକେଶ ରୁମ୍‌କୁ ଯିବାପାଇଁ ନିଜକୁ ପ୍ରସ୍ତୁତ କରିନେଲା ବନ୍ଦନା । ରାକେଶ ଖରାପ ଭାବିପାରେ । ଯଦି ରାକେଶ ଅପମାନିତ କରେ ? ନା......ଏତେ ଦୂର ଦୁଃସାହସ କରି ନ ପାରେ । ସେ ହୁଏତ ସମ୍ମାନ ଦେଇପାରେ କିନ୍ତୁ ଅପମାନ....ମୋଟେ ନୁହେଁ ।

ମନେ ମନେ ଅନେକ ଆଶା ଆଶଙ୍କା ନେଇ ଷ୍ଟେପସ୍‌ ଦେଇ ତଳକୁ ଓହ୍ଲାଇଲା ବନ୍ଦନା-। ତାକୁ ରାକେଶ ରୁମ୍‌କୁ ଯିବାକୁ ହେବ । ମନରେ ଅନେକ ଜୋର ନେଇ ସେ ଚାଲିଲା-। ଅନେକ ବିଷୟ ଚିନ୍ତା କରି କରି ସେ ଚାଲିଲା ।

କିନ୍ତୁ ବନ୍ଦନା.....

ରାକେଶ ଭାବୁଥିଲା ।

ବାସ୍ତବିକ ବନ୍ଦନା ଅସାମାନ୍ୟ ସୁନ୍ଦରୀ । ଅବଶ୍ୟ ରାକେଶ କେବେ ସାମନାସାମନି ଦେଖିବାକୁ ସାହସ କରିନି । ବେଳେବେଳେ ବନ୍ଦନାର ଅନ୍ୟମନସ୍କତାର ସୁଯୋଗକୁ ବିନିଯୋଗ କରି ସେ ଦେଖି ନେଇଛି ବନ୍ଦନାର ଅନିନ୍ଦ୍ୟ ରୂପଶ୍ରୀକୁ ।

ଆଉ ବନ୍ଦନା.....ସେ ଜାଣି ଜାଣି ସେହି ସୁଯୋଗ ଦେଇଛି । ଏକଥା ଜାଣି ପାରୁଥିଲା ରାକେଶ । ନ ହେଲେ ସେ କାହିଁକି ଜାଣି ଜାଣି ବେଶି ସମୟ ମୋ ପାଖରେ ଠିଆ ହୋଇ ରହନ୍ତା ।

ଏଇ ସେ ଦିନ......

ରାକେଶ ! –ବନ୍ଦନା ଡାକିଲା ।

ମୁଁ ଚମକି ଠିଆ ହୋଇ ରହିଲି । ବୁଲି ପଡ଼ିଲି ତାରି ଆଡ଼କୁ । ମୁଣ୍ଡ ପୋତି ଠିଆ ହୋଇ ତା’ର ଆଦେଶକୁ ପ୍ରତୀକ୍ଷା କରୁଥିଲି । କିଛି ସମୟ ଚାଲିଗଲା କିନ୍ତୁ । ବନ୍ଦନାର କୌଣସି କଥା ଶୁଣି ପାରିଲି ନାହିଁ । ଆଶ୍ଚର୍ଯ୍ୟ ହେଲି ମନେ ମନେ । ବନ୍ଦନା ଡାକିଲା ଅଥଚ କିଛି କହୁନି ।

ରାକେଶ । ମୋତେ ଟିକିଏ କଲେଜରେ ଛାଡ଼ି ଦେଇ ଆସି ପାରିବ–ଦୀର୍ଘ ନୀରବତାକୁ ଭାଙ୍ଗିବାକୁ ଯାଇ ବନ୍ଦନା କହିଲା ।

: ମୁଁ ମୁଣ୍ଡ ହଲାଇ ସମ୍ମତି ପ୍ରଦାନ କଲି ।

: କିଛି ଅସୁବିଧା ନାହିଁ ତ ? ପୁଣି ପ୍ରଶ୍ନ କଲା ବନ୍ଦନା ।

: ମୁଣ୍ଡ ହଲାଇ ନାହିଁ କଲି ।

ମୋର ଡେରି ହୋଇ ଗଲାଣି । ଆଜି ୧୧-୫୦ ରେ କ୍ଳାସ ଅଛି । ବାପା ତ କେଉଁ ଆଡ଼େ ଆଜି ଯିବେନି । ତେଣୁ ବର୍ତ୍ତମାନ ମୋତେ ଟିକିଏ ଛାଡ଼ିଦେଇ ଆସିବ । ମୁଁ ତୁମର ବେଶୀ ସମୟ ନଷ୍ଟ କରିବିନି । କ’ଣ କହୁଛ ? ଏକ ନିଶ୍ୱାସକେ ସବୁ କହିଦେଇ ନୀରବ ରହିଲା ବନ୍ଦନା ।

 

ସମ୍ମତି ଦେଲି । ଆଦେଶ ନ ଦେଇ ବନ୍ଦନା ମୋତେ ଅନୁରୋଧ କରୁଛି !! ଆଶ୍ଚର୍ଯ୍ୟ ହେଲି ମନେ ମନେ । ନିଜେ ବସେଇଥିବା ଫାସରେ ନିଜେ ଧରା ପଡ଼ିଯାଇଛି ବନ୍ଦନା !!

 

ମୁଁ ହାତ ବନ୍ଧା ଘଣ୍ଟା ଆଡ଼କୁ ଚାହିଁ ଦେଖିଲି ମୋଟେ ୧୧ ବାଜିଛି । କିନ୍ତୁ କ୍ଳାସ ୧୧-୫୦ ମିନିଟରେ ଅଛି । ତେବେ କେଉଁ ହିସାବରେ ବନ୍ଦନାର ଲେଟ ହୋଇ ଯାଇଛି ମୁଁ କିଛି ବୁଝି ପାରୁନଥିଲି । ହୁଏତ ବନ୍ଦନାର ଘଣ୍ଟାରେ ୧୧-୪୦ ଖଣ୍ଡେ ବାଜି ଯାଇଥିବ । ମୁଁ ମୁଣ୍ଡ ହଲାଇ ସମ୍ମତି ପ୍ରଦାନ କରି ଚାଲିଯିବାକୁ ବାହାରିଛି ପୁଣି ବନ୍ଦନା କହିଲା ।

 

ହଁ ଶୁଣ । ବାଟରେ ପେଟ୍ରୋଲ ପକାଇବାକୁ ପଡ଼ିବନି ତ ? ନହେଲେ ମୁଁ ଟ୍ୟାକ୍‌ସିରେ ଚାଲିଯିବି କାରଣ ସମୟ ଖୁବ୍‌ କମ୍‌ । ବନ୍ଦନା କହିଦେଇ ଚୁପ୍‌ ରହିଲା ।

 

ମୁଁ ଆଶ୍ଚର୍ଯ୍ୟ ହେଲି ଏମିତି ଅଜବ୍‌ ପ୍ରଶ୍ନରେ, କାରଣ ମୁଁ ଡ୍ରାଇଭର ଥିବା ଦିନୁଁ ସବୁବେଳେ ଗାଡ଼ିରେ ପେଟ୍ରୋଲ ଫୁଲ କରି ରଖିଥାଏ । ଏହା ବନ୍ଦନା ଜାଣେ । ବାପ ଝିଅ ମିଶି ମୋତେ କେତେ ଥର ପ୍ରଶଂସା କରିଛନ୍ତି । ପୁଣି କାହିଁକି ଏ ପ୍ରଶ୍ନ ।

 

ମୁଁ ତରବରରେ ମୁଁଣ୍ଡ ହଲାଇ ନାହିଁ କରି ଆଗକୁ ଚାଲିଲି । ମୁଁ କିନ୍ତୁ ଲକ୍ଷ୍ୟ କରିଛି ବନ୍ଦନା ଯେପରି ସେ ସ୍ଥାନ ଛାଡ଼ି ଯିବାକୁ ଇଚ୍ଛା କରୁ ନ ଥିଲା । ମୁଁ ସହଳ ସହଳ ପାଦ ପକାଇ ଆଗକୁ ଚାଲିଲି ।

 

ବନ୍ଦନାର ଜୋତାଟା ଉପରେ ଚକ୍ଷୁ ସ୍ଥିର ରଖି ଭାବି ଚାଲିଛି ରାକେଶ ସତେ ଯେମିତି ବନ୍ଦନାର ଜୋତାଟା ହିଁ ତା’ର ଭାବନାକୁ ଖୋରାକ ଯୋଗାଉଥିଲା ।

 

ପକେଟରୁ ଚକୋଲେଟଟା ବାହାରକଲା ରାକେଶ ।

 

ସେହି ପାନ ଦୋକାନ ପାଖରେ କିଣିଥିଲା କିନ୍ତୁ ଅନ୍ୟମନସ୍କତା ଯୋଗୁଁ ଖାଇ ପାରିନି । ଚକୋଲେଟଟିକୁ ପାଟିରେ ପକାଇଦେଲା ରାକେଶ । ମୁନ୍ନା–ତା’ ବଡ଼ ଭାଇଙ୍କର ପୁଅ କଥା ମନେ ପଡ଼ିଲା ରାଜେଶର । ପ୍ରତିଦିନ ମୁନ୍ନା ପାଇଁ ଲଜେନ୍‌ସ ଆଣିଦିଏ । ମୁନ୍ନା ଯଦି ଥାଆନ୍ତା–ତେବେ ରାଜେଶ ତାକୁ ଦେଇଥାନ୍ତା । ମୁନ୍ନା ଜିଦ୍‌ କରିଥାନ୍ତା–ଆଉ ଗୋଟାଏ । କିନ୍ତୁ ଏଠାରେ କେହି ନାହାନ୍ତି ସେ ଏକା.....ନିହାତି ଏକାକୀ ।

 

ବନ୍ଦନାର ହାଇହିଲ ଜୋତା ଆଡ଼କୁ ଚାହିଁଲା ସେ ।

 

ପୂର୍ବ ପରି ଜୋତାଟା ଥୁଆ ହୋଇଛି । ଦୁଇଟିଯାକ ଜୋତା ରାକେଶ ଆଡ଼କୁ ଚାହିଁ ଥଟ୍ଟା କରୁଛନ୍ତି ଯେପରି । ରାକେଶ ଚାହିଁଥିଲା ତାକୁ ମନଧ୍ୟାନ ଦେଇ ।

 

ଏକରକମ ଲୁଚି ଲୁଚି ଆସି ପହଞ୍ଚିଗଲା ବନ୍ଦନା ରାକେଶର ରୁମ ଆଗକୁ । ଝରକାର ପରଦା ଆଢ଼ୁଆଳରେ ରହି ଦେଖିଲା ବନ୍ଦନା ରାକେଶ ତାହାରି ଜୋତା ଆଡକୁ ଚାହିଁ ରହିଛି । କ’ଣ ଭାବୁଛି ସେ ? ତା’ ବିଷୟ ଆଉ ଭାବୁଛି କି ? ହୁଏ ତ ସେ ଖାଲି ସେମିତି ଦେଖୁଛି । କ’ଣ ଦେଖୁଛି ସେହି ଜୋତା ଦୁଇଟାରେ ।

 

ଦେହ ଝାଳେଇ ଆସିଲା ବନ୍ଦନାର ଗରମରେ ।

 

ଓହୋଃ....ସେ ଏଇଠି ଠିଆ ହୋଇଛି କାହିଁକି ? ସେ ତ ରାକେଶର ରୁମ୍‌ ଭିତରକୁ ଯିବାକୁ ଆସିଥିଲା । ଏଠାରେ ଠିଆ ହେବାପାଇଁ ନୁହେଁ । ନିଜ ଉପରେ ଖୁବ୍‌ ରାଗ ହେଉଥିଲା ବନ୍ଦନାର । କେମିତି ସେ ଯିବ ? କ’ଣ କହିବ ? ରାକେଶ ଖରାପ ଭାବିପାରେ । ସାହସ ପାଉନି ବନ୍ଦନାର ଭିତରକୁ ଯିବାକୁ । କେତେ ସାହସ ବାନ୍ଧି ସେ ଆସିଥିଲା କିନ୍ତୁ କାହିଁ ତା’ର ସାହସ, କାହିଁ ତା’ର ଜୋର ! କାହିଁ ତା’ର ମନୋବଳ !!

 

ନିଜର ଉପରୁ ଆସ୍ଥା ତୁଟି ଯାଉଥିଲା ବନ୍ଦନାର । ସେ କେମିତି ଖୁବ୍‌ ଦୁର୍ବଳ ଅନୁଭବ କରୁଥିଲା । ଦୁଆର ଆଡ଼କୁ ମୋଟେ ଯାଇ ପାରୁନଥିଲା ସେ । ତା’ର ଗୋଡ଼ ଦୁଇଟଟାକୁ କେହି ଯେପରି ଟାଣି ଧରିଛି ?

 

ଓଃ ରାକେଶ ବାହାରକୁ ଆସନ୍ତା କି ?

 

ରକ୍ଷା ପାଇ ଯାଆନ୍ତା ବନ୍ଦନା । କୌଣସି କଥା ଆଳରେ ସେ ରାକେଶର ରୁମ୍‌ ମଧ୍ୟକୁ ପ୍ରବେଶ କରି ପାରନ୍ତା । କିନ୍ତୁ ରାକେଶ କିପରି ଜାଣିବ ଯେ ସେ ତାଇ ପ୍ରତୀକ୍ଷାରେ ଅଛି ।

 

ନା, ଆଉ ସେ ଠିଆ ହୋଇ ପାରିବନି ।

 

ସେ ଚାଲିଯିବ ତା’ ରୁମ୍‌କୁ । ଧୀର ପଦକ୍ଷେପରେ ବନ୍ଦନା ଆଗେଇ ଚାଲୁଥିଲା । ମନର ସମସ୍ତ ଆଶା ଭରସା ତା’ର ପାଣିଫାଟି ଯାଇଛି । ଓଃ....ସେ କେତେ ଦୁର୍ବଳ ସତେ ? ଏତେ ଟିକେ ସତ୍‌ ସାହସ ତା’ର ନାହିଁ । ବାସ୍ତବିକ୍‌ ନାରୀ ଅବଳା, ସେ ଦୁର୍ବଳା । ଚିର ଦିନ ପାଇଁ :–ଯୁଗ ଯୁଗ ପାଇଁ । କିନ୍ତୁ ଜୋତାଟା.....ଜୋତାଟା କଥା ଭାବିଲା ବେକୁ ଭାରି ଦୁଃଖ ଲାଗୁଥିଲା ବନ୍ଦନାକୁ । ତା’ର ଯିବାକୁ ମୋଟେ ଇଚ୍ଛା ହେଉ ନ ଥିଲା । ଏଣେ ରାକେଶର ରୁମ୍‌ ମଧ୍ୟକୁ ଯିବାକୁ ସାହସ ହେଉ ନଥିଲା । କ’ଣ କରାଯିବ ?

 

କିଛି ଭାବି ପାରିଲାନି ବନ୍ଦନା ।

 

ଏକ ମୁହାଁ ଦୌଡ଼ିଗଲା ବନ୍ଦନା ନିଜ ରୁମ୍‌ ଆଡ଼କୁ । ପଛରେ ପଡ଼ି ରହିଲା ରାକେଶର ରୁମ୍‌ । ରୁମ୍‌ ମଧ୍ୟକୁ ପଶିଯାଇ କବାଟ କିଳି ଦେଇ କବାଟି ଉପରେ ଭରା ଦେଇ କଇଁ କଇଁ କାନ୍ଦି ଉଠିଲା ।

 

ରବିଶଙ୍କର ଆସି କବାଟ ଖଡ଼ ଖଡ଼ କଲା । ତନ୍ଦ୍ରା ତୁଟିଗଲା ବନ୍ଦନାର । ଇସ୍‌ କେତେ ସମୟ ଧରି ସେ ଏଠାରେ ଠିଆ ହୋଇଥିଲା । କବାଟ ଫିଟାଇବା ପୂର୍ବରୁ ମୁହଁଟାକୁ ଭଲ କରି ପୋଛି ଦେଲା ବନ୍ଦନା । ଉଦ୍ଦେଶ୍ୟ କାଳେ ରବିଶଙ୍କର ଜାଣିପାରେ ଯେ ସେ କାନ୍ଦୁଥିଲା ବୋଲି । ପଚାରିଲା–କ’ଣ କିରେ ? କାହିଁକି ଡାକୁଥିଲୁ ? ମୋତେ ଟିକିଏ ଶାନ୍ତିରେ ପଢ଼ାଇ ଦେବୁନି ନା କ’ଣ ? ଏକା ନିଶ୍ୱାସରେ ଏତେ ଗୁଡ଼ିଏ ପ୍ରଶ୍ନ ପଚାରି ଦେଇ ରବିଶଙ୍କରର ଉତ୍ତରକୁ ଅପେକ୍ଷା କରୁଥିଲା ବନ୍ଦନା ।

 

ରବିଶଙ୍କର ଏପରି ଅପ୍ରତ୍ୟାଶ ପ୍ରଶ୍ନ ଓ ଏକା ସାଙ୍ଗରେ ଏକେ ଗୁଡ଼ାଏ ପ୍ରଶ୍ନ ଶୁଣି ରିତିମତ ବୋକା ପାଲଟି ଯାଇଥିଲା କାରଣ ସେତେବେଳକୁ ଘଣ୍ଟା କଣ୍ଟା ୧୧ଟା ଉପରେ ଟପିଗଲାଣି କେତେ ବେଳୁ । ମନେ ମନେ ଆଶ୍ଚର୍ଯ୍ୟ ହେଲା ରବିଶଙ୍କର, ଦେଇ ତ କେବେ ସାଢ଼େ ଦଶ ପରେ ଆଉ ପଢ଼ନ୍ତି ନାହିଁ କିନ୍ତୁ ଆଜି ୧୧ ଟା ବାଜି ଗଲାଣି ଅଥଚ କହୁଛନ୍ତି କଣନା....

 

ରବିଶଙ୍କର ଚୁପ୍‌ ଚାପ୍‌ ଅନେଇ ଥିଲା ।

 

କିରେ କ’ଣ କହୁନୁ ? ବନ୍ଦନା ଚିଡ଼ିଲା ସ୍ୱରରେ କହିଲା । ‘‘ଦେଇ ୧୧ ବାଜି ଗଲାଣି । ଘଡ଼ିଏ ତଳେ ଥାନା ଘଣ୍ଟାରେ ଏଗାରଟା ବାଜିଲା । ସେଇକଥା ହେଜ କରୁଥିଲି । ଖାଇବାବେଳେ ତ କେତେବେଳୁ ଗଡ଼ିଗଲାଣି । ଆଜି ତୁମେ ବାପାଙ୍କୁ ଖାଇବାକୁ ଡାକିବାକୁ ନ ଯିବାରୁ ସେ ମୋତେ ପଠାଇଲେ–କହିଦେଇ ଚୁପ୍‌ ରହିଲା । କିଛି ସମୟ ପରେ ପୁଣି କହିଲା–ବାବୁ ଖାଇବା ଟେବୁଲରେ ଅପେକ୍ଷା କରୁଛନ୍ତି, ତୁମେ ଶୀଘ୍ର ବାହାର । ମୋର ତେଣେ ଅନେକ କାମ ଅଛି କହି ଦ୍ରୂତ ଗତିରେ ଚାଲିଗଲା । ରବିଶଙ୍କର ଗଲାବେଳକୁ ପଛକୁ ଥରେ ଦୁଇଥର ଚାହୁଁଥିଲା ।

 

ତା’ର ଯିବା ବାଟକୁ ଚାହିଁ ହାତବନ୍ଧା ଘଣ୍ଟାକୁ ଚାହିଁଲା ବନ୍ଦନା । ଇସ୍‌ ଏଗାରଟା ପନ୍ଦର ବାଜି ଗଲାଣି । ଆଶ୍ଚର୍ଯ୍ୟ ହେଲା । ମନେ ମନେ ଲଜ୍ଜିତ ହେଲା ଅନ୍ୟମନସ୍କତା ପାଇଁ । ଚଞ୍ଚଳ ପଦକ୍ଷେପରେ ଖାଇବା ଟେବୁଲ ପାଖରେ ପହଞ୍ଚିଗଲା ବନ୍ଦନା ।

 

ବାପା ତା’ ପାଇଁ ଅପେକ୍ଷା କରୁଥିଲେ ।

 

ରାକେଶ ତାର ଖାଇବା ପର୍ବ ଶେଷକରି ଇଂରେଜ ନଭେଲ ଉପରେ ଆଖି ବୁଲାଉଥିଲା-। ବହିଟା ବୋଧହୁଏ ତାକୁ ଭଲ ଲାଗୁନଥିଲା । ବହିଟାକୁ ଏକ ରକମ ଫୋପାଡ଼ି ଦେଇ ତା’ର ଅଧାଲେଖା ପାଣ୍ଡୁଲିପିଟାକୁ ଟାଣି ଆଣି ଖିଅ ଯୋଡ଼ିବାକୁ ଚେଷ୍ଟା କଲା ରାକେଶ-। କିନ୍ତୁ ତାକୁ କାହିଁକି ଲେଖିବାକୁ ଇଚ୍ଛା ହେଉ ନଥିଲା । ତା’ର ହାତକୁ କେହି ଯେପରି ଜୋରକରି ଟାଣି ଧରିଛି-!! ସବୁତକ ତା’ର ଭାବନା ଗୋଳମାଳ ହୋଇଯାଉଛି । ଭାବନାତକ କିଏ ଯେମିତି କାଢ଼ି ନେଇଛି !!

 

ଅବସର ସମୟରେ ମନ ପରିବର୍ତ୍ତନ ପାଇଁ ରାକେଶ ଗଳ୍ପ, କବିତା, ଉପନ୍ୟାସ ପ୍ରଭୃତି ଲେଖେ । କୌଣସି ଉପନ୍ୟାସକୁ ଧରି ପ୍ରକାଶକଙ୍କ ପାଖରେ ଗୋଡ଼ଭାଙ୍ଗି ଠିଆ ହୋଇନି ସେ । ଖାଲି ଏମିତି ଲେଖି ଚାଲିଛି । ଗୋଟାଏ ଖିଆଲରେ । କାହିଁକି କେଜାଣି ।

 

ବନ୍ଦନା ଲାଇଟ୍‌ ଲିଭାଇ ଶୋଇବାକୁ ଚେଷ୍ଟାକଲା । ଫ୍ୟାନଟା ଚାଲୁଛି ପୂରା ଦମ୍‌ରେ । ଆଃ....ନିଦଟା କାହିଁକି ଆସୁନି ? ଆଶ୍ଚର୍ଯ୍ୟ ହେଲା ବନ୍ଦନା, ତା’ର କେବେ ଏପରି ହୋଇନି । ଶେଯ ଉପରେ ପଡ଼ି ଛଟପଟ ହେବାକୁ ଲାଗିଲା । ଦେହ ତା’ର ଝାଳେଇ ଆସିଲା । ଗରମରେ, ଅଥଚ ଫ୍ୟାନଟା ଚାଲୁଛି । ଆଖିବୁଜି ଶୋଇବାକୁ ଚେଷ୍ଟାକଲା ବନ୍ଦନା । ଆଖି ପୋଡ଼ୁଛି କିନ୍ତୁ ନିଦ ଆସୁନି-

 

ସବୁତକ ନିଦ ଯେମିତି ତା’ର ଆଖିରୁ କିଏ କାଢ଼ି ନେଇଛି !

 

ଚେଷ୍ଟା କରିବି ମୋଟେ ଶୋଇପାରୁ ନଥିଲା ବନ୍ଦନା । ବମ୍ବେ ପେଟନ୍‌ ଖଟ ଉପରେ ଉଠି ବସିଲା ସେ । ଡନଲପ୍‌ ଉପରେ ବି ତାକୁ ନିଦ ଆସୁନି ! ଲାଇଟ୍‌ ଲଗାଇବାକୁ ତା’ର ସାହସ ହେଉ ନଥିଲା । ବାପା ଯଦି ତା’ ରୁମରୁ ଆଲୋକ ଜଳିବା କଥା ଦେଖନ୍ତି ! ନା.....ସେ ଲାଇଟ ଜାଳିବନି । ଅନ୍ଧାରରେ ହିଁ ସେମିତି ବସି ରହିବ ।

 

ବାହାରେ ଚାନ୍ଦ ମେଲି ବସିଛି ଯୌବନର ପଶରା !

 

ଝରକା ଦେଇ ଦେଖିଲା ବନ୍ଦନା । କେତେ ନିସ୍ତବ୍‌ଧ, କେତେ ନିରୋଳା ଏଇ ରଜନୀ ରାଣୀ ସତେ !

 

ବାହାରେ କାଉ କୋଇଲିର ବି ଶୋର ଶବ୍ଦ ନାହିଁ । ଖାଲି ବିଦ୍ୟୁତ୍‌ ଆଲୋକ ମାଳାରେ ହସି ଉଠୁଛି ବମ୍ବେ ନଗରୀ । ସେମାନେ ଯେମିତି ଜଳୁଛନ୍ତି ଜଗତର ସେବା ପାଇଁ । ତଳେ ବିଦ୍ୟୁତ୍‌ ଆଲୋକମାଳାର ତୋଫା, ନାଲି ନେଳି କିରଣ ସହ ଆକାଶର ତାରା ମାନଙ୍କର ଦିକି ଦିକି ଆଲୋକର ମଧ୍ୟରେ ଜୋରସୋରରେ ଗୋଟାଏ ପ୍ରତିଯୋଗିତା ଚାଲିଛି ଯେମିତି !

 

ବନ୍ଦନା ଦେଖୁଥିଲା ।

 

ସେ ଅନ୍ଧାରରେ ରହି ଦେଖୁଛି ଆଲୋକକୁ । ଖୁବ୍‌ ଭଲ ଲାଗୁଥିଲା ତାକୁ ଦେଖିବାକୁ । କେଉଁ ଯାଦୁକରର ଯାଦୁ ବଳରେ ସହରଟା ହୋଇ ପଡ଼ିଛି ଏତେ ନିଶୁନ୍‌, ଏତେ ଶାନ୍ତ ! କେଜାଣି କେମିତି ।

 

କବାଟ ଖୋଲି ବାହାର ବାଲକୋନି ଉପରକୁ ଆସିଲା ବନ୍ଦନା । ଓଃ....ଟିକିଏ ଥଣ୍ଡା ଲାଗିଲା ମଣିଷକୁ । ଫ୍ୟାନର ପବନ ଗୁଡ଼ାକରୁ ନିଆଁ ବର୍ଷୁଛି ଯେମିତି, ସିରି ସିରି ଥଣ୍ଡା ପବନ ବୋହୁଛି, ଘର ଭିତରେ ପୂରି ରହିଛି ଅନ୍ଧାର କିନ୍ତୁ ବାହାରେ କି ସୁନ୍ଦର ଚନ୍ଦ୍ରାଲୋକର ବିପୁଳ ବିପ୍ଳବ-। ଏତେବେଳ ଯାଏ ତାକୁ ଯେମିତି କେହି ଜଣେ ଅନ୍ଧାରି ଗୁହା ମଧ୍ୟରେ ବନ୍ଦୀକରି ରଖିଥିଲା ଆଉ ବର୍ତ୍ତମାନ ସେ ମୁକ୍ତ ହେଲା ।

 

ବାଲକୋନି ତଳକୁ ଦେଖିଲା ବନ୍ଦନା ମେଞ୍ଚାଏ ଆଲୋକ ଛିଟକି ପଡ଼ି ବଗିଚାରେ କେତେକ ଅଂଶ ଆଲୋକିତ କରିଛି । ବୋଧହୁଏ ରାକେଶର ରୁମ୍‌ରୁ । ଝରକା ଦେଇ ନିଶ୍ଚୟ । ତେବେ କ’ଣ ରାକେଶ ଶୋଇନି ଏ ପର୍ଯ୍ୟନ୍ତ । କିନ୍ତୁ କାହିଁକି ? ରାକେଶ କ’ଣ ସବୁବେଳେ ଏତେ ରାତି ପର୍ଯ୍ୟନ୍ତ ଅନିଦ୍ରା ଥାଏ ? କିନ୍ତୁ କାହିଁକି ? ସତରେ କ’ଣ ରାକେଶ ଭାବୁଛି ତାହାରି ବିଷୟ-???

 

କୌଣସିଟିର ଉତ୍ତର ପାଉନଥିଲା ବନ୍ଦନା । ଦୁର୍ଭେଦ୍ୟ ଏକ ବିଷମ ଗୋଲକ ଧନ୍ଦା ମଧ୍ୟରେ ଯେମିତି ଛନ୍ଦି ହୋଇ ପଡ଼ିଛି ବନ୍ଦନା !

 

ଏମିତି ବି ତ ହୋଇପାରେ ଯେ ବୋଧହୁଏ ରାକେଶ ନିଘୋଡ଼ ନିଦରେ ଶୋଇ ଯାଇଛି ଅଥଚ ଲାଇଟ ଜଳୁଛି ବୋଲି ତା’ର ସେ ଆଡ଼କୁ ଧ୍ୟାନ ନାହିଁ । ହୁଏତ ହୋଇଥିବ । କିନ୍ତୁ ଏତେ ଆଲୋକରେ ତାକୁ କେମିତି ନିଦ ହୋଇଛି ? ସେ ତ ସମାନ୍ୟ ବେଡ଼୍‌ ଲାଇଟର ଆଲୋକରେ ମୋଟେ ଶୋଇ ପାରେନା । ଛାଡ଼ ସେଥିରୁ ସେ ପାଇବ କ’ଣ ! ମିଛରେ ମୁଣ୍ଡଟାକୁ ଗୋଳମାଳ କରିବା କଥା ସିନା !!

 

ବଗିଚାର ଅନ୍ଧାରିଆ ସ୍ଥାନକୁ ଦେଖି ନେଇ ବନ୍ଦନା ନିଜକୁ ଖୁବ୍ ଏକାକୀ ଅନୁଭବ କଲା-। ରାତିଟା ତାକୁ କେମିତି ଭୌତିକ ମନେ ହେଲା । ବର୍ତ୍ତମାନ ଯଦି ନକସାଲ୍‌ପନ୍ଥୀ ମାନେ ଆସନ୍ତି-! କଥାଟାକୁ ଚିନ୍ତାକରି ବୁଡ଼ିଆଣି ଜାଲରେ ଛନ୍ଦି ହୋଇ ପଡ଼ିଛି ବନ୍ଦନା । ଆଃ କି ଭୟଙ୍କର, କି ନିଷ୍ଠୁର ଲୋକଗୁଡ଼ାକ ! ଦୟା ମାୟା କିଛି ବୋଲି କିଛି ସେମାନଙ୍କର ନାହିଁ ।

 

ଆରେ ! ରାକେଶ ରୁମ୍‌ର ଲାଇଟ ଲିଭିଗଲା ! ତେବେ ରାକେଶ ଏ ପର୍ଯ୍ୟନ୍ତ ଶୋଇ ନଥିଲା । କ’ଣ କରୁଥିଲା ରାକେଶ ଏତେ ରାତି ପର୍ଯ୍ୟନ୍ତ । କ’ଣ ଗୀତ ଲେଖୁଥିଲା ?

 

ଗପ ଲେଖୁ କି ଯାହା କରୁ ତା’ର କ’ଣ ଯାଏ ଆସେ । ନା.....ନା....ରାକେଶ ବିଷୟରେ ଆଦୌ ଭାବିବ ନାହିଁ ବୋଲି ନିଶ୍ଚୟ କରି ଜୋରରେ ମୁଣ୍ଡଟାକୁ ହଲାଇ ଦେଲା ବନ୍ଦନା । ସତେ ଯେମିତି ସବୁତକ ଭାବନା ଛିଞ୍ଚାଡ଼ି ହୋଇ ପଡ଼ିଯିବ ।

 

ଭାବନା ଶକ୍ତିଟାକୁ ଯଦି ଭଗବାନ ଦେଇ ନଥାନ୍ତେ ତାହାହେଲେ ବରଂ ମନୁଷ୍ୟ ଶାନ୍ତି ପାଇପାରୁ ଥାଆନ୍ତା । ଭାବନାହିଁ ସବୁ ଅଶାନ୍ତିର ମୂଳ । କିନ୍ତୁ ଏହି ଭାବନା ସାହାଯ୍ୟରେ ହିଁ ମନୁଷ୍ୟ ଟିକିଏ ଆନନ୍ଦ ପାଇ ପାରୁଛି । ସେହି ଭାବନାତକ ଯଦି ତାହାଠାରୁ କାଢ଼ି ନିଆଯାଏ ତେବେ ତା’ର ଅବସ୍ଥାଟା ଯେ କ’ଣ ହେବ......ଠିକ୍‌ ଭାବିପାରୁ ନ ଥିଲା ବନ୍ଦନା ।

 

ତାକୁ ଶୋଇବାକୁ ହେବ ।

 

ରୁମ୍‌ ଭିତରକୁ ଯାଇ ଭିତର କବାଟ କିଳିଲା ବନ୍ଦନା । ବେଡ ଲାଇଟକୁ ଅଫ୍‌କରି ପଲଙ୍କ ଉପରେ ନିଜର ଅଳସ ଶରୀରଟାକୁ ଲମ୍ବାଇ ଦେଲା ବନ୍ଦନା । ଘର ଭିତରେ ସବୁତକ ଅନ୍ଧାର ଖୁନ୍ଦି ହୋଇଗଲେ ଯେମିତି ! ବନ୍ଦନାକୁ ଖୁବ୍‌ ଡରାଏ ଏ ଅନ୍ଧାରଟା । ଅମାନିଆ ଆଖି ଦୁଇଟାକୁ ଜୋର କରି ବନ୍ଦକଲା ବନ୍ଦନା । ଏଥର ସେ ଶୋଇବ ।

 

ଥାନା ଘଣ୍ଟାରେ ପିଟିଲା.....ଠନ୍‌...ଠନ୍‌...ଠନ୍‌...

 

ଝି‌ପି ଝି‌ପି ବର୍ଷା ଲାଗି ରହିଥିଲା । ମଝି ମଝି‌ରେ ଝଲକାଏ ସୂର୍ଯ୍ୟାଲୋକ ଦେଖା ଦେଇ ଆକାଶଟା ପୁଣି ମେଘାବୃତ ହେଉଥିଲା । ସତେ ଯେମିତି ସୂର୍ଯ୍ୟ ଓ ଇନ୍ଦ୍ର ଖେଳୁଛନ୍ତି, ଲୁଚକାଳି ଖେଳ । ସିରି ସିରି ପବନ ବହି ବାୟୁମଣ୍ଡଳକୁ ଥଣ୍ଡା କରି ଦେଉଥିଲା । ପାଗଟା ଭାରି ମନ୍ଦ ଥିଲା । ଘରେ ବସି ବସି ରାକେଶକୁ ଖୁବ୍‌ ବୋର୍‌ ଲାଗୁଥିଲା । ଖଟ ଉପରେ ଶୋଇ ଶୋଇ ଅତୀତର ତାଲାଟିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲା ।

 

ଏଇ ଯାଃ.....ପୁଣି ବର୍ଷା ହେଲାଣି । ଏଥର କିନ୍ତୁ ବାସ୍ତବିକ ଚିଡ଼ି ଉଠିଥିଲା ରାକେଶ । ବର୍ଷା କ’ଣ ଆଜି ଦୁନିଆଟିକୁ ପ୍ରଳୟ କରିଦେବ ! ଆଜି ଯଦି ସେ ତାଙ୍କ ନିଜ ଘରେ ଥାଆନ୍ତା, ତେବେ......ମନେ ପକାଇବାକୁ ଚେଷ୍ଟା କଲା ରାକେଶ । ନିଶ୍ଚୟ କ୍ୟାରମ ଖେଳର ଆସରଟା ବେଶ୍‌ ଜମି ଉଠି ଥାଆନ୍ତା । ନଚେତ୍‌ ତାସ୍‌ ମାଡ଼ଟା ନିଶ୍ଚୟ । ଆଉ ଖେଳ ସାଙ୍ଗକୁ ଆଃ....ଗରମ ଗରମ ପକୋଡ଼ି କେଇ ପ୍ଳେଟ ଆଉ ତା’ ସାଙ୍ଗକୁ ଧୂମାୟିତ ଚାହା କପେ, ଦି’କପ । ସେଇ ଦିନର ପୁରୁଣା ସ୍ୱାଦଗୁଡ଼ାକୁ ମନେ ପକାଉ ପକାଉ, ଓଠ ଉପରେ ଅମାନିଆ ଜିଭଟା ବୁଲି ଆସିଲା ରାକେଶର । ତା’ଛଡ଼ା ପ୍ରତ୍ୟେକଙ୍କ ପାଖରେ ଚିନାବାଦାମର ଗୋଟାଏ ଗୋଟାଏ ଗଦା । ଆଃ କି ମଜା !

 

ସେ ଦିନର ସ୍ମୃତି ଗୁଡ଼ାକୁ ମନେ ପକାଇ ଖୁବ୍‌ ଖୁସି ହେଉଥିଲା ରାକେଶ ମନେ ମନେ । ଯେଉଁଦିନ ସେ କ୍ୟାରମ୍ ମ୍ୟାଚରେ ଜିତି ଗୋଟାଏ ବିରାଟ କପ୍‌ ଧରି ଫେରିଥିଲା ସେ ଦିନ ପ୍ରିନ୍‌ସପାଲ ତାକୁ ଆନନ୍ଦରେ କୁଣ୍ଢେଇ ପକେଇ ଥିଲେ । ଆଉ ତା’ର ସାଙ୍ଗମାନେ ତାକୁ ଟେକି ଟେକି ନେଇ ଏକ ରକମ ପ୍ରଶେସନ କରିଥିଲେ କଲେଜ ଭିତରରେ । ସେ ଦିନ ଆଉ ଆଜି କେତେ ତଫାତ୍‌ ସତେ ! ଆକାଶ ଆଉ ପାତାଳ । ସ୍ୱର୍ଗ ଆଉ ନର୍କ । ଆଲୋକ ଆଉ ଅନ୍ଧାର ।

 

ଦୀର୍ଘ ନିଶ୍ୱାସଟିଏ ବାହାରି ଆସିଲା ରାକେଶର ।

 

ସେଦିନ ସେମିତି ଥିଲା ଆଉ ଆଜି ଏମିତି । ଦୁନିଆ ପରିବର୍ତ୍ତନ ଶୀଳ, ଏହା ଚିରନ୍ତନ ସତ୍ୟ । କଥାଟା ନିହାତି ପୁରୁଣା ତଥାପି ଚିର ସବୁଜ, ଚିର ନୂତନ । କଥାଟିକୁ ଫାଙ୍କି ଦେଇ ହେବନି-। ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥିବୀ ଘଡ଼ି ଘଡ଼ିକେ ଆନ.....ବଡ଼ ସ୍ୱାର୍ଥପର ଏହି ଦୁନିଆଟା-। ନିଜର ସ୍ୱାର୍ଥ ସାଧନ ପାଇଁ ମନୁଷ୍ୟ ସବୁ କିଛି କରିପାରେ । ସ୍ୱାର୍ଥ ଓ ମନୁଷ୍ୟ ଯେମିତି ଗୋଟିଏ ‘ମା’ ର ସନ୍ତାନ ।

 

ଆଃ....ମନେ ପଡ଼ିଲା ରାକେଶର ।

 

ଦୁଇଦିନ ପରେ ବନ୍ଦନାର....ତା’ର ନୁହେଁ । ତେବେ ସେ କାହିଁକି ବ୍ୟସ୍ତ ହେବ । ବ୍ୟସ୍ତ ହେବା କ’ଣ ବା ଦରକାର ତା’ର । ଆଦେଶକୁ ଅପେକ୍ଷା କରିବା ତା’ର ଧ୍ୟର୍ମ । ଏଇଟା ବା ସେ ଭୁଲିଯିବ କିପରି । ତା’ର ସେଥିରେ ଯାଏ ଆସେ କ’ଣ ! ତା’ର ତ କିଛି ପରିବର୍ତ୍ତନ ହେବନି !!

 

ବନ୍ଦନାର ଜନ୍ମଦିନ ।

 

କ୍ଷୀରୀ ପୁରିରେ ଭାସିବ ଘର ।

 

ବନ୍ଧୁ ବାନ୍ଧବ ହସିବେ, ଖାଇବେ, ଗାଇବେ, ନାଚିବେ ।

 

ଖୁସିହେବ ବନ୍ଦନା ।

 

ଖୁସିହେବେ ମୁରାରୀ ବାବୁ ।

 

ନିଜକୁ ଅଭିସାରିକା କରି ସଜେଇବ ବନ୍ଦନା । ପ୍ରଜାପତିଟି ପରି ଏ ଫୁଲରୁ ସେ ଫୁଲକୁ ଡେଇଁ ବୁଲିବ ଓ ନାଚି ନାଚି, ଗାଇ ଗାଇ ସେ ସମସ୍ତଙ୍କ ମନ ତୋଷିବ । ଏଇଟା ଖାଆନ୍ତୁ, ସେଇଟା ଖାଆନ୍ତୁ କହି ବଳେଇ ବଳେଇ ଖୁଆଇବ । ସେ ବି ତ ସେମିତି କରି ଥାଆନ୍ତା । ଆଉ କେହି ଯଦି ନ ଖାଇବ ତେବେ ସେ କହିବ, ‘‘ମୋ ରାଣ ଆଉ ଖଣ୍ଡେ ମାଂସ ଖାଆନା....’’ କିନ୍ତୁ କାହାକୁ....କାହାକୁ ସେ କହିବ ?

 

ରାକେଶର ଜନ୍ମଦିନ ।

 

ନିଜର ଜନ୍ମଦିନ କଥା ଭାବି ଆଶ୍ଚର୍ଯ୍ୟ ହେଲା ରାକେଶ । କାହିଁ ଦିନେ ହେଲେ ତ ତା’ର ଜନ୍ମଦିନ ପାଳନ କରାଯାଇନି । କେଉଁ ଏକ ଅଶୁଭ ମୁହୂର୍ତ୍ତରେ ଜନ୍ମ ହୋଇଥିଲା କେଜାଣି–ନିଜେ ମଧ୍ୟ ସେ ଜାଣିନି । ସେ ଦିନଟା ସମସ୍ତଙ୍କର ଅଗୋଚରରେ, ଅଜାଣତରେ, ଅନ୍ଧକାରରେ; ସେ ଦିନଟାର କିଛି ବୋଲି କିଛି ଗୁରୁତ୍ୱ ନଥିବ ନିଶ୍ଚୟ ନଚେତ୍‌ ତା’ର ଜନ୍ମଦିନଟା ପାଳନ କରାଯାଇ ନଥାନ୍ତା କାହିଁକି । ଛାଡ଼.....

 

ସବୁ ଦିନ ପାଇଁ ସେଇଟା ସେମିତି ଅନ୍ଧକାରରେ ଥାଉ । ଥାଉ ସେ ତାକୁ ମୋଟେ ମନେ ପକାଇବ ନାହିଁ । ଅମୁଙ୍ଗଳିଆ ଦିନଟା ।

 

ବର୍ଷା ଛାଡ଼ି ଯାଇଥିଲା ।

 

ରାକେଶ ବାହାରିଲା ତାକୁ ଯିବାକୁ ହେବ । କାଲି ଛାଡ଼ି ପଅର ଦିନ ଯେ ବନ୍ଦନାର ଜନ୍ମଦିନ । ତା’ର ଅନେକ କାମ ବାକି । ମୁରାରୀ ବାବୁ ବି ଠିକ୍‌ ସମୟରେ ତାକୁ ଡାକିଲେ । ରାକେଶ ବାହାରି ପଡ଼ିଲା ତରତରରେ ।

 

ବନ୍ଦନା ଦେଖିଲା ।

 

ଖୁବ୍‌ ତରବରରେ କାର ଭିତରକୁ ପ୍ରବେଶ କରୁଛି ରାକେଶ । କେତେ ଆଗ୍ରହ, କେତେ ସରାଗ । ସତରେ କ’ଣ ରାଜେଶ ତା’ ପାଇଁ ଏତେଟା ବ୍ୟସ୍ତ, ବ୍ୟଗ୍ର.....କିଛି ବୁଝିପାରୁ ନ ଥିଲା ବନ୍ଦନା । ମୁଣ୍ଡଟା ତା’ର ଗୋଳମାଳିଆ ଧରୁଥିଲା । ଗଭୀର ଭାବନାରେ ନିମଗ୍ନ ହୋଇଗଲା ବନ୍ଦନା ।

 

ସମୟର କୁମ୍ଭାର ଚକ ଘୁରିଯାଇଛି । ବନ୍ଦନା ଭାବି ଚାଲିଛି । କେତେବେଳେ ଯେ ଉମେଶ ଆସି ଠିଆ ହୋଇଛି ସେ ଜାଣି ପାରିନି । ଉମେଶର ପ୍ରଶ୍ନରେ ଚମକି ପଡ଼ିଲା ବନ୍ଦନା । ଉମେଶ ପଚାରୁଥିଲା, ‘‘ଏକାକୀ ବସିଛ ଯେ, ଆଉ କାହାକୁ ତ ଦେଖୁନି ।’’

 

ଉମେଶ, ବନ୍ଦନାର ଦୂର ସମ୍ପର୍କୀୟ ଭାଇ ହୁଅନ୍ତି । ଥରେ ବନ୍ଦନା ତା’ର ମାମୁଁ ଘରକୁ ଯାଇଥିଲା । ସେଠାରେ ଅନ୍ୟ ଜଣେ ସମ୍ପର୍କୀୟ ମାମୁଁଙ୍କ ଘରେ ତା’ର ଭେଟ ହୋଇଥିଲା ଉମେଶ ସହିତ । ବନ୍ଦନା ନିଜେ ବୁଝି ପାରେନି ସେ କାହିଁକି ଚିଡ଼ି ଚିଡ଼ି ହୁଏ ଉମେଶ ଉପରେ । ଅବଶ୍ୟ ଉମେଶ ଯେ ବନ୍ଦନାକୁ ଖରାପ ବ୍ୟବହାର କରେ ଏପରି ନୁହେଁ କିନ୍ତୁ ଉମେଶର ବ୍ୟବହାରରେ ସନ୍ତୁଷ୍ଟ ନୁହେଁ ବନ୍ଦନା । ତା’ର ଅଜାଣତରେ ତାକୁ ବୋଧହୁଏ ବାପା ନିମନ୍ତ୍ରଣ କରିଛନ୍ତି । ସମ୍ପତ୍ତି ବାଡ଼ି ଗୋବାରେ ଗୋବାଏ ନାହିଁ । ଅତି ସାଧାରଣ ଭାବରେ ବି. ଏ. ପାଶ୍‌ କରିଛନ୍ତି । କିନ୍ତୁ ବାପା ତାକୁ କାହିଁକି ନିମନ୍ତ୍ରଣ କରିଛନ୍ତି ବୁଝିପାରି ନଥିଲା ବନ୍ଦନା ।

 

ଆରେ ଉମେଶ ଭାଇ ଯେ, କେତେବେଳେ ଆସିଲ । ଟେଲିଗ୍ରାମ କରିଥିଲେ ତ ଗାଡ଼ି ପଠେଇ ଦେଇ ଥାଆନ୍ତି । ଆଗରୁ ଟିକିଏ ଜଣାଇ ଦେଇ ପାରିଲ ନାହିଁ । –ମନର ଭାବନାକୁ ଗୋପନ ଭରା ବନ୍ଦନା କଥାଟିକୁ ଚଳାଇ ନେବା ପାଇଁ କହିଦେଲା କେମିତି ଏକ ତବବରିଆ ହୋଇ ।

 

: ଆରେ ନା....ନା କିଛି ଅସୁବିଧା ତ ହେଲାନି ? ଘରେ ବାପା କ’ଣ ନାହାନ୍ତି କି ? କାହିଁ ବାପାଙ୍କୁ ଦେଖୁନି ଯେ । ଏକାକୀ କାହିଁକି ବସିଥିଲ ?? ପ୍ରଶ୍ନ ଗୁଡ଼ିକ ପଚାରି ଦେଇ ନୀରବରେ ବନ୍ଦନାର ମୁଖ ମଣ୍ଡଳକୁ ନିରୀକ୍ଷଣ କରୁଥିଲା ଉମେଶ ।

 

ସରଳ ଭାବରେ ବନ୍ଦନା ଅନ୍ୟ କିଛି ନ ଭାବି କହିଦେଲା–‘‘ବାପା ବଜାରକୁ ଯାଇଛନ୍ତି ବୋଧହୁଏ ଜିନିଷପତ୍ର ଆଣିବା ପାଇଁ’’ ।

 

: ଆଉ ସବୁ ଖବର କ’ଣ ?

 

: ସେମିତି....ଭଲ....

 

: ପଢ଼ାପଢ଼ି କେମିତି ଚାଲିଛି ?

 

: ମନ୍ଦ ନୁହେଁ ?

 

ଆଉ କି ପ୍ରଶ୍ନ ପଚରା ଯାଇ ପାରିବ, ସେଭଳି ପ୍ରଶ୍ନ ଉମେଶ ମୁଣ୍ଡରେ ଢୁକୁ ନଥିଲା । ବନ୍ଦନାର ଏପରି ଠିକେ ଠିକେ ଉତ୍ତରରେ ସେ ସନ୍ତୁଷ୍ଟ ହୋଇ ପାରୁନଥିଲା । କଥାବାର୍ତ୍ତା ମଧ୍ୟରେ ଅତିଥି ଚର୍ଚ୍ଚା ରୀତିମତ ଭୁଲିଯାଇଥିଲା ବନ୍ଦନା । ‘‘ଆରେ, ତୁମପାଇଁ ଜଳଖିଆ ଆଣିବାକୁ କହିନି ।’’ ଉଠି ଚାଲିଯାଇଥିଲା ବନ୍ଦନା ।

 

ନା....ନା...ବ୍ୟସ୍ତହେବା ଦରକାର ନାହିଁ । ମୁଁ ଷ୍ଟେସନରେ ସେ ଗୋଳମାଳଟିକୁ ତୁଟାଇ ଦେଇ ଆସିଛି । ଚୌକିରୁ ଉଠିପଡ଼ି ବ୍ୟଗ୍ର ଭାବରେ କହି ଉଠିଲା ଉମେଶ ।

 

: ଅନ୍ତତଃ ଗୋଟାଏ କପ୍‌ ଚା-

 

: ନା......ଆପାତତ୍‌ ଦରକାର ନାହିଁ ।

 

: ସରବତ୍‌ ଆଣେ....

 

: ମୋଟେ ନୁହେଁ । ଥଣ୍ଡା ପାଗରେ....

 

: କିଛି ଗ୍ରହଣ କରିବନି ବୋଲି ନିଷ୍ପତ୍ତି ନେଇ ଆସିଛ ନା କ’ଣ ?

 

: Please don't mind, କିଛି ଖରାପ ଭାବିବନି । ମୁଁ ଏଇ ସାଙ୍ଗେ ସାଙ୍ଗେ ଖାଇ ଆସିଛି । ତେଣୁ ଇଚ୍ଛାନାହିଁ....ତା’ ଛଡ଼ା ବାଧ୍ୟ କଲେ ମୁଁ ନାଚାର ।

 

: ତାହାହେଲେ ମୁଁ ଆଣେ–ବନ୍ଦନା କହୁଥିଲା ।

 

ଆଣ । ଆଉ କ’ଣ କରାଯାଇପାରେ । ମନେ ମନେ କୃତ କୃତ୍ୟ ହେଲା ଉମେଶ ।

 

ବନ୍ଦନା ଚାଲିଗଲା । ଉମେଶ ବସି ରହିଲା ଏକାକୀ । ମନେ ମନେ ଭାବି ଯାଉଥିଲା ଆକାଶ ପାତାଳ । ଅନେକ ଆଶା ଓ ଆଶଙ୍କା.....

 

ଉମେଶର ମୁହଁରେ ଲାଖି ରହିଥିଲା ଏକ କ୍ରୂରହସ । ମନେ ମନେ ଭାବୁଥିଲା, ବନ୍ଦନା କ’ଣ ସତରେ ତାକୁ ଭଲପାଏ, ବିବାହ କରିବାକୁ ତା’ର କ’ଣ ଇଚ୍ଛା ଅଛି ! ମୁରାରୀ ବାବୁ ତାହାହେଲେ ସବୁ କହିଛନ୍ତି । ବନ୍ଦନା କାହିଁକି ବି ତାକୁ ବାହା ହେବାକୁ ନ ଚାହିଁବ । କେଉଁ ଝିଅଟା ବା ନ ଚାହିଁ ଥାଆନ୍ତା । ସେ ତ ଦେଖିବାକୁ କୁତ୍ସିତ ନୁହେଁ । ଚେହେରାଟା ରାଜପୁତ୍ର ପରି । ପାଠ ବି ପଢ଼ିଛି । ବି. ଏ. ପାସ୍‌ କରି ପୁଣି ଏମ୍‌. ଏ. ପଢ଼ିବ । କେବଳ ଯାହା ନାହିଁ ଧନ.....ଏଇଠି ନିଜକୁ କ୍ଷୀଣ ମନେ କଲା ଉମେଶ କିନ୍ତୁ ବନ୍ଦନାକୁ ବିବାହ କଲେ ସେଇଟା ତ ଅଭାବ ରହିବନି ତା’ର । ଆଉ ଚିନ୍ତା କ’ଣ ?

 

ଖୁବ୍‌ ଖୁସିହେଲା ଉମେଶ ।

 

ଆଉ ଯଦି ବନ୍ଦନା ଏଥିରେ ମତ ପରିବର୍ତ୍ତନ କରେ ତେବେ....ଜୋରରେ ଦାନ୍ତ ଗୁଡ଼ିକୁ ରଗଡ଼ି ଦେଲା ଉମେଶ ଥରେ ଦି’ଥର । ସେହି ସମୟରେ ପଶି ଆସୁଥିଲା ବନ୍ଦନା ।

 

ନିଜକୁ ପ୍ରସ୍ତୁତ କରି ରଖିଲା ଉମେଶ ଯଦି ବନ୍ଦନା ତା’ର ଉଗ୍ରମୂର୍ତ୍ତିକୁ ଦେଖିଥାଏ । କ’ଣ ଭାବିବ ସେ । ହଁ ଦେଖୁ କ’ଣ ହେଇଗଲା ସେଇଠୁ । ବନ୍ଦନା ପାଖେଇ ଆସିଲା । ମୃଦୁ ମୃଦୁ ହସିଲା ଉମେଶ, ବନ୍ଦନାର ଦୃଷ୍ଟି ଆକର୍ଷଣ କରିବା ପାଇଁ । ଟି ପାୟ ଉପରେ ଚା’ ସାମଗ୍ରୀ ତକ ଥୋଇଦେଇ ଚା’ ତିଆରି କରୁ କରୁ ବନ୍ଦନା କହିଲା : ଚା’ ରେ କେତେ ଚାମଚା ଚିନି ଦେବି । ମିଠା ଖାଆନ୍ତି ତ ?

 

ଉମେଶର ଚମକ ଭାଙ୍ଗିଗଲା କହିଲା : ଉଁ....ହଁ ସାମାନ୍ୟ ମିଠା ଦରକାର । ବିଶେଷ ନୁହେଁ ।

 

ନୀରବରେ କଟିଗଲା ଅନେକ ସମୟ ।

 

ନୀରବତା ଭଙ୍ଗକରି ବନ୍ଦନା କହିଲା : ତୁମପାଇଁ ରୁମ୍‌ଟିଏ ଠିକ୍‌ କରିବାକୁ ମୁଁ ରବିଶଙ୍କରକୁ କହି ଆସେ । ଉମେଶର କୌଣସି ବକ୍ତବ୍ୟ ପାଇଁ ଅପେକ୍ଷା ନ କରି ବନ୍ଦନା ଚାଲିଗଲା ।

 

ବନ୍ଦନା ଚାଲିଗଲା ଧୀର ପଦ କ୍ଷେପରେ ଆଉ ଛାଡ଼ି ଦେଇଗଲା ଗଦାଏ ଭାବନା ଉମେଶ ପାଇଁ ।

 

ସେତେବେଳକୁ..... ।

 

ସନ୍ଧ୍ୟା ନଇଁ ନଇଁ ପଡ଼ୁଥିଲା ଆକାଶର ଚଉଡ଼ା ଛାତି ଉପରେ । କାଦମ୍ବିନୀ ହସୁଥିଲା ମନେ ମନେ । ସୂର୍ଯ୍ୟ ମୁହଁ ଲୁଚାଇ ଥିଲେ ଲାଜରେ । ମଳୟ ପଛେଇ ପଛେଇ ଫେରି ଯାଉଥିଲା ରାଗରେ ଅଭିମାନରେ । ସେ ବୋଧହୁଏ ଆକାଶ ଉପରେ ରାଗୁଥିଲା । ଅନ୍ଧକାର ମାଡ଼ି ଆସୁଥିଲା ଜମାଟ ବାନ୍ଧି । ପୃଥିବୀକୁ ତତ୍‌କ୍ଷଣାତ୍‌ ଉଦରସାତ୍‌ କରିଯିବ ଯେମିତି ? ପାଖ ଗଛରେ କେତୋଟି ଚଢ଼େଇଙ୍କର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଇ ବକ୍ତା ବୋଧହୁଏ ଭାଷଣ ଆରମ୍ଭ କଲେ ।

 

ଚିଇଁ....ଚିଇଁ...କିଚିର...ମିଚିର ।

 

ମୁରାରୀ ବାବୁଙ୍କର ଦୋ ମହଲାର ବାଲ୍‌କୋନି ଉପରେ ବସି ଉମେଶ ଭାବୁଥିଲା ବନ୍ଦନା କଥା । ସତରେ ସେ କ’ଣ ତାକୁ ଭଲପାଏ ??

 

ଆକାଶରେ ଦ୍ୱିତୀୟା ଚାନ୍ଦ ହସିଲାଣି ।

 

ଆଜି ଜନ୍ମଦିନ–ବନ୍ଦନାର.....

 

ଘରଟା ଯେମିତି ଓଲଟ ପାଲଟ ହେଉଛି । ହସୁଛି–ଉପହାସ କରୁଛି–ଥଟ୍ଟା କରୁଛି । କାହାକୁ ? ରାକେଶକୁ ? କିନ୍ତୁ କାହିଁକି ?? ରାକେଶ ନିଜକୁ କେମିତି ଏକ ଅବହେଳିତ ମନେ କରୁଥିଲା । ରାକେଶର ମନେହେଲା ଯେମିତି ଉତ୍ସବର ପ୍ରତ୍ୟେକ ଆୟୋଜନରେ ତା’ ପାଇଁ ଗୋଟାଏ ଗୋଟାଏ ବ୍ୟଙ୍ଗର ଝଲକ୍‌ ।

 

ବଡ଼ ବଡ଼ିଆଙ୍କ କଥା । ଘିଅରେ ଖାଇ ଦୁଧରେ ହାତ ଧୁଅନ୍ତି । ବାହାରେ ବସିଛି ଟିପୁ । ତାହାର ଯେମିତି କାମଟା ଆଜି ବଢ଼ି ଯାଇଛି । ଅବଶ୍ୟ ସେଥିପାଇଁ ସେ ଅଧିକ ଦରମା ପାଇବ ସବୁଦିନ ଅପେକ୍ଷା । ସମସ୍ତଙ୍କୁ ଟିକିଏ ଶୁଙ୍ଘି ଶୁଙ୍ଘି ଛାଡ଼ି ଦେଇଛି ଭିତରକୁ । ରାକେଶ ତାକୁ ପ୍ରତିଦିନ ଖଣ୍ଡିଏ ବିସ୍କୁଟ୍‌ ଦିଏ । ତେଣୁ ସେ ଠିକ୍‌ ସମୟରେ ଆସି ତା’ର ପ୍ରାପ୍ୟତକ ଆଦାୟ କରେ ରାକେଶଠୁଁ । ନ ନେଲା ଯାଏ ପାଖ ଛାଡ଼ି ମୋଟେ ଯାଏନି ଅଥଚ ସେ ଆଜି ଆସୁନି କାରଣ ରାକେଶଠୁଁ ଯାହା ପାଉଥିଲା ତାହାଠାରୁ ସେ ଆଜି ଆଶାତୀତ ଭାବରେ ପାଉଛି । ତେଣୁ ସେ ରାକେଶକୁ ପଚାରିବ କାହିଁକି ? ଯେତେବେଳ ପର୍ଯ୍ୟନ୍ତ ମନୁଷ୍ୟ ଜଣକଠୁଁ କିଛି ପାଉଛି ସେତେବେଳ ପର୍ଯ୍ୟନ୍ତ ତା’ର ଖୁବ୍ ପ୍ରଶଂସା କରେ ଶେତମୁଖ ହୋଇ । ହେଉ ପଛେ ସେ ଜଣେ ଡାକୁ, ଜଣେ ପାଜି, ଜଣେ ଚୁପ୍‌ ସଇତାନ୍‌ । ତଥାପି ତା’ ପାଖକୁ ମନୁଷ୍ୟ ଆଗେଇ ଯାଏ ଖାଲି କିଛି ପାଇବା ଆଶାରେ କିନ୍ତୁ ଯେତେବେଳେ ତା’ ପକେଟ ଶୂନ୍ୟ ହୋଇଯାଏ, ଥଣ୍ଡା ହୋଇଯାଏ । ସେତେବେଳେ ତାକୁ ପଚାରିବା ତ ଦୂରର କଥା । ଦେଖିଲେ ମୁହଁ ମୋଡ଼ି ଚାଲିଯିବେ ଠିକ୍‌ ଗୋଟିଏ ଜଗନ୍ନାଥ ମନ୍ଦିରରେ ଗଡ଼ୁଥିବା ଶୂନ୍ୟ କୁଡ଼ୁମା ପରି । ଆଉ ସେ ତ କୁକୁରଟାଏ, ପଶୁଟାଏ-

 

ରାକେଶକୁ ତର ସହୁନି । କାମ ଖାଲି କାମ । ଏ ବାବୁଙ୍କୁ ଆଣ ସେ ବାବୁଙ୍କୁ ଘରେ ଛାଡ଼ । କିଛି ସମୟ ପରେ ତାଙ୍କୁ ପୁଣି ଯାଇ ଆଣ । ଦିନସାରା ସେ ଗାଡ଼ିରୁ ଓହ୍ଲାଇ ନାହିଁ । ସକାଳେ ଯାହା ଖାଇଥିଲା ସେତିକି । ଆଉ ନୁହେଁ । ତା’ର ଖବର କେହି ବୁଝି ନାହାନ୍ତି । ଖାଇଛି କି ନାହିଁ ? ରବିଶଙ୍କର ବି ନୁହେଁ । ତାହାକୁ ତ ଆଜି ବେଶୀ କାମ । ବିଚାରା କ’ଣ କରିବ ? ତା’ ଜୀବନଟା ତ ସବୁବେଳେ ସେମିତି । ଏଇଠି ବ୍ୟତିକ୍ରମ ହେବ କାହିଁକି ?

 

ପୋର୍ଟିକ ଭିତରେ ଗାଡ଼ି ଠିଆ କରାଇ କୁକୁରଟିକୁ ଦେଖୁଥିଲା ରାକେଶ । ତା’ର ଗତିବିଧିକୁ ଲକ୍ଷ୍ୟ କରୁଥିଲା । ଲୋକମାନେ ନିକଟ ଦେଇ ଚାଲିଗଲା ବେଳେ ଟିପୁ ଲାଙ୍ଗୁଳ ଟେକି ଟିକିଏ ଦୌଡ଼ିଯାଏ ପଛେ ପଛେ । ଲୋକମାନେ ଜୋରରେ ଦୌଡ଼ିଲା ପରି ଚାଲି ଯାଆନ୍ତି–ଭୟରେ....ଡରରେ...କାମୁଡ଼ିଦେବ ପରା....ବିଶ୍ୱାସ ନାହିଁ ।

 

ଏହିତ ରବିଶଙ୍କର ଏଇଆଡ଼େ ଆସୁଛି ନା କ’ଣ ? ବୋଧହୁଏ ମୋ ରୁମ୍‌ରେ ଖାଇବା ରଖିଦେଇ ଆସିଛି । ହଁ ତ ଆସିଲାଣି, ଦୌଡ଼ିଲା ପରି ଆସୁଛି । କେତେ ଦରଦ ତା’ର ମୋ ପାଇଁ ।

 

ଆଜି କ’ଣ ଖାଇବନି କି ରାକେଶ ବାବୁ ? ନା’ ପେଟ ପୂରି ଯାଇଛି । ଚାଲ ଚଞ୍ଚଳ ଖାଇବ । ତେଣେ ଥଣ୍ଡା ହୋଇଯିବ । ଟିକିଏ ରସିକତା କରି କହିଲା ରବିଶଙ୍କର ।

 

ଉଁ.....

 

ଖାଇବେ ଚାଲନ୍ତୁ ।

 

ହୁଁ......

 

ହୁଁ....ଆଉ କ’ଣ...ଚାଲନ୍ତୁ ।

 

ହୁଁ....

 

କାରର ଗେଟ ଖୋଲି ବାହାରକୁ ଆସି ଲମ୍ବା ଲମ୍ବା ଷ୍ଟେପ ନେଇ ରୁମ୍‌ ଆଡ଼କୁ ଚାଲିଲା ରାକେଶ । ରବିଶଙ୍କର ତା’ ସହିତ ପାଦ ମିଳାଇ ଚାଲିପାରୁ ନ ଥିଲା ଏକ ରକମ ଦୌଡ଼ିଲା ପରି ସେ ଚାଲୁଥିଲା ।

 

ରୁମ୍‍ ଭିତରକୁ ପଶିଲା ରାକେଶ ।

 

ରବିଶଙ୍କର ଟେବୁଲରେ ଖାଇବା ଦ୍ରବ୍ୟ ସବୁ ସଜାଡ଼ି ଦେଲା । ଖାଇବା ଆରମ୍ଭ କରିବା ପୂର୍ବରୁ ହାତବନ୍ଧା ଘଣ୍ଟାଟାକୁ ଦେଖିନେଲା ରାକେଶ ।

 

ଦିନ ଦୁଇଟା ବାଜୁଛି ।

 

ସନ୍ଧ୍ୟା ମାଡ଼ି ଆସୁଛି । ଲାଇଟର ସାଜସଜା ଖୁବ୍‌ ହୋଇଛି । ସନ୍ଧ୍ୟା ବୋଧହୁଏ ଅଭିମାନ କରି ଏହି ବଗିଚା ଓ ଘର ଭିତରକୁ ପ୍ରବେଶ କରିପାରିନି ।

 

ରାକେଶର କିନ୍ତୁ ଗୀଟାର ବଜା ବନ୍ଦ ନାହିଁ । ସେ ବଜେଇର ଚାଲିଛି କେଉଁ ଏକ କରୁଣ ରାଗିଣୀରେ । ଗୀଟାରରେ ସ୍ପ୍ରିଙ୍ଗ୍‌ ଗୁଡ଼ିକୁ ଟାଣୁ ଟାଣୁ ଭାବି ଚାଲିଛି ଅନେକ କଥା ।

 

ଗୀଟାରରେ ଶେଷ ଚୁମ୍ବନ ଦେଲା ରାକେଶ ।

 

ଅନେକ ଦିନ ପରେ ତା’ର ମନେ ପଡ଼ିଲା ମାଉଥ୍‌ ଅର୍ଗାନଟା କଥା । ଚଞ୍ଚଳ ଉଠିଗଲା ସେ ଅର୍ଗାନ ପାଖକୁ । କିନ୍ତୁ ଏ କ’ଣ ବୁଡ଼ୀଆଣି ଗୁଡ଼ିକ ଯେ ଏହା ଭିତରେ ସ୍ଥାୟୀ ଭାବରେ ବସବାସ ଆରମ୍ଭ କରି ସାରିଲେଣି । ଖୁବ୍‌ ଦୟାହେଲା ରାକେଶର ଏହି ଛୋଟିଆ ଜୀବ ଗୁଡ଼ାକ ପ୍ରତି । କିନ୍ତୁ ସେ କ’ଣ କରିବ । ସେ ନାଚାର ।

 

ଅର୍ଗାନଟିକୁ ନେଇ ଆସି ପୋଛି ପୋଛି ଦେଲା ରାକେଶ । ଆଜି ସେ କିଛି ସମୟ ଅର୍ଗାନ ବଜାଇବ । ଅନେକ ଦିନ ହେଲା ସେଇଟା ମନଦୁଃଖ କରୁଥିଲା । ଆଜି କିନ୍ତୁ ଖୁସିହେବ ସେ ।

 

ବାହାରୁ ବୋଧହୁଏ ମୁରାରୀ ବାବୁ ଡାକିଲେ ।

 

ରାକେଶ ଚାଲିଗଲା ।

 

ଅଭିସାରିକା ବେଶ ସାଜି ବନ୍ଧୁ ଗହଣରେ ବସି ରହିଥିଲା ବନ୍ଦନା । ମନରେ ଅହେତକୁ ଆନନ୍ଦ । ସୁଗନ୍ଧରେ ଘର ପୂରି ଉଠିଛି । ହସର ଝରଣା ଖୋଲି ଯାଇଛି ଯେମିତି ।

 

କରୁଣ ରାଗିଣୀ ତଳ ମହଲାରୁ ଭାସି ଆସୁଛି ।

 

ବନ୍ଦନା ଉଠିଗଲା ବାଲ୍‌କୋନି ଆଡ଼କୁ । ବନ୍ଧୁମାନେ ଖୁସି ଗଣରେ ବ୍ୟସ୍ତ । ସେମାନେ ଦେଖି ପାରିଲେନି ବନ୍ଦନାକୁ ।

 

ତେବେ କ’ଣ ଆଜି ବି ରାକେଶର ମନରେ ସୁଖନାହିଁ । ଏତେବଡ଼ ସୁଖ ଦିନଟାରେ ସେ ସୁଖି ହୋଇ ପାରୁନି । ଖୁସି ପାଇବାକୁ ସେ କ’ଣ ଚେଷ୍ଟା ବି କରେନି । ସବୁଦିନେ ଯେମିତି ଆଜି ବି ଠିକ୍‌ ସେମିତି । କିଛି ତ ପରିବର୍ତ୍ତନ ନାହିଁ । ସେ ଯଦି ଖୁସି ଥାଆନ୍ତା ତେବେ ତା’ର ସ୍ୱରରେ କାହିଁକି ଭରି ରହିଥାଆନ୍ତା ଆକୁଳତା, କରୁଣତା । ତା’ର ରାଗିଣୀରେ ଏତେ ବ୍ୟଥା, ଏତେ କରୁଣତା ଫୁଟିଉଠେ କିପରି ? ବାସ୍ତବିକ ରାକେଶ ଦୁଖଃଭରା ନଈଟିଏ ।

 

ରାକେଶ ମୂର୍ଚ୍ଛନା ତୋଳୁଛି ।

 

ଓଃ....ଆଜି ଟିକିଏ ନ ବଜାଇଥିଲେ କ’ଣ ଚଳି ନ ଥାଆନ୍ତା । ରାକେଶ କ’ଣ ଚାହେଁ ତାକୁ ଜଳାଇ ପୋଡ଼ି ମାରିବା ପାଇଁ । ସେ କେମିତି ଜାଣିବ ଯେ ସେହି ରାଗିଣୀ ତାକୁ ଦୁଃଖ ଦିଏ ।

 

ଲୁହ ପୋଛିଲା ବନ୍ଦନା ।

 

ସତରେ ତା’ର ସିନା ଆଜି ଜନ୍ମଦିନ ତେଣୁ ସେ ଖୁସିହେବ, ନାଚିବ, ହସିବ, ଗାଇବ । କିନ୍ତୁ ରାକେଶର କ’ଣ ଅଛି । ସେ କାହିଁକି ଖୁସି ହେବ । ତା’ ସଙ୍ଗରେ ମିଶି ନାଚିବ, ଗାଇବ, ହସିବ-। ସେ ତ ସବୁଦିନେ ଯେପରି ଆଜି ମଧ୍ୟ ସେହିପରି । ରାକେଶ ଠିକ୍‌ ବୁଝିଛି ଯେ ସବୁଦିନେ ସେ ତା’ର ଜୀବନଟାକୁ ଯେପରି କାଟି ପାରିବ ଆଜି ମଧ୍ୟ ସେ ଠିକ୍‌ କାଟିଛି । ସେ ସୁଖରେ ଆତ୍ମହରା ହେଉନି କି ଦୁଃଖରେ ଧୈର୍ଯ୍ୟହରା ହୁଏନି ।

 

କିଲୋ ବନ୍ଦନା ତୁ ଆସି ଏଠି ?

 

ଚମକି ଗଲା ବନ୍ଦନା, କହିଲା : ନା....ଏମିତି ଦେଖୁଥିଲି । କେତେ ସୁନ୍ଦର ଦିଶୁଛି ବଗିଚାଟା ସତେ !

 

ବାସ୍ତବିକ ଖୁବ୍‌ ସୁନ୍ଦର ଦିଶୁଛି । ମନ୍ତବ୍ୟ କଲା ବନ୍ଧୁଟି ।

 

: ସେମାନେ କ’ଣ ଭାବିବେ । ଚାଲ ସେମାନଙ୍କ ପାଖକୁ ଯିବା, କହି ବନ୍ଧୁଟିକୁ ଏକ ରକମ ଟାଣି ନେଇଗଲା ବନ୍ଦନା । ଆଉ ସେ ଠିକ୍ ଶୁଣି ପାରିଛି ତା’ପରେ ପରେ ସେଇ କରୁଣ ମୂର୍ଚ୍ଛନା ପବନର ବିରାଟ କାୟା ମଧ୍ୟରେ କେଉଁଠି ଆତ୍ମଗୋପନ କରୁଥିଲା ।

 

ଘଣ୍ଟା ଘଣ୍ଟା ଆଗେଇ ଚାଲିଛି । ମୁରାରୀ ବାବୁ ଭୋଜିର ଆୟୋଜନ ପାଇଁ ବ୍ୟସ୍ତ । କେମିତି ସୁରୁଖୁରରେ ଲୋକମାନେ ଖାଇବେ, କିଏ, କିଏ ପ୍ରଥମେ ବସିବେ–ତା’ର ଗୋଟାଏ ତାଲିକା । ଇତ୍ୟାଦି ଇତ୍ୟାଦି ପାଇଁ ସେ ବ୍ୟସ୍ତ ।

 

ବନ୍ଦନା ବ୍ୟସ୍ତ ତା’ର ବନ୍ଧୁ ମାନଙ୍କୁ ନେଇ । ଉମେଶ ନିଜର ଆସ୍ଥାନକୁ ଦୃଢ଼ କରିବାରେ ବ୍ୟସ୍ତ । ଆଉ ରାକେଶ–ସେ ବ୍ୟସ୍ତ ତା’ ଗାଡ଼ିକୁ ନେଇ । ସେଇଟା ଯେ ତା’ର ବନ୍ଧୁ, ତା’ର ଚର୍ଚ୍ଚା ନ କରିବ ତ ତେବେ ଚର୍ଚ୍ଚା ଆଉ କରିବ କାହାର ।

 

ଉମେଶ ବସି ବସି ଭାବୁଥିଲା ।

 

ମୁରାରୀ ବାବୁ ତ କହୁଛନ୍ତି ଏଠାରେ ରହି ଏମ୍‌. ଏ. ପଢ଼ିବାକୁ । ଶସ୍ତା ସୁନ୍ଦର ମଜବୁତ୍‌ । ସବୁ ସୁବିଧା ଅସୁବିଧାର ପ୍ରଶ୍ନ ଉଠିଛି କେଉଁଠି ? ରାଜାପରି ଚଳିବି ଆଉ....ଆଉ ରାଣୀ କରିବି ବନ୍ଦନାକୁ....ବନ୍ଦନା ମୋ ରାଣୀ...ବନ୍ଦନା ମୋ ମାନସୀ......ସେ ମୋର ହଁ ସେ ମୋର ବାଗଦତ୍ତା । ମୋ ଛଡ଼ା ସେ କାହାର ହୋଇ ନ ପାରେ । ବନ୍ଦନାକୁ ଧରି କାରରେ ବୁଲିବି । କେତେ ଖୁସି ଗପ କରିବି । ଅନେକ....ଅନେକ....ଅତ୍ୟଧିକ ଖୁସିରେ ଆଉ ଭାବି ପାରିଲାନି ଉମେଶ । ତା’ପରେ ଦୁହେଁ ମିଶି ପାର୍କରେ ବୁଲିବୁ । ସିନେମା ଯିବୁ । ବନ୍ଦନା ପାଇଁ ନାନା କିସମର ଫୁଲ ତୋଳି ଆଣିଦେବି । ଫୁଲଟିଏ ଧରି କହିବି, କି ସୁନ୍ଦର ଫୁଲଟା ଦେଖିଲ ବନ୍ଦନା । ଠିକ୍‌ ତୁମରି ପରି । ନା...ନା... ...ତାଠୁଁ ତୁମେ ଆହୁରି ସୁନ୍ଦର, ଆହୁରି କମନୀୟ, ଆହୁରି ଲୋଭନୀୟ ।

 

ବନ୍ଦନା ହସିବ ।

 

ମୁଁ ଖୁସିହେବି । ତା’ର ଗଭାରେ ଖୋସିଦେବି ଗୋଟିଏ ରକ୍ତ ଗୋଲାପ । ସେ ପରା ରକ୍ତ ଗୋଲାପ ଭଲପାଏ । ହଁ ମୋର ଠିକ୍‌ ମନେ ଅଛି, ସେ ଦିନ–ଯେଉଁଦିନ ପ୍ରଥମେ ମୋ ସହିତ ଦେଖାହେଲା, ଆମ ବାଡ଼ିରେ ଫୁଟିଥିବା ରକ୍ତ ଗୋଲାପଟିକୁ ଦେଖାଇ କହିଲା–ମୋତେ ସେହି ଫୁଲଟିକୁ ଦିଅନ୍ତିନି । ମୋତେ ରକ୍ତ ଗୋଲାପ ଖୁବ୍‌ ଭଲଲାଗେ । ମୁଁ ତା’ର କଥା ନ ସରୁଣୁ ଦୌଡ଼ିଯାଇ ଫୁଲଟିକୁ ତୋଳିଦେଇ କହିଥିଲି–‘‘ତୁମେ ପ୍ରତିଦିନ ଆସି ଏଠାରୁ ଫୁଲଟିଏ ନେଇଯାଅ ଅନେକ ତ ଫୁଟୁଛି’’ । ତରତରରେ ବନ୍ଦନା କହିଥିଲା–‘‘ଆଚ୍ଛା ଆସିବି’’ ।

 

: ନିଶ୍ଚୟ ଆସିବ ତ ?

 

: ଚେଷ୍ଟା କରିବି ।

 

: ଚେଷ୍ଟା ଫେଷ୍ଟା ମୁଁ ଜାଣେନି ।

 

: କିନ୍ତୁ.......

 

: କିନ୍ତୁ ଆଉ କ’ଣ ?

 

: ବାପା ନ ଛାଡ଼ିଲେ ?

 

: ସେ ଛାଡ଼ିବେ ଯେ......

 

ହଁ, ମୁଁ ତେବେ ଆସିବି । ନିଶ୍ଚୟ ଆସିବି । ଫୁଲ ନେବି । ଯଦି ନ ଫୁଟି ଥାଏ ତେବେ ମଧ୍ୟ ନ ନେଇ ଯିବିନି । ଆଚ୍ଛା, ମୁଁ ତେବେ ଯାଉଛି ।’’ ବନ୍ଦନା ଚାଲିଗଲା ଆଉ ମୁଁ ଚାହିଁ ରହିଲି ତା’ର ଯିବା ପଥକୁ । ଅନେକ ଦିନ ତଳର କଥା, ବନ୍ଦନା ହୁଏତ ଭୁଲି ଯିବଣି କିନ୍ତୁ ସେ ଆଜିଯାଏ ମନେ ରଖିଛି । ଯେତେବେଳେ ବନ୍ଦନା ସହିତ ତା’ର ବାହାଘର ଶେଷ ହୋଇଯିବ ସେତେବେଳେ ସେ ତାକୁ ସବୁ ମନେ ପକାଇ ଦେବ । କହିବ–ତୁମର ମନେ ଅଛି ବନ୍ଦନା.... ।

 

ବିରାଟ ଡ୍ରଇଁରୁମ୍‌ଟାରେ ସବୁ ଭଦ୍ରବ୍ୟକ୍ତିମାନେ ଆସି ଭିଡ଼ ଜମେଇଲେଣି । ବାଜେ ଗପ ନେଇ ସମସ୍ତେ ବ୍ୟସ୍ତ । ବନ୍ଦନା ସମସ୍ତଙ୍କୁ ନମସ୍କାରର ପ୍ରତିନମସ୍କାର ଜଣାଇ ଉପହାରଗୁଡ଼ିକୁ ଗ୍ରହଣ କରି ଟେବୁଲ ଉପରେ ଥୋଇ ଦେଉଛି । ଖୁବ୍‌ ଖୁସି ସେ । ନାଚି ନାଚି ସମସ୍ତଙ୍କ ସହିତ ପଦିଏ ପଦିଏ କଥା କହି ଏପାଖ ସେପାଖ ହେଉଛି । ସମସ୍ତେ ଯେପରି ତା’ର ପଦିଏ କଥା ପାଇଁ ଅପେକ୍ଷା କରିଛନ୍ତି । ମଝିରେ ମଝିରେ ତା’ର ମନେ ପଡ଼ିଯାଉଛି ରାକେଶ କଥା–କ’ଣ କରୁଥିବ ସେ । ସେ କ’ଣ ଖୁସି ଥିବ । ନା–ମୋଟେ ନୁହେଁ । ହୁଏତ ଗାଡ଼ିରେ ବସିଥିବ । ବାପା ତାକୁ ଛୁଟି ନଦେଲେ କାହିଁକି ? ଭାବିଲାବେଳେ ଅନ୍ୟମନସ୍କ ହୋଇ ପଡ଼ୁଥିଲା ବନ୍ଦନା ।

 

ମୁରାରୀ ବାବୁ ବ୍ୟସ୍ତ ଥିଲେ ଜଣେ ଗାୟକ ପାଇଁ । କିଏ ଏତେ ବଡ଼ ପାର୍ଟିଟଟାକୁ ସାଫଲ୍ୟ ମଣ୍ଡିତ କରିପାରେ ? ପ୍ରଶ୍ନ ଯୋଗୁଁ ସେ ଖୁବ୍‌ ବ୍ୟସ୍ତ ହୋଇପଡ଼ୁଥିଲେ । ହଠାତ୍‌ ତାଙ୍କର ମନେ ପଡ଼ିଲା–ରାକେଶ କଥା । ଆଜି ରାକେଶକୁ ପରୀକ୍ଷା କରିବା ଉଚିତ୍‌ ।

 

ମୁରାରୀ ବାବୁଙ୍କର କଥାରେ ପ୍ରତିବାଦ କଲାଭଳି ସାହାସ ରାକେଶର ନଥିଲା । କିନ୍ତୁ ସେ ଭାବିଲା ତାକୁ ହୁଏତ ସମସ୍ତେ ଉପହାସ କରିପାରନ୍ତି । କିନ୍ତୁ ବୁଝି ପାରୁନଥିଲା ରାକେଶ କ’ଣ ସେ କରିବ । ତାକୁ ମୁରାରୀ ବାବୁ ଏପରି ଅନୁରୋଧ ନ କରିଥିଲେ ବରଂ ଭଲ ହୋଇଥାଆନ୍ତା ।

 

ମୁରାରୀ ବାବୁଙ୍କୁ ସେ କଥା ଦେଇଛି ତେଣୁ ତାକୁ ଯିବାକୁ ହେବ । ନିଜକୁ ପ୍ରସ୍ତୁତ କରିନେଲା ରାକେଶ । ଧଳା ପଞ୍ଜାବୀ ଏବଂ ଧୋତିଟିଏ ପିନ୍ଧି ନେଲା । ଅନେକ ଦିନ ତଳେ ସେ ଦୁଇଟିକୁ କିଣିଥିଲା । ନିଜ ହାତ ଉପରେ ଅବିଶ୍ୱାସ ନଥିଲା ରାକେଶର । ତଥାପି ସେ ପୁଣି ଥରେ ବଜାଇବାକୁ ଲାଗିଲା ଗୀଟାରଟିକୁ ।

 

କିନ୍ତୁ ଏ କ’ଣ ? ଆଶ୍ଚର୍ଯ୍ୟ ହେଲା ରାକେଶ । କେତେ ସୁନ୍ଦର ବାଜୁଛି ଆଜି ଗୀଟାରଟା, କାହିଁ କେବେ ତ ଏତେ ସୁନ୍ଦର ବାଜୁନଥିଲା ? ନିଜ କାନକୁ ବିଶ୍ୱାସ କରି ପାରୁ ନଥିଲା । ସେ ଆଜି ହିଁ ତା’ର ସ୍ୱରଟା ଖୁବ୍‌ କରୁଣ ହୋଇ ପାରିଛି । ତା’ର ଏତେ ଦିନର ସାଧନା ସଫଳ ହୋଇଛି ।

 

ସମସ୍ତେ ତା’ର ପୋଷାକ ପରିଚ୍ଛେଦକୁ ଦେଖି ମୁରୁକି ମୁରୁକି ହସିବା ଆରମ୍ଭ କରିଥିଲେ-

 

ସମସ୍ତଙ୍କ ଉପରେ ନିରୀହ ଆଖିଟାକୁ ବୁଲାଇ ଆଣିଲା ରାକେଶ । କାହିଁ ବନ୍ଦନା ତ ଏଠାରେ ନାହିଁ । ବୋଧହୁଏ ଉପରେ କୌଣସି କାମ ନେଇ ବ୍ୟସ୍ତ ଥିବ । ଛାଡ଼.....ତାକୁ କେମିତି ଖରାପ ଲାଗୁଥିଲା । ଯାହାହେଉ ରକ୍ଷା ପାଇଗଲା ରାକେଶ । ମୁରାରି ବାବୁ ତା’ ନିକଟକୁ ଆସି କହିଲେ–କ’ଣ ତୁମେ ପ୍ରସ୍ତୁତ ତ ରାକେଶ ? ମୁଣ୍ଡ ହଲାଇ ସମ୍ମତି ଜ୍ଞାପନ କଲା ରାକେଶ ।

 

ମୁରାରୀ ବାବୁ ଷ୍ଟେୟାରକେଶ୍‌ର ଚାରିପାହାଚ ଉପରକୁ ଉଠିଯାଇ କହିଲେ–Ladies and gentlemen, ମୁଁ ଜଣେ ଗୀଟାରିଷ୍ଟଙ୍କର ସାହାଯ୍ୟ ନେଇଛି । ସେ ବର୍ତ୍ତମାନ ବଜାଇବେ ଆପଣମାନେ ଉପଭୋଗ କରନ୍ତୁ । ଓହ୍ଲେଇ ଆସିଲେ ମୁରାରୀ ବାବୁ ।

 

କିଏ ସେହି ବାଦକ ? ସମସ୍ତଙ୍କର ମନରେ ସେହି ଗୋଟିଏ ପ୍ରଶ୍ନ । ସମସ୍ତେ ପରସ୍ପରକୁ ଚାହାଁଚାହିଁ ହେଉଛନ୍ତି । କିନ୍ତୁ ଉତ୍ତର..... ।

 

ମୁରାରୀ ବାବୁ କହିଲେ–ରାକେଶ ଆଉ ଡେରି କାହିଁକି, ଚାଲ । ସମସ୍ତେ ତୁମର ପ୍ରତୀକ୍ଷାରେ ଅଛନ୍ତି । ରାକେଶ ଧୀର ପଦକ୍ଷେପରେ ଆଗେଇଗଲା ଗୀଟାର ଥୁଆ ହୋଇଥିବା ଚେୟାର ଆଡ଼କୁ ।

 

ବନ୍ଦନା ଓହ୍ଲାଇ ଆସୁଥିଲା ଧୀରେ ଧୀରେ ଦୋମହଲାର ପାହାଚ ଉପରୁ । ଚମକି ପଡ଼ିଲା ସେ । ନିଜ ଆଖିର ଦୋଷ ନାହିଁ ତ ! ଏ କ’ଣ ଦେଖିଛି ସେ !! ରାକେଶ ବସିଛି ଗୀଟାର ଧରି । ତାକୁ କ’ଣ ଗୀଟାର ବଜାଇବା ପାଇଁ ବାପା ଡାକିଛନ୍ତି । ଚମକି ଠିଆ ହୋଇଗଲା ସେ ।

 

ଗୀଟାରଟାକୁ ଗୋଟିଏ ଉଷ୍ମ ଚୁମ୍ବନ ଦେଇ ଥରେ ସମସ୍ତଙ୍କ ଆଡ଼କୁ ଚାହିଁଲା ରାକେଶ । ଉମେଶ ଉପରେ ଦୃଷ୍ଟି ପଡ଼ିଲା ରାକେଶର, କେମିତି ଏକ ଚାହାଣିରେ ଚାହିଁ ରହିଛି ଉମେଶ ତାହାରି ଆଡକୁ । ଟିକିଏ ମୁରୁକି ହସିଲା ସେ । ବେଳେ ବେଳେ ସେ ଏମିତି ହସେ । ଶୁଖିଲା ହସ-। ଆରମ୍ଭ କଲା ତା’ର ଗୀଟାର ବଜାଇବା ।

 

ଗୀଟାରର ଅପୂର୍ବ ମୂର୍ଚ୍ଛନା କୋଳାହଳକୁ ଶାନ୍ତ କରିଦେଲା ଯାଦୁ ମନ୍ତ୍ର ପରି । ଧୀରେ ଧୀରେ ଓହ୍ଲାଇ ଆସୁଥିଲା ବନ୍ଦନା । ମନେ ମନେ ଆଶ୍ଚର୍ଯ୍ୟ ହେଉଥିଲା, ଆଜି ରାକେଶ ହସୁଛି କେମିତି । ଏତେଟା ପରିବର୍ତ୍ତନ କିପରି ।

 

ଅନେକ ଚିନ୍ତା କରି ମଧ୍ୟ କିଛି ବୁଝି ପାରୁନଥିଲା ବନ୍ଦନା । ବୋଧହୁଏ ରାକେଶ ତା’ର ଦୁଃଖ ଭରା ମନଟିକୁ ଅନ୍ୟ ଆଗରେ ଧରାଇ ଦେବାକୁ ଚାହୁଁ ନଥିଲା । ତା’ର ଦୁଃଖ ଗୋପନରେ ରଖିବା ପାଇଁ କି ଚେଷ୍ଟା । କିନ୍ତୁ ତା’ର ସ୍ୱର କି କରୁଣ !! କି ଆକୁଳତା ସେଥିରେ ଭରି ରହିଛି । ଆଃ....କାହିଁକି ଯେ ସେ ଏମିତି ବଜାଏ । ସହି ପାରୁନଥିଲା ବନ୍ଦନା । ଅନ୍ୟକୁ ଜଳାଇ ପୋଡ଼ି ମାରି ସେ ପାଏ କ’ଣ ? ତା’ର ମନ ଦୁଃଖ ବୋଲି ସେ ଅନ୍ୟ ଜଣକୁ ସମ ଦୁଃଖି କରିବାକୁ ତା’ର କି ଅଧିକାର ଅଛି ?

 

ଗୀଟାରରେ ଅପୂର୍ବ ଝଙ୍କାର ତୋଳୁ ତୋଳୁ ସମସ୍ତଙ୍କ ଉପରେ ଆଖି ବୁଲାଇ ନେଉଥିଲା ରାକେଶ । ସମସ୍ତେ ଯେମିତି ଗୋଟିଏ ଗୋଟିଏ ପୂତ୍ତଳିକା ! ମୁରୁକି ମୁରୁକି ହସୁଥିଲା ରାକେଶ । ଉମେଶ ଆଡ଼କୁ ଚାହିଁଲା ସେ । ଉମେଶ ଠିଆ ହୋଇଛି କେମିତି ଏକ ବିଚିତ୍ର ଅଙ୍ଗଭଙ୍ଗୀରେ ।

 

କିନ୍ତୁ...କିନ୍ତୁ ସେ ଯାହାକୁ ମନେ ମନେ ଖୋଜୁଥିଲା । ତାକୁ ଦେଖି ପାରୁ ନ ଥିଲା । ହଠାତ୍‌ ତା’ର ଦୃଷ୍ଟି ପଡ଼ିଲା ବନ୍ଦନା ଉପରେ । ଆଜି ସେ ଭଲ କରି ବନ୍ଦନାକୁ ଦେଖିବା ସୁଯୋଗ ପାଇଲା । କିନ୍ତୁ ଏ କ’ଣ ବନ୍ଦନା ଆଖିରେ ଯେ ଲୁହର ବନ୍ୟା ! ସେ କାନ୍ଦୁଛି କାହିଁକି ?

 

ଆଉ ବନ୍ଦନା ଭାବୁଥିଲା, କି ସୁନ୍ଦର ଦିଶୁଛି ରାକେଶ ଆଜି । ଠିକ୍‍ ଗୋଟିଏ ବର ପରି । ସତେ ଯେମିତି ସେ ବାହା ହେବାକୁ ଆସିଛି କିନ୍ତୁ କାହାକୁ ? କ’ଣ ତାକୁ ? ଲାଜେଇ ଗଲା ବନ୍ଦନା ମନେ ମନେ ।

 

ଧୀରେ ଧୀରେ ବନ୍ଦନା ରାକେଶର ସାମନା ଆଡ଼କୁ ଗତି କରୁଥିଲା । ମନେ ମନେ ଅନେକ କଥାଭାବୁଥିଲା ବନ୍ଦନା, ଆଉ ରାକେଶ ମଧ୍ୟ । ରାକେଶ ଭାବୁଥିଲା ‘‘କାହିଁ କାହା ଆଖିରେ ତ ସେ ଲୁହ ଦେଖିଲାନି । ତେବେ ବନ୍ଦନା ଆଖିରେ ଲୁହ ଆସିଲା କେମିତି ? ହଠାତ୍‌ ମୁଣ୍ଡ ଟେକି ଚାହିଁଲା ରାକେଶ ତାହାରି ସାମନାରେ ଠିଆ ହୋଇଛି ବନ୍ଦନା । ରାକେଶ ଚାହିଁଛି ବନ୍ଦନାକୁ ଆଉ ବନ୍ଦନା ଚାହିଁଛି ରାକେଶକୁ । ଚାରିଚକ୍ଷୁର ମିଳନ ହେଲା । ଇସ୍‌ କେତେ ଲୁହ, କେତେ ଆଶା, କେତେ ଆକାକ୍ଷାଂ ସେ ଆଖିରେ । ଲାଜରେ ଝାଉଁଳି ପଡ଼ିଲା ବନ୍ଦନା । ମୁହଁ ବୁଲାଇଲା ସେ । ରାକେଶ ତା’ ପୂର୍ବରୁ ମୁଣ୍ଡ ପୋତିଥିଲା ।

 

ଉମେଶ ଉପଭୋଗ କରୁଥିଲା ଦୃଶ୍ୟଟିକୁ । ଦାନ୍ତ କଡ଼ମଡ଼ କରି ଉଠିଲା ସେ । ଘୃଣାରେ ପୂରିଗଲା ତା’ର ମନ ବନ୍ଦନା ପ୍ରତି । ରାକେଶ ଉପରେ ସେ ରାଗିକରି ନିଆଁ, ବାମନ ହୋଇ ଚାନ୍ଦକୁ ହାତ ବଢ଼ାଉଛି–ଜୋର କରି ଗୋଟାଏ ମୁଥା ଥୋଇଲା ସେ ଚୌକି ଉପରେ ।

 

ରାଜେଶ ମନରେ ଭାବନାର ଜୁଆର । ସତରେ କ’ଣ ତା’ ପାଇଁ ଦୁଃଖ କରେ ବନ୍ଦନା । ଜଣେ ସାମାନ୍ୟ ଡ୍ରାଇଭର ପାଇଁ ତା’ର ଏତେ ଦରଦ କାହିଁକି ? ନା....ନା.....ସେ ଅଶ୍ରୁ ଆନନ୍ଦାଶ୍ରୁ ହୋଇପାରେ । କିନ୍ତୁ ସେ ତ ସ୍ପଷ୍ଟ ଦେଖିଛି ଲୁହ ବୋହିଛି ପୁଣି ମୁହଁଟା ମଧ୍ୟ ଶୁଖି ଯାଇଛି । ନା....ନା....ସେ ଜଣକ ମନରେ ଦୁଃଖ ଦେଇ ନ ପାରେ । କି ଅଧିକାର ତା’ର ଅଛି ଜଣକ ମନରେ ଦୁଃଖ ଦେବାପାଇଁ । ହଠାତ୍‌ ତା’ର ଗୀଟାର ନିଶ୍ଚଳ ହୋଇଗଲା ।

 

ଅଜସ୍ର କରତାଳିରେ ତା’ର ପ୍ରଶଂସା କଲେ ସେଇମାନେ ଯେଉଁମାନେ ତା’ର ଉପହାସ କରୁଥିଲେ । ହାତଯୋଡ଼ି ସମସ୍ତଙ୍କୁ ଅଭିବାଦନ ଜଣାଉଥିଲା ରାକେଶ ।

 

ବନ୍ଦନା ଚାଲିଯାଉଥିଲା ଉପରକୁ ।

 

ତେବେ....ତେବେ....ବନ୍ଦନା, ରାକେଶ ଭଳି ଗୋଟାଏ ସାମାନ୍ୟ ଡ୍ରାଇଭରକୁ ଭଲ ପାଉଛି । ଛି....କି ନୀଚ ତା’ର ପ୍ରକୃତି । ଜଣେ କୋଟାଧିପତିର ଝିଅ ହୋଇ ଛି....ଛି...ଘୃଣାରେ ପୂରି ଉଠିଲା ଉମେଶର ମନ । ଏଁ ଏ କ’ଣ ଭାବୁଛି ସେ ! ଏହା କି କେବେ ସମ୍ଭବ !! ବନ୍ଦନା କି କେବେ ଜଣେ ଡ୍ରାଇଭରକୁ ଭଲ ପାଇ ପାରେ !!!

 

କିନ୍ତୁ ଯଦି ଦୁହିଁଙ୍କ ମଧ୍ୟରେ ସଦ୍‍ଭାବ ପ୍ରତିଷ୍ଠିତ ଥାଏ ତେବେ ସେ ରାକେଶର ମୁଣ୍ଡଟାକୁ ଉଡ଼ାଇ ଦେବାକୁ ପଛଘୁଞ୍ଚା ଦେବନି । ହଁ....ହଁ....ସେ ରାକେଶକୁ ଖୁନ୍‌ କରିବ ଖୁନ୍‌ । ବନ୍ଦନା ପାଇଁ ସେ ସବୁ କିଛି କରିପାରେ । ନିଜ ଜୀବନ ମଧ୍ୟ ସେ ଦେଇପାରେ କିନ୍ତୁ ବନ୍ଦନା ତା’ର, ସେ ବଞ୍ଚିଥିଲା ପର୍ଯ୍ୟନ୍ତ ଏକାନ୍ତ ଭାବେ ତା’ର । କେହି ତାକୁ ନିଜର କରି ପାରିବେନି । ସେ ଯେ ତା’ର ବାଗଦତ୍ତ ।

 

ବିଛଣାରେ ଶୋଇ ଶୋଇ ଭାବୁଥିଲା ଉମେଶ । ତାକୁ ନିଦ ହେଉ ନ ଥିଲା । ଦେହଟା ଝାଳେଇ ଆସୁଥିଲା । ରାଗରେ ସେ ହାତ ମୁଠା ମୁଠା କରୁଥିଲା, ରାକେଶକୁ ପାଇଥିଲେ ହୁଏତ ମାଡ଼ ଦେଇ ଥାଆନ୍ତା ।

 

ଇସ୍‌....ସେ ଗୀଟାର ବଜାଇଲା ବେଳକୁ ବନ୍ଦନା ତା’ ଆଡ଼କୁ କିମିତି ଚାହିଁଥିଲା.....ସେ ଚାହାଣୀରେ ଭରି ରହିଥିଲା ବହୁ ଅନୁରୋଧ, ବହୁ ଅନୁଯୋଗ ଆଉ ବହୁ ଅଭିମାନ । କାହିଁ ଦିନୁଟିଏ ହେଲେ ତ ବନ୍ଦନା ତାରି ଆଡ଼କୁ ସେମିତି ଚାହିଁନି, କାହିଁକି ? ସେ କ’ଣ ତା’ ପାଇଁ ଏତେଟା ଅଯୋଗ୍ୟ । ଆଉ ସେଇଥିପାଇଁ ସେ ତା’ ସହିତ ମୋଟେ କଥା ହେଉନି । ସବୁବେଳେ ବୋଧହୁଏ ରାକେଶ କଥା ହିଁ ଭାବୁଛି । ଦେଖାଯାଉ କୁଆଡ଼ର ପାଣି କୁଆଡ଼କୁ ଯାଉଛି ।

 

ନୀଳ ଆଲୋକଟିକୁ ବନ୍ଦ କରିଦେଲା ଉମେଶ । ସେ ଏଥର ଶୋଇବାକୁ ଚେଷ୍ଟା କରିବ-। ସେ ଦେଖିବ ରାକେଶ କିମିତି ବନ୍ଦନାକୁ ପାଇବ । ନିଶରେ ଟିକେ ହାତ ବୁଲାଇ ଆଣିଲା ଉମେଶ କିଟିମିଟିଆ ଅନ୍ଧାରଟାରେ ।

 

ରାକେଶ ରୁମ୍‌ରେ ଆଲୋକର ସତ୍ତା ନ ଥିଲା । ବୋଧହୁଏ ଶୋଇପଡ଼ିବଣି । ବହୁତ ପରିଶ୍ରମ କରିଛି ସେ । ବାସ୍ତବିକ ଶୋଇ ପଡ଼ିବା କଥା ।

 

ବନ୍ଦନା କିନ୍ତୁ ଶୋଇ ପାରୁନଥିଲା, ଜୋରକରି ଟାଣି ଆଣିଲା ବନ୍ଦନା ରେଜେଇଟିକୁ । କିନ୍ତୁ କିଏ ଯେମିତି ତା’ ଆଖିରୁ ନିଦ ଚୋରି କରି ନେଇଛି ! ଜୋରକରି ଆଖି ଦୁଇଟିକୁ ବନ୍ଦକଲା ବନ୍ଦନା......କିନ୍ତୁ ନାଃ....ନିଦ ହେବନି । ବେଡ଼ ସୁଇଚଟିକୁ ଅଫ୍‌ କରିବାକୁ ଯାଉ ଯାଉ ଅଟକିଗଲା ହାତଟି । ହାତଟିକୁ ମୁହଁ ଉପରେ ବୁଲାଇ ଦେଇ ବନ୍ଦନା ଦେଖିଲା ତା’ ଆଖିରୁ ଲୁହ ବହୁଛି । ଆଶ୍ଚର୍ଯ୍ୟ ହେଲା ବନ୍ଦନା । ତେବେ ସେ କ’ଣ କାନ୍ଦୁଥିଲା ? ତା’ର ଅଜାଣତରେ ଲୁହ କେତେବେଳେ ଆଖିକୁ ଆସି ଯାଇଛି । ଲୁହଟା କେଡ଼େ ଡିଆଁ ରୋଗ ସତେ ! ଏଥିପାଇଁ ଔଷଧ କ’ଣ କିଛି ନାହିଁ !!

 

ବାପା କାହିଁକି ଉମେଶକୁ ଏଠାରେ ରହି ପଢ଼ିବାକୁ କହୁଛନ୍ତି ? ତା’ ବିଷୟ ନେଇ ବାପାଙ୍କ ଭାବିବା କ’ଣ ଦରକାର ? ତା’ ସହିତ ଆମର ସଂପର୍କ କ’ଣ ? ସେ ଆମର କିଏ ?? ଏମିତି ସାଧାରଣ ଭାବରେ ଚଳାଚଳ । ସେ କିନ୍ତୁ ବାପାଙ୍କୁ ସିଧା ଜଣେଇ ଦେବ ଯେ ଉମେଶ ଏଠାରେ ରହି ପଢ଼ିଲେ ସେ ନିଶ୍ଚୟ ହଷ୍ଟେଲରେ ରହି ପଢ଼ିବ । ଦେଖିବା ଉମେଶ ଏଠାରେ ରହି କେମିତି ପଢ଼ିବ ? ଉପାୟଟିକୁ ପାଇ ଯାଇ ମନେ ମନେ ସାମାନ୍ୟ ଖୁସିହେଲା ବନ୍ଦନା ।

 

ଉମେଶ କଳାକନା ବୁଲାଇବାକୁ ବସିଛି । ଆଜିଠୁଁ ତା’ଉପରେ ଆଖି ନ ରଖିଲେ ସେ କ’ଣ ନାହିଁ କ’ଣ କରି ବସିବ । ବାପା କ’ଣ ଏକଥା ବୁଝୁଛନ୍ତି ସେ ଖାଲି ଉପରେ ଉପରେ ଭାସିଯାଉଛନ୍ତି ।

 

ବାଲକୋନି ଉପରେ ଯାଇ ଠିଆହେଲା ବନ୍ଦନା ।

 

ବାହାରେ ଭୀଷଣ ଥଣ୍ଡା ପଡ଼ୁଛି । ତୋଫା ଜହ୍ନ । ତାରା ଗୁଡ଼ିକ ଆଖି ମିଟି ମିଟି କରୁଛନ୍ତି । ନିଶୁନ୍‌ ରାତି । କେତେ ରାତି କେଜାଣି । ଘଣ୍ଟା ଦେଖିବାକୁ ଇଚ୍ଛା ନ ଥିଲା ବନ୍ଦନାର । ସେ ଭାବୁଥିଲା ସବୁଦିନ ଯଦି ଏମିତି ଚାନ୍ଦିନୀ ରାତି ହୋଇଥାଆନ୍ତା । କାଳେ କେହି ଦେଖିଲେ କ’ଣ ଭାବିବ-ଭୟରେ ବନ୍ଦନା ଅନିଚ୍ଛା ସତ୍ତ୍ୱେ ନିଜ ରୁମ୍‌ ଆଡ଼କୁ ମୁହାଁଇଲା ।

 

ଅନେକ ପଢ଼ିବାକୁ ବାକି ଅଛି ।

 

ବନ୍ଦନା ଶୋଇବାକୁ ଚେଷ୍ଟା କଲା । ବେଡ଼ ସୁଇଚକୁ ଅଫ କରି ଶୋଇବାକୁ ଯାଇଛି ଶୁଣିଲା କାନ୍ଥ ଘଣ୍ଟାରେ ବାଜୁଛି ଠନ୍‌....ଠନ୍‌...ଦୁଇଟା ।

 

ରାକେଶ ! ରାକେଶ !! ଗାଡ଼ି ବାହାର କର....ଉପର ମହଲାରୁ କହି ଉଠିଲେ ମୁରାରୀ ବାବୁ ।

 

ରାକେଶ ଗାଡ଼ିରେ ଷ୍ଟାର୍ଟ ଦେଇ ହର୍ଣ୍ଣ ଦେଲା ।

 

ଧୀର ପଦକ୍ଷେପରେ ଓହ୍ଲେଇ ଆସିଲେ ମୁରାରୀ ବାବୁ । ହାତରେ ସୁନ୍ଦର, କଳା ମଚ ମଚ ସିଂଘ ବାଡ଼ିଟିଏ । ମଝିରେ ମଝିରେ ହାତିଦାନ୍ତର ରିଙ୍ଗ୍‌ କେତୋଟି ଲାଗି ସୁନ୍ଦର ଦିଶୁଛି । ପାଟିରେ ରହିଛି ଜ୍ୱଳନ୍ତ ଟୋବାକ ପାଇପ । ଆଖିରେ ସୁନାଫ୍ରେମ ଦିଆ ଚଷମା ।

 

ଗେଟ ଖୋଲିଦେଲା ରାକେଶ । ମୁରାରୀ ବାବୁ ଗାଡ଼ିର ପଛ ସିଟ୍‌ରେ ବସି କହିଲେ–ତୁମର ମନେଅଛି ୟଙ୍ଗମ୍ୟାନ୍‌ ମିଷ୍ଟର ମହାପାତ୍ରଙ୍କ କଥା । ସେଦିନ ଯାହାଘରକୁ ଆମେ ଯାଇଥିଲେ-। ରାକେଶ ସେତେବେଳ ପର୍ଯ୍ୟନ୍ତ ବାହାରେ ଠିଆ ହୋଇଥିଲା । ମୁଣ୍ଡ ହଲାଇ ସମ୍ମତି ଦେଲା-

 

ମିଷ୍ଟର ମହାପାତ୍ରଙ୍କ ଘରକୁ ଯିବା । ଟିକିଏ ଜରୁରୀ କାମ ଅଛି । ପାଇପରୁ ଧୂଆଁ ଛାଡ଼ୁ ଛାଡ଼ୁ କହିଲେ ମୁରାରୀ ବାବୁ ।

 

ବନ୍ଦନା ବାଲକୋନିରୁ ଦେଖୁଥିଲା ।

 

ରାକେଶ ଗାଡ଼ିରେ ବସି ଷ୍ଟିୟରିଂ ଧରିଲା । ଧୂଳି ଉଡାଇ ଗାଡ଼ିଟି ଚାଲିଗଲା । ଅଦୃଶ୍ୟ ହେବାଯାଏ ବନ୍ଦନା ଚାହିଁ ରହିଥିଲା ଏକ ଲୟରେ ।

 

କୋଠାର ଅନ୍ୟ ଏକ ଅଂଶରେ ରହି ଉମେଶ ଲକ୍ଷ୍ୟ କରୁଥିଲା ବନ୍ଦନାର କାର୍ଯ୍ୟକଳାପକୁ । ମନେ ମନେ ଭୀଷଣ ରାଗିଗଲା ସେ ବନ୍ଦନା ଉପରେ । କେତେ ସମୟ କଟିଗଲା.... ।

 

ବନ୍ଦନା ସେଠାରୁ ଧୀରେ ଧୀରେ ଆଗେଇ ଚାଲିଲା ତଳ ମହଲାକୁ । ଉମେଶ ଭାବିଲା ବନ୍ଦନା କୁଆଡ଼େ ଯାଉଛି ସେ ଆଜି ଦେଖିବ । ସମାନ ଦୂରତା ବଜାୟ ରଖି ସେ ତା’ ପଛେ ପଛେ ଗଲା । ଯେତେବେଳେ ବନ୍ଦନା ପଛକୁ ଚାହେଁ ଉମେଶ ନିଜକୁ ବନ୍ଦନାର ଦୃଷ୍ଟିର ଆଡ଼ୁଆଳରେ ରଖିନିଏ ।

 

ବନ୍ଦନା ଯାଇ ପହଞ୍ଚିଲା ରାକେଶର ରୁମ୍‌ ପାଖରେ ।

 

ଆଶ୍ଚର୍ଯ୍ୟ ହେଲା ଉମେଶ । ସେ ବୁଝି ପାରୁନଥିଲା ରାକେଶର ରୁମ୍ ଆଡ଼କୁ ବନ୍ଦନା କାହିଁକି ଯାଉଛି । ରାକେଶର ରୁମ୍‌ରେ ଯେ ତାଲା ପଡ଼ିଛି ଅଥଚ.... ।

 

ସକ୍‌ ଲାଗିଗଲା ବନ୍ଦନା ଦେହରେ....... ।

 

ରାକେଶ ରୁମ୍‌ରେ ପଡ଼ିଛି ବିରାଟ ଏକ ଆଲିଗଡ଼ ତାଲା । ତେବେ ରାକେଶ କ’ଣ ଜାଣିପାରିଛି ଯେ ସେ ଏଠାକୁ ଆସେ ବୋଲି । ତା’ର ଜିନିଷପତ୍ର ଘଣ୍ଟାଘଣ୍ଟି କରେ । ସମୟେ ସମୟେ ତା’ର ପୋଷାକ ପତ୍ର ସଜାଇଦିଏ ବୋଲି । ହୁଏତ ସେ ଏଥିଯୋଗୁଁ ଜାଣିପାରିଥିବ । କ’ଣ ଏମିତି ରଖିଛି ରାକେଶ ଏହି ରୁମ୍‌ଟାରେ ! କ’ଣ ପାଇଁ ଏଡ଼େବଡ଼ ତାଲା !! ତା’ର ଆସିବା କ’ଣ ତେବେ ଧରା ପଡ଼ିଯାଇଛି !

 

ଉମେଶ ଦୂରରେ ରହି ଲକ୍ଷ୍ୟ କରୁଥିଲା ବନ୍ଦନାକୁ ।

 

ରାଗିକରି ବନ୍ଦନା ଟିକିଏ ଜୋରରେ ତାଲାଟିକୁ ଏପାଖ ସେପାଖ କରିଦେଲା । ଆଶ୍ଚର୍ଯ୍ୟ କଥା ତାଲାଟି ଖୋଲିଗଲା । ବନ୍ଦନା ଭାରି ଖୁସିଟାଏ ହେଲା । ଯାହା ହେଉ ତା’ର ମନବାଞ୍ଛା ପୂର୍ଣ୍ଣ ହେବ । ତରବରରେ ବୋଧହୁଏ ତାଲା ପକାଇଛି, ସେଥିପାଇଁ ତାଲାଟି ପଡ଼ିଛି କି ନାହିଁ ଚେକ୍‌ କରିପାରିନି । ଯାହାହେଉ ଭଲ ହୋଇଛି । ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ପରା ।

 

ବନ୍ଦନା ଘର ଭିତରକୁ ପ୍ରବେଶ କଲା ।

 

ଆଉ ରାକେଶର ଗାଡ଼ି ମଧ୍ୟ ମିଷ୍ଟର ମହାପାତ୍ରଙ୍କ ପୋଟିକୋ ଭିତରେ ପ୍ରବେଶ କଲା । ରାକେଶ ଗେଟ ଖୋଲିଦେଲା ମୁରାରୀ ବାବୁ ଓହ୍ଲାଇ ପଡ଼ିଲେ ଗାଡ଼ିରୁ । ମିଷ୍ଟର ମହାପାତ୍ର ତାଙ୍କୁ ପାଛୋଟି ନେଉଥିଲେ ।

 

ରାକେଶର ଅମାନିଆ ଆଖିଟା କିନ୍ତୁ ଖୋଜି ବୁଲୁଥିଲା ।

 

–ଜଣକୁ..... ।

 

ସେହି ଝିଅଟି...... ।

 

ରାକେଶ ଭଲକରି ଦେଖିନେଲା ବଗିଚାଟିକୁ, ନା....କିଏ କେଉଁଠି ନାହିଁ ବହିଟିରେ ମନୋନିବେଶ କଲା ସେ । ସତେ ଯେମିତି ପରୀକ୍ଷା ମୁଣ୍ଡ ଉପରେ ।

 

ଆଉ ସେହି ଝିଅଟି ଭାବୁଥିଲା ।

 

ମୁରାରୀ ବାବୁ ଯେତେବେଳେ ଆସିଛନ୍ତି ସେ ତ ନିଶ୍ଚୟ ଆସିଥିବେ । କିନ୍ତୁ ଏଣେ ନ ଆସି ଗାଡ଼ିରେ ବସି ରହନ୍ତି କାହିଁକି ? ମାନ ସମ୍ମାନ ଉପରେ ଆଞ୍ଚ ଆସୁଛି ନା କ’ଣ ? ମୁରାରୀ ବାବୁ କ’ଣ ତାଙ୍କ ପୁଅକୁ ଏଭଳି ଶିକ୍ଷା ଦେଇଛନ୍ତି ? ନା...ଆଜି ଯଦି ବାପା ତାକୁ ରାକେଶକୁ ଡାକିବାକୁ କହନ୍ତି ତେବେ ସେ ସିଧା ବତାଇ ଦେବ ଯେ ସେ ଚାକର ନୁହେଁ ଯେ ସମସ୍ତଙ୍କୁ ଡାକିବାକୁ ଯିବ । ସେ ଆସି ନ ଆସିଲେ ତା’ର ଯାଏ କେତେ ଆସେ କେତେ !!

 

କିନ୍ତୁ ଚୁପ୍‌ ଚାପ୍‌ ବସିପାରିଲାନି ଅଞ୍ଜନା । ବହିରେ ମନୋନିବେଶ କରିବାକୁ ଚେଷ୍ଟା କଲା କିନ୍ତୁ ପାରିଲାନି ସେ । ‘‘ଅନ୍ତତଃ ଥରେ ଦେଖି ଆସିବି’’ ଏହି ଇଚ୍ଛା ନେଇ ଅଞ୍ଜନା ଏକ ରକମ ବହିଟାକୁ ଫୋପାଡ଼ି ଦେଇ ଆଗେଇଲା ପୋଟିକୋ ଆଡ଼େ । ଦୂରରୁ ସେ ଦେଖିଲା ରାକେଶ ବସି ପଢ଼ୁଛି । ମନେ ମନେ ଚିଡ଼ିଗଲା ସେ । ଓଃ....ଏହିତକ ସମୟ ପଢ଼ି ଦେଲେ ତ ଫାଷ୍ଟ ହୋଇଯିବ ।

 

ଅଞ୍ଜନା ଆଗେଇ ଆସି କାରଟିକୁ ଘସି ଚାଲି ଯାଉଥିଲା । କିନ୍ତୁ ଯେତେବେଳେ ଦେଖିଲା ରାକେଶ ତାକୁ ଦେଖି ବି କିଛି କହୁନି ତେଣୁ ସେ ପୁଣି ପଛକୁ ଫେରି କହିଲା–ନମସ୍କାର....ଆପଣ ଏଠାରେ ବସିଛନ୍ତି !!

 

ହାତଯୋଡ଼ି ପ୍ରତି ନମସ୍କାର ଜଣାଇଲା ରାକେଶ ।

 

ଆପଣଙ୍କୁ କ’ଣ ଘର ଭିତରକୁ ଯିବାକୁ ମନା ଅଛି ନା କ’ଣ ?

 

ମୁଣ୍ଡ ହଲାଇ ନାହିଁ କଲା ରାକେଶ ।

 

ତାହାହେଲେ ଭିତରକୁ ଆସୁନାହାନ୍ତି କାହିଁକି ? କ’ଣ ଆପଣଙ୍କ ବାପା ମନା କରିଛନ୍ତି ଆମ ଘରକୁ ଯିବାକୁ ? ନା ପଢ଼ାପଢ଼ିରେ ବାଧା ହେଉଛି....ନା...ସମ୍ମାନ ଉପରେ ଆଞ୍ଚ ଆସୁଛି.....ଆରେ ଆପଣ ଏତେବେଳ ଯାଏ ଗାଡ଼ିରେ ବସିଛନ୍ତି....ଆସନ୍ତୁ ନା ଘରକୁ–ଅନୁରୋଧ ଜଣାଇଲା ଅଞ୍ଜନା ।

 

ନୀରବରେ ଗାଡ଼ିରୁ ଓହ୍ଲାଇ ଗଲେ ରାକେଶ ।

 

କ’ଣ ପଢ଼ୁଛନ୍ତି ଆପଣ ? ଅଞ୍ଜନା ପ୍ରଶ୍ନ କଲା ।

 

ରାକେଶ ନୀରବ ।

 

ମୁଁ ସ୍ଥାନୀୟ କଲେଜରେ 2nd Year Science. ପଢ଼େ । କଲେଜରେ ଭଲ ପଢ଼ା ହୁଏନା ଅବଶ୍ୟ....ଆପଣ କେଉଁ କଲେଜରେ ପଢ଼ନ୍ତି ? ରାକେଶ ନୀରବରେ ଚାହୁଁଥିଲା ଗାଡ଼ି ଭିତରକୁ....

 

ଆରେ ଆପଣ ସେଆଡ଼କୁ କ’ଣ ଚାହିଁଛନ୍ତି । ମୋ ଆଡ଼କୁ ଚାହାଁନ୍ତୁ....ମୋ କଥାକୁ ଶୁଣୁ ନାହାନ୍ତି ନା କ’ଣ ? କଥାଟିକୁ କହି ଦେଇ ମନେ ମନେ ଲାଜେଇ ଗଲା ଅଞ୍ଜନା । ଭୁଲରେ ସେ ଅନେକ କଥା କହି ଦେଇଛି !

 

ରାକେଶ ଅଞ୍ଜନା ଆଡ଼କୁ ଚାହିଁଲା । ଆଖିରେ ଆଖି ମିଶିଗଲା । ଅଞ୍ଜନା ମୁରୁକି ଟିକିଏ ହସି ଦେଲା । ଦୁହେଁ ନୀରବ । ହୁଏତ କ’ଣ କୁହାକୁହି ହେବେ ସେହି କଥା ଭାବୁଥିଲେ ସେ ଦୁହେଁ ।

 

ଅଞ୍ଜନାକୁ ହିଁ ନୀରବତା ଭଙ୍ଗ କରିବାକୁ ପଡ଼ିଲା । ଆପଣ କିଛି କହୁନାହାନ୍ତି ଯେ । କ’ଣ ମୁଁ ସବୁବେଳେ କହୁଥିବି ଆଉ ଆପଣ କେବଳ ଶୁଣୁଥିବେ.....

 

ତଥାପି ରାକେଶ ନୀରବ ।

 

ମୋ ସହିତ କଥା କହିବେନି ବୋଲି କ’ଣ ବାପା କହିଛନ୍ତି ନା କ’ଣ ?–ଅଭିମାନ ଭରାକଣ୍ଠରେ କହୁଥିଲା ଅଞ୍ଜନା ।

 

ରାକେଶ ଭାବୁଥିଲା ଏହି ଅଚାନକ ଆକ୍ରମଣରୁ ନିଜକୁ କେମିତି ରକ୍ଷା କରିବ । କେମିତି ସେ ଅଞ୍ଜନାକୁ ବୁଝେଇବ ଯେ କେବଳ ଆଜି ପାଇଁ ଶପଥ କରିନି ସାରା ଜୀବନଟା ପାଇଁ ଶପଥ କରିଛି କାହା ସଙ୍ଗରେ କଥା ନ କହିବା ପାଇଁ ! ଭଗବାନ ତାକୁ ବାଧ୍ୟ କରି ଶପଥ କରେଇ ନେଇଛନ୍ତି । ସେ ତ ନାଚାର । ସଜଳ ହୋଇ ଉଠୁଥିଲା ରାକେଶର ଆଖି !

 

–କ’ଣ ଆପଣ କିଛି କହୁ ନାହାନ୍ତି ଯେ....ଆପଣ କ’ଣ ପ୍ରତି ରବିବାର କଥା ନ କହିବା ପାଇଁ ଶପଥ କରିଛନ୍ତି । ସେ ଦିନ ବି ଆପଣ କିଛି କହୁ ନ ଥିଲେ ।

 

ରାକେଶ ଆଉ ସହି ପାରିଲାନି । ଗାଡ଼ିରୁ ଖାତାଟିକୁ ଟାଣି ଆଣି ଲେଖିଲା । ସାରା ଜୀବନ ପାଇଁ ମୁଁ କାହା ସହିତ କଥା ନ କହିବା ପାଇଁ ଶପଥ କରିବାରୁ ବାଧ୍ୟ ହୋଇଛି । ମୋତେ ଆପଣ ମୁରାରୀ ବାବୁଙ୍କର ପୁଅ ବୋଲି ଭାବିଛନ୍ତି କିନ୍ତୁ ମୁଁ ତାଙ୍କର ଡ୍ରାଇଭର ମାତ୍ର ! ଗୋଟିଏ ଡ୍ରାଇଭର ସଙ୍ଗରେ ଏତେ ସମୟ ଧରି କଥା ହେଲେ ଆପଣଙ୍କ ବାପା ତଥା ମୁରାରୀ ବାବୁ କ’ଣ ଭାବିବେ । ତେଣୁ ଆପଣ ଭିତରକୁ ଯାଆନ୍ତୁ ବାପା ହୁଏତ ଖୋଜୁଥିବେ । ଲେଖି ସାରି ଅଶ୍ରୁଳ ଆଖିରେ କାଗଜଟିକୁ ବଢ଼ାଇ ଦେଲା ରାକେଶ ।

 

ଅଞ୍ଜନା.....ଅଞ୍ଜନା....ବାପା ବୋଧହୁଏ ଡାକୁଥିଲେ ତରତରରେ ଅଞ୍ଜନା କାଗଜଟିକୁ ଧରି ଭିତରକୁ ଚାଲିଗଲା ।

 

ଗାଡ଼ିରେ ବସି ରହିଲା ରାକେଶ ଆଖିରେ ଆଖିଏ ଲୁହନେଇ ।

 

ଆଖିରେ ଆଖିଏ ଲୁହନେଇ ବନ୍ଦନା ଦେଖୁଥିଲା ରାକେଶର ଫଟୋକୁ । କେତେ କଥା କହି ଯାଉଥିଲା ମନକୁ ମନ । ରାକେଶର ଅନୁପସ୍ଥିତିକୁ ସେ ଏହି ନିର୍ଜୀବ ଫଟୋଟି ଦ୍ୱାରା ହିଁ ସହ୍ୟ କରିପାରୁ ଥିଲା ।

 

ରାକେଶର ଲୁଗାପଟାକୁ ସଜାଡ଼ି ଦେଲା ବନ୍ଦନା । ଖଟ ଉପରେ ପଡ଼ିଥିବା ଅପରିଷ୍କାର ବିଛଣା ଚାଦରଟିକୁ ବଦଳି ଦେଇ ପରିଷ୍କାର ବିଛଣା ଚାଦରଟିଏ ପକାଇ ଦେଲା । ଗୀଟାର୍‌ ଉପରେ ପଢ଼ିଥିବା ଧୂଳିକୁ ଝାଡ଼ି ଦେଲା । ମନକୁ ମନ ଭାବୁଥିଲା ନିଜର ଯତ୍ନ ନେଉନି କାହିଁକି ରାକେଶ ? ସବୁବେଳେ ସେ କ’ଣ ଏତେ ଭାବେ ? ଗୋଟିଏ ଧନୀ ପରିବାରରେ ଜନ୍ମ ନେଇ ମଧ୍ୟ ଆଜି ସେ ପଥର ଭିକାରୀ କାହିଁକି ? ଡାଏରୀରେ ରାକେଶ ସ୍ପଷ୍ଟ ତ ସବୁ ଲେଖିଛି ତଥାପି ସେ କାହିଁକି ଏଠାରେ ଗୋଟିଏ ଡ୍ରାଇଭର ହୋଇଛି । ପୁଣି ପାଠ ମଧ୍ୟ ଅନେକ ପଢ଼ିଛି । ଏତେ ପାଠ ପଢ଼ି ମଧ୍ୟ ତା’ର ଗର୍ବ ତ କାହିଁ ଟିକିଏ ବି ନାହିଁ । ଭାବୁ ଭାବୁ ବନ୍ଦନାର ଆଖିରେ ଲୁହ ଆସିଗଲା ।

 

ଉମେଶ ବାହାରୁ ଲୁଚି ଲୁଚି ଦେଖୁଥିଲା ବନ୍ଦନାର କାର୍ଯ୍ୟକଳାପ । ରାକେଶ ପ୍ରତି କ୍ରୋଧର ମାତ୍ରା ବୃଦ୍ଧି ହେଉଥିଲା ଉମେଶର । ରାକେଶକୁ ସମ୍ମୁଖରେ ପାଇଥିଲେ ସେ ବୋଧହୁଏ କ’ଣ ନାହିଁ କ’ଣ କରିପକାଇ ଥାଆନ୍ତା । ଆଉ ବନ୍ଦନା....ଇସ୍‌ କି ନୀଚ ତା’ର ପ୍ରକୃତି ! ଗୋଟିଏ ସାମାନ୍ୟ ଡ୍ରାଇଭର ପାଇଁ ସେ ପୂରାପୂରି ପାଗଳ ହୋଇଗଲାଣି । ଛି...ଛି...ଏ ପୁଣି ଭଦ୍ର ସମାଜର ଝିଅ । ଛି ଛି...ଘୃଣାରେ ନାକ ଟେକିଲା ଉମେଶ କ୍ଷଣକ ପାଇଁ । ଉମେଶ ମନରେ ବନ୍ଦନା ପ୍ରତି ଘୃଣା ଜାତ ହେଲା ।

 

ବନ୍ଦନା ରାକେଶର ଫଟୋଟିକୁ ଧରି ଖଟ ଉପରେ ବସି ପଡ଼ିଲା । ପୁଣି ଭଲ ଭାବରେ ଦେଖିଲା । ସତେ ଯେମିତି ସେ ଏହା ପୂର୍ବରୁ କେବେ ରାକେଶକୁ ଦେଖି ନଥିଲା !! ରାକେଶକୁ କେନ୍ଦ୍ର ବିନ୍ଦୁ କରି ସେ ଅନେକ କିଛି ଭାବି ଯାଉଥିଲା ସେଥିରୁ ସେ ପାଉଥିଲା ଅଶେଷ ଆନନ୍ଦ, ଅହେତୁକ ଆନନ୍ଦ, ଅସୀମ ଆନନ୍ଦ । ସେ ଆନନ୍ଦରେ ନ ଥିଲା ଆବିଳତା ନଥିଲା କଳଙ୍କ । ସେ ଆନନ୍ଦ । ଚନ୍ଦ୍ରପରି କଳଙ୍କିତ ନୁହେଁ, ଚନ୍ଦ୍ରର କିରଣ ଠାରୁ ଆହୁରି ନିର୍ମଳ, ଆହୁରି ପବିତ୍ର; ଆହୁରି କଳଙ୍କ ଶୂନ୍ୟ ।

 

ବାସ୍ତବିକ ମନୁଷ୍ୟ ଅନେକ ବୃଥା କଳ୍ପନା କରେ କାରଣ ତାହା ମନୁଷ୍ୟକୁ ବଞ୍ଚି ରହିବାର ଖୋରାକ ଯୋଗାଏ ବୋଲି; ହେଉପଛେ ସେ ଭାବନା ଅର୍ଥଶୂନ୍ୟ, ଆଲୋକ ଶୂନ୍ୟ । ହେଉପଛେ ସେ ଭାବନା ଆକାଶ କୁସୁମ, ହେଉପଛେ ସେ ଭାବନା ମରୁଭୂମିର ମରୀଚିକା । ତଥାପି ମନୁଷ୍ୟ ଭାବେ–ଆଉ ସେ ଭାବେ ବଞ୍ଚିବା ପାଇଁ !

 

ଆଉ ସେମିତି ଭାବୁଥିଲା ବନ୍ଦନା ।

 

ସେ ରାକେଶକୁ ନେଇ ତା’ର ତେଲ ଲୁଣର ଟିକି ସଂସାରଟିକୁ ଗଢ଼ିବ । ବେଳେବେଳେ ସେ ଟିକିଏ ଟିକିଏ କଳି ମଧ୍ୟ କରିବ–କଳି ନକଲେ କୁଆଡ଼େ ଦାମ୍ପତ୍ୟ ଜୀବନ ସୁଖକର ନୁହେଁ–ଠିକ୍‌ ଯେମିତି ପ୍ରେମିକା ଜୀବନରେ ବିରହ ଏକାନ୍ତ ଆବଶ୍ୟକ । ସେ ରାକେଶର ମୁଣ୍ଡ କୁଣ୍ଡାଇ ଦେବ । ଗୋଡ଼ରୁ ଜୋତା ଖୋଲି ଦେବ । କୋଟ, ସାର୍ଟ ଟାଇ ଖୋଲି ଦେବ । ଖାଇବା ବେଳେ ଅବୁଝା ହେଲେ ସେ କହିବ–ମୋ ସୁନାଟି ପରା ଏମିତି ଅବୁଝା ଦେଖିଲ ତୁମେ ନଖାଇ ନଖାଇ ଚେହେରା କେମିତି ହେଲାଣି । ଆଉ ସେଥିରେ ଯଦି ରାକେଶ ନ ମାନେ ତ ତେବେ ସେଥିରେ ରହିଛି ଅମୋଘଅସ୍ତ୍ର । ଟିକିଏ ନାକ ସୁଁ...ସୁଁ....କରି କାନ୍ଦି ଦେଲେ ତ କଥା ଶେଷ । ରାକେଶ ନିଶ୍ଚୟ ମାନିଯିବ–ସବୁ ପୁରୁଷ ଗୁଡ଼ାକତ ସେମିତି । ବେଳେବେଳେ ମୁଁହଁ ଫୁଲେଇ ଅଭିମାନ କରିବ; କଥା କହିବନି । ଡାକିଲେ ଶୁଣିବନି....ଏମିତି....ଏମିତି....

 

ଆଉ ଯେତେବେଳେ ରାକେଶ ମୋର ମୁହଁ ନିକଟକୁ ତା’ର ମୁହଁଟିକୁ ଆଣିବ, ସେତେବେଳେ ତା’ର ମୁହଁଟିକୁ ହାତରେ ଅଟକେଇ ଦେଇ କହିବ–ଯାଃ.....ତୁମେ ଭାରି ଦୁଷ୍ଟ ।’ ଏହା ଭିତରେ ତା’ର ଅଜାଣତରେ ବନ୍ଦନା ରାକେଶର ଫଟୋଟିକୁ ତା’ର ମୁହଁ ପାଖକୁ ନେଇ ଆସିଥିଲା । ଯେତେବେଳେ ତା’ର ମୁହଁରେ ଫଟୋଟି ବାଜିଗଲା ସେତେବେଳେ ସେ ପ୍ରକୃସ୍ଥିତ ହେଲା ।

 

ଉମେଶ ବାହାରୁ ଦେଖୁଥିଲା–ଭୀଷଣ ଭାବରେ ସେ ଚିଡ଼ିଗଲା । ସେ ଦୃଶ୍ୟ ଆଉ ସେ ଦେଖି ପାରିବନି ଭାବି ଲମ୍ବା ଲମ୍ବା କଦମ୍‌ ପକାଇ ଫେରିଗଲା ତା’ର ରୁମ୍‌କୁ ।

 

ବନ୍ଦନା ଲାଜେଇ ଗଲା । ଇସ୍‌ ସେ କ’ଣ ନ ଭାବିଛି । ଅସମ୍ଭବ ବା କ’ଣ ? ତଥାପି....ବିରାଟ ତଥାପିର ରାକ୍ଷସ କବଳରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିଲା ବନ୍ଦନା ।

 

ଟେବୁଲ କ୍ଳକକୁ ଚାହିଁଲା ବନ୍ଦନୀ । ଇସ୍‌ ଅନେକ ବେଳ ହୋଇ ଗଲାଣି । ଉମେଶ ଆସି ଯାଇପାରେ । ତାକୁ ଏଠାରେ ଦେଖି ଖରାପ ଭାବିପାରେ । ତରତରରେ କବାଟଟିକୁ ପୂର୍ବପରି ବନ୍ଦକରି ନିଜ ରୁମ୍‌କୁ ଫେରିଗଲା ବନ୍ଦନା ।

 

ଆଉ ଅଞ୍ଜନା... ....

 

ସେ ବସିଥିଲା ତା’ ରୁମ୍‌ରେ । ଭାବୁଥିଲା ରାକେଶ ବିଷୟରେ । ସେ ରାକେଶକୁ ଯାହା ଭାବୁଥିଲା ବାସ୍ତବିକ ସେ ତାହା ନୁହେଁ । ହେଉ ପଛେ ସେ ଜଣେ ସାମାନ୍ୟ ଡ୍ରାଇଭର, ହେଉ ପଛେ ସେ ଜଣେ ନଗଣ୍ୟ ନାଗରିକ ତଥାପି ସେ ତାକୁ ଭଲପାଇବ । ତାକୁ ବିବାହ କରିବ ।

 

ହିନ୍ଦୁ ନାରୀ ଯାହାକୁ ପାରେ ନିଜର ତନ ହେଉ ବା ମନ ହେଉ ଅର୍ପଣ କରେ ସେହିଁ ତା’ର ପତି, ଇହକାଳ ପରକାଳର ଦେବତା ।

 

କାଗଜ ଖଣ୍ଡକୁ ଖୁବ୍ ଯତ୍ନ ସହକାରେ ରଖିଲା ଅଞ୍ଜନା । ସେ ଯଦି ଏହି କାଗଜଟାର ଯତ୍ନ ନନେଇ ପାରିବ ତେବେ ସେ ରାକେଶର ଯତ୍ନ ନେବ କିପରି ?

 

ସେହି ଭାବନାକୁ ପୁଣି ଥରେ ଦୋହରେଇଲା ଅଞ୍ଜନା ।

 

ଇସ୍‌ ଏଡ଼େ ସୁନ୍ଦର ଯୁବକ ପ୍ରତି ଭଗବାନଙ୍କର ଏ କି ଅବିଚାର । ଯେ କୌଣସି ନାରୀର ମନ ଭୁଲେଇବା ପାଇଁ ତା’ ରୂପଟା ଯଥେଷ୍ଟ । ଆଉ ତା’ର ଗୁଣ କଥା ପଚାରେ କିଏ ? କିନ୍ତୁ ବାପା କ’ଣ ଏଥିରେ ରାଜି ହେବେ !! ନହେଲେ ସେ ନିଶ୍ଚୟ ଘର ଛାଡ଼ି ରାକେଶ ସହିତ ଚାଲିଯିବ । ବାପା ତାଙ୍କର ମାନମର୍ଯ୍ୟାଦା ଧନ ସମ୍ପତ୍ତିକୁ ନେଇ ଘର କରନ୍ତୁ ଆଉ ସେ ଘର କରିବ ରାକେଶକୁ ନେଇ । ବାସ୍ତବିକ ଭଗବାନ କେଡ଼େ ନିଷ୍ଠୁର ନିର୍ଦ୍ଦୟ, ନିର୍ମମ । ସବୁ ତ ଦେଲେ ଆଉ ଟିକିଏ ଦେଇଥିଲେ ତାଙ୍କର ଯଶର ଅପବ୍ୟୟ ହୋଇ ଯାଉଥିଲା ।

 

ମନୁଷ୍ୟ ମାତ୍ରେ ହିଁ ଲୋଭୀ । ସେଥିରେ ପୁଣି ନାରୀ ଜାତିଟା ବେଶୀ ପରିମାଣରେ । ଅଞ୍ଜନା ବି ଜଣେ ନାରୀ । ବିପଦରେ ନ ପଡ଼ିଲା ଯାଏ ମଣିଷ ଭଗବାନଙ୍କୁ ସ୍ମରଣ କରେନି । ବିପଦରୁ ଉଦ୍ଧାର ପାଇବା ପାଇଁ ସେ ଭଗବାନକୁ ବିଭିନ୍ନ ପ୍ରକାର ଲାଞ୍ଚ ଦେବା ପାଇଁ ପ୍ରସ୍ତୁତ ହୁଏ କିନ୍ତୁ ସେଥିରେ ଯଦି କିଛି ନହୁଏ, ତେବେ ସେ ଭଗବାନଙ୍କୁ ନିଜେ ଅପମାନ ଦିଏ । ନିର୍ଦ୍ଦୟ, ନିଷ୍ଠୁର ବୋଲି–ଯୋଗ କରେ । ଆଉ ଶେଷରେ କହେ ଭଗବାନ ବୋଲି କୌଣସି ବସ୍ତୁ ନାହିଁ । ଅଞ୍ଜନା ବା ସେଥିରୁ–ବ୍ୟତିକ୍ରମ ହୁଅନ୍ତା କିପରି ?

 

ଗାଡ଼ିଚକ ଘୂରିଲା ପରି ସମୟର ଚକ ମଧ୍ୟ ଘୂରି ଯାଏ । ରାକେଶ ଗାଡ଼ି ନେଇ ଫେରି ଆସିଲା । ଭାବୁଥିଲା ଏମିତିକା ପ୍ରହେଳିକା ଭିତରେ ସେ କେତେ ଦିନ ବାହିନେବ ନୌକା ତା’ର ଜୀବନର । କେଉଁଠି କେତେବେଳେ ବାଲିଗଡ଼ା ବା ପାହାଡ଼, ପର୍ବତ ଦେହରେ ବାଡ଼େଇ ନ ହୋଇ ଯିବ ତା’ କିଏ କହିବ ?

 

ପୋର୍ଟିକରେ ଗାଡ଼ି ବ୍ରେକ କସିଲା ରାକେଶ ।

 

ଚଞ୍ଚଳ କାମ ସାରି ଜଳଖିଆ ଖାଇନିଅ, ଭୋକ କରୁଥିବ । ମୋତେ ମଧ୍ୟ ଭୋକ ହେଲାଣି । ଗାଡ଼ିରୁ ଓହ୍ଲାଇ ମୁରାରୀ ବାବୁ ଉପର ମହଲକୁ ଚାଲିଗଲେ ।

 

ଗାଡ଼ି ଗ୍ୟାରେଜରେ ରଖି ରାକେଶ ରୁମ୍‌ ଭିତରକୁ ପ୍ରବେଶ କଲା । ରୁମ୍‌ ଭିତରେ ସାଜସଜ୍ଜା ଓ ପରିବର୍ତ୍ତନ ଦେଖି ଚକିତ ହେଲା । ଓଃ କେତେ ସୁନ୍ଦର ଦିଶୁଛି ରୁମ୍‌ଟା । ସତେ ଯେମିତି କାଉଁରି କାଠିର ସ୍ପର୍ଶ ପାଇଛି !!

 

ଚାରିଆଡ଼କୁ ଟିକିଏ ଟିକିଏ ଆଖି ବୁଲେଇ ଆଣିଲା ରାକେଶ । ଯଥା ସ୍ଥାନରେ ସବୁ ଜିନିଷ ରହିଛି । ଇସ ପିଆନୋଟା ଯେମିତି ନୂଆ କିଣା ହୋଇଛି । ଚେୟାରଟା ଉପରେ ବସିଗଲା ରାକେଶ ।

 

ପ୍ରତିଦିନ ତା’ ରୁମ୍ କିଏ ସଜାଡ଼ୁଛି; ରାକେଶ ଜାଣିପାରୁନି । କ’ଣ ତା’ର ଉଦେଶ୍ୟ ? ରବିଶଙ୍କର ସେ ଥିଲା ବେଳେ ମଧ୍ୟ ରୁମ୍‌ଟାକୁ ଓଳାଇ ଦିଏନି । ଏଇଟା କିଛି ଆଜିକାଲିର କଥା ନୁହେଁ; ଅନେକ ଦିନ ହେଲା ଦେଖି ଆସୁଛି ରାକେଶ । ତେବେ ସେ କ’ଣ ରୁମ୍‌ଟା ସଜାଡ଼ିଥିବ ! ଅସମ୍ଭବ । ତେବେ ଆଉ କିଏ ? ଆରେ ହଁ.....ସେ ତ ତାଲା ପକାଇ ଯାଇଥିଲା । ତେବେ ରୁମ୍‌ଟା ଏମିତି ସଜା ହେଲା କେମିତି !! ଆଶ୍ଚର୍ଯ୍ୟ.....

 

ଛାଡ଼.....ଯଦି ରୁମ୍‌ ସଜଡ଼ା ହୋଇଛି । ତେବେ ଭଲ ହୋଇଛି । କ୍ଷତି କ’ଣ ? ତା’ ରୁମ୍‌ଟା ଅପରିଷ୍କାର ହୋଇ ପଡ଼ିଥିଲା । କେହି ଜଣେ ଦୟାବନ୍ତ ବ୍ୟକ୍ତି ତାକୁ ସୁନ୍ଦର କରି ଗଢ଼ିବାକୁ ଚେଷ୍ଟା କରିଛି । ପୋଡ଼ିଗଲା ତିଅଣରେ ଚିନି ପକାଇ ମିଠା କରିବାକୁ ଚେଷ୍ଟା କରୁଛି । ଶୁଖି ଯାଇଥିବା ଝରଣାରେ ପୁର୍ନବାର ଝରର ବାରିକଳ୍ପନା ଯଦି କରୁଛି ତେବେ ତାକୁ କରିବାକୁ ଦିଅ ।

 

ରାକେଶର ମନେ ହେଲା ସତେ ଯେମିତି ଦୁନିଆଟା ହଠାତ୍‌ ଖୁବ୍‍ ଜୋରରେ ଓଲଟ ପାଲଟ ହବାକୁ ଆରମ୍ଭ କଲା । ଓଃ....ରାକେଶ ଯେମିତି ସେଥିରୁ ଛିଟିକି ପଡ଼ିବ !!

 

ଉମେଶ ବସିଥିଲା ବନ୍ଦନାର ରୁମ୍‌ରେ । ବନ୍ଦନାର ବହି ସବୁ ବସି ବସି ଘାଣ୍ଟୁଥିଲା । ହଠାତ୍‌ ସେ ଆବିଷ୍କାର କଲା ବନ୍ଦନାର ଡାଏରୀଟା । ଅକ୍ଷର ଖୁବ୍ ସୁନ୍ଦର । କଠଭର କଡ଼ରେ ଶୋଭା ପାଉଛି ରାକେଶର ଫଟୋ । ଡାଏରୀଟା ଉପରେ ବିହଙ୍ଗମ ଦୃଷ୍ଟି ବୁଲାଇ ଆଣିଲା ଉମେଶ-। ସବୁଠି ରାକେଶର ପ୍ରଶଂସା, ଶତ ମୁଖ ହୋଇ ଉଠିଛି ବନ୍ଦନାର କଲମ ।

 

ଉମେଶ ଦେଖିଲା, ଲେଖା ଅଛି :-ରାକେଶକୁ ମୁଁ ଭଲ ପାଏ । ଅନ୍ତରର ସହିତ, ପ୍ରାଣଠୁଁ ଅଧିକ । ଯଦି କେବେ ମୁଁ କାହାକୁ ବିବାହ କରିବି, ତେବେ ସେ ରାକେଶ’’ । ଆଉ ଆଗକୁ ପଢ଼ି ପାରିଲାନି ଉମେଶ । ରାକେଶ ଉପରେ ଭୀଷଣ ରାଗିଗଲା ଉମେଶ । ରାକେଶ ଯେମିତି ତା’ର ଆଜୀବନ ଶତ୍ରୁ ! ରାଗି ଡାଏରୀଟାକୁ ଫୋପାଡ଼ି ଦେଲା ଉମେଶ । ସତେ ଯେମିତି ତା’ର ସବୁତକ ରାଗ ନିରୀହ ଡାଏରୀଟା ଉପରେ ।

 

ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଫେରି ଆସୁଥିଲା ଉମେଶ । ଗୀତର ସୁର୍‌ ଧରି ପାହାଚ ଶ୍ରେଣୀ ଅତିକ୍ରମ କରି ଆସୁଥିଲା ବନ୍ଦନା । ଉମେଶକୁ ଦେଖି କହିଲା–ଆରେ ଉମେଶ ଭାଇ ଯେ....ଆଜି ବୋଧହୁଏ ପଢ଼ାପଢ଼ି ନାହିଁ । ହଠାତ୍‌ ଅଦିନ ମେଘପରି ଏଣେ.....

 

: ତୁମ ରୁମ୍‌କୁ ହିଁ ଯାଇଥିଲି କିନ୍ତୁ ତୁମେ ନଥିଲ, ଫେରି ଯାଉଥିଲି । ମୁହଁର ଭାବଭଙ୍ଗୀକୁ ପରିବର୍ତ୍ତନ କରିନେଇ କହିଲା ଉମେଶ ।

 

: କିଛି କାମ ଥିଲା....

 

: ନା’ ସେମିତି କିଛି ନ ଥିଲା । ତେବେ ଖାଲି ଗପିଥାନ୍ତେ–ବାଜେ ଗପ ।

 

: ବିଶେଷ କରି ଗୋଟାଏ ସ୍ୱପ୍ନ ଉପରେ । ଆଚ୍ଛା, ସ୍ୱପ୍ନ କ’ଣ ସତ୍ୟ ହୁଏ....?

 

: ଏମିତି କି ସ୍ୱପ୍ନ ଯେ ତା’ ଉପରେ ଏତେ ଜୋର ଦିଆ ଯାଉଛି ।

 

: ମଜା ସ୍ୱପ୍ନଟା । ମୁଁ ତ ଭାବିଲି ଘଟଣାଟା ସତରେ ଘଟି ଯାଉଛି ।

 

: ଆଚ୍ଛା ସ୍ୱପ୍ନଟା କ’ଣ ତେବେ କୁହ....

 

: ସ୍ୱପ୍ନରେ ଦେଖିଲି ମୁଁ କାରରେ ବସି ଯାଉଛି । ରାକେଶ ଡ୍ରାଇଭିଂ କରୁଛି । ଗାଡ଼ି ସ୍ପିଡ଼ରେ ଅଛି । ହଠାତ୍‌ ଆଗରୁ ଗୋଟାଏ ଗାଡ଼ି ମାଡ଼ି ଆସିଲା । ଆମ ଗାଡ଼ିର ବ୍ରେକ୍‌ ଧରୁନି । ମୁଁ କାନ୍ଦି ପକେଇଲି ବିଶେଷ କରି ତୁମ ପାଇଁ । କିନ୍ତୁ ଆମେ ରକ୍ଷା ପାଇଗଲୁ । ତା’ପରେ ମୁଁ ଗାଡ଼ି ବନ୍ଦ କରିବାକୁ କହିଲି । କିନ୍ତୁ ବ୍ରେକ୍‌ ଧରୁନି । ରାକେଶ ଖୁବ୍‌ କ୍ଳାନ୍ତ ପଡ଼ିଲା । ପଛରେ ବସି ମୁଁ ଝାଳରେ ଜୁଡ଼ୁ ବୁଡ଼ୁ । ଠିକ୍‌ ଏହି ସମୟରେ ଆଗରୁ ଗୋଟାଏ ଟ୍ରକ ଆଗେଇ ଆସୁଥିଲା ଖୁବ୍‌ ସ୍ପିଡ଼୍‌ରେ ।

 

ଉମେଶ ଟିକିଏ ଦମ୍‌ ନେଲା ।

 

: ତା’ପରେ କ’ଣ ହେଲା ? ରାକେଶ ସେଥିରୁ ମଧ୍ୟ ତୁମକୁ ରକ୍ଷା କରିନେଲା ନୁହେଁ ?

 

: ନା’ ରାକେଶ ଆଉ ପାରିଲାନି । ଧକ୍‌କା ହୋଇଗଲା । ତା’ପରେ ଆଉ ମୁଁ କିଛି ଜାଣିନି । ହସପିଟାଲରେ ହୋସ ଆସିଲା ପରେ ଜାଣିଲି ରାକେଶ ଆଉ ଇହଧାମରେ ନାହିଁ ।

 

: ଉମେଶ ଭାଇ !! ଜୋରରେ ପାଟିକରି ଉଠିଲା ବନ୍ଦନା ।

 

: ତୁମେ ଏମିତି ଚମକି ପଡ଼ୁଛ କାହିଁକି ? ସାଧାରଣତଃ ଡ୍ରାଇଭର ଗୁଡ଼ାକ ଏମିତି ମରିଥାଆନ୍ତି । ଔଷଧଟା ଠିକ୍‌ କାମ୍‌ କରିଛି ଜାଣି କହିଲା ଉମେଶ ।

 

: ତୁମେ ସେ କଥା ଆଉ କୁହନି ।

 

: ଆଚ୍ଛା ଛାଡ଼ ସେ କଥା । ମନେ ମନେ ଖୁବ୍‌ ଖୁସି ହେଲା ଉମେଶ ।

 

: ଅନ୍ୟମନସ୍କ ଭାବରେ ଠିଆ ହୋଇଥିଲା ବନ୍ଦନା ।

 

: ଠିଆ ହୋଇ ରହିଲ ଯେ । ଚାଲ ତୁମ ରୁମ୍‌କୁ ଯିବା । ମୋତେ ଆଜି ଖାଲି ଗପିବାକୁ ଇଚ୍ଛା ହେଉଛି ।

 

: କ୍ଷମା କରିବ, ମୋର ମୁଣ୍ଡ ବିନ୍ଧୁଥିଲା ତେଣୁ ରୁମ୍‌କୁ ବିଶ୍ରାମ ପାଇଁ ଯାଉଥିଲି କିନ୍ତୁ...ଛଳନା କଲା ବନ୍ଦନା ।

 

: କିନ୍ତୁ ମୁଁ ଆସି ବାଧା ଦେଲି ଏଇ ତ ? ଦୋହରେଇ ପ୍ରଶ୍ନ କଲା ଉମେଶ ।

 

:ନା’ ଦେଖିଲି ଯେତେବେଳେ ବାଧ୍ୟ ହୋଇ ଅଟକି ଗଲି । ଆଚ୍ଛା ମୁଁ ଯାଉଛି ।

 

ଉମେଶର ମନେ ହେଲା ବନ୍ଦନା ଯେମିତି ତାକୁ ଜାଣି ଜାଣି ଅପମାନିତ କରିଛି । ସେ ଜଣେ ସାଧାରଣ ପଥିକ ଆଉ ବନ୍ଦନା ଦୁଇ ପଦ କଥା କହି ଚାଲିଯିବ ଠିକ୍‌ ସେ ଯେମିତି ଗୋଟିଏ ପରେ ଆଉ ଗୋଟିଏ ସିଗାରେଟ୍‌ରେ ଅଗ୍ନି ସଂଯୋଗ କରେ ।

 

ସବୁ ସୁନ୍ଦର ମାଠିଆ ତ ତୃଷା ନିବାରଣ କରେନି । ତଥାପି ସୁନ୍ଦର ମାଠିଆଟିଏ ଦେଖିଲେ ତୃଷାର୍ତ୍ତ ମୀନ ବି ଦୌଡ଼ିଯାଏ କିନ୍ତୁ ଯେତେବେଳେ ସେ ନିରାଶ ହୁଏ..... ।

 

ସବୁ ଆମ୍ବ ତ ଆଉ ମିଠା ନୁହେଁ ।

 

ଉମେଶ ଫେରିଗଲା ମନରେ ଅନେକ ଅଶାନ୍ତିର ବୋଝ ନେଇ ।

Unknown

 

ରୁମ୍‌କୁ ଫେରି ଆସିଲା ବନ୍ଦନା । ରାକେଶର ଶୁଭ ମନାସୀ ଅଜଣା ଶକ୍ତିଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲା ସେ । ଉମେଶ ଉପରେ ଭୀଷଣ ରାଗିଗଲା ସେ । ସ୍ୱାର୍ଥପର ।

 

ବେସୁରାରୁ ଓ ପୁଣି ସ୍ୱରର ସୃଷ୍ଟି ହୁଏ । ତେବେ ଜୀବନର ସ୍ୱର ହଜାଇ ଦେବାକୁ ରାକେଶ ଏତେ ବ୍ୟାକୁଳ କାହିଁକି ? ଜୀବନର ସ୍ୱରକୁ ଆରେ ହଜାଇଲେ ଖୋଜି ପାଇବାଟା କ’ଣ ଏତେ ସହଜ !!

 

ଆକାଶରେ ଝଡ଼ ଉଠେ । ପୁଣି ଶାନ୍ତ ହୁଏ । ଆକାଶ ନିର୍ମଳ ହୁଏ । ଜୀବନ ଆକାଶରେ ମଧ୍ୟ ଝଡ଼ ଉଠେ କିନ୍ତୁ ସେ ଝଡ଼ ଚଞ୍ଚଳ ଅବସାନ ହୁଏନି । ହୃଦୟ ଆକାଶରେ ସେ ଝଡ଼ର କରାଳ ତାଣ୍ଡବ ଚାଲେ ଅନେକ ଦିନ ଧରି । ତଥାପି ମଣିଷ ବଞ୍ଚିବାକୁ ଚାହେଁ । ଟିକି ସୁଖପାଇଁ, ଉପଭୋଗ ପାଇଁ, ଆନନ୍ଦ ପାଇଁ । ତେବେ ରାକେଶ କାହିଁକି ଜୀବନକୁ ଉପଭୋଗ କରି ଶିଖୁନି ?? ଜୀବନଟା କ’ଣ ଏତେ ମୂଲ୍ୟହୀନ ! ଏତେ ଶସ୍ତା !! ଏତେ ସୁଲଭ !!

 

ଶେଷ ମାର୍ଚ୍ଚିର ଏକ ମନୋରମ ମଳିନ ସନ୍ଧ୍ୟା । ହାଲୁକା ମଳୟ ସୌଖିନ ସୁରଭୀକୁ ଅଜାଡ଼ି ଦେଉଥିଲା ବନ୍ଦନା ଆଗରେ । ଅଳୁସୁଆ ସନ୍ଧ୍ୟାଟିକୁ ବାଲ୍‌କୋନି ଉପରେ ବସି ବସି କାଟିବାକୁ ଭାବିଥିଲା । ଦେଖିଲା ରାକେଶ ବୁଲୁଛି ବଗିଚାରେ ।

 

ହଠାତ୍‌ ବନ୍ଦନା ଚେୟାର ଛାଡ଼ି ଉଠିଗଲା । ପାହାଚ ଶ୍ରେଣୀ ଅତିକ୍ରମ କରି ସେ ତଳକୁ ଆସିଲା । ପୋର୍ଟିକରେ ଠିଆହୋଇ ରାକେଶକୁ ଡାକିଲା ।

 

ରାକେଶ ଚଞ୍ଚଳ ପଦପେକ୍ଷରେ ବନ୍ଦନା ପାଖକୁ ଆସିଗଲା । ଦେଖିଲା, ବନ୍ଦନା ଯେମିତି କୁଆଡ଼କୁ ଯିବାକୁ ବ୍ୟସ୍ତ ହୋଇ ପଡ଼ିଛି ।

 

: ତୁମର ବୋଧହୁଏ କୌଣସି କାମ ନାହିଁ ରାକେଶ । ବନ୍ଦନା ପଚାରିଲା ଆଉ ମୁଣ୍ଡ ହଲାଇ ନାହିଁ କଲା ରାକେଶ ।

 

: ମୋତେ ଟିକିଏ କଲେଜ ନେଇ ଯାଇପାରିବ ।

 

ରାକେଶ ସମ୍ମତି ସୂଚକ ମୁଣ୍ଡ ହଲାଇଲା ।

 

: ମୁଁ ଲୁଗା ବଦଳାଇ ଆସୁଛି ତୁମେ ଗାଡ଼ି ବାହାର କର । କହିଲା ବନ୍ଦନା । ରାକେଶ ଧୀର ପଦକ୍ଷେପରେ ଚାଲିଯାଉଥିଲା ।

 

ଖୂବ୍‌ ଶୀଘ୍ର ମେକ୍‌ଅପ ହୋଇ ବନ୍ଦନା ଫେରିଆସିଲା ।

 

: ଆରେ ବନ୍ଦନା ! ତୁମେ ଏଠି ? ମୁଁ ତେଣେ ତୁମକୁ ଚାରିଆଡ଼େ ଖୋଜି ସାରିଲେଣି । କୁଆଡ଼େ ବାହାରିଛ ବୋଧହୁଏ ? ରାକେଶ ଏଠି ! କ’ଣ କିଛି କହୁନ ଯେ ? ରାକେଶ ଓ ବନ୍ଦନାକୁ ଘୁରି ଘୁରି ଦେଖୁଥିଲା ଉମେଶ ।

 

: ଭାବୁଥିଲି....

 

: କ’ଣ ? କ’ଣ ଭାବୁଥିଲ ?? ଖୁବ୍ ଆଗ୍ରହ ସହକାରେ ପଚାରିଲା ଉମେଶ ।

 

: ଭାବୁଥିଲି ତୁମ ପ୍ରଶ୍ନ ଗୁମ୍ପାର କେଉଁ ପ୍ରଶ୍ନର ଉତ୍ତର ପ୍ରଥମେ ଦେବି ।

 

: ହୁଁ, ତାହାହେଲେ ତୁମେ ସେତେବେଳୁ ଏୟା ଭାବୁଥିଲ । ଖୁବ୍‍ ସୁନ୍ଦର । କୁହ ତେବେ କୁଆଡ଼େ ବାହାରିଛ ।

 

: ଏମିତି ଟିକିଏ କଲେଜ ଆଡ଼େ ବୁଲି ଯାଉଛି ।

 

: ସନ୍ଧ୍ୟାରେ ପୁଣି କଲେଜ......

 

: ଆଜି କଲେଜରେ Function ଅଛି ।

 

: ତାହାହେଲେ ଟିକିଏ ରୁହ ମୁଁ ମଧ୍ୟ ଯିବି । ମନଟା ମଧ୍ୟ ହାଲୁକା ହୋଇଯିବ ।

 

: ମୋ ସାଙ୍ଗରେ ତ ଯାଇ ହେବନି କାରଣ ମୋର ଆଉ ଜଣେ ଦୁଇ ଜଣ ସାଙ୍ଗ ମଧ୍ୟ ମୋ ସାଙ୍ଗରେ ଯିବେ ତେଣୁ......

 

: ସେଥିରେ କ’ଣ ଅଛି ? ତୁମ ବାନ୍ଧବୀ ତୁମ ପାଖରେ ବସିବେ ଆଉ ମୁଁ ବସିବି ରାକେଶ ପାଖରେ । ଏଥିରେ ତାଙ୍କର ଆପତ୍ତି କରିବାର କ’ଣ ଅଛି ।

 

: ନା’ ସେ ତୁମକୁ ଦେଖିଲେ ମୋଟେ ଯିବାକୁ ରାଜି ହେବେନି ।

 

: ଓଃ.....ଲାଜକୁଳୀ ଲତାଟା ପରା । ହସି ଉଠିଲା ଉମେଶ ।

 

ବନ୍ଦନାର ଧୈର୍ଯ୍ୟ ନଥିଲା ଶୁଣିବାକୁ । ଘଣ୍ଟାକୁ ଦେଖି କହିଲା, ମୋର ବର୍ତ୍ତମାନ ସମୟ ନାହିଁ । ରାକେଶ ଗାଡ଼ି ବାହାର କର । ଉମେଶକୁ ପଛରେ ପକାଇ ଚଞ୍ଚଳ ପଦକ୍ଷେପରେ ଚାଲିଗଲା ବନ୍ଦନା । ଉମେଶର ମନେହେଲା ସତେ ଯେମିତି ବନ୍ଦନା ତା’ ଛାତି ଉପରେ ପାଦ ପକାଇ ଚାଲିଗଲା ।

 

ଧୂଳି ଉଡ଼େଇ କାରଟି ମାଡ଼ିଗଲା କଳାରଙ୍ଗର ସରକାରୀ ପିଚ୍‌ ରାସ୍ତା ଉପରକୁ । ଆଉ ସେହି ଧୂଳି ଯେମିତି ଉମେଶର ମୁଣ୍ଡରେ ଜମା ହେବାକୁ ଲାଗିଲା ।

 

ଟାଇଟିକୁ ଜୋର କରି ଖୋଲିନେଇ କୋଟଟିକୁ ଖୋଲି କାନ୍ଧ ଉପରେ ରଖି ରୁମ୍‌ ଆଡ଼କୁ ଚାଲିଲା ଉମେଶ । ପୋଷାକ ପତ୍ର ଏକ ରକମ ଫୋପାଡ଼ି ଦେଇ ବସି ବସି ଟୋବାକ ଖାଇଲା ।

 

ବନ୍ଦନାର ଗାଡ଼ି ଗଳିରାସ୍ତା ଛାଡ଼ି ମେନରୋଡ଼ ଧରିଲା । ରାକେଶ କଲେଜ ରୋଡ଼ରେ ଯାଉଥିଲା କିନ୍ତୁ ବନ୍ଦନା ତାକୁ କଲେଜ ନିକଟରେ ରଖିବାକୁ କହିଲା ନାହିଁ । କଲେଜ ଅନେକ ପଛରେ ରହିଗଲାଣି । ବନ୍ଦନା ବୋଧହୁଏ ତା’ର ବନ୍ଧୁ ଘରକୁ ଯାଉଛି । ତେଣୁ ରାକେଶ ବାଧା ଦେଲାନି ।

 

ଅନେକ ଦୂର ଆସିଗଲା ପରେ ମଧ୍ୟ ବନ୍ଦନାକୁ ନିରୁତ୍ତର ଦେଖି ରାକେଶ–କାରର ଗତିକୁ ସ୍ଥଗିତ ରଖିଲା । ବନ୍ଦନା ଖୁବ୍‌ ଭାବପ୍ରବଣ ହୋଇପଡ଼ିଥିଲା । ସେ ଜାଣି ପାରିଲାନି । ବାଧ୍ୟ ହୋଇ ରାକେଶ ହର୍ଣ୍ଣ ଦେଲା । ବନ୍ଦନାର ଏତେବେଳେ ଧ୍ୟାନ ଭଙ୍ଗ ହେଲା । ହଠାତ ସ୍ୱପ୍ନରୁ ଉଠିଲା ପରି ପ୍ରଶ୍ନ କଲା ‘‘ଆମେ ବର୍ତ୍ତମାନ କେଉଁଠି ରାକେଶ ?’’

 

ରାକେଶ କିଛି କହିବା ପୂର୍ବରୁ ନିଜକୁ ନିଜ କହି ଉଠିଲା; ମେରିନ ଡ୍ରାଇଭ ଯେ ଅନେକ ପଛରେ ପଡ଼ି ରହିଲାଣି । ଆମେ ଅନେକ ଆଗକୁ ଆସିଗଲେଣି । ମେରିନ ଡ୍ରାଇଭକୁ ଚାଲ । ମୁଁ ଅନ୍ୟମନସ୍କ ହୋଇ ପଡ଼ିଥିଲି ରାକେଶ ? ମୋତେ କ୍ଷମା କରିବ । କହି ସାରି ଫ୍ରଣ୍ଟ ସିଟ୍‌ରେ ଆସି ବସିଗଲା ବନ୍ଦନା ।

 

ତୁମେ ଖୁବ୍‌ କ୍ଳାନ୍ତ ହୋଇ ପଡ଼ିଛ, ମୋତେ ଷ୍ଟିୟରିଂ ଛାଡ଼–କହି ଷ୍ଟିୟରିଂ ଆଡ଼କୁ ଯାଉଥିଲା କିନ୍ତୁ ଅସାବଧାନତା ବଶତଃ ବନ୍ଦନାର ହାତ ରାକେଶର ବାହୁରେ ବାଜିଗଲା । ଏକ ଅପୂର୍ବ ଶୀହରଣ ଅନୁଭବ କଲା ବନ୍ଦନା ।

 

ମେରିନ ଡ୍ରାଇଭ ବମ୍ବେର ସ୍ୱର୍ଗ । ବଗିଚାର ରଙ୍ଗୀନ ପ୍ରଜାପତି ପରି ଏଠାରେ ଅନେକ ନରନାରୀ ରଙ୍ଗିନ ପୋଷାକରେ ଘୁରିବୁଲନ୍ତି । ବତୀଖୁଣ୍ଟ ଗୁଡ଼ିକ ହସୁଥିଲେ । ଜନଗହଳି ବଢ଼ୁଥିଲା-। ରାକେଶ ବ୍ରେକ କସିଲା । ଓହ୍ଲାଇ ପଡ଼ିଲା ବନ୍ଦନା । ରାକେଶ ଚୁପ୍‌ଚାପ ବସିରହିଲା-। ଯଦିଓ ତା’ର ମଧ୍ୟ ଇଚ୍ଛା ଥିଲା ଘୁରି ବୁଲିବାକୁ ପାଗଳା କୁକୁରଙ୍କ ପରି ।

 

: ଆରେ ରାକେଶ ଭିତରେ କ’ଣ ବସିଛ । ଆସ ସେହି ବେଞ୍ଚ ଉପରେ ବସିବ । ବହୁତ ଅନୁରୋଧ କଲା ବନ୍ଦନା । ରାକେଶ ବାହାନା କଲା–ସେ ଅସୁସ୍ଥ । ଆଉ ବାଧ୍ୟ କଲାନି ବନ୍ଦନା । କେମିତି ବା ବାଧ୍ୟ କରି ଥାଆନ୍ତା । ଗୋଟିଏ ଅବୁଝା ଶିଶୁକୁ ସେ କେମିତି ବୁଝେଇ ପାରିଥାଆନ୍ତା । ଗୋଟିଏ ଅବୁଝା ପ୍ରଶ୍ନର ସମାଧାନ କେମିତି କରିପାରି ଥାଆନ୍ତା । ଆଖିରେ ଜକେଇ ଆସୁଥିବା ଲୁହକୁ ଚାପିଧରି ଚାଲିଲା ବନ୍ଦନା ।

 

ରାକେଶ କ’ଣ କରିଥାଆନ୍ତା । ଜଣେ କୋଟିପତିର ଝିଅ ପାଖରେ ବସି ସେ କେମିତି ହସିପାରି ଥାଆନ୍ତା କେମିତି ବୁଲି ପାରି ଥାଆନ୍ତା ।

 

ବନ୍ଦନାକୁ ଚଞ୍ଚଳ ପଦକ୍ଷେପ ନେଇ ଯାଉଥିବା ଦେଖି ଅଞ୍ଜନା କହିଲା : କ’ଣ ଏମିତି ଦୌଡ଼ୁଛୁ କିଲୋ ବନ୍ଦନ । ଖଟାହାଣ୍ଡି କ’ଣ ଫମ୍ପି ମାରିଯାଉଛି କି ?

 

ଅଟକିଗଲା ବନ୍ଦନା । କହିଲା, ଆରେ ଅଞ୍ଜନା ଯେ...ଅନେକ ଦିନ ପରେ । ଆଉ ସବୁ ଭଲ ତ ?

 

ଅଞ୍ଜନା ଦୌଡ଼ିଆସି ଏକ ରକମ କୁଣ୍ଢେଇ ପକେଇଲା ବନ୍ଦନାକୁ । ହଠାତ୍‌ ତା’ର ଦୃଷ୍ଟି ପଡ଼ିଲା ରାକେଶ ଉପରେ । କିଛି ନଭାବି କହି ଉଠିଲା–ଆରେ ରାକେଶ ଏଠି କେମିତି ? ବନ୍ଦନା କହିଲା, କିଲୋ କ’ଣ କହୁଛୁ ?

 

ଦୁଇ ଜଣଙ୍କ ବନ୍ଧୁତ୍ୱ ଖୁବ୍‌ ଘନିଷ୍ଠ । ତେଣୁ ଅଞ୍ଜନା ସ୍ପଷ୍ଟ କରି ଦେବାକୁ ଯାଇ କହିଲା, ସେ ଯେଉଁ ଭଦ୍ରଲୋକ ଗାଡ଼ି ଭିତରେ ବସିଛନ୍ତି; ତାଙ୍କରି କଥା କଥା କହୁଥିଲି । ଖୁବ୍‌ ନିରମାୟା ଲୋକ । ଯେମିତି ଗୁଣ ସେମିତି ରୂପ । ଖୁବ୍‌ ସରଳ । ଆଡମ୍ବର ତ ଯେମିତି ଛୁଇଁ ପାରିନି । ତୁ ଯାହା କହ ମୋ ହୃଦୟରେ ସେ ସ୍ଥାନ ଆବୋରି ବସିଛନ୍ତି । ନାଁ କ’ଣ ଜାଣୁ ?

 

ବନ୍ଦନା କହିଲା : ଏଁ, ନା ତ.....

 

: ଖୁବ୍‌ ସୁନ୍ଦର ମିଠା ନାଁଟିଏ–ରାକେଶ ।

 

: କିଲୋ କ’ଣ ମନେ ମନେ ତାଙ୍କୁ ଜୀବନ ସାଥୀ କରିନେବାକୁ ବସିଲୁଣି ନା କ’ଣ ?

 

: ସତ କହୁଛି ବନ୍ଦନା ତାଙ୍କ ଛଡ଼ା ମୁଁ ଆଉ କାହାକୁ ବିବାହ କରିବିନି ।

 

: ତୁ ଏକଲା ସବୁ ମାରି ନେବୁ ନା କ’ଣ ?

 

: ନା ମ, ତୋତେ ମଧ୍ୟ ଅଧେ ଦେବି ଯେ...। କହି କହି ବନ୍ଦନାର ଗାଲରେ ସରୁ ଚଟକଣାଟିଏ ଥୋଇଦେଇ ହସିଲା ଆଉ ସହଯୋଗ କଲା ବନ୍ଦନା ।

 

: କେତେ ସୁନ୍ଦର ସେ ମୁହଁ !

 

: ସତେ !

 

: ଆଉ ତୁଳୀରେ ଆଙ୍କି ଆଣିଲା ପରି ସେ ଆଖି ଦୁଇଟି !!

 

: ତୁ ପିଇଯାଉଥିବୁ ନିଶ୍ଚୟ ।

 

: ବୁଝିଲୁ, ତୁ ତାଙ୍କ ସଂସ୍ପର୍ଶରେ ଆଦୌ ଆସିନୁ, ତେଣୁ ତୁ ଏମିତି କହୁଛୁ । କି ସରଳ ତାଙ୍କ ବ୍ୟବହାର ।

 

: ଠିକ୍‌ ସରଳରେଖା ପରି–ନୁହେଁ ?

 

: ଆଉ ସେହି ଦରଦଭରା କଥା କେଇପଦ !!

 

:ଏଁ....କ’ଣ କହିଲୁ ସେ ତୋତେ କଥା କହନ୍ତି !

 

: ଆରେ ହଁ ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି । କି ମିଠା ସେ କଥା ! କେତେ ଦରଦ ସେ କଥାରେ !! ଆଉ ସେ ଚାହାଣୀ ଖଣ୍ଡକ !!!

 

: ଓହୋ....ଅଞ୍ଜନା’’ । ଚିତ୍କାର କରିଦେଇ କାନରେ ହାତ ଦେଇଦେଲା ବନ୍ଦନା ।

 

: ତୋର କ’ଣ ହେଲା ବନ୍ଦନା ! ଆଶ୍ଚର୍ଯ୍ୟ ହୋଇ ଅଞ୍ଜନା ପଚାରିଲା ।

 

: ଏଁ.....ନା ମୋର କିଛି ହୋଇନି । ସାମାନ୍ୟ ଅନ୍ୟମନସ୍କ ହୋଇ ଯାଇଥିଲି । ତୁ ରାକେଶ ପାଖକୁ ଯିବୁ ପରା–ଠେଲି ଠେଲି ଅଞ୍ଜନାକୁ ପଠାଇଦେଲା । ଆଉ ଭାବିଲା ଓହୋ.....ତାହାହେଲେ ରାକେଶ ଏତେଦିନ ଧରି ଏକ ନିଣ ଅଭିନେତା ସାଜିଥିଲା । ଇସ୍‌ କି ପ୍ରତାରଣା ! ସତରେ ତା’ ମନରେ କେତେ କୂଟନିତି । ଅଞ୍ଜନା ତାକୁ ଯେତେ ନିରମାୟା ବୋଲି ଭାବିଛି ସେ ଯେ ପ୍ରକୃତରେ ସେତେଟା ନୁହେଁ; ଏହା ନିଶ୍ଚୟ କିଛି ଦିନପରେ ବୁଝି ପାରିବ । ଅଞ୍ଜନା ଆଖିରେ ରାକେଶ ବର୍ତ୍ତମାନ ଦେବତା; ପୂଜନୀୟ; ବନ୍ଦନୀୟ । ତେଣୁ ସେ କେମିତି ବୁଝି ଥାଆନ୍ତା ଯେ–ସେ କ୍ଷୀର ଦେଇ ନାଗ ପୋଷୁଛି ବୋଲି !!

 

ଅଞ୍ଜନା ଓ ସେ । ହାଇସ୍କୁଲରେ ଏକାଠି ପଢ଼ୁଥିଲେ । ବନ୍ଧୁତ୍ୱରେ ସେମିତି ଘନିଷ୍ଠତା ନଥିଲା । ତେବେ ମଧ୍ୟ ଅଞ୍ଜନା, ବନ୍ଦନା ଆଗରେ ସବୁକଥା ଖୋଲା ଖୋଲି ଭାବରେ କହିଦିଏ । ଆଉ ଆଜି ମଧ୍ୟ ଠିକ୍‌ ସେମିତି ।

 

କିନ୍ତୁ ରାକେଶର ଏଥିରେ ଲୁଚେଇବାର କ’ଣ ଥିଲା । ସିଧା ସିଧା କହିପାରି ଥାଆନ୍ତା । ଛି....ଟିକିଏ ବୋଲି ସତ୍‌ସାହସ ନାହିଁ । ପୌରୁଷତ୍ୱତର ଧାର ଧାରେନି ଯେମିତି ।

 

ଅଞ୍ଜନା କ’ଣ ଏତେ ସୁନ୍ଦରୀ । ତା’ର ବ୍ୟବହାର କ’ଣ ଏତେ ଭଲ ? ? ତା’ ବାପା ପାଖରେ କ’ଣ ବେଶୀ ଧନ ଅଛି ?? ମୋର ହୃଦୟଟା କ’ଣ ହୃଦୟ ନୁହେଁ । ମୁଁ କ’ଣ ରାଜେଶକୁ ବୁଝିବାକୁ ଚେଷ୍ଟା କରିନି । ହୁଏତ ରାକେଶ ମୋତେ ବୁଝିବାକୁ ଚେଷ୍ଟା କରିନି ।

 

ବନ୍ଦନା ଦେଖିଲା ।

 

ଅଞ୍ଜନା ହସୁଥିଲା । କାରରେ ବସିଥିଲା ରାକେଶ । ଆଉ ସେ ଦେଖି ପାରିଲାନି । ଆଖି ଫେରେଇଲା । ରାକେଶ ତାକୁ କଥା କହେନି ଅଥଚ ଅଞ୍ଜନା ପାଖରେ...ବନ୍ଦନାର ରାଗ ଆସୁଥିଲା-। ବେଞ୍ଚ ଉପରେ ଚୁପ୍‌ ଚାପ ବସି ପଡ଼ିଲା । ତା’ର ଯେମିତି ଆଉ ଶକ୍ତି ନାହିଁ ଠିଆ ହେବାକୁ-

 

ଆକାଶରେ ଅକଳନ୍ତି ନିଳୀମା !

 

ସୁଦୂର ଦିଗ୍‌ବଳୟକୁ ଲକ୍ଷ୍ୟକଲେ ଦେଖାଯାଏ ଆକାଶ ଯେମିତି ଧରଣୀ ବକ୍ଷରେ ପ୍ରେମ ଚୁମ୍ବନ କରୁଛି କିନ୍ତୁ ବାସ୍ତବ କ୍ଷେତ୍ରରେ ସେଇଟା ଗୋଟିଏ ତୀବ୍ର ଛଳନା–ଗୋଟିଏ ତୀବ୍ର ଅଭିନୟ–ଗୋଟିଏ ତୀବ୍ର ବ୍ୟଙ୍ଗ । ଠିକ୍‌ ଯେମିତି ଦକ୍ଷ ଅଭିନେତା ସାଜିଥିଲା ରାକେଶ ବନ୍ଦନାର ହୃଦୟ ରଙ୍ଗମଞ୍ଚରେ !!

 

ନିଖୁଣ ଅଭିନୟ କରିଛି ରାକେଶ । ତାକୁ ଟିକିଏ ମଧ୍ୟ ଜାଣିବା ପାଇଁ ସୁଯୋଗ ଦେଇନି, ସୁବିଧା ଦେଇନି । ସବୁ ଜାଣି ମଧ୍ୟ ନ ଜାଣିଲା ପରି ଛଳନା କରେ । ଓଃ କି ପ୍ରତାରଣା । ପୋଡ଼ାମୁହାଁ ଗୁଡ଼ାକର କେତେ ଗୁଣ ସତେ ??

 

ବନ୍ଦନା ପୃଷ୍ଠା ଗୁଡ଼ାକୁ ଫଢ଼ ଫଢ଼ କରି ଓଲଟାଉଥିଲା ।

 

ରାକେଶ କଦାପି ଏମିତି କରିନଥିବ । ହୁଏଲତ ଅଞ୍ଜନା ତାକୁ ନିଜଆଡ଼କୁ ଟାଣି ନେବାକୁ ଚାହୁଁଥିବ କିନ୍ତୁ ରାକେଶ ନିର୍ବିକାର । ଠିକ୍‌ ସେମିତି ରାକେଶକୁ ନିଜଆଡ଼କୁ ଟାଣି ନେବାକୁ ଚାହୁଁଛି କିନ୍ତୁ ରାକେଶ....

 

ସେ ଆଉଥରେ ଚେଷ୍ଟା କରିବ । ତେନଜିଂକ ନର୍କେତ ପୁଣି ହିମାଳୟ ବିଜୟ ପାଇଁ ବାରବାର କରି ଅନେକ ବାର ଚେଷ୍ଟା କରିଥିଲେ । ପାର୍ବତୀ ତ ପୁଣି ଶିବଙ୍କୁ ପାଇବା ପାଇଁ ଜୀବନକୁ ପଣକରି ତପସ୍ୟା କରିଥିଲେ ଯଦିଓ ଶିବଙ୍କର ବାରବୁଲା ଷଣ୍ଢଟା ଛଡ଼ା ଆଉ କିଛି ନଥିଲା । ନା ଘର, ନା ଦ୍ୱାର । କେବଳ ଶ୍ମଶାନ ଆଉ ପାଉଁଶ । ମନକୁ ଶାନ୍ତ୍ୱନା ଦେବାକୁ ଅନେକ ଚେଷ୍ଟା କରୁଥିଲା ବନ୍ଦନା ଠିକ୍‌ ଯେମିତି ପରାସ୍ତ ହୋଇଥିବା ଖେଳାଳୀ ଦଳ ନିଜକୁ ସାନ୍ତ୍ୱନା ଦିଅନ୍ତି-

 

ଗତକାଲି ଶ୍ରେଣୀରେ ସାର୍‌ଙ୍କ ପ୍ରଶ୍ନର ଉତ୍ତର ନଦେଇ ପାରି ନିଜକୁ ଅପମାନିତ ମନେ କରିଥିଲା ବନ୍ଦନା । ତାକୁ ଯେମିତି କେହି ଜବରଦସ୍ତ ଅପମାନିତ କରିଛି । ସେ ଆଜି ପ୍ରସ୍ତୁତ ହେବାକୁ ବସିଛି ଅଥଚ...। ବରଂ ତା’ର ଅତୀତ ଦିନଗୁଡାକ ଖୁବ୍‌ ଭଲ ଥିଲା । ସେ ଖୁସିଥିଲା । ସବୁ ତା’ର ମନେ ରହୁଥିଲା । ଭଲ ମାର୍କ ରଖୁଥିଲା । କିନ୍ତୁ ବର୍ତ୍ତମାନ ତା’ର କ’ଣ ହୋଇଗଲା ସତେ !! ଦୁନିଆଟା କେମିତି ଖାପଛଡ଼ା ଲାଗୁଛି । କିଛି ଭଲ ଲାଗୁନି । ବାପାଙ୍କ ସହିତ ବୁଲିବାକୁ ମଧ୍ୟ ଭଲ ଲାଗୁନି ।

 

ଅତୀତରେ ଶତତିକ୍ତତା, ଶତଝଡ଼ଝନ୍‌ଜା ଭରିଥାଉ, ବହିଥାଉ ଅନେକ ଅଶାନ୍ତି, ଅନାଦର ଆବର୍ଜନାର ସ୍ରୋତ ତଥାପି ଅତୀତର ସ୍ମୃତିଟା କେତେ ଯେ ମଧୁର ! କେତେ ଯେ ତୃପ୍ତିକର !! କେତେ ଯେ ଆରାମ ଦାୟକ !!! ଅଥଚ ଏହି ବର୍ତ୍ତମାନଟା....

 

ବାସ୍ତବିକ ବର୍ତ୍ତମାନଟା କି ନିଷ୍ଠୁର । କି କଷ୍ଟକର ସତେ ! କେତେ ଯେ ଦୁଃଖ !! ସତେ ଯେମିତି ଦୁଃଖର ଝର ଫିଟିଯାଇଛି !!! ସତରେ ବର୍ତ୍ତମାନଟା ପାଇଁ ଯେମିତି କାହାର ସହାନୁଭୂତି ନାହିଁ–ଅନୁରାଗ ନାହିଁ–ଆକର୍ଷଣ ନାହିଁ । କିନ୍ତୁ ଯେତେବେଳେ ବର୍ତ୍ତମାନଟା ଅତୀତ ହୋଇଯାଏ ! ବର୍ତ୍ତମାନରେ ଖୁସିର ସମୟଟା ଏତେ ଚଞ୍ଚଳ ଚାଲିଯାଏ ଯେ ତାକୁ ଅନୁଭବ କରିହୁଏନି କିନ୍ତୁ ଦୁଃଖର ବର୍ତ୍ତମାନଟା ଗୋଟାଏ ଯୁଗପରି ଲାଗେ ।

 

ବନ୍ଦନାର ମନେ ପଡ଼ିଲା ରାକେଶର ‘‘ପାଣ୍ଡୁଲିପି’’ କଥା । ସେ ପଢ଼ିବାକୁ ଆଣିଥିଲା ଆଉ ଫେରେଇନି । ପାଣ୍ଡୁଲିପିଟାକୁ ନେଇ ପ୍ରକାଶକଙ୍କ ପାଖକୁ ଗଲେ କେମିତି ହୁଅନ୍ତା । କଥାଟାକୁ ସାମାନ୍ୟ ତଳେଇ କରି ଚିନ୍ତାକଲା ବନ୍ଦନା ହୁଏତ ରାକେଶ ଯାହା ଫଳରେ....

 

ମନେ ମନେ ଖୁସିହେଲା ବନ୍ଦନା । କଲେଜରୁ ସିଧା ସିଧା ପ୍ରକାଶକଙ୍କ ପାଖକୁ ଯିବାପାଇଁ ଠିକ୍‌ କଲା । କଲେଜ ଯିବାପାଇଁ ଠିକ୍‌ କଲା । କଲେଜ ଯିବାପାଇଁ ନିଜକୁ ପ୍ରସ୍ତୁତ କରିନେଲା । ରାକେଶ ଗାଡ଼ିଧରି ପୋର୍ଟିକରେ ବନ୍ଦନା ପାଇଁ ଅପେକ୍ଷା କରିଥିଲା । ବନ୍ଦନା ପହଞ୍ଚିଗଲା । ରାକେଶ ଗେଟ୍‌ ଖୋଲିଦେଲା ।

 

ଗାଡ଼ିର ଷ୍ଟାର୍ଟ ଦେଲା ରାକେଶ । ବନ୍ଦନାର ନୀରବ ମୂର୍ତ୍ତିକୁ ଦେଖି ଆଶ୍ଚର୍ଯ୍ୟ ହେଲା ରାକେଶ । ସତେ ଯେମିତି ଗୋଟିଏ ରଙ୍ଗିନ ପାଷାଣ ପ୍ରତିମା !! ବିଚାରା ରାକେଶ ଚୁପ୍‌ଚାପ ବସି ରହିଲା ।

 

ବନ୍ଦନା ଭାବୁଥିଲା ରାକେଶ ବୋଧହୁଏ ଅଞ୍ଜନାର ସ୍ମୃତିକୁ ମାନସପଟରେ ଆହୁରି ସୁନ୍ଦର କରି ଆଙ୍କୁଥିବ କଳ୍ପନାର ରଙ୍ଗ ଦେଇ । ଅଞ୍ଜନା ଉପରେ ବିରକ୍ତି ଆସୁଥିଲା ବନ୍ଦନାର । ଅଞ୍ଜନା ଯେମିତି ରାକେଶକୁ ତା’ଠୁ ଛଡ଼ାଇ ନେଉଛି । କଲେଜ ସାମନାରେ ରାକେଶ ବ୍ରେକ କଷିଲା । ବନ୍ଦନା ଓହ୍ଲାଇ ଯାଇ କହିଲା, ‘‘ଠିକ୍‌ ସାଢ଼େ ଚାରିଟା ବେଳକୁ ଗାଡ଼ି ନେଇ ଆସିବ ରାକେଶ ।’’ ରାକେଶ ମୁଣ୍ଡ ହଲାଇ ସମ୍ମତି ପ୍ରଦାନ କଲା ।

 

ରାକେଶ ଗାଡ଼ି ମୋଡ଼ ଘୁରାଇଲା ।

 

ସାଢ଼େ ଚାରିଟା ବେଳ ଝିଅକୁ ଓ ତା’ପରେ ବାପାଙ୍କୁ ଆଣି ସାରିଲେ ଯାଇ ତା’ର ଏକରକମ ଛୁଟି । ଦିନଯାକ ତର ନାହିଁ । ସେଥିପାଇଁ ରାକେଶର ଦୁଃଖ ନାହିଁ, ଅବଶୋଷ ନାହିଁ । ସେ ଯେତେବେଳେ ତାଙ୍କୁ ମୁଣ୍ଡ ବିକିଛି.....

 

କଲେଜର ସମସ୍ତ କ୍ଳାସ ସରିଗଲା । ପ୍ରକାଶକଙ୍କ ନିକଟକୁ ଚାଲିଲା ବନ୍ଦନା । ରାକେଶ ଆସିବା ସମୟ ହେବାକୁ ଆହୁରି ଦୁଇଘଣ୍ଟା ବାକି । ବନ୍ଦନାର ଭାଗ୍ୟ ଭଲ ସେ ଯେଉଁ ପ୍ରକାଶକଙ୍କ ପାଖକୁ ପ୍ରଥମେ ଗଲା, ସେ ‘ପାଣ୍ଡୁଲିପିଟିକୁ’ ଆଗ୍ରହରେ ରଖିଲେ ଓ ଉଚ୍ଚକୋଟୀର ଲେଖା ବୋଲି ପ୍ରଶଂସା କଲେ ମଧ୍ୟ । ବହିଟା ଦେଖି ରାକେଶ ଆଶ୍ଚର୍ଯ୍ୟ ଓ ଖୁସି ହେବ ଆଉ ତା’ପରେ....ଅତି ଆନନ୍ଦରେ ବନ୍ଦନା ଆଗକୁ କିଛି ଚିନ୍ତା କରିପାରିଲାନି । କଲେଜକୁ ଫେରି ରାକେଶକୁ ଅପେକ୍ଷା କଲା । ଯଦିଓ ସମୟ ହୋଇ ନଥିଲା ତଥାପି ବନ୍ଦନାକୁ ପ୍ରତ୍ୟେକ ମିନିଟ ଗୋଟିଏ ଗୋଟିଏ ଯୁଗପରି ଲାଗୁଥିଲା ।

 

ସମୟର ଚକ ଘୁରିଗଲା । ରାକେଶ ପହଞ୍ଚି ଗଲା । ବନ୍ଦନା ଦୌଡ଼ିଆସି ଗାଡ଼ିରେ ବସିଗଲା । ଗାଡ଼ି ଚାଲିଲା । କିଛି ସମୟ ନୀରବ । ନୀରବତା ଭଙ୍ଗକରି ବନ୍ଦନା କହିଲା, ‘‘ଆଚ୍ଛା ରାକେଶ ଗୋଟିଏ କଥା ପଚାରିବି ତୁମେ ସତ କହିବ ତ ?’’ ଅନେକ ଦିନର ସଞ୍ଚିତ ସାହସକୁ ବ୍ୟୟ କରି ପଚାରିଲା । ତା’ର ଛାତି ଥରୁଥିଲା ।

 

ଆଶ୍ଚର୍ଯ୍ୟ ହେଲା ରାକେଶ । ଭାବିଲା, କାହିଁ ଦିନେ ହେଲେ ତ ବନ୍ଦନା ଏମିତି ପ୍ରଶ୍ନ କରିନଥିଲା । ତେବେ ଆଜି କାହିଁକି ? ମୁଣ୍ଡ ହଲାଇ ସମ୍ମତି ଦେଲା । କହିଲା କହିଲା ଭାବ ନେଇ ବନ୍ଦନା ରାକେଶ ଆଡ଼କୁ ଚାହିଁଲା କିନ୍ତୁ କିଛି କହିପାରିଲା ନାହିଁ । ଲାଜ ତା’ ପାଟିରେ ତୁଣ୍ଡି ବାନ୍ଧି ଦେଇଛି ଯେମିତି !!

 

କିଛି ସମୟ ପରେ ସାହସ ବାନ୍ଧି ବନ୍ଦନା କହିଲା : ତୁମେ କ’ଣ ଅଞ୍ଜନାକୁ ଭଲପାଅ ରାକେଶ ? ସତ କୁହ ?? ଖୁବ୍‌ ବ୍ୟଗ୍ରଭାବେ ପଚାରି ଦେଇ ରାକେଶର ମୁଖମଣ୍ଡଳକୁ ନିରୀକ୍ଷଣ କରୁଥିଲା ।

 

ରାକେଶ କିଛି କହିଲାନି ଚୁପ୍‌ ରହିଲା । ଆଖିରେ ତା’ର ଅଶ୍ରୁ, ମନରେ ତା’ର ଦ୍ୱନ୍ଦ୍ୱ । ଆଃ....ବନ୍ଦନା କାହିଁକି ଏମିତି ପଚାରିଲା । ବନ୍ଦନା କେମିତି ଜାଣିଥାଆନ୍ତା ଯେ ସେ ପ୍ରଶ୍ନଟା ତା’ ମନରେ ଆନନ୍ଦ ନୁହେଁ ବରଂ ଦୁଃଖ ସୃଷ୍ଟି କରିଛି । ଏଇଟା ହିଁ ତା’ର ଦୁର୍ବଳ ବିନ୍ଦୁ । ତାକୁ ତ କେହି ଭଲପାଇ ପାରିଲେନି–ଆଉ ପାରିବେନି ବୋଲି ତ ସେ ପଳାତକ । ସବୁଥିବା ସତ୍ତ୍ୱେ ସେ ଆଜି ପଥର ଭିକାରୀ ।

 

ପ୍ରଶ୍ନଟା ପଚାରି ଦେଇ ମନେ ମନେ ଦୁଃଖ ଅନୁଭବ କଲା ବନ୍ଦନା । ରାକେଶ ଆଖିର ଲୁହ ତା’ ଆଖିରେ ଲୁହ ଆଣିଦେବାରେ ସାହାଯ୍ୟ କଲା । ବିକଳ ସ୍ୱରରେ ବନ୍ଦନା କହିଲା : ମୋତେ କ୍ଷମା କର ରାଜେଶ । ମୁଁ ଖୁବ୍‌ ଦୁଃଖିତ । ମୋ ପ୍ରଶ୍ନଟା ତୁମ ମନରେ ଦୁଃଖ ଦେବ ବୋଲି ମୋର ଆଶା ନ ଥିଲା । ମୋତେ କ୍ଷମାକର ।

 

ଦୁଇଜଣଙ୍କର ଆଖିରେ ଅଶ୍ରୁ, ହୃଦୟରେ ଅନଳ, ମନରେ ଅଶାନ୍ତି ।

 

ବନ୍ଦନାର ପ୍ରଶ୍ନ ଶୁଣି ରାକେଶ ଯେତେ ଦୁଃଖିତ ହୋଇ ନ ଥିଲା; ଶତଗୁଣରେ ମର୍ମାହତ ହୋଇଥିଲା ବନ୍ଦନା । ନିଜକୁ ଶତଧିକାର କଲା ବନ୍ଦନା । ଯେ ସବୁବେଳେ ସୁଖୀ ତା’ ପାଇଁ ସାମାନ୍ୟ ଦୁଃଖଟା ବ୍ରଜଠୁଁ କଠିନ କିନ୍ତୁ ଯେ ସବୁବେଳେ ଦୁଃଖୀ–ତା’ ପାଇଁ ଦୁଃଖଟା ଗୋଟାଏ ମାମୁଲି କଥା । ଘଟଣାଟାକୁ ରାକେଶ ଦୁଃସ୍ୱପ୍ନ ପରି ମନରୁ ପୋଛି ଦେଇଥିଲା । ସତେ ଯେମିତି ତା’ର କିଛି ହୋଇନି !!

 

ସେହି ଦିନଠୁଁ ବନ୍ଦନା ମନରେ ସୁଖଟା ସ୍ୱପ୍ନ ଯେମିତି । କୌଣସିଥିରେ ଧ୍ୟାନ ନାହିଁ । ଖାଇବା ଟେବୁଲରେ କାହିକି କିଛି ଖାଉନୁ ବୋଲି ବାପା ଅଭିଯୋଗ କରନ୍ତି । ଅଭିମାନ କରନ୍ତି । ଦିନେ ଦିନେ ଖାଇବା ଟେବୁଲକୁ ବନ୍ଦନା ଆଦୌ ଯାଏନା । କଲେଜରେ ମଧ୍ୟ ତା’ର ମନ ଲାଗୁନି । ରବିଶଙ୍କର ମଧ୍ୟ ପଚାରି ସାରିଲାଣି ଅନେକଥର ।

 

ସେଦିନ ଖାଇବା ଟେବୁଲରେ ବାପା ତାକୁ ପଚାରିଲେ, : କ’ଣ କିଛି ଦେହ ଖରାପ ଲାଗୁଛି ମା’–କହ ମୁଁ ଡାକ୍ତର ଡାକି ଆଣିବି । ମୋ ମା’ ଟା କେତେ ଝଡ଼ିଗଲାଣି ସତେ ! ବନ୍ଦନାର କ’ଣ ବା ହୋଇଥିଲା । ସେ ଚଞ୍ଚଳ କହି ଉଠିଲା : ନାହିଁ ବାପା ମୋର କିଛି ହୋଇନି । ପରୀକ୍ଷା ଯୋଗୁଁ ମୋତେ କମ୍‌ ଖାଇବାକୁ ପଡ଼ୁଛି । ଆଉ ମନେ ମନେ ଭାବୁଥିଲା ତା’ର ଯେଉଁ ରୋଗ ହୋଇଛି ତା’ ପାଇଁ ଔଷଧ ବାହାରିବାକୁ ଅନେକ ବିଳମ୍ବ । ତେଣୁ ଡାକ୍ତର ଡାକିବା ମୋଟେ ପ୍ରୟୋଜନ ନାହିଁ । ତା’ର କି ରୋଗ ହୋଇଛି ନିଜ ବାପା ଯଦି ନ ଜାଣି ପାରିଲେ ତେବେ ଡାକ୍ତର କେମିତି ଜାଣି ପାରିବ ! ଜାଣି ପାରିଲେ କି ଔଷଧ ସେ ଦେବ !!

 

ଡାଇନିଂ ହଲ ମଧ୍ୟକୁ ଉମେଶ ହଠାତ୍‌ ଆସିଗଲା । ସେ ଯଦି ଜାଣି ଥାଆନ୍ତା ସେଠି ମୁରାରୀ ବାବୁ ଅଛନ୍ତି ବୋଲି ତେବେ ହୁଏତ ଆସି ନଥାନ୍ତା । ମୁରାରୀ ବାବୁଙ୍କର ଉମେଶ ସହିତ ପ୍ରାୟ ଦେଖା ହୁଏନି ଏପରିକି ଖାଇବା ଟେବୁଲରେ ମଧ୍ୟ ନୁହେଁ । ମୁରାରୀ ବାବୁଙ୍କୁ ଆଗରୁ ଦେଖିନେଇ କିମ୍ବା ଖବର ନେଇ ଉମେଶ ନିଜକୁ ଲୁଚାଇ ପକାଏ । ମୁରାରୀ ବାବୁ ବ୍ୟବସାୟୀ ଲୋକ । ଉମେଶ ସହିତ କଥା ହେବାକୁ ତାଙ୍କର ସମୟ କାହିଁ ??

 

: ଆସ ଆସ ଉମେଶ । ମୁରାରୀ ବାବୁ ଡାକିଲେ । ଅପ୍ରତିଭ ହେଲା ଉମେଶ । ଇଙ୍ଗିତରେ ମୁରାରୀ ବାବୁ ଉମେଶକୁ ବସିବାକୁ କହିଲେ । ବନ୍ଦନାର ସାମନାରେ ବସିଲା ଉମେଶ ବାଧ୍ୟ ଶିଶୁଟି ପରି । ମୁରାରୀ ବାବୁ ପ୍ରଶ୍ନକଲେ; କେମିତି ଅଛ ଉମେଶ ?

 

: ଖୁବ୍‌ ଭଲରେ ଅଛି ।

 

: ପଢ଼ାପଢ଼ି କେମିତି ଚାଲିଛି ?

 

: ହଁ ଚାଲିଛି ଏକରକମ । ଆଉ ମାସେ ଅଛି ପରୀକ୍ଷା ।

 

: ଭଲକରି ପଢ଼ାପଢ଼ି କର ଯେମିତି First class ହୋଇ ପାସ ହେବ ।

 

: ଚେଷ୍ଟା ତ କରୁଛି । ଆଉ ମନେ ମନେ ଭାବୁଥିଲା ଆପଣ ମୋ ସହିତ ବନ୍ଦନାର ବିବାହ ଏଇ ମାସରେ କରି ଦିଅନ୍ତୁନା, ଦେଖିବେ ମୁଁ first class କ’ଣ gold medalist ହୋଇ ପାସ କରିବି ।

 

ଆଉ କେତୋଟି ମାମୁଲି ପ୍ରଶ୍ନ ପଚାରି ମୁରାରୀ ବାବୁ ଚାଲିଗଲେ । ରକ୍ଷା ପାଇଗଲା ଉମେଶ । ମୁରାରୀ ବାବୁଙ୍କୁ ଦେଖିଲେ କାହିଁକି କେଜାଣି ତାକୁ ଭାରି ଭୟ ଲାଗେ ।

 

ଉମେଶ ମନେ ମନେ ଭାବିଲା ଯାହା ହେଉ ଆଜି ବନ୍ଦନା ସହିତ ଗପି ହେବ । କିନ୍ତୁ ମୁରାରୀ ବାବୁ ଗଲା ପରେ ପରେ ବନ୍ଦନା ମଧ୍ୟ ଉଠିଗଲା । ଉମେଶର ମନ ଆକାଶରେ କଳା ବାଦଲ ଛାଇ ହୋଇଗଲା ।

 

ଉମେଶ ବନ୍ଦନା ସହିତ ଆଳାପ କରିବାକୁ ଅନେକ ଫିକର କରେ । ନାନା ପ୍ରକାର ଆଳ ଖୋଜେ କିନ୍ତୁ ବନ୍ଦନା ବାହାନା କରେ । ଉମେଶ ବୁଝେ କିନ୍ତୁ କହି ପାରେନି । ରାକେଶ ଉପରେ ତା’ର ରାଗ ହୁଏ । ଔଷଧ ରାଗରେ ତାଟିଆ କାମୁଡ଼ିବା ସାର ହୁଏ ସିନା କିଛି ଲାଭ ହୁଏନି ।

 

ଉପାୟ ଖୋଜି ବସେ ଉମେଶ । ସିଗାରେଟ ପରେ ସିଗାରେଟ ପୋଡ଼ି ଅନେକ ଯୋଜନା ତିଆରି କରେ । କିନ୍ତୁ ସବୁତକ ଯୋଜନା ତା’ର ପାଣି ଫାଟିଯାଏ ।

 

ନିଜ ପଢ଼ା ଟେବୁଲରେ ବସି ବନ୍ଦନା ଭାବୁଥିଲା ସେହି ବହିଟା ବିଷୟ । କେମିତି ସେ ଜଣେଇବ ରାକେଶକୁ । ରାକେଶ ଯଦି ରାଗେ ? ଯଦି ବାପାଙ୍କୁ କହିଦିଏ ? ତେବେ ଉପାୟ ? କିଛି ଠିକ୍‌ କରି ପାରିଲାନି ବନ୍ଦନା । ସବୁକଥା ଲେଖି ଜଣାଇ ଦେଲେ କେମିତି ହୁଅନ୍ତା । କ’ଣ କରିବ, କ’ଣ ନ କରିବ ସେ କିଛି ଠିକ୍‌ କରିପାରୁ ନଥିଲା । ତେବେ ଅନେକ ଭାବିଚିନ୍ତି ଶେଷରେ ଠିକ୍‌ କଲା ରବିଶଙ୍କର ସାହାଯ୍ୟରେ ରାକେଶକୁ ତା’ର ପାଣ୍ଡୁଲିପି ବିଷୟ ନେଇ ଲେଖି ଜଣାଇଦେବ । Writing pad ଟିକୁ ଟାଣିଆଣି ଲେଖି ବସିଲା ବନ୍ଦନା ରାକେଶ ପାଖକୁ ପ୍ରଥମ ଅକ୍ଷରର କେତୋଟି ।

 

ରବିଶଙ୍କର ଯଦି ଅନର୍ଥ କରି ବସେ ! ନା–ସେ ରବିଶଙ୍କରକୁ ଖୁବ୍ ଭଲ ଭାବରେ ବୁଝାଇ କହିବ । ରବିଶଙ୍କରକୁ ଡାକିଲା ସେ । ପୁଣିଥରେ ଚିଠିଟିକୁ ଭଲ ଭାବରେ ପଢ଼ି ନେଲା । ରବିଶଙ୍କର ଆସିଲା ।

 

: ମୋର ଗୋଟିଏ କାମ କରିଦେବୁ ? ଯେମିତି କେହି ଜାଣିବେନି–କରିପାରିବୁ ? ପ୍ରଶ୍ନ କଲା ବନ୍ଦନା ।

 

ରବିଶଙ୍କର ମନେ ମନେ ଭାବିଲା । ସେ ପୁଣି ଏମିତି କି କାମ ଯେ....ଖୁବ୍‌ ଦମ୍ଭ ସହକାରେ କହିଲା; ହଁ ନପାରିବି କାହିଁକି ?

 

: ଶୁଣ୍, ଏହି କାଗଜ ଖଣ୍ଡିକ ରାକେଶକୁ ଦେଇଦେବୁ, ଯେମିତି କେହି ନଜାଣନ୍ତି । ଆଉ ଏହି ବହି ଖଣ୍ଡିକ ମଧ୍ୟ ବୁଝିଲୁ । ବନ୍ଦନାର ଛାତିର ଧଡ଼କନ ସୀମା ଅତିକ୍ରମ କରି ଯାଇଥିଲା ।

 

: ହଁ ବୁଝିଗଲି । ରବିଶଙ୍କର ବେପରୁଆ ଭାବରେ କହିଲା ।

 

: କ’ଣ ବୁଝିଲୁ କହିଲୁ ଦେଖି । ପଚାରିଲା ବନ୍ଦନା ।

 

: ଏଇ ବୁଝିଗଲି ଯେ ଏଇଟାକୁ କେହି ଦେଖିବେନି କିନ୍ତୁ ରାକେଶବାବୁ ଦେଖିବେ । ଦେଇ ରାକେଶ ବାବୁ ଭାରି ଭଲ, ଭାରି ଶାନ୍ତଶିଷ୍ଟ ଆଉ.....

 

ରବିଶଙ୍କରର କଥା ଶୁଣିବାକୁ ବନ୍ଦନାକୁ ଭଲ ଲାଗୁଥିଲା । କିନ୍ତୁ କୃତ୍ରିମ ଭାବ ପ୍ରକାଶ କରି କହିଲା; ଥାଉ, ସେତିକି ଥାଉ । ଆଉ ପ୍ରଶଂସା କରିବା ଦରକାର ନାହିଁ । ତୋର କାମ ଶୀଘ୍ର ଶେଷ କରି ଏଠାକୁ ଆସିବୁ ବୁଝିଲୁ ଯା....

 

: ଏଇ ତ ଆସିଗଲି ଜାଣ । ରବିଶଙ୍କର ଚାଲିଗଲା ।

 

: ରବିଶଙ୍କର ଚାଲିଗଲା କିନ୍ତୁ ବନ୍ଦନା ପାଇଁ ଛାଡ଼ିଦେଇଗଲା ଭାବନାର ବିରାଟ ଗୋଟିଏ ପାହାଡ଼ । ବନ୍ଦନାର ମନ ପାପ ଛୁଇଁଥିଲା । ପ୍ରତ୍ୟେକ ମିନିଟ ତାକୁ ଘଣ୍ଟାଏ ପରି ଲାଗୁଥିଲା । ରବିଶଙ୍କର କ’ଣ କରିବସିବ କ’ଣ ନାହିଁ । ରବିଶଙ୍କର ଉପରୁ ଆସ୍ଥା ତୁଟିଯାଉଥିଲା ବନ୍ଦନାର ।

 

ଚୋରଙ୍କ ପରି ଲୁଚି ଲୁଚି ଯାଉଥିଲା ରବିଶଙ୍କର । ହଠାତ୍‌ ଉମେଶ ସହିତ ତା’ର ମୁହାଁମୁହିଁ ହୋଇଗଲା । ରବିଶଙ୍କର ବାଟଭାଙ୍ଗି ଚାଲିଯାଉଥିଲା । ମନେ ମନେ ଭାବୁଥିଲା ରକ୍ଷା ପାଇଗଲି କିନ୍ତୁ ବିନା ମେଘେ ବଜ୍ରପାତ କରି ଉମେଶ ପଚାରି ବସିଲା : ସେଇଟା କ’ଣ କି ରବିଶଙ୍କର ?

 

ରବିଶଙ୍କରର ହାଡ଼ କମ୍ପିଗଲା । ଯମ ହାତରେ ସେ ଧରା ପଡ଼ି ଯାଇଛି ଯେମିତି ! ସାହସ ସଞ୍ଚୟ କରି କହିଲା; ଏମିତି ବାଜେ ବହିଖଣ୍ଡେ । କହିଦେଇ ଚାଲି ଯାଉଥିଲା ସେ ।

 

: କି ବହିଟା ଦେଖିବା । ଅନ୍ତତଃ ଆଜିଦିନଟା ଚଳିବକି ନାହିଁ । ରବିଶଙ୍କର ହାତରୁ ବହିଟିକୁ ଏକାରକମ ଛଡ଼ାଇନେଲା ଉମେଶ । କିନ୍ତୁ ତା’ର ବହୁତ ପୂର୍ବରୁ ଚିଠିଟିକୁ ବହି ଭିତରୁ କାଢ଼ି ନେଇଥିଲା ରବିଶଙ୍କର ।

 

: କୁଆଡ଼େ ନେଉଛୁ ବହିଟିକୁ ? କିଏ ଦେଇଛି ।

 

: ରାକେଶ ବାବୁଙ୍କଠୁଁ ପଢ଼ିବାକୁ ନେଇଥିଲି । ନଉଛି ଫେରେଇ ଦେବି । କହିବେ ଯଦି ପୁଣି ମାଗି ଆଣିବି ।

 

: ଓହୋ ବାବୁ ନିଜେ ପରା ଲେଖକ । ଲେଖି ଲେଖି ବୋଧହୁଏ ତାଙ୍କର ମୁଣ୍ଡ ଗରମ ହୋଇଗଲାଣି ଏଥର ଟିକିଏ ତାଙ୍କୁ ଥଣ୍ଡା କରିଦେବାକୁ ହେବ ।

 

ହଉ ନିଅ ।

 

ରକ୍ଷା ପାଇଗଲା ରବିଶଙ୍କର । ଗଡ଼ ଜିଣିଲା ପରି ସେ ମାଡ଼ି ଚାଲିଲା ରାକେଶ ରୁମ୍‌ ଆଡ଼କୁ । ଦେଖିଲା ରାକେଶ ବସି କ’ଣ ଗୋଟାଏ ଭାବୁଛି । ଡାକିଲା–ରାକେଶବାବୁ ।

 

ମୁଣ୍ଡ ଟେକି ଚାହିଁଲା–ରାକେଶ ।

 

: ବହିଟା ‘ଦେଇ’ ଦେଇଛନ୍ତି । ବହିଟିକୁ ରାକେଶ ହାତକୁ ବଢ଼ାଇଦେଲା ରବିଶଙ୍କର ।

 

ହଠାତ୍‌ ନିଜକାନକୁ ବିଶ୍ୱାସକରି ପାରିଲାନି ରାକେଶ । ‘ଦେଇ’ ଶବ୍ଦଟି ଶୁଣି ଚମକି ପଡ଼ିଲା ସେ । ତା’ର ଛାତିକୁ କେହି ଯେମିତି ମୁଦଗ୍‌ରରେ ପିଟୁଛି !! କୌଣସି ପ୍ରକାରେ ବହିଟିକୁ ଟାଣିନେଇ ଦେଖିଲା । ବାର, ବାର, କରି ଅନେକ ବାର ସେ ବହିର ଶୀର୍ଷକଟିକୁ ପଢ଼ିଲା, ‘‘ସେ ଏକ ପ୍ରଗ୍‌ଳଭା ନାରୀ’’ । ମନେ ମନେ ସବୁ ମିଳାଇ ନେଲା ସେ । ସବୁ ଠିକ୍‌ ଥିଲା । ଆଶ୍ଚର୍ଯ୍ୟ ସମୁଦ୍ରରେ ପହଁରୁଥିଲା ସେ ।

 

ବହିଟିକୁ ଛାପିଲା କିଏ ? ତା’ପରି ଏକ ଅଲୋଡ଼ା, ଅଖୋଜା, ଅଦରକାରୀ ଲୋକଟାର ଲେଖା କାହାକୁ ଏତେ ଭଲ ଲାଗିଛି ? ସେ ଯେମିତି ଲେଖେ କେବଳ ନିଜେ ପଢ଼ିବାପାଇଁ ଅଥଚ......

 

ବହିଟିକୁ ଏପଟ ସେପଟ କରୁ କରୁ ଗୋଲାପିଆ କାଗଜ ଖଣ୍ଡେ ପଡ଼ିଗଲା । ଗୋଟାଇ ଆଣି କାଗଜଟାକୁ ଖୋଲିଦେଲା । ଇଂରାଜିରେ ଲେଖା ଥିଲା ।

 

ରାକେଶ;

 

ପ୍ରଥମରୁ କ୍ଷମା ମାଗି ନେଉଛି । ତୁମର ସେ ବହିଟା ମୋତେ ଖୁବ୍‌ ଭଲ ଲାଗିଥିଲା ତେଣୁ ମୁଁ ସେଇଟାକୁ ଛାପିଦେଲି । ତୁମର ଅନୁମତି ନେଇନି ଏଣୁ ପୁଣିଥରେ କ୍ଷମା ମାଗି ନେଉଛି-

 

ଇତି

ବନ୍ଦନା

 

ଆଖିରେ ତା’ର ଅଶ୍ରୁର ବନ୍ୟା । ରବିଶଙ୍କର କିମିତି ଅସ୍ପଷ୍ଟ ଦିଶୁଛି । ରବିଶଙ୍କରକୁ ଲୁଚେଇ ଲୁଚେଇ ଅଜାଣତରେ ଗଡ଼ିଆସିଥିବା ଲୁହକୁ ପୋଛି ଆଣୁଥିଲା ରାକେଶ କିନ୍ତୁ ରବିଶଙ୍କରର ଦୃଷ୍ଟି ଏଡ଼ି ପାରି ନଥିଲା ।

 

: ତୁମ ଆଖିରେ ଲୁହ ରାକେଶ ବାବୁ । ଲୁହ ପୋଛିବା ପାଇଁ ହାତ ବଢ଼ାଉ ଥିଲା ରବିଶଙ୍କର ।

 

ରାକେଶ ଉଠିଗଲା ଚୌକିଉପରୁ । ରବିଶଙ୍କରକୁ ହାତରେ ଚାଲିଯିବା ପାଇଁ ଇସାରା ଦେଲା । ରବିଶଙ୍କର ବାଧ୍ୟହୋଇ ଚାଲିଗଲା । ଅସମୟରେ ରାକେଶକୁ ଗୀଟାର ବଜାଇବାକୁ ଇଚ୍ଛାହେଲା କାହିଁକି କେଜାଣି । ଗୀଟାରରେ ଝଙ୍କାର ତୋଳିଲା ରାକେଶ । ଓଃ କି କରୁଣ ସେ ରାଗିଣୀ ! କି ମର୍ମସ୍ପର୍ଶୀ ସେ ମୂର୍ଚ୍ଛନା !!

 

ରାକେଶ ବୋଧହୁଏ ଏମିତି କେବେ ବଜେଇ ନଥିଲା ।

 

ବନ୍ଦନା ବସି ରହିଥିଲା ଅନେକ ଭାବନାକୁ ନେଇ ।

 

ରାକେଶ ଚିଠିଟା ପଢ଼ୁଥିବ । କ’ଣ ସେ କହିବ ରବିଶଙ୍କରକୁ ? ଯଦି ରାଗିବ । ତା’ ପାଣ୍ଡୁଲିପିଟା ଚୋରି କରିଛି ବୋଲି ବାପାଙ୍କୁ କହି ଦେବକି ଆଉ !! ତା’ର ଅନେକ ଦିନର ସ୍ୱପ୍ନ ସତ୍ୟରେ ପରିଣତ ହୋଇଛି ବୋଲି ଖୁସି ହୁଏ ଯଦି । ଆଃ.....

 

ରାକେଶ ମୂର୍ଚ୍ଛନା ତୋଳୁଛି ।

 

ରାକେଶ ଗୀଟାରରେ ଝଙ୍କାର ତୋଳୁଛି !! ତେବେ ରବିଶଙ୍କର ତା’ ପାଖକୁ ଯାଇନି ନା କ’ଣ ? ରାକେଶର ରାଗିଣୀଟା ଏତେ କରୁଣ କାହିଁକି ? ଅଜାଣତରେ ଲୁହ ଆସିଗଲା ବନ୍ଦନାର ପୋଟଳ ଚିରା ଆଖିରେ ।

 

: ଦେଇ ! ରବିଶଙ୍କର ଡାକୁଥିଲା ।

 

ଲୁହଧାରକୁ ଲୁଗାକାନିରେ ପୋଛିନେଇ କବାଟ ଖୋଲିଲା ବନ୍ଦନା । ଭଲକରି ଦେଖିନେଲା ବାଲକୋନିରେ କେହି ନାହାନ୍ତି । ଖୁବ୍‌ ଆଗ୍ରହ ସହକାରେ ପଚାରିଲା; କ’ଣ କହିଲା ରାକେଶ ? କ’ଣ କିଛି କହୁନୁ ଯେ; କ’ଣ କହିଲା ରାକେଶ ? ଚଞ୍ଚଳ କହ । ବ୍ୟାକୁଳ କଣ୍ଠରେ ରବିଶଙ୍କର କହିଲା : ଚିଠିଟି ପଢ଼ି ସାରିଲା ବେଳକୁ ତାଙ୍କ ଆଖିରେ ଲୁହ ଚିକ୍‌ ଚିକ୍‌ କରୁଥିଲା ଦେଇ-!

 

: ହଉ ତୁ ଯା ରବିଶଙ୍କର । ଏକଥା କାହାରିକୁ କହିବୁ ନାହିଁ । ହଉ ଯାଅ । ରୁମ୍‌ର କବାଟ ଭିତର ପଟୁ ଦେଇ ଚାଲିଗଲା ବନ୍ଦନା ।

 

ଟେବୁଲ ଲାଇଟ୍‌ଟାକୁ ଜାଳିଦେଲା ବନ୍ଦନା । ସେ ଲୁହର ଅର୍ଥ କ’ଣ ହୋଇପାରେ ? ଆନନ୍ଦାଶ୍ର !! କଦାପି ନୁହେଁ; ସେ ଠିକ୍‌ ଲକ୍ଷ୍ୟ କରିଛି ଗୀଟାରର କରୁଣ ମୂର୍ଚ୍ଛନାକୁ ।

 

ଆନନ୍ଦରେ ଏତେଟା କରୁଣତା ଫୁଟିବା କି ସମ୍ଭବ !!

 

ଟେବୁଲ ଉପରେ ମୁଣ୍ଡ ପୋତି ବସିଲା ବନ୍ଦନା ।

 

ବନ୍ଦନାର ମୁଣ୍ଡ ଭିତରେ ଯେମିତି ଏକ ପ୍ରବଳ ଆନ୍ଦୋଳନ ଚାଲିଛି । ସେ ଆନ୍ଦୋଳନକୁ ଦମନ କରିବାକୁ ବନ୍ଦନାର ଶକ୍ତିନାହିଁ–ସାମର୍ଥନ ନାହିଁ–ସାହାସ ନାହିଁ । ଏମିତି ଅନେକ ବାଜେ କଥା ଭାବୁ ଭାବୁ ବନ୍ଦନାର ଆଖିରେ ଶ୍ରମଜନିତ ନିଦ୍ରା ଖୁନ୍ଦି ହୋଇ ଆସିଲା । ଟେବୁଲ ଉପରେ ମୁଣ୍ଡ ପୋତି ସେ ଢୁଳେଇ ପଡ଼ିଲା ।

 

ଘଣ୍ଟା କଣ୍ଟା ଓ ମିନିଟ କଣ୍ଟା ପ୍ରତିଯୋଗିତା କରି ଦୌଡ଼ୁଛନ୍ତି ଯେମିତି ! ମୁରାରୀ ବାବୁ ହାତ ଘଣ୍ଟାକୁ ଚାହିଁଲେ–ଆରେ ଦଶଟା ବାଜି ପଇଁଚାଳିଶି ମିନିଟ ହୋଇଗଲାଣି ଅଥଚ ବନ୍ଦନା ଆଜି ଏପର୍ଯ୍ୟନ୍ତ ପଢ଼ୁଛି !! ସେ ତ ଠିକ୍‌ ସମୟରେ ଖାଇବା ଟେବୁଲରେ ପହଞ୍ଚି ଯାଏ । ନିଜ ହାତରେ ପରଷି ଖାଇବାକୁ କହେ । ନଖାଇଲେ, ଜବରଦସ୍ତି ଖୁଆଏ, ଅଭିମାନ କରେ, ରାଗେ ରୁଷେ । କିନ୍ତୁ ଆଜି ଏପର୍ଯ୍ୟନ୍ତ ଆସିନି କାହିଁକି ? ବହିଟାକୁ ଟେବୁଲ ଉପରେ ଥୋଇ ଦେଲେ ମୁରାରୀ ବାବୁ । ବାସ୍ତବିକ ସବୁବେଳେ ବ୍ୟବସାୟରେ ବୁଡ଼ି ରହି ସେ ବଡ଼ ଭୁଲ୍‌ କରିଛନ୍ତି । ଟିକିଏ ସମୟ ପାଇଲେ ବ୍ୟବସାୟ ନଚେତ୍‌ ବହିପଢ଼ା । ରାଜା ପ୍ରସ୍‌ପରୋଙ୍କ କଥା ମନେ ପଡ଼ିଲା ମୁରାରୀ ବାବୁଙ୍କର । ଅତ୍ୟଧିକ ପୁସ୍ତକ ଅଧ୍ୟୟନ ଭିତରେ ସେ ନିଜର କି କ୍ଷତି କରି ବସି ନଥିଲେ-? ରାଜ୍ୟରୁ ବିତାଡ଼ିତ ହୋଇଥିଲେ । ଭାଗ୍ୟଜୋରରୁ ପୈତୃକ ପ୍ରାଣଟା ବଞ୍ଚି ଯାଇଥିଲା ଆଉ ତାଙ୍କ ଝିଅ ମିରଣ୍ଡା ।

 

ବାସ୍ତବିକ ସେ ମାଁ ଛେଉଣ୍ଡ ଝିଅଟା ପ୍ରତି ଖୁବ୍‌ ଅନ୍ୟାୟ କରିଛନ୍ତି । ଏଥର ତାଙ୍କୁ ବନ୍ଦନାର ଯତ୍ନ ନେବାକୁ ହେବ । ରବିଶଙ୍କରକୁ ଡାକିଲେ ମୁରାରୀ ବାବୁ । ନା....କେହି ଶୁଣୁ ନାହାନ୍ତି-। ନିଜେ ଯିବାକୁ ହେବ । ଟୋବାକ ପାଇପଟାକୁ ଥୋଇ ଦେଇ ଉଠିଲେ ସେ । ତାଙ୍କୁ ଭୋକ ହେଲାଣି । ସାମାନ୍ୟ ଭୋକ ସମ୍ଭାଳି ପାରନ୍ତିନି ସେ । ଆଭିଜାତ୍ୟ ଭିତରେ ବଢ଼ି ଆସିଛନ୍ତି, ଦୁଖଃ କଷ୍ଟ କ’ଣ ଜାଣନ୍ତି ନାହିଁ । ସେ କେମିତି ଜାଣନ୍ତେ ଯେ ଏହି ଉପାସିଆ ବିରାଟ ଦୁନିଆଟା କେମିତି ବଞ୍ଚୁଛି !!

 

ଲାଇବ୍ରେରି ରୁମ୍‌ରୁ ବନ୍ଦନା ରୁମ୍‌ ଆଡ଼କୁ ଚାଲିଲେ ମୁରାରୀ ବାବୁ । ହଁ ତ, ବନ୍ଦନାର ଲାଇଟ ଜଳୁଛି । ବାସ୍ତବିକ ବହୁତ ପରିଶ୍ରମ କରୁଛି ବନ୍ଦନା ! ବିଚାରି ପାଠ ପାଇଁ କେତେ ପରିଶ୍ରମ ନ କରୁଛି ସତେ ! କବାଟରେ ଆଘାତ କଲେ ମୁରାରୀ ବାବୁ ।

 

ବାପା ଡାକୁଛନ୍ତି ।

 

ବନ୍ଦନା ଉଠି ଠିଆହେଲା । ମନରେ ଶତଯୁଗର ବିସ୍ମୟ । ଦୌଡ଼ିଲା ପରି ଯାଇ କବାଟ ଖୋଲିଦେଲା । ମନରେ ଉଙ୍କି ମାରୁଥିଲା ଅନେକ ପ୍ରଶ୍ନ । ଦେଖିଲା ବାପା ଠିଆ ହୋଇଛନ୍ତି ଶାନ୍ତ ସୌମ୍ୟ ମୂର୍ତ୍ତିଟିଏ ପରି ।

 

: ବେଶୀ ପରିଶ୍ରମ କରନା ମାଁ । ଦେହ ଖରାପ ହେବ ଯେ ....। ଚାଲ ଖାଇବୁ । ମୁରାରୀ ବାବୁ କହିଲେ ।

 

: ନାହିଁ ବାପା ଢୁଳେଇ ପଡ଼ିଥିଲି । ଲାଜେଇ ଗଲା ବନ୍ଦନା ।

 

: ହଉ ଚାଲ ମା’ ଚାଲ । ଭୋକ ହେଲାଣି ।

 

: ବାପ ଝିଅ ଦୁହେଁ ଡାଇନିଂ ହଲ ଆଡ଼କୁ ମୁହାଁଇଲେ । ରବିଶଙ୍କର ଦେଖି ଆଶ୍ଚର୍ଯ୍ୟ ହେଲା । ବନ୍ଦନାର ଖାଇବାକୁ ମୋଟେ ଇଚ୍ଛା ନଥିଲା । ମୁରାରୀ ବାବୁ ଜୋର କରି ତାକୁ ଖୁଆଇଲେ । ବନ୍ଦନା ନାଚାର ।

 

ଭୋଜନ ପର୍ବ ଶେଷ ହେଲା ।

 

ମୁରାରୀ ବାବୁ କହିଲେ; ଯା ମାଁ ଶୋଇପଡ଼ିବୁ ତୋତେ ନିଦ ଲାଗୁଥିଲା । ସମ୍ମତି ପ୍ରଦାନ କରି ବନ୍ଦନା ଚାଲିଗଲା ତା’ ରୁମ୍‌କୁ ।

 

ପଲଙ୍କ ଉପରେ ପଡ଼ି ଛଟପଟ ହେବାକୁ ଲାଗିଲା ବନ୍ଦନା ।

 

ଅଞ୍ଜନାର ପଢ଼ାଘର ।

 

ପଢ଼ାବହି ଭିତରୁ ଗୋଟିଏ କାଗଜ ବାହାର କରି ଆଣିଲା ଅଞ୍ଜନା । ଆକାଶୀ ନୀଳ କାଗଜ ଖଣ୍ଡେ । ଖୁବ୍‌ ମନଯୋଗ ସହକାରେ ପଢ଼ୁଛି ତାକୁ ଅଞ୍ଜନା, ସତେ ଯେମିତି ସେଇଟା ତା’ର ଜୀବନ ନାଟିକା !

 

ସେଥିରେ ରହିଛି ରାକେଶର ଦରଦଭରା କଥା କେଇପଦ । ଥରେ ନୁହେଁ, ଦୁଇଥର ନୁହେଁ, ଅନେକ ଥର ପଢ଼ି ସାରିଲାଣି ସେ । ତଥାପି ତା’ର ପଢ଼ିବା ସ୍ପୃହା ଆହୁରି କମି ନାହିଁ । ସେ ଜମା ବୋର ହୋଇନି । ପରୀକ୍ଷାରେ ଯଦି ଏହା ଉପରେ ପ୍ରଶ୍ନ ଆସନ୍ତା ତେବେ ସେ ନିର୍ଭୁଲ ଭାବରେ, ଏପରିକି କମା, ପୂର୍ଣ୍ଣଚ୍ଛେଦ ନ ଛାଡ଼ି ଲେଖି ପାରନ୍ତା । ସେହି ଟିକକ ଲେଖାକୁ ସେ ଯେତେ ପଢ଼ୁଛି ସେଇଟା ସେତେ ନୂଆ ନୂଆ ଲାଗୁଛି ତାକୁ । ବାସ୍ତବିକ ଅଭାବନୀୟ ବସ୍ତୁଗୁଡ଼ାକ ହୃଦୟ ରଙ୍ଗମଞ୍ଚରେ ଅନେକ ସ୍ଥାନ ଆବୋରି ବସନ୍ତି ।

 

ଅଞ୍ଜନା ଭାବୁଥିଲା ।

 

ଆକାଶରେ ଅନେକ ଚୁନାଚୁନା ତାରା ଫୁଲ ଅଥଚ ଦୁନିଆଟା ଧ୍ରୁବ ତାରା ପ୍ରତି ଏତେ ଆକୃଷ୍ଟ କାହିଁକି ? ଚାନ୍ଦ ମନୁଷ୍ୟ ହୃଦୟରେ ଯେତେ ଆଗ୍ରହ ସୃଷ୍ଟି କରିଛି ସୂର୍ଯ୍ୟ ସେହି ପ୍ରତିଯୋଗିତାରେ ସେତେଟା ହାରିଯାଇଛି କାହିଁକି ?

 

ଜୀବନଟା ଗୋଟିଏ ରଫ୍‌ ଖାତା ।

 

ସେହି ଜୀବନର ରଫ୍‌ ଖାତାରେ ଜ୍ୟାମିତିର ସୁକ୍ଷ୍ମ ସରଳରେଖା ଟଣାଯାଏ । ଦୁଃଖର କବିତା ଲେଖାଯାଏ, ରଙ୍ଗୀନ କଳ୍ପନାର ଜାଲ ବୁଣାଯାଏ ଆଉ ହୃଦୟମରୁଭୂମିର ବାଲି ଝଡ଼ର ଚିତ୍ର ମଧ୍ୟ ଅଙ୍କାଯାଏ । କେତେ ବିଚିତ୍ର ଏ ଜୀବନଟା ସତେ ! ଯେତେ ବିଚିତ୍ର ସେତେ ଦୁଷ୍ପ୍ରାପ୍ୟ ଏ ଜୀବନଟା । ଏ ଜୀବନରେ ସୁଖର ଜୁଆର ଉଠେ, ଦୁଃଖର ଲୁହ ସବୁ ନଦୀହୋଇ ସମୁଦ୍ର ପୂର୍ଣ୍ଣ କରନ୍ତି ।

 

ନିଜ ଜୀବନର ରଫ୍‍ ଖାତାକୁ ଓଲଟାଉଥିଲା ଅଞ୍ଜନା । କ’ଣ ଥିଲା ତା’ ଜୀବନଟା ଆଉ ଆଜି କ’ଣ ହୋଇଛି । ସତେ ଯେମିତି କିଏ ଟାଣି ଓଟାରି ତା’ର ସେଦିନଗୁଡ଼ାକୁ ଜବରଦସ୍ତ ନେଇ ଯାଇଛି !

 

ସେ ତ ଭାବିଥିଲା ରାକେଶ ଗୋଟିଏ ଦରବିକଶିତ କୁସୁମଟିଏ–କେତେ କୋମଳ କେତେ ଶାନ୍ତ-କେତେ ସୁନ୍ଦର । କିନ୍ତୁ କିଏ ଜାଣିଥିଲା ରାକେଶ ଗୋଟିଏ ଶୁଷ୍କ ପାହାଡ଼ଟିଏ ବୋଲି-!! ପାହାଡ଼ ପାଖରେ ଚିତ୍କାର କଲେ, କାନ୍ଦିଲେ ପ୍ରତିଧ୍ୱନି ଛଳରେ ପାହାଡ଼ ସମବେଦନା ଜ୍ଞାପନ କରେ କିନ୍ତୁ ରାକେଶ ସେ ପାହାଡ଼ଠୁଁ ଆହୁରି ନିଷ୍ଠୁର ଆହୁରି ରୁକ୍ଷ–ଆହୁରି ଶକ୍ତ ।

 

ସେ କେମିତି ଜାଣିଥାଆନ୍ତା ରାକେଶ ଗୋଟିଏ ଶୁଷ୍କ ମରୁଭୂମି ବୋଲି । ମରୁଭୂମିରେ ମଧ୍ୟ ମରୁଝର ଅଛି, ପାହାଡ଼ରେ ମଧ୍ୟ ଝର ଅଛି କିନ୍ତୁ ତାକୁ ଖୋଜିବାଟା ଯେ କେତେ କଷ୍ଟକର ତାହା କିଏ ନଜାଣେ । ମରୁଭୂମିର ବାଟଭୁଲା ପଥିକ ମରୁଝରର ସନ୍ଧାନ ପାଇଁ ମରିଚୀକାର ପଛରେ ମଧ୍ୟ ସମୟେ ସମୟେ ଦୌଡ଼ିଯାଏ । ସେ ଆଉ ମରିଚୀକା ପଛରେ ଦୌଡ଼ିନି ତ ?

 

ନଡ଼ିଆ ଉପରଟା କେତେ କଠିନ ଆଉ ତା’ର ଭିତରଟା କେତେ ନରମା ତା’ ଭିତରେ ତ ପୁଣି ରହିଛି ନିର୍ଝରିଣୀର ଫଲଗୁଧାରା । ଅଥଚ ରାକେଶର ପ୍ରେମର ମନ୍ଦାକିନୀଟା ଯେ କେଉଁଠି ତାହା ଆଜି ପର୍ଯ୍ୟନ୍ତ ଅଞ୍ଜନାର ଅଗୋଚରରେ । କେମିତି ସେ ତାକୁ ବୁଝିବ ! ନିଜକୁ ବୁଝେଇବାକୁ ଚେଷ୍ଟା କରିବ । ରାକେଶ ପୁରୁଷ । ତା’ର ହୃଦୟଟା ପଥରଠୁ ଆହୁରି ଶକ୍ତ, ଇସ୍ପାତଠୁଁ ଆହୁରି କଠିନ, କାଚପରି ଭଙ୍ଗପ୍ରବଣ ନୁହେଁ; ସେ କେମିତି ବୁଝନ୍ତା ଯେ ନାରୀର ହୃଦୟଟା ଫୁଲପରି କୋମଳ, ଇଲାଷ୍ଟିକ ପରି ସ୍ଥିତିସ୍ଥାପକ କିନ୍ତୁ ବଜ୍ରପରି କଠିନ ନୁହେଁ । ଶକ୍ତ ନୁହେଁ । ଆଉ ସେଥିରେ ଅଛି ପ୍ରେମର ଅସରନ୍ତି ଧାରା ।

 

ଅଞ୍ଜନାକୁ ଖୁବ୍‌ ବିରକ୍ତ ଲାଗୁଥିଲା ।

 

ମୁଣ୍ଡଟାକୁ ଜୋର୍‍କରି ଝାଙ୍କି ଦେଇ ଠିକ୍‌ କଲା ଆଉ ସେ ରାକେଶ କଥା ଭାବିବନି । ଗତରାତିର ଦୁଃସ୍ୱପ୍ନ ପରି ସେ ତାକୁ ଭୁଲିଯିବ ଠିକ୍‌ ଯେମିତି ଦରକାର ନଥିଲେ ମଣିଷମାନେ ମଣିଷଙ୍କଠୁଁ ଆଡ଼େଇ ହୋଇ ଚାଲିଯାଆନ୍ତି । ସେ ରାକେଶ ବିଷୟରେ ଅନେକ କିଛି ଚିନ୍ତା କରିଛି । ଚିନ୍ତାହିଁ ସୂଚନା ଦିଏ ପ୍ରେମର । ବାସ୍ତବିକ ସେ ତାକୁ କେତେ ଭଲ ନ ପାଏ । କିନ୍ତୁ ରାକେଶ ଦିନେ ହେଲେ ତା’ ବିଷୟରେ......

 

ବାପା ଡାକୁଥିଲେ । ବାପାଙ୍କର କେହି ବନ୍ଧୁ ବୋଧହୁଏ ଆସିଛନ୍ତି । ତାହାଙ୍କର ଚର୍ଚ୍ଚା କରିବାକୁ ହେବ ଅଞ୍ଜନାକୁ । ସେହି ନୀଳ କାଗଜଟିକୁ ପୁଣି ସେ ବହି ଭିତରେ ଭର୍ତ୍ତି କରିଦେଲା । ନା’ ମୁଣ୍ଡଟା ହଠାତ୍‌ କରେଣ୍ଟ ଫେଲ କଲା ପରି ଭାବନା ଶୂନ୍ୟ ହୋଇଗଲା ଯେମିତି । ଆଶ୍ଚର୍ଯ୍ୟ ହେଲା ଅଞ୍ଜନା । ଏତେ ଟିକିଏ କାଗଜର କେତେ କରାମତି ସତେ !!

 

ସନ୍ଧ୍ୟା ଆସୁଛି । ରାକେଶକୁ କିଛି ଭଲ ଲାଗୁ ନଥିଲା । ସବୁ ଯେମିତି ଅରୁଚି ଧରି ଥିଲା-। ପିଆନୋ ବଜାଇବାକୁ ମଧ୍ୟ ତାକୁ ଆଜି ଭଲ ଲାଗୁ ନ ଥିଲା । ପିଆନୋ ପାଖରୁ ଉଠିଗଲା ସେ-। ଦିପ୍ରହରରେ ଶୋଇ କରି ଉଠିଲା ପରେ ତାକୁ କେମିତି ଖରାପ ଲାଗୁଛି । ତା’ର କ’ଣ ହୋଇଛି ରାକେଶ ନିଜେ ବୁଝିପାରୁ ନ ଥିଲା । ତାକୁ କେମିତି ଜ୍ୱର ଜ୍ୱର ଲାଗୁଥିଲା । ସତରେ ଜ୍ୱର ହୋଇଗଲା ନା କ’ଣ ? ରାକେଶର ମନ ମଧ୍ୟରେ ସନ୍ଦେହରେ କୀଟ ଅନୁପ୍ରବେଶ କରୁଥିଲା-। ଶୋଇ ପଡ଼ିବାରୁ ବୋଧହୁଏ ଏମିତି ଲାଗୁଛି । କପେ ଚା’ ପଡ଼ିଗଲେ ସବୁ ଠିକ୍‌ ହୋଇଯିବ-। ରବିଶଙ୍କର ଟିକିଏ ଚଞ୍ଚଳ ଚା’ ଆଣନ୍ତା ସିନା । ରବିଶଙ୍କରକୁ ପ୍ରତୀକ୍ଷା କଲା ରାକେଶ ।

 

ଶୋଇ ଶୋଇ ଛାତକୁ ଦେଖୁଥିଲା ରାକେଶ ।

 

ବସିବା ଅପେକ୍ଷା କାଶିବା ଭଲଭାବି ଈଙ୍ଗଲିସ୍‌ ନଭେଲଟିକୁ ବାହାର କରି ଆଣିଲା । କାଲି ସେ ଏଇଟିକୁ କିଣିଥିଲା ଅଥଚ ଏପର୍ଯ୍ୟନ୍ତ ତାକୁ ଖୋଲିବାକୁ ମଧ୍ୟ ସମୟ ପାଇନି । ବହି ପଢ଼ାରେ ମନୋନିବେଶ କଲା ସେ ।

 

ରବିଶଙ୍କର ଚା’ ଦେଇଗଲା ।

 

ମନେ ମନେ ଧନ୍ୟବାଦ ଦେଲା ରାକେଶ ରବିଶଙ୍କରକୁ । ମୁରାରୀ ବାବୁଙ୍କ ଡାକଶୁଣି ଉଠିଗଲା ରାକେଶ । ଚଞ୍ଚଳ ଚଞ୍ଚଳ ପାଦ ପକାଇ ଚାଲିଲା ସେ ।

 

ଦେ ଦେଖିଲା ବାପଝିଅ ଦୁହେଁ ହସିବାରେ ବ୍ୟସ୍ତ । ରାକେଶକୁ ଦେଖି ବନ୍ଦନା ଚୁପ୍‌ ହୋଇଗଲା । ହସି ହସି ମୁରାରୀ ବାବୁ କହିଲେ: ଶୁଣ ରାକେଶ, ତୁମପାଇଁ ଗୋଟିଏ ସୁ ଖବର ଅଛି । ମୋର ମା’ ଓ ତା’ର ବନ୍ଧୁମାନେ ପିକ୍‌ନିକ୍‌ ପାଇଁ ଠିକ୍‌ କରିଛନ୍ତି । ତୁମେ କାର ନେଇଯିବ । ନା କ’ଣ କହୁଛ ?

 

ମୁଣ୍ଡ ହଲେଇ ସମ୍ମତି ପ୍ରଦାନ କଲା ରାକେଶ ।

 

: ସ୍ଥାନଟା ଖୁବ୍ ସୁନ୍ଦର । ଝରଣାଟିଏ ବହୁଛି । ପାହାଡ଼ିଆ ସ୍ଥାନ । ବଡ଼ବଡ଼ ଗୁମ୍ଫା ସବୁ ଅଛି । ମୁଁ ଥରେ ଯାଇଥିଲି, ଅନେକ ଦିନ ତଳେ । ତୁମକୁ ଖୁବ୍‌ ଭଲ ଲାଗିବ ରାକେଶ, ଆଉ ତୋତେ ମଧ୍ୟ । ମୁଁ ତ ଯାଇ ପାରୁନି ମୋର ବହୁତ କାମ ବାକି ପଡ଼ିଛି । ପୁଣି କେବେ ସୁବିଧା ହେଲେ ଯିବି । ହଁ ଯଦି ପାରୁ ତେବେ ଉମେଶକୁ ଡାକିନେ.....

 

: ନା......ନା...ଉମେଶ ଭାଇ ଗଲେ ମୁଁ ଯିବିନି–ପ୍ରତିବାଦ କଲା ବନ୍ଦନା ।

 

: ହଉ ତୋର ଯେମିତି ଇଚ୍ଛା ସେମିତି କର । ଅନ୍ୟ ପିଲାମାନେ କାରରେ ଯାଉଛନ୍ତି ତ-? ବେଶ୍‌ ତାହାହେଲେ ଆସନ୍ତା ରବିବାର ଦିନ ଠିକ୍‌ ହେଲା ?

 

: ହଁ ବାପା । ମୋର ପ୍ରାୟ ୨୦/୨୫ ଜଣ ବନ୍ଧୁ ଯାଉଛନ୍ତି । ଡରିବାର କିଛି ନାହିଁ । ତେବେ ମୁଁ ଆଜି ଆବଶ୍ୟକୀୟ ଜିନିଷପତ୍ର କିଣିନେବି ବାପା ?

 

ମୁରାରୀ ବାବୁ ସମ୍ମତି ଦେଲେ ।

 

ଆଗାମୀ ସୁଖ ପାରିଜାତ ଆଶାରେ ଉଠିଗଲା ବନ୍ଦନା । ରାକେଶକୁ ନେଇ ସେ ବଜାର ଗଲା । ମୁରାରୀବାବୁ ବସି ଟୋବାକୁ ପିଉଥିଲେ ।

 

ରାକେଶକୁ ଦୁଇଦିନ ହେଲା ଜ୍ୱର ।

 

ବନ୍ଦନାର ସବୁ ସୁଖ ପାଣି ଫାଟିଗଲା ଯେମିତି ! ପ୍ରୋଗ୍ରାମଟିକୁ ଅଗତ୍ୟା ସ୍ଥିଗିତ ରଖିବାକୁ ହେଲା । ରବିଶଙ୍କର କୁଆଡ଼େ ରାକେଶର ଯତ୍ନ ନେଉଛି । ଡାକ୍ତର ଡାକିବାକୁ ରାକେଶ ମନା କରିଛି । ନିହାତି ପିଲାଙ୍କ ପରି ଅବୁଝା ହେଉଛି । ଦୁଇଟା ଦିନ ଭିତରେ ଖୁବ୍‌ ଦୁର୍ବଳ ହୋଇ ପଡ଼ିଛି । ଅଥଚ ଏକା ଘରେ ଥାଇ ସେ ଜାଣିନି । ରବିଶଙ୍କରଠୁଁ ଏହି କଥା ଶୁଣିବାବେଳେ ବନ୍ଦନାର ମନେ ହେଲା ତା’ର ଆଖିରୁ ଯେମିତି ଗୁଡ଼ାଏ ଜୁଳୁଜୁଳିଆ ପୋକ ଏକାଠି ବାହାରି ଯାଉଛନ୍ତି !!

 

ମନେମନେ ଧନ୍ୟବାଦ ଜଣାଉଥିଲା ବନ୍ଦନା ରବିଶଙ୍କରକୁ, ତା’ର ନିସ୍ୱାର୍ଥପର ସେବାପାଇଁ । ରବିଶଙ୍କରକୁ ଆଶାବାଡ଼ି କରିଛି ରାକେଶ । ଦିନରାତି ଜଗି ସେ ତା’ର ସେବା କରିଛି-। ମୁହଁ ପାଖରେ ଔଷଧ ଧରି ଖାଇବା ପାଇଁ ବାଧ୍ୟ କରିଛି । ଔଷଧ ଖାଇବନି ବୋଲି ରାକେଶ ଜିଦ୍‌ ଧରିଛି । ବାସ୍ତବିକ ପିତା ପିତା ଔଷଧ ଗୁଡ଼ାକ କେତେ କଷ୍ଟକର ସତେ !! ତଥାପି ଔଷଧ ନ ଖାଇଲେ କେମିତି ହେବ ? ଅଥଚ ରାକେଶ ଔଷଧ ଖାଇବା ନାଁ ଧରୁନି । ପାର୍ଥିବ ଜୀବନଟା ପ୍ରତି ଯେମିତି ମମତା ନାହିଁ, ଆସକ୍ତି ନାହିଁ, ସ୍ନେହ ନାହିଁ ।

 

ରବିଶଙ୍କର ଉପରେ ରାଗର ବିରାଟ ହିମାଳୟ ପାହାଡ଼ କଚି ଭାଙ୍ଗିଦେବାକୁ ଚେଷ୍ଟା କରୁଥିଲା କିନ୍ତୁ ପରମୁହୂର୍ତ୍ତରେ ପ୍ରଶାନ୍ତ ମହାସାଗର ପରି ଶାନ୍ତ ହୋଇଗଲା ସେ । ରବିଶଙ୍କରର ବା ଦୋଷ କ’ଣ ? ସେ ତ ବାଧ୍ୟ କରୁଛି ଔଷଧ ଖାଇବାକୁ । ସମୟ ଦେଖି ଔଷଧ ଦେଉଛି । ନଖାଇଲେ ଜିଦ୍‌ ଧରୁଛି, ଅଭିମାନ କରୁଛି । ରାକେଶ ପ୍ରତି କେତେ ଦରଜ ତା’ର ! ସତେ ଯେମିତି ସେ ତା’ର ଅତି ଆପଣାର, ଅତି ନିଜର, ଅନେକ ଦିନର ପରିଚିତ ।

 

ତାକୁ ସାମାନ୍ୟ ଜ୍ୱରହେଲେ ବାପା କେତେ ବ୍ୟସ୍ତ ହୋଇ ପଡ଼ନ୍ତି । ତାଙ୍କ ଶରୀରରୁ ଯଦି ଖଣ୍ଡେ କାଟିନିଆ ଯାଆନ୍ତା ବୋଧହୁଏ ସେ ଏତେଟା ବ୍ୟସ୍ତ ହୁଅନ୍ତେ ନାହିଁ । ରାକେଶ କଥା ଭାବିଲା ବେଳକୁ ଦୁଃଖ ଲାଗୁଥିଲା ବନ୍ଦନାକୁ । କିଏ ଅଛି ବିଚାରାର । ସମସ୍ତେ ଥାଇ କେହି ନାହାନ୍ତି ଯେମିତି !! ଏତେ ବଡ଼ ଦୁନିଆଟାରେ ସେ ଏକାକୀ-ନିହାତି ଏକାକୀ ।

 

ରବିଶଙ୍କର ନିସ୍ୱାର୍ଥପର ଭାବରେ ସେବା କରୁଛି ଜାଣି ମଧ୍ୟ ବନ୍ଦନା ତାକୁ ବିଶ୍ୱାସ କରିପାରୁନି । ବନ୍ଦନାର ଇଚ୍ଛାହେଲା ସେ ନିଜ ହାତରେ ରାକେଶର ସେବା କରିବ । ରାତି ସାରା ଚେଇଁ ବସି ଔଷଧ ଦେବ । ନଖାଇଲେ ଜୋର୍‍କରି ଖୁଆଇଦେବ । କିନ୍ତୁ ବାପା କ’ଣ ଭାବିବେ । କ’ଣ ଭାବିବେ ଉମେଶ !! ଦୁନିଆ ନିଶ୍ଚୟ ତା’ର ଅପପ୍ରଚାର କରି ବସିବ !!!

 

ବାପା ହୁଏତ ଜାଣି ନଥିବେ । ଚାରିଦିନ ହେଲା କାଶ୍ମୀରରେ । ଡାଲ ଓ ଉଲାର ହ୍ରଦର ସୌନ୍ଦର୍ଯ୍ୟକୁ ସେ ପଳ ପଳ କରି ଉପଭୋଗ କରୁଥାଆନ୍ତା । କିନ୍ତୁ ଯେ ଯାଇପାରିନି କାରଣ ତା’ର ପ୍ରିଟେଷ୍ଟ ଥିଲା । ବାପା ଆଉ ଦୁଇଦିନ ପରେ ହୁଏତ ଫେରି ଆସିବେ । ଗଲାବେଳେ ଚଞ୍ଚଳ ଆସିବେ ବୋଲି କହିଯାଇଛନ୍ତି । ବାପା ତା’ର, ସୌନ୍ଦର୍ଯ୍ୟର ଉପାସକ ନୁହଁନ୍ତି । ବ୍ୟବସାୟ ସଂକ୍ରାନ୍ତରେ ସେ କାଶ୍ମୀର ଯାଇଛନ୍ତି; ଟୁରିଷ୍ଟ ଭାବରେ ନୁହେଁ ।

 

ରାକେଶ ପାଇଁ କିଛିଟା ଫ୍ରୁଟସ୍‌ ଆଣିବା ଦରକାର । ରବିଶଙ୍କର ବୋଧହୁଏ ଆଣୁ ନ ଥିବ । ଗାଡ଼ିରେ ଷ୍ଟାର୍ଟ ଦେଲା ବନ୍ଦନା । କିଛି ଯଦି ନଖାଏ ତେବେ ରାକେଶ ଖୁବ୍ ଦୁର୍ବଳ ହୋଇ ପଡ଼ିବ । ତା’ର ପାଟି ମଧ୍ୟ ଅରୁଚି ଧରି ଯାଇ ଥିବଣି । କାରର ଗତି ବୃଦ୍ଧିକଲା ବନ୍ଦନା । ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି; ରାକେଶର ଶରୀର ଖୁବ୍‌ ଶୀଘ୍ର ଆରୋଗ୍ୟ ହୋଇ ପୂର୍ବ ସ୍ୱାସ୍ଥ୍ୟ ଫେରିପାଇବା ପାଇଁ ନିବେଦନ କଲା । ଭଗବାନ ଜାଣନ୍ତି ସେ ତା’ର କଥା କେତେ ଦୂର ଶୁଣି ପାରିଛନ୍ତି !!

 

ସମୟକୁ କେହି ଧରି ରଖି ପାରି ନାହାନ୍ତି ଓ ପାରିବେନି । ତାକୁ ଧରିବାକୁ କାହାର ସାହସ ନାହିଁ, ଶକ୍ତିନାହିଁ, ଅଧିକାର ନାହିଁ । ଖାଲି ସେ ଆସିବ ଆଉ ଯିବ, ସମସ୍ତଙ୍କୁ ଜାଳି ପୋଡ଼ି ମାରିଯିବ । ସେଥିରେ ଯେମିତି ତା’ର ଆନନ୍ଦ ଅଛି, ଜୀବନର ସାର୍ଥକତା ଅଛି । ତା’ ସାଥିରେ ଦୌଡ଼ିବାଟା କେତେ କଷ୍ଟସାଧ୍ୟ ।

 

ଇତି ମଧ୍ୟରେ ପାଞ୍ଚଦିନ ଅତୀତ ହୋଇ ଯାଇଛି । ରାକେଶ ଆରୋଗ୍ୟ ଲାଭ କରିଛି । ତଥାପି ଦୁର୍ବଳତା କଟିନି । ବେଶୀ ଚଲାବୁଲା କରିବାକୁ ଡାକ୍ତର ମନା କରିଛନ୍ତି । ନିଜ ରୁମ୍‍ ମଧ୍ୟରେ ସେ ଏକରକମ ବନ୍ଦୀ । ପିଞ୍ଜରାବଦ୍ଧ ପକ୍ଷୀ ପରି ସେ ରୁମ୍‍ ରେ ବସି ରହିଛି । ବାରବୁଲାଟାର ଏ କି ଅବସ୍ଥା !

 

ରବିଶଙ୍କର ଖୁସି ହେଲା । ତା’ର ପ୍ରିୟବାବୁ ଆରୋଗ୍ୟ ହୋଇଛନ୍ତି । ସେ ଖୁସି ହେବନି ତ ଆଉ ହେବ କିଏ ? କେତେ ପରିଶ୍ରମ ସେ ନ କରିଛି ସତେ । ଖୁସି ହେବାଟା ତା’ର ଯେମିତି ଏକଚାଟିଆ । ସମସ୍ତଙ୍କଠୁଁ ବେଶୀ ଖୁସି ହୋଇଥିଲା ବନ୍ଦନା ଅବଶ୍ୟ ମନେ ମନେ । ଅନେକ ରଙ୍ଗୀନ କଳ୍ପନାକୁ ସେ ମନ କାନଭାସରେ ରୂପ ଦେଉଥିଲା ।

 

ବନ୍ଦନାର ପରୀକ୍ଷା ସରିଯାଇଛି । ପରୀକ୍ଷାରେ ସେ ସନ୍ତୋଷଜନକ ଉତ୍ତର କରିପାରିନି-। ତେଣୁ ତା’ର ମନଟା ଆଦୌ ଭଲ ଲାଗୁନି । ତଥାପି ତା’ର ମନ ପରିବର୍ତ୍ତନ ପାଇଁ ସେ ସେହି ସ୍ଥାନକୁ ବୁଲି ଯିବାକୁ ଠିକ୍‌ କଲା । ରାକେଶ ତ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଫେରି ପାଇଲାଣି ଆଉ ଚିନ୍ତା କ’ଣ-?

 

ବାପାଙ୍କ ରୁମ୍‌କୁ ଚାଲିଲା ବନ୍ଦନା !

 

ବାପା ସୋଫା ଉପରେ ବସି ଟୋବାକୋ ପିଉଛନ୍ତି । ଭିତରକୁ ପଶିଗଲା ବନ୍ଦନା । ମୁରାରୀ ବାବୁ ବସି ବସି ଚିନ୍ତା କରୁଥିଲେ, ବନ୍ଦନା ଆସିବା କଥା ଜାଣି ପାରିଲେନି । ଅଗତ୍ୟା ବନ୍ଦନା ନିଜର ଉପସ୍ଥିତି ଜଣାଇବାକୁ ଯାଇ କହିଲା : ବାପା, ମୁଁ ଆସିଥିଲି ।

 

: କିଏ ? ବନ୍ଦନା । କହ ମା’, କଥା କ’ଣ କହ ।

 

: ପିକ୍‌ନିକ୍‌ ପାଇଁ ମୁଁ ଆଉ ମୋର ପ୍ରାୟ କୋଡ଼ିଏ ଜଣ ସାଙ୍ଗ ଯିବୁ, ସେଥିପାଇଁ….

 

: ଟଙ୍କା ଦରକାର–ନୁହେଁ ?

 

: ହଁ ଡାଡ଼ି । ହସିଲା ବନ୍ଦନା ।

 

: ଟ୍ରେଜେରୀରୁ ନେଇଯାଆ । କିନ୍ତୁ ଚଞ୍ଚଳ ଫେରି ଆସିବୁ ମା’ । ବେଶୀ ରାତିଯାଏ ରହିବୁ ନାହିଁ । ସନ୍ଧ୍ୟାରେ ହିଁ ଫେରିଆସିବୁ । ଏଁ ।

 

ବନ୍ଦନା ଫେରିଗଲା ।

 

ଫେରିଗଲା ମନରେ ଧରି ଅନେକ ଅନେକ ଅହେତୁକ ସୁଖ ସମ୍ଭାର ।

 

ସାଙ୍ଗମାନଙ୍କୁ ନେଇ ମଜା କରିବ, ଖେଳିବ, ଗାଇବ, ନାଚିବ, ମନ ଖୁସି କରିବ । ଏହି ତ ଜୀବନ ! ଜୀବନକୁ ପଳପଳ କରି ଉପଭୋଗ କରିବା କଥା । ଆଜି ମରିଗଲେ କାଲିକୁ ଦୁଇଦିନ ତେବେ ଦୁଃଖ କରି ଲାଭ କ’ଣ । ଖୁସି ହୁଅ, ସମସ୍ତଙ୍କୁ ଖୁସି କର । ହସ, ସମସ୍ତଙ୍କୁ ହସାଅ-

 

ବାଲ୍‌କୋନି ଉପରେ ବୁଲୁଥିଲା ବନ୍ଦନା ।

 

ଫୁର୍‌କିନା ଉଡ଼ିଗଲା ପକ୍ଷୀଟିଏ ! କି ସୁନ୍ଦର ତା’ର ଜୀବନଟା । ଦୁଃଖର ଲେସ ମାତ୍ର ଚିହ୍ନ ନାହିଁ, ମନଇଚ୍ଛା ଖୁସିରେ ସେ ଉଡ଼ି ବୁଲୁଛି । ଶୋଷ ହେଲେ ତା’ପାଇଁ ପଡ଼ିରହିଛି ଅସଂଖ୍ୟ ନଦୀ, ପୋଖରୀ ଗାଡ଼ିଆ । ଭୋକ ହେଲେ ତା’ ପାଇଁ ଗଛରେ ଭରିରହିଛି କେତେ ଜାତିର ସୁସ୍ୱାଦ୍ୟ, ସୁମିଷ୍ଟ, ସୁଗନ୍ଧଯୁକ୍ତ ଫଳ । ତା’ର ଜୀବନଟା କେତେ ଦୁଃଖହୀନ, କଟକଣା ହୀନ, ଜଞ୍ଜାଳହୀନ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ପକ୍ଷୀଟା ପ୍ରତି ଇର୍ଷା ହେଉଥିଲା ବନ୍ଦନାର ।

 

ପକ୍ଷୀପରି ଉଡ଼ି ବୁଲିବାକୁ ଇଚ୍ଛା ହେଉଥିଲା ବନ୍ଦନାର । କିନ୍ତୁ ବନ୍ଦନା ଭୁଲିଯାଇଥିଲା ଯେ ପକ୍ଷୀର ମଧ୍ୟ ବଣୁଆର ଅଠାକାଠି ପ୍ରତି ଭୟ ଅଛି । ସେ ବି ବାଣୁଆକୁ ଲୁଚି ଲୁଚି ବୁଲେ ।

 

ଅନ୍ୟମନସ୍କ ଭାବରେ ରେଡ଼ିଓ ଧରାଇଲା ସେ । ହଠାତ୍‌ ସେ ଶୁଣିଲା, ‘‘ଦିଲ୍ଲୀ ସାହିତ୍ୟ ଏକାଡେମି ତରଫରୁ ‘‘ସେ ଏକ ପ୍ରଗଳ୍‍ଭା ନାରୀ’’ ବହିଟିଏ ବର୍ଷର ଓଡ଼ିଆ ସାହିତ୍ୟରେ ଶ୍ରେଷ୍ଠ ଟ୍ରାଜେଡ଼ି ପାଇଁ ପୁରସ୍କୃତ ହୋଇଛି କିନ୍ତୁ ଦୁଃଖର ବିଷୟ ଲେଖକ, ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ନଥିଲେ । ଅନୁରୋଧ ସେ ତାଙ୍କ ପୁରସ୍କାର ନେଇଯାଆନ୍ତୁ କିମ୍ବା ଠିକଣା....’’ ଖୁସିହୋଇ ରେଡ଼ିଓକୁ ବନ୍ଦ କରିଦେଲା ବନ୍ଦନା । ଦୌଡ଼ିଯାଉଥିଲା ବନ୍ଦନା । ହୁଏତ ସେ ରାକେଶ ରୁମ୍‌କୁ ଯାଇଥାଆନ୍ତା କିନ୍ତୁ ଇଲେକଟ୍ରିକ୍‌ ସକ୍‌ ଖାଇଲା ପରି ହଠାତ୍‌ ଠିଆ ହୋଇ କ’ଣ ଚିନ୍ତା କଲା ଷ୍ଟେୟାରକେଶ୍‌ର ଶେଷ ପାହାଚରେ ।

 

ରବିଶଙ୍କରକୁ ଡାକିଲା ବନ୍ଦନା ।

 

ଆଗାମୀ କାଲି ପାଇଁ ଆବଶ୍ୟକୀୟ ଜିନିଷପତ୍ର କିଣିବାକୁ ହେବ । କିଛି ସେଓ ନାସପାତି, ଅଙ୍ଗୁର ଆଉ କିଛି ରସଗୋଲା, ଛେନାପୋଡ଼ ପ୍ରଭୃତି ମିଠା ପାଞ୍ଚ, ଛଅ ପ୍ୟାକେଟ ବ୍ରିଟାନିୟା କ୍ରିମ ଓ କିଛି ମିକ୍‌ଚର ଆଣିବା ପାଇଁ ଠିକ୍‌ କଲା । ରବିଶଙ୍କରକୁ ଲିଷ୍ଟ୍‍ଟା ଧରାଇ ଦେଇ ଭଲ ଜିନିଷ ଦେଖି ଆଣିବାକୁ ତାଗିଦ କଲା ବନ୍ଦନା । ଅନ୍ୟାନ୍ୟ ପୋଗ୍ରାମ ଠିକ୍ କଲା । କ୍ୟାମେରାରେ ରିଲ ଲୋଡ଼ କରିଦେଲା । ପାଖରେ ଆଉ ଗୋଟିଏ extra ରିଲ ମଧ୍ୟ ଅଛି ଆଉ ଚିନ୍ତା କ’ଣ ?

 

ଆଉ ଉମେଶ ମଧ୍ୟ ଠିକ୍‌ ସମୟରେ ଖବର ପାଇଗଲା । ସୁଯୋଗକୁ ଅପେକ୍ଷା କରି ବସିଲା ଉମେଶ । ଗୋଟିକ ପରେ ଗୋଟିଏ ସିଗାରେଟ ଟାଣି ନୂଆ ନୂଆ ପ୍ଳାନ ଠିକ୍‌ କଲା । କେତେବେଳେ ଅଟ୍ଟହାସ କରୁଛି କେତେବେଳେ ବଡ଼ ପାଟିରେ କାହାକୁ ଶୋଧୁଛି ।

 

ରବିଶଙ୍କର ଆଶ୍ଚର୍ଯ୍ୟ ହେଲା ।

 

ଉମେଶର କ’ଣ ହୋଇଛି ଆଜି ? ରବିଶଙ୍କରକୁ ଲାଗୁଥିଲା ଉମେଶ ଯେମିତି ପାଗଳ ହୋଇଯାଇଛି । ଚା’ ପାଇଁ କହିଲା, ଆଣିବାରୁ ଫୋପାଡ଼ି ଦେଲା । କିଛି ବୁଝିପାରୁନି ରବିଶଙ୍କର । ହୁକୁମର ଚାକର ସେ । ହୁକୁମ୍‌ ତାମିଲ କରିବା ତା’ର ଧର୍ମ । ସେ କେମିତି ବୁଝିଥାଆନ୍ତା ଏ ମାଲିକମାନଙ୍କ କଥାର ରହସ୍ୟ, ଗୁରୁତ୍ୱ ମହତ୍ୱ । ଆଦେଶର ପ୍ରତୀକ୍ଷା କରୁଛି ସେ । ହଠାତ୍‌ ଉମେଶ କହିଲା, ବୁଝିଲ ରବିଶଙ୍କର.... ।

 

: ହଁ ଆଜ୍ଞା । ହାତରେ ହାତ ଘଷୁ ଘଷୁ କହିଲା ରବିଶଙ୍କର ।

 

: କ’ଣ ବୁଝିଲ ? ଆଖିକୁ ବଡ଼ ବଡ଼ କରି ପଚାରିଲା ଉମେଶ ।

 

: ନାହିଁ ଆଜ୍ଞା..... ।

 

: କ’ଣ ନାହିଁ ଆଜ୍ଞା ।

 

: ହଁ ଆଜ୍ଞା ।

 

: କ’ଣ ହଁ ଆଜ୍ଞା ।

 

: ହଁ....ନାହିଁ....ଆଜ୍ଞା ।

 

: ରବିଶଙ୍କର !

 

: ଆଜ୍ଞା

 

: ବୁଝିପାରିଲନି ?

 

: ନାହିଁ ଆଜ୍ଞା ।

 

: ସେ ଏକ କାହାଣୀ ।

 

: ଆଈମା’ କାହାଣୀ । ମୋ ଆଈ ମଧ୍ୟ କହୁଥିଲେ । କୁହନ୍ତୁ ଆଜ୍ଞା, ମୁଁ ଶୁଣିବାକୁ ଭଲପାଏ ।

 

: ତୁମ ଆଈମା’ କାହାଣୀ ଏ ନୁହେଁ ରବିଶଙ୍କର; ଏ ହେଉଛି ରକ୍ତର କାହାଣୀ ।

 

: ରକ୍ତର କାହାଣୀ ??

 

: ମାନେ ଖୁନ୍...ଖୁନ୍‌

 

: ଏଁ ଖୁ...ଉ...ନ୍

 

: ଡରିଗଲ ରବିଶଙ୍କର । ମୁଁ ଜାଣେ ତୁମେ ଡରିବ । କିନ୍ତୁ ସେ ପାଗଳଟା ବୁଝୁନି ଯେ ଛୁରି ସହ ଖେଳିଲେ ହାତ କଟିଯାଏ ଆଉ ନିଆଁ ସହ ଖେଳିଲେ ହାତ ପୋଡ଼ିଯାଏ ।

 

: କିନ୍ତୁ ଆଜ୍ଞା ଯେ ପକ୍‌କା ଖେଳାଳି ତା’ର କିଛି ହୁଏନି । ସେଦିନ ସର୍କସରେ ଦେଖିଲି ଆଜ୍ଞା ସେ କିଛି ଛୁରି ଖେଳ, ସେ କି ନିଆଁ ଖେଳ । ଧର୍ମ ଆଉ ସହିବ ଆଜ୍ଞା ! ଯେତେବେଳେ ସେ ଦେହରେ ନିଆଁ ଲଗାଇ ଡେଇଁ ପଡ଼ିଲା ନା, ମୋର ଆଖି ବୁଜି ହୋଇଗଲା । ସତକୁସତ ରବିଶଙ୍କର ଆଖି ବନ୍ଦକରି ଦେଇଥିଲା ।

 

: ବାଜେ କଥା ବନ୍ଦକର । ଚାଲିଯାଅ I say, get out.

 

: ଯାଉଛି ଆଜ୍ଞା ।

 

: ଶୁଣ ରବିଶଙ୍କର ଭଲ ଖେଳାଳି ମଧ୍ୟ ବେଳେବେଳେ ହାରିଯାଇଥାଏ । ରବିଶଙ୍କର ଚାଲିଗଲା । ଉମେଶର ଭାବନା ଦ୍ୱିଗୁଣିତ ହୋଇ ଉଠିଲା । ସେ ଭାବନାର ପଟାନ୍ତର ନାହିଁ, ସମାପ୍ତି ନାହିଁ, ଶେଷ ବିନ୍ଦୁ ନାହିଁ ।

 

ବାସ୍ତବିକ ସେ କେତେ ଭଲ ନ ପାଏ ବନ୍ଦନାକୁ । ଦୁନିଆରେ ତା’ପରି ଏତେ ପରିମାଣ ବନ୍ଦନାକୁ କେହି ଭଲ ପାଇପାରିବ ବୋଲି ଉମେଶ ବିଶ୍ୱାସ କରିନି । ଅଥଚ ବନ୍ଦନା ଗୋଟାଏ ସାମାନ୍ୟ ଡ୍ରାଇଭରର ପାଲରେ ପଡ଼ିଗଲା । ରାକେଶ କ’ଣ ତା’ଠୁ ଅଧିକ ସୁନ୍ଦର, ଅଧିକ ମାନୀ, ଅଧିକ ହୃଦୟମାନ । ଉମେଶ ବୁଝି ପାରିଲନି ବନ୍ଦନାର ହୃଦୟଟା କ’ଣ ?

 

ନର ମାୟା ନାରାୟଣଙ୍କୁ ଅଗୋଚର । ଉମେଶ କେମିତି ବୁଝିଥାଆନ୍ତା ନାରୀହୃଦୟର ଗୋପନ ଦ୍ୱାରଟା ଠିକ୍‌ କେଉଁ ଦିଗରେ, କେଉଁ ସ୍ଥାନରେ ।

 

ମଣିଷ କ୍ରୂର ନୁହେଁ । ପରିସ୍ଥିତି ତାକୁ କ୍ରୂର କରିଦିଏ । ଉମେଶର ମନରେ ପ୍ରବେଶ କଲା, କ୍ରୂର ଶକ୍ତି, ପାପଶକ୍ତି, ଇର୍ଷାଶକ୍ତି । ଉମେଶ ହସିଲା ଏକ ନିଷ୍ଠୁର ନିସ୍ତବ ହସ । ସେ ହସକୁ କେବଳ ଉମେଶ ହିଁ ଜାଣିଲା, ଉପଲବଧି କଲା ।

 

ଆକାଶରେ ଦ୍ୱିତୀୟା ଚାନ୍ଦ ହସୁଥିଲା ।

 

ସକାଳ ହେବା ପୂର୍ବରୁ ଉଠି ଯାଇଥିଲା ବନ୍ଦନା । ନୂଆ ସ୍ଥାନକୁ ଯିବାକୁ ଥିଲେ ଆଖିରୁ ନିଦ ସବୁ ଛାଟିପିଟି ହୋଇ ଚାଲିଯାଆନ୍ତି ଆଉ ପୂର୍ବ ରାତିରେ ନିଦ ହୁଏନି । ତାହାହିଁ ହୋଇଥିଲା ବନ୍ଦନାର । ତା’ର ମନେ ହେଲା ସମୟ ଗୁଡ଼ାକ ଧାଡ଼ିବାନ୍ଧି ଯାଉ ଯାଉ ଡେରି କରୁଛନ୍ତି । ସେ ଖୁବ୍‌ ବ୍ୟସ୍ତ ହୋଇ ପଡ଼ିଛି । ସବୁ କାମ ତାକୁ ହିଁ କରିବାକୁ ହେବ । ସବୁ ଜିନିଷ ଠିକ୍‌ କରି ସଜାଡ଼ି ନ ରଖିଲେ ପରେ ଅସୁବିଧା ଭୋଗ କରିବାକୁ ହେବ । ପିକ୍‌ନିକ୍‌ ଥର୍ମୋଫ୍ଳାସ୍କ୍‌ ରେ କଫି ଭର୍ତ୍ତି କରିବାକୁ ପୂଜାରୀକୁ ଆଦେଶ ଦେଲା । ଓ୍ୱାଟର ବଟଲ୍‌ରେ ପାଣି ଭର୍ତ୍ତି କରିବାକୁ ରବିଶଙ୍କରକୁ କହିଲା । ଓହୋ, ଆହୁରି କେତେକାମ ବାକି ରହିଛି !

 

ଶେଷରେ ତା’ର ମନେ ପଡ଼ିଲା ମିଉଜିକ୍‌ କଥା । ଏତେ ବଡ଼ Picnic ସାଙ୍ଗକୁ ଗାନବାଜଣା ଟିକିଏ ନହେଲେ ମଜାସବୁ ପାଣି ଫାଟିଯିବ । ତା’ର ଇଚ୍ଛା ହେଲା ରାକେଶକୁ କହି ଗୀଟାରଟାକୁ ନେବାକୁ । କିନ୍ତୁ ରାକେଶକୁ ସେ କେମିତି କହିବ । ସେ ଯାହାହେଉ କୌଣସି ପ୍ରକାରେ ରାକେଶର ଅଜାଣତରେ ରବିଶଙ୍କର ହାତରେ ଗୀଟାରଟିକୁ ଆଣିଲା ବନ୍ଦନା । ନିନା ଗୀତଗାଇବ, ଶୋଭନା, ରତ୍ନା ଓ ରଞ୍ଜନା ନାଚିବେ ଆଉ ରାକେଶ ଗୀଟାର ବଜେଇବ । ଦୃଶ୍ୟଟିକୁ କଳ୍ପନା ଚକ୍ଷୁରେ ଦେଖିନେଇ ବିଭୋର ହେଲା ସେ ।

 

ଠିକ୍‌ ସମୟରେ ତା’ର ବନ୍ଧୁମାନେ ତିନିଖଣ୍ଡି କାରରେ ପହଞ୍ଚିଗଲେ । ଅନ୍ୟମାନେ ବନ୍ଦନାର କାରରେ ଯିବେ । ସେଦିନ ବନ୍ଦନା ସେମାନଙ୍କୁ ସକାଳୁଆ ଜଳଖିଆ ପାଇଁ ନିମନ୍ତ୍ରଣ କରିଥିଲା । ଜଳଖିଆପର୍ବ ଶେଷହେବାପରେ ସେମାନଙ୍କ ଯାତ୍ରା ଆରମ୍ଭ ହେଲା । ଅନ୍ୟଝିଅମାନେ ନିଜେ ଡ୍ରାଇଭିଂ କରି ଆସିଥିଲେ ତେଣୁ ରାକେଶକୁ ଯିବା ଦେଖି ସେମାନେ ଆଂଶିକ ଅସନ୍ତୁଷ୍ଟ ହୋଇଥିଲେ । ଅବଶ୍ୟ ମନେ ମନେ । ବନ୍ଦନାର ମୁହଁରେ କିଛି କହିଲେନି ।

 

ଅଞ୍ଜନା ଆସି ନଥିଲା ।

 

ସେମାନଙ୍କର କାର ସବୁ ଧୂଳି ଉଡ଼ାଇ ଚାଲିଗଲା । ଉମେଶ ବାଲକୋନି ଉପରେ ଠିଆ ହୋଇ ଦେଖୁଥିଲା । ପ୍ରାୟ ପନ୍ଦର ମିନିଟ ପରେ ବୁଲେଟ ଛୁଟାଇ ଦେଲା । ସାଙ୍ଗରେ ଆବଶ୍ୟକୀୟ ଜିନିଷ ସବୁ ଧରି ।

 

ଚାରିଖଣ୍ଡ କାର ଉଡ଼ି ଚାଲିଛି ଧୂଳି ଉଡ଼ାଇ । ରାକେଶର ଚାଭରଲେଟ୍‌ଟା ଉଡ଼ି ଚାଲିଥିଲା ସମସ୍ତଙ୍କ ଆଗରେ । ଉମେଶର ବୁଲେଟ୍‌ ମଧ୍ୟ ଛୁଟିଥିଲା ସମସ୍ତଙ୍କର ଅଲକ୍ଷରେ । ଯଥାସ୍ଥାନରେ କାର ସବୁ ଅଟକିଗଲା । ଉମେଶ ପ୍ରକୃତିସ୍ଥ ହୋଇ ତା’ର ବୁଲେଟରେ ବ୍ରେକ କସିଲା-। ବୁଲେଟକୁ ଗୋଟିଏ ବୁଦାମୂଳେ ଲୁଚାଇ ରଖି ପିସ୍ତଲ ଓ କାମେରା ଧରି ଆଗେଇଲା-

 

ହଠାତ୍‍ ଝିପିଝିପି ବର୍ଷା ହେଲା ।

 

ଉମେଶ ପୁଣି ଫେରିଯାଇ ବାସକେଟ୍‍ରୁ ବର୍ଷାତିଟା ଆଣି ପିନ୍ଧିନେଲା ମୁଣ୍ଡରେ କ୍ୟାପଟା ପିନ୍ଧିନେଇ ସିଗାରେଟ ଖଣ୍ଡେ ଧରାଇ ପାହାଡ଼ ଉପରକୁ ଚାଲିଲା । ପୂରା ଜଣେ ସାହେବ ପାଲଟି ଯାଇଥିଲା ସେ । ହଠାତ୍‌ ଦେଖିଲେ ତାକୁ କେହି ଚିହ୍ନି ପାରିବନି ।

 

ସ୍ଥାନଟି ଖୁବ୍‌ ରମଣୀୟ । ଗଛଲତା, ପକ୍ଷୀର କୂଜନ ପରିବେଶଟିକୁ ଖୁବ୍ ଲୋଭନୀୟ କରି ତୋଳୁଥିଲା । ମଝିରେ ମଝିରେ ବଣୁଆ ଜନ୍ତୁମାନଙ୍କର ଚିତ୍କାର ସ୍ଥାନଟିର ନୀରବତାକୁ ଆଂଶିକ ଭଙ୍ଗ କରୁଥିଲେ ମଧ୍ୟ ସେହି ଚିତ୍କାର ଏତେବଡ଼ ନିସ୍ତବ୍‌ଧତା ମଧ୍ୟରେ କେଉଁଠି ମିଳେଇ ଯାଉଥିଲା ବାଲଟିଏ ପାଣିରେ ଚାମୁଚାଏ ଚିନି ଯେମିତି ମିଳେଇଯାଏ ।

 

ଆଗନ୍ତୁକମାନଙ୍କ ଯୋଗୁଁ ଏକ ପ୍ରକାର ଗହଳି କମିଯାଇଥିଲା । ସମସ୍ତେ ଘୂରି ଘୂରି ସ୍ଥାନଟିକୁ ଦେଖୁଥିଲେ । ନୂଆ ସ୍ଥାନ କି ନା ! ବନ୍ଦନା ସବୁଥିରୁ ଗୋଟାଏ ଗୋଟାଏ ସ୍ନାପ ନେଉଥିଲା । ରାକେଶ ଓ ବନ୍ଦନା ବୁଲୁଥିଲେ ଏକାଠି । ବିରାଟ ଗୁମ୍ଫା ସବୁ ପାହାଡ଼ର ଶୋଭାବର୍ଦ୍ଧନ କରୁଥିଲେ ।

 

ଖରା ଧୀରେ ଧୀରେ ବଢ଼ୁଥିଲା । ସୁଯୋଗର ପ୍ରତୀକ୍ଷା କରୁଥିଲା ଉମେଶ । ସମସ୍ତଙ୍କର ଅଗୋଚରରେ ଘୁରି ବୁଲୁଥିଲା ।

 

ବନ୍ଦନା ଭାବୁଥିଲା ପାହାଡ଼ର ଏହି ବିରାଟ ଗୁମ୍ଫା ଗୁଡ଼ାକରେ ଭରି ରହିଛି ଅଖଣ୍ଡ ନୀରବତା ନିସ୍ତବତା କିନ୍ତୁ ରାକେଶର ହୃଦୟ ପାହାଡ଼ ଗୁମ୍ଫାରେ ନାହିଁ ପ୍ରେମ ନାହିଁ ମମତା । ଖାଲି ଗୋଟାଏ ଶୂନ୍ୟ ।

 

ଦିନ ସାଢ଼େ ଗୋଟେ ବେଳକୁ ସମସ୍ତେ ମିଳିତହେଲେ ଗୋଟିଏ ଘାସ ପଡ଼ିଆରେ । ସେଠାରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହେଲା । ଗୀଟାରଟାକୁ ଦେଖି ଚମକି ପଡ଼ିଲା ରାକେଶ । ବନ୍ଦନା ତାକୁ ବଜାଇବାକୁ ଅନୁରୋଧ କଲା । ନୀନା ଗୋଟିଏ ସୁନ୍ଦର ଗୀତ ଗାଇଲା ତାକୁ ତାଳ ଦେଇ ଗୀଟାର ବଜାଇଲା ରାକେଶ । ତା’ର ଅନ୍ୟ ବନ୍ଧୁ ଦୁଇଜଣ କଙ୍ଗୋ ଓ ବଙ୍ଗୋ ବଜାଇଲେ । ଆନନ୍ଦରେ ଅଭିଭୂତ ହୋଇ ପଡ଼ିଲା ବନ୍ଦନା । ସେହି ମରୁ ଶୁଷ୍କ ନିଥର ଜଙ୍ଗଲରେ ନୀନାର ସଙ୍ଗୀତ କୋଇଲିର କୂହୁତାନ ପରି ମନେହେଲା । ଅନ୍ୟମାନେ ମଝିରେ ମଝିରେ ସୁର ଧରୁ ଥିଲେ । ସଙ୍ଗୀତ ପରେ ଭୋଜନ ପର୍ବ ଶେଷ ହେଲା ।

 

ଗଛ ଉହାଡ଼ରେ ଠିଆହୋଇ ଦେଖୁଥିଲା ଉମେଶ । ଓଠ କାମୁଡ଼ି ରାଗ ପ୍ରକାଶ କରୁଥିଲା । ଅନ୍ୟମନସ୍କ ବଶତଃ ସିଗାରେଟଟାକୁ ମଧ୍ୟ ଓଲଟା ଖାଇ ଦେଉଥିଲା ଆଉ ସିଗାରେଟର ନିଆଁରେ ପ୍ରକୃସ୍ଥିତ ହେଉଥିଲା ।

 

ବାକି ଅଂଶଟିକୁ ବୁଲିବା ପାଇଁ ସମସ୍ତେ ଉଠିଲେ । ସନ୍ଧ୍ୟା ପୂର୍ବରୁ ସେମାନଙ୍କୁ ଫେରିଯିବାକୁ ହେବ । ରାକେଶ ଆଉ ବନ୍ଦନା ମଧ୍ୟ ଉଠିଲେ । ବନ୍ଦନା ଆଗରେ ଚାଲିଲା ଆଉ ରାକେଶ ତା’ର ପଛେ ପଛେ । ଦୁଇ ଜଣଙ୍କ ମଧ୍ୟରେ କିଛି ଦୂରତ୍ୱ ଥିଲା । ରାକେଶ ବନ୍ଦନା ନିକଟରେ ପହଞ୍ଚି ଯିବାରୁ କହିଲା–ତୁମେ ଫଟୋ ଉଠେଇ ଜାଣ ରାକେଶ ? ମୋର ଗୋଟିଏ ଫଟୋ ନିଅ ଏଠାରେ । ସ୍ଥାନଟି ମୋତେ ଖୁବ୍‌ ଭଲ ଲାଗୁଛି । ନିଅ କ୍ୟାମେରା ଧର । ଧର କହୁଛି, ଧରନା । ରାକେଶ ବାଧ୍ୟହୋଇ କ୍ୟାମେରା ଧରି ଠିଆହେଲା । ବନ୍ଦନା ବିଭିନ୍ନ ପୋଜ ନେଇ କହୁଥାଏ: ଏମିତି ବସିବି, ନା ଏମିତି ଠିଆହେବି । କେମିତି ବସିବି କୁହନା । ବାସ୍‌ ତାହାହେଲେ ଏମିତି ଠିଆ ହେଉଛି । ବନ୍ଦନା ମୂର୍ତ୍ତିଟାକୁ ଆଉଜି ଠିଆହୋଇ ପଡ଼ିଲା ।

 

ସବୁ ପୋଜ୍‌ରେ ମୁଣ୍ଡ ଟୁଙ୍ଗାରିବା ଛଡ଼ା ରାକେଶର ଅନ୍ୟବାଟ ନଥିଲା ।

 

ଏଥର ବନ୍ଦନା ସ୍ଥିରହୋଇ ଠିଆହେବାର ଦେଖି ସ୍ନାପଟିଏ ନେଇଗଲା ।

 

: କେମିତି ଉଠିଥିବ ? ଭଲ ତ ? ପ୍ରଶ୍ନକଲା ବନ୍ଦନା ।

 

: ରାକେଶ ମୁଣ୍ଡଟୁଙ୍ଗାରି ସମ୍ମତି ଜଣାଇଲା ।

 

: ପୋଜଟା କିନ୍ତୁ ଖୁବ୍‌ ସୁନ୍ଦର-ନୁହେଁ ?

 

: ସମ୍ମତି ଜଣାଇଲେ ରାକେଶ ।

 

: ଆଚ୍ଛା, ତୁମେ ଠିଆହୁଅ ମୁଁ ସ୍ନାପଟିଏ ନିଏ ।

 

: ମୁଣ୍ଡ ହଲେଇ ନାହିଁ କଲା ରାକେଶ ।

 

: ନା...ନା ମୁଁ ସେସବୁ ଶୁଣିବିନି, ତୁମକୁ ଠିଆ ହେବାକୁ ହିଁ ହେବ । କହୁଚି ଠିଆ ହୁଅ–ପିଲାଟି ପରି ଅଳି କରୁଥିଲା ବନ୍ଦନା ।

 

ବନ୍ଦନାର ଅଳିଦେଖି ରାକେଶ ମୂର୍ତ୍ତିଟି ନିକଟରେ ଠିଆ ହେଲା । ପିଲାଟିପରି ନାଚି ଉଠିଲା ବନ୍ଦନାର ମନ ଓ ତନ । ସତେ ଯେମିତି କୋଟି ନିଧି ପାଇଛି ।

 

ରାଗରେ ଜଳି ଯାଉଥିଲା ଉମେଶ । ମନେ ମନେ କହିଲା, ‘‘ଏଠି ରାଧାକୃଷ୍ଣ ନିଳା ଲାଗିଛି ପରା ! ମୁଁ ସବୁ ଠିକ୍‌କରି ଦେବି ଯେ । ଉମେଶ ଦେଖିଲା ବନ୍ଦନା ଭିଡ଼ି ଭିଡ଼ି ନେଇ ଯାଉଥିଲା ରାକେଶକୁ । ହସୁଥିଲା ବନ୍ଦନା । ଡେଇଁ ଡେଇଁ ଚାଲୁଥିଲା ସେ । ତା’ର ପାଦ ଯେମିତି ତଳେ ଲାଗୁନି !

 

ପିସ୍ତଲ ଉଠେଇଲା ଉମେଶ । ତା’ର ଇଚ୍ଛା ହେଉଥିଲା ଏଠାରେ ଦୁଇଜଣ ଯାକକୁ ଗୁଳିକରି ମାରିଦେବାକୁ । ଦୁଇଜଣ ଯାକ ପ୍ରେମର ଶାହୀଦ ହେବାର ସୁଯୋଗ ପାଆନ୍ତେ !! ସାଇଲେନଶ୍‌ ଯୁକ୍ତ ପିସ୍ତଲରେ ଏସବୁ କାରବାର ଖୁବ୍‌ ନିରାପଦ । କିନ୍ତୁ ଉମେଶ ଭାବିଲା ଏ ଦୁହିଁଙ୍କୁ ହାତରେ ମାରିବା ଅପେକ୍ଷା ଭାତରେ ମାରିବା ହିଁ ଉଚିତ ।

 

ଉମେଶର ମନେ ପଡ଼ି ଯାଉଥିଲା ସେ ଯୁଗର କେଦାର-ଗୌରୀ, ରୋମିଓ-ଜୁଲିଏଟ ଓ ଇଉ-ଆଦମ କଥା । ସେମାନେ ହିଁ ଜାଣନ୍ତି ପ୍ରେମର ମୂଲ୍ୟ, ପ୍ରେମର ସ୍ୱାଦୁ, ପ୍ରେମର ସଜ୍ଞା । ଆଉ ବନ୍ଦନା....ଘୃଣାରେ ପୂରି ଉଠିଲା ଉମେଶର ମନ । କେତେ ଭଲ ନପାଉଛି ସେ ବନ୍ଦନାକୁ କିନ୍ତୁ ତା’ର ପ୍ରତି ଦାନରେ ସେ ପାଇଛି କ’ଣ ! ଖାଲି ଗୋଟାଏ ତୀବ୍ର ଜ୍ୱାଳା ଓ ଧାର ଧାର ଲୁହର ବନ୍ୟା-। ବନ୍ଦନାକୁ ସେ କେମିତି ବୁଝେଇବ ସେ ଜ୍ୱାଳାର କଷ୍ଟ କି ପ୍ରକାର । ସେ ଦଶଂନର ତୀବ୍ରତା କେତେ !

 

ଯାହା ଭିତରେ ଭିତରେ ଜଳିଯାଏ ତାହାର ଆଲୋକ ଓ ଉତ୍ତାପକୁ କେମିତି ବା ପ୍ରକାଶ କରାଯାଇପାରିବ ! କିଏ ବା ତାକୁ ବୁଝିବ !! ଥଟ୍ଟା ଓ ଉପହାସରେ କଥାଟା ଶୂନ୍ୟେ ଶୂନ୍ୟେ ଉଡ଼ିଯିବ ସିନା !!

 

ଝିପି ଝିପି ବର୍ଷା ଆରମ୍ଭ ହେଲା ।

 

ଉମେଶ ଖୁସିରେ ପିଲାଙ୍କ ପରି ନାଚି ଉଠି ଶିଶିର ମାରିଲା । ତାକୁ ସୁଯୋଗ ମିଳିଛି । ଇଉରେକା...ଇଉରେକା କହି କହି ଆଗକୁ ଏକରକମ ଦୌଡ଼ିଲା ପରି ଚାଲିଲା । ପ୍ରସ୍ତୁତ ହୋଇଗଲା ଉମେଶ ସୁଯୋଗକୁ ସଦ୍‍ବ୍ୟବହାର କରିବାକୁ ହେବ ।

 

ଘଢ଼ ଘଢ଼ି ମାରିବାରୁ ଚମକିଗଲା ବନ୍ଦନା । ଚାହୁଁ ଚାହୁଁ ବର୍ଷା ଆସିଗଲା । କାର ପାଖକୁ ଯିବା ଭିତରେ ସେମାନେ ସମ୍ପୂର୍ଣ୍ଣ ଭିଜିଯିବେ ଜାଣି ବନ୍ଦନା ନିକଟସ୍ଥ ଗୁମ୍ଫାରେ ବର୍ଷା ଛାଡ଼ିଲା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲା । ରାକେଶ ଶିଶୁଟି ପରି ବନ୍ଦନାର କଥାମାନି ଗୁମ୍ଫା ଆଡ଼କୁ ଦୌଡ଼ିଲା ।

 

ସେ ଦୁହେଁ ଗୁମ୍ଫାରେ ଆସି ପହଞ୍ଚିଗଲେ । ବିରାଟ ଗୁମ୍ଫାଟା ଭିତରେ ଛପିଲା ଛପିଲା ଅନ୍ଧାର । ଉମେଶ ମଧ୍ୟ ସେଠାରେ ଆସି ପହଞ୍ଚିଲା । ସେ ଦୁହେଁ ହୁଏତ ତାକୁ ଦେଖି ନାହାନ୍ତି, ଦେଖିଥିଲେ ହୁଏତ ଭାବି ଥାଆନ୍ତେ କେହି ଜଣେ ପାହାଡ଼ି ହପବରା ! ସୁସ୍ତିରେ ନିଶ୍ୱାସ ମାରିଲା ଉମେଶ ।

 

ସେ ଦୁହେଁ ଖୁସି ଗପରେ ବ୍ୟସ୍ତ । ବନ୍ଦନା ହସୁଛି । ତା’ର ହସମୁଣି ଖୋଲିଯାଇଛି ବୋଧହୁଏ । ବନ୍ଦନାର ପୋଷାକ ପ୍ରତି ଯତ୍ନ କମି ଯାଇଛି । ପୋଷାକ ପ୍ରତି ତା’ର ଯେମିତି କିଛି କର୍ତ୍ତବ୍ୟ ନାହିଁ । କିଛିକ୍ଷଣ ପାଇଁ ଦୁନିଆକୁ ସେ ଭୁଲି ଯାଇଛି । ଦୁନିଆଟା ତାକୁ ରଙ୍ଗୀନ ଦେଖାଯାଉଛି ।

 

କ୍ୟାମେରାରେ ଫ୍ଳାସ ଯୋଡ଼ିଲା ଉମେଶ ।

 

ବର୍ଷା ଭୀଷଣ ଆକାର ଧାରଣା କରୁଛି । କୁଆପଥର ପଡ଼ୁଛି ବୋଧହୁଏ । ବନ୍ଦନା ଗୋଟିଏ ଆଣି ରାକେଶକୁ ଖାଇବାକୁ ଦେଉଛି । ରାକେଶ ପ୍ରଥମେ ମନା କରୁଥିଲା । କିନ୍ତୁ ପରେ ବାଧ୍ୟ ହୋଇ ନେଲା ।

 

ସ୍ନାପ ଗୋଟିଏ ନେଲା ଉମେଶ ।

 

ନିଜର ଉପସ୍ଥିତ ବୁଦ୍ଧି ପାଇଁ ଖୁସି ହେଲା ଉମେଶ । କାରଣ ସେ ଏମିତି ଏକ ଜାଗାରେ ଥିଲା ଯେ ସେଇଠୁ ସେ ଦୁହିଁଙ୍କୁ ଦେଖି ପାରୁଥିଲା କିନ୍ତୁ ସେମାନେ ଉମେଶକୁ ମୋଟେ ଦେଖିପାରୁ ନଥିଲେ ଯଦିଓ ସେମାନେ ଖୁବ୍‌ ନିକଟରେ ଥିଲେ ।

 

ଲୁଗାର କାନିକୁ ମୋଡ଼ୁ ମୋଡ଼ୁ ବନ୍ଦନା ପଚାରିଲା, ରାକେଶ ମୁଁ ତୁମକୁ ଅନେକ ଦିନରୁ ଗୋଟିଏ କଥା ପଚାରିବି ବୋଲି ଭାବିଛି କିନ୍ତୁ ପଚାରି ପାରିନି । ଆଜି ପଚାରିଲେ କହିବ । କହିଦେଇ ତୀକ୍ଷ୍‍ଣ ଦୃଷ୍ଟିରେ ବନ୍ଦନା ରାକେଶର ମୁଖ ମଣ୍ଡଳକୁ ନିରୀକ୍ଷଣ କଲା ।

 

ମୁଣ୍ଡ ହଲାଇ ସମ୍ମତି ଦେଲା ରାକେଶ ।

 

ଖୁସି ହେଲା ବନ୍ଦନା । ଅତ୍ୟଧିକ ଖୁସିରେ ପାଟି ତା’ର ବନ୍ଦ ହୋଇଗଲା । କିଛି କ୍ଷଣ ପରେ ପଚାରିଲା: ସତ କୁହ ରାକେଶ ତୁମେ ମୋତେ ଭଲ ପାଅନା ? ଚଞ୍ଚଳ କୁହ ନୀରବ କାହିଁକି-? କଥାଟା କହି ସାରିଲା ପରେ ଲାଜରେ ନାଲି ପଡ଼ିଗଲା ବନ୍ଦନା । ଖୁବ୍ ଅଶ୍ଳିଳ କଥା ସେ କହିଛି-। ରାକେଶ ଠିକ୍‌ ଲକ୍ଷ୍ୟ କରିଛି ଲାଜରେ ଝାଉଁଳି ପଡ଼ିଲା ଲାଜକୁଳୀ ଲତାଟି ପରି ।

 

ପକେଟରେ ହାତ ପୂରାଇଲା ରାକେଶ ।

 

ବନ୍ଦନା ଶୀଘ୍ର କହି ଉଠିଲା : ତୁମେ ଖାତାଟା ଖୋଜୁଛ ବୋଧହୁଏ । ଏଇ ନିଅ ଗାଡ଼ିରେ ଛାଡ଼ି ଆସିଥିଲ । ରାକେଶ ଖାତାଟା ନେଇ ଲେଖିବାକୁ ଲାଗିଲା । ବନ୍ଦନା ଉତ୍କଣ୍ଠିତ ହୋଇ ରଙ୍ଗୀନ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ।

 

ବନ୍ଦନା ପଢ଼ିଲା ରାକେଶ ଲେଖିଛି : ମୁଁ ଏକଥା ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି କାରଣ ଦିବାସ୍ୱପ୍ନ ଦେଖିବାକୁ ଘୃଣାକରେ । ବାମନ ହୋଇ କୋଉ ସାହସରେ ଚନ୍ଦ୍ରମାକୁ କାମନା କରିବି । ପଢ଼ି ସାରିଲା ବେଳକୁ ଏତେ ବଡ଼ ବର୍ଷାରେ ମଧ୍ୟ ପରସ୍ତେ ଝାଳବୋହି ଯାଇଥିଲା ବନ୍ଦନାର ।

 

: କିନ୍ତୁ ରାକେଶ ମୁଁ ତୁମକୁ ଅନ୍ତର ଦେଇ ଭଲପାଏ । ଏ ପ୍ରେମ ଗୌରୀର, ଏ ପ୍ରେମ ଇଉର, ଏ ପ୍ରେମ ଜୁଲିଏଟର । ମୋତେ ବିଶ୍ୱାସ କର ରାକେଶ । ଏତେଟା ନିଷ୍ଠୁର ହୁଅନା ।

 

ରାକେଶ ଲେଖିଲା : ବଡ଼ଲୋକଙ୍କର ଖିଆଲ ବଡ଼ ବିଚିତ୍ର ବନ୍ଦନା । ସେମାନଙ୍କର ହୃଦୟକୁ ବୁଝିବା କାଠିକର ପାଠ ।

 

: ରାଜେଶ ମୋତେ ଭୁଲ ବୁଝନା । ତୁମେ ସମସ୍ତଙ୍କୁ ସମାନ ଭାବୁଛ କାହିଁକି ? ମୁଁ ସେ ସମାଜର ଗୋଟିଏ ବ୍ୟତିକ୍ରମ ଧରିନିଅ । କହି କହି ରାକେଶର ଖୁବ୍ ନିକଟକୁ ଆସିଗଲା ବନ୍ଦନା ।

 

ବିଜୁଳି ମାରିଲା । କିଛି ସମୟ ପାଇଁ ଖୁବ୍‌ ଆଲୋକିତ ହୋଇଗଲା ଅନ୍ଧାରିଆ ଗୁମ୍ଫାଟା-। ପରେ ପରେ ବିରାଟ ଗୋଟିଏ ଘଢ଼ଘଢ଼ି । ଏପରି ଏକ ଘଢ଼ଘଢ଼ି ପାଇଁ ବନ୍ଦନା ଆଦୌ ପ୍ରସ୍ତୁତ ନଥିଲା ହଠାତ୍ ଏମିତିଆ ଶବ୍ଦରେ ବନ୍ଦନା ଆତ୍ମ ଗୋପନ କଲା ରାକେଶର ଚଉଡ଼ା ବକ୍ଷରେ ଡରରେ, ଭୟରେ । ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ନଥିଲା ରାକେଶ । ବନ୍ଦନା ଯେମିତି ଖୁବ୍‌ ଡରିଯାଇଥିଲା ।

 

ରାକେଶ କେମିତି ଏକ ଶୀହରଣ ଅନୁଭବ କଲା । ଦେହଟା ତା’ର ଝିମିଝିମି ହୋଇଗଲା । ଶୀତେଇ ଉଠିଲା । କିଛି ବୁଝି ପାରିଲାନି ରାକେଶ । ଛାତିଟା କେମିତି ଧପ୍‌ଧପ୍‌ ହୋଇ ଉଠୁଛି । ହୃତ୍‌ପିଣ୍ଡର ଦୋଳନଟା ଖୁବ୍‌ ଜୋରରେ ବଢ଼ିଯାଇଛି ଯେମିତି ! ବନ୍ଦନାର ଅବସ୍ଥା ବି ଠିକ୍‌ ସେହିପରି । ସେ ବି ରାକେଶ ପରି ଏ କ୍ଷେତ୍ରରେ ନୂଆ । ରାକେଶ ପରି ତା’ର ମଧ୍ୟ କୌଣସି ବା ଅଭିଜ୍ଞତା ନାହିଁ । ଦୁହେଁ ନୂଆ । ଦୁହେଁ ଅନଭିଜ୍ଞ, ନୂତନ ନାବ, ନାବିକ ନୂଆ ।

 

ଉମେଶ ସୁଯୋଗର ସଦୁପଯୋଗ କରିବାପାଇଁ ସ୍ନାପଟିଏ ନେଲା । ଲାଗ ଲାଗ ତିନି ଚାରିଟି ବିଭିନ୍ନ ପୋଜରେ । ଏହିଟା ହେବ ତା’ର ପ୍ରଧାନ ଅସ୍ତ୍ର । ଶୀକାର ମିଳିଯାଇଛି ତାକୁ ।

 

ପରିସ୍ଥିତିର ଦାସ ମନୁଷ୍ୟ ।

 

ବନ୍ଦନାର କବଳରୁ ନିଜକୁ ମୁକ୍ତ କରିଦେଇ ପ୍ରକୃତିସ୍ଥ ହେଲା ରାକେଶ । ନିଜ କୃତକର୍ମ ପାଇଁ ଅନୁତପ୍ତ ହେଲା । ବନ୍ଦନା ମୁହଁକୁ ମୁହଁଟେକି ଚାହିଁବାର ସାହସ ତା’ର କେହି ଯେମିତି ଚୋରାଇ ନେଇଛି !! ବନ୍ଦନା ମଧ୍ୟ ଲାଜରେ ସଢ଼ିଗଲା । ପରିସ୍ଥିତିକୁ ଭାବିନେଇ ଡରିଗଲା ସେ । କେହି ଆଉ ଦେଖି ନାହାନ୍ତି ତ । ମନକୁ ପାପ ଛୁଇଁଲା ବନ୍ଦନାର ।

 

ବର୍ଷାର ପ୍ରକୋପ ଆହୁରି କମିନଥିଲା । ବନ୍ଦନା ଓ ରାକେଶ ନୀରବରେ ଠିଆ ହୋଇଥିଲେ । ସତେ ଯେମିତି ଦୁଇଟି ପଥର ମୂର୍ତ୍ତି । କେହି ଦେଖିଲେ ଭାବିବେ ଦୁହେଁ ଅପରିଚିତ ହେବେ ପରା । ମୁହଁଟେକି ଦୁହେଁ ଚାହିଁବାକୁ ସାହସ କରୁ ନ ଥିଲେ । ମନେ ମନେ ଭାବୁଥିଲେ ‘‘ସେ କ’ଣ ଭାବିଥିବ ।’’

 

ଉମେଶ ଦେଖିଲା ବର୍ଷା ଏହି ନିକଟ ଭବିଷ୍ୟତରେ ଛାଡ଼ିଲା ପରି ଦିଶୁନି । ତେଣୁ ସେ ତଳକୁ ଓହ୍ଲାଇ ଗଲା । ଦେଖିଲା ସମସ୍ତେ ଗୋଟିଏ ଗୋଟିଏ ଗୁମ୍ଫାରେ ଆଶ୍ରୟ ନେଇଛନ୍ତି । ସେ ବର୍ଷାତିଟୀ ଆଣିଥିଲା ବୋଲି ବଞ୍ଚିଗଲା ତା’ର ଇଚ୍ଛା ହେଉଥିଲା ଏହି ନିରୀହ ଝିଅଗୁଡ଼ାକୁ ଭୟଭୀତ କରାଇ ମଜା ଦେଖିବାକୁ । କିନ୍ତୁ ସମୟ ହାତରେ ଖୁବ୍‌ କମ ।

 

ତାକୁ ଘରେ ଖୁବ୍‌ ଶୀଘ୍ର ପହଞ୍ଚିବାକୁ ହେବ ।

 

ତଳକୁ ଆସି ବୁଲେଟରେ ଷ୍ଟାର୍ଟ ଦେଲା ।

 

ବର୍ଷା ପ୍ରାୟ ଛାଡ଼ି ଆସୁଥିଲା ।

 

ମୁହଁ ପୋତି ବନ୍ଦନା କହିଲା : ବର୍ଷା ଛାଡ଼ିଗଲାଣି ଏଥର ଯିବା । ବନ୍ଦନା ଓ ରାକେଶ ତଳକୁ ଚାଲିଲେ । ବର୍ଷା ଯୋଗୁଁ ସ୍ଥାନଟି ଖସଡ଼ା ହୋଇଥିଲା । ବନ୍ଦନାର ଗୋଡ଼ ଖସି ଯାଉଥିଲା ରାକେଶ ତାକୁ ଧରି ନେଇ ଅଟକେଇ ଦେଲା । ଅନ୍ୟ ଝିଅମାନେ ମଧ୍ୟ ତଳକୁ ଆସୁଥିଲେ । ତଳେ ସମସ୍ତେ ଏକାଠି ହେଲେ ।

 

ସମସ୍ତେ ଗାଡ଼ିରେ ଷ୍ଟାର୍ଟ ଦେଲେ ।

 

ତା’ ପରଦିନ ସକାଳୁ ଉଠୁ ଉଠୁ ବହୁତ ଡେରି ହେଲା ବନ୍ଦନାର । ଉଠି ସେ ଦେଖିଲା ରାତ୍ରିର ଚନ୍ଦ୍ର କିରଣର ସ୍ଥାନ ଦିନର ସୂର୍ଯ୍ୟ କିରଣ ପୂର୍ଣ୍ଣ କରିଛି । ଶୀଘ୍ର ନିତ୍ୟକର୍ମ ସାରି ନେଲା । ବାପା ତାକୁ ଚା’ ଟେବୁଲରେ ଅପେକ୍ଷା କରୁଥିବେ । ସେ ଡାଇନିଂ ରୁମ୍‌ ଆଡ଼କୁ ଚାଲିଲା ।

 

ବନ୍ଦନାକୁ ଦେଖି ମୁରାରୀ ବାବୁ କହି ଉଠିଲେ: ଆସ ମା, ତୋତେ ମୁଁ କେତେବେଳୁ ଅପେକ୍ଷା କରିଛି । ବନ୍ଦନା ଆସି ବସିଲା । ଭୋଜନ ପର୍ବ ଆରମ୍ଭ ହେଲା । ଖାଉ ଖାଉ ମୁରାରୀ ବାବୁ ପଚାରିଲେ : ଆଚ୍ଛା ମା’ କହିଲୁ କେମିତି ଲାଗିଲା ସ୍ଥାନଟି ?

 

: ଆପଣଙ୍କର ଯାହା ଚଏସ ନା ବାବା କାହାକୁ ଭଲ ନ ଲାଗିବ ଯେ ।

 

: ସାଙ୍ଗମାନେ କ’ଣ କହିଲେ ?

 

: ଅନେକ ପ୍ରଶଂସା କଲେ । ଆଉ ଥରେ ଯିବେ ବୋଲି ଠିକ୍‌ କରିଛନ୍ତି । ମୋଉନା ତ କହୁଥିଲା ତାକୁ ଆସିବାକୁ ମୋଟେ ଇଚ୍ଛା ହେଉ ନଥିଲା ।

 

ସ୍ଥାନଟି ଉପରେ ଏମିତି ଅନେକ ଆଲୋଚନା ହେଲା ବାପ ଝିଅଙ୍କ ମଧ୍ୟରେ । ରବିଶଙ୍କର ପାଖରେ ଠିଆ ହୋଇ ବୋକାଙ୍କ ପରି ଶୁଣୁଥିଲା । କିଛି ମନ୍ତବ୍ୟ କରିବାକୁ ତା’ର ସାହସ ପାଉନଥିଲା । କାରଣ ସେ ନିଜକୁ ଗୋଟାଏ ଅପଦାର୍ଥ ମନେ କରୁଥିଲା ।

 

ମୁରାରୀ ବାବୁ ଚାଲିଗଲେ ।

 

ବନ୍ଦନା ବାଲକୋନି ଉପରେ ବସିଥିଲା, ବସି–ବୋଧହୁଏ ଗତକାଲିର ପ୍ରଥମ ଅନୁଭୂତିର ମଧୁର ସ୍ମୃତି ସବୁକୁ ମନେ ପକାଉଥିଲା । ତା’ର ମନ ଆକାଶରେ ରଙ୍ଗୀନ ପ୍ରଜାପତି ସବୁ ଉଡ଼ି ବୁଲୁଥିଲେ ।

 

ମୁହଁ ବୁଲାଇ ଚାହିଁଲା ବନ୍ଦନା । ଉମେଶ ଡାକୁଥିଲା ।

 

ମନେ ମନେ ବିରକ୍ତ ହେଲା ସେ । ମଣିଷକୁ ଟିକିଏ ଶାନ୍ତିରେ ବସି ଭାବିବାକୁ ମଧ୍ୟ ଦେବେନି । ଆଉ ମୁହଁରେ ଗୋଟିଏ ଚନ୍ଦ୍ରଉଦିଆ ହସ ଆଙ୍କି କହିଲା–କୁହ ଉମେଶ ଭାଇ କ’ଣ ଖବର ? ଉମେଶ ଚୌକି ଅଧିକାର କରି ବସି କହିଲା: ଏମିତି ଏକାକୀ ବସି କ’ଣ ଭାବୁଥିଲ ? ଆଚ୍ଛା କାଲିର ପିକ୍‌ନିକ୍‌ କେମିତି କଟିଲା ?

 

: ଖୁବ୍‌ ମଜାରେ ।

 

: କିଛି ଅସୁବିଧା ହୋଇନି ତ ?

 

: ନା....

 

: ସ୍ଥାନଟି ପ୍ରାକୃତିକ ଦୃଷ୍ଟିକୋଣରୁ ଦେଖିବାକୁ କେମିତି ?

 

: ଖୁବ୍‍ ସୁନ୍ଦର ।

 

: ଦେଖିବା ଜିନିଷ ସେଠାରେ କ’ଣ ସବୁ ଅଛି ? କେକେ ବାଟ ହେବ ? ସ୍ଥାନଟି ଆମକୁ କେମିତି ଲାଗିବ ବିଶେଷ କରି ମୋତେ ।

 

: ଥରେ ଦେଖି ଆସନ୍ତୁ ।

 

ପଦିକିଆ କଥା ସବୁ ଶୁଣି ଉମେଶର ମନେହେଲା ତା’ର ଦେହ ମୁଣ୍ଡ ଜଳୁଛି ଯେମିତି । କେତେ ଛଳନାମୟୀ ଏହି ନାରୀ । କାଲି ରାକେଶ ସହ କେତେ ସୁନ୍ଦର କଥା ହେଉଥିଲା, ଅଥଚ ମୋ ସହିତ... ‘‘ଠିକ୍‌ ଅଛି’’... ମନେ ମନେ କହିବାକୁ ଯାଇ ବଡ଼ ପାଟିରେ କହିଦେଲା ଉମେଶ ।

 

: କ’ଣ ? ବନ୍ଦନା ପ୍ରଶ୍ନ କଲା ।

 

: ଠିକ୍‌ କଲି, ବନ୍ଧୁମାନଙ୍କୁ ନେଇ ଥରେ ବୁଲି ଆସିବାଟା ଉଚିତ ହେବ । ଆଉ ତୁମର ସବୁ ଖବର କ’ଣ ? ପରୀକ୍ଷାରେ କେମିତି ହୋଇଛି ?

 

: ବିଶେଷ ଭଲ ହୋଇନି ।

 

: ନ ହବାଟା ସ୍ୱାଭାବିକ

 

: ମାନେ !

 

: ମାନେ କଲେଜର ପରିସ୍ଥିତି ଦୃଷ୍ଟିରୁ । ଆଜି ଷ୍ଟ୍ରାଇକ ତ କାଲିକୁ କିଛି ଗୋଟାଏ ଆଳକରି ଛୁଟି ଡିମାଣ୍ଡ । ସେଥିରେ ପୁଣି କଲେଜରେ ଫଙ୍କସନ, ସ୍ପୋର୍ଟସ, ମିଟିଂ ପାର୍ଟି, ପିକ୍‌ନିକ୍‌ ଏକ୍‌ସେଟରା, ଏକ୍‌ସେଟରା–ଏଥିରେ କି ପାଠହୁଏ ?

 

: କିନ୍ତୁ ଘରେ ମୁଁ ତ ମନଦେଇ.....

 

: ପଢ଼ିପାରୁ ନଥିଲ–ଏଇ ତ ? ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ସମସ୍ତଙ୍କର କ୍ଷେତ୍ରରେ ଏଇଆ ହିଁ ହୋଇଥାଏ ।

 

: କ’ଣ ତୁମେ କହିବାକୁ ଚାହଁ ଉମେଶ ଭାଇ ?

 

: ସିଧା କଥା ଏତେ ସବୁ Disturbance ଭିତରେ କି ପାଠ ପଢ଼ିହୁଏ । ଆଚ୍ଛା ମୁଁ ତେବେ ଆସୁଛି ।

 

ଉମେଶ ଚାଲିଗଲା ଆଉ ଲଦି ଦେଇଗଲା ବନ୍ଦନାର ମୁଣ୍ଡରେ ଅନେକ ଅଶାନ୍ତିର ବୋଝ । ସତରେ କ’ଣ ଉମେଶ ସବୁକଥା ଜାଣି ଗଲାଣି କି ?

 

ଏଇ ଉମେଶ ଭାଇ ଜଣେ ମହାଚାତକୀ । ବଦନାମ କରିବାରେ ଓସ୍ତାଦ ।

 

ବନ୍ଦନା କ’ଣ କରିବ କିଛି ବୁଝି ପାରିଲାନି ।

 

ରବିଶଙ୍କର ଡାକୁଥିଲା ।

 

ବନ୍ଦନା ଉଠିଲା ।

 

ଆକାଶରେ ଅନେକ ଆଶ୍ୱସ୍ତିର ବାଦଲ ।

 

ଏହା ଭିତରେ ପ୍ରାୟ ଏକ ସପ୍ତାହ ଅତୀତ ହୋଇଯାଇଛି । ଦୁନିଆର ଅନେକ ଓଲଟ ପାଲଟ ହୋଇଥିବ ତା’ର ହିସାବ କେହି ରଖିନି । ରଖିବାକୁ ମଧ୍ୟ କାହାର ଧୈର୍ଯ୍ୟ ନାହିଁ, ଇଚ୍ଛା ନାହିଁ, ଆଗ୍ରହ ନାହିଁ ।

 

ସେଦିନ ଦିପହରେ ରବିଶଙ୍କର ଖଣ୍ଡେ ଲଫାପା ଆଣିଦେଇ କହିଲା: ଆପଣଙ୍କ ଚିଠି । ଡାକବାଲା ଏଇକ୍ଷଣି ଦେଇଗଲା । ରବିଶଙ୍କର ଚାଲିଗଲା । ରାକେଶର ଦେହଟା ଶୀତେଇ ଉଠିଲା-। ତାକୁ ଏଠାରେ କେହି ଚିଠି ଦିଅନ୍ତି ନାହିଁ । ତେବେ ଘରେ କ’ଣ ତା’ର ଠିକଣା ଜାଣିଗଲେ କି-? ରାକେଶର ମୁଣ୍ଡରେ ଅନେକ ଦୁଃଶ୍ଚିନ୍ତା ଆସି ବସା ବାନ୍ଧିଲା । ଅଶୁଭ କଥାଟିକୁ ପ୍ରଥମେ ଚିନ୍ତା କରିବାଟା ହିଁ ମନୁଷ୍ୟର ବଡ଼ ଦୁର୍ବଳତା ।

 

ଚିଠିଟାକୁ ଖୋଲିଲା ରାକେଶ ।

 

ଚିଠିଟି ଖୋଲିଲା ବେଳକୁ ହାତ ତା’ର ଥରି ଉଠିଲା । ହଠାତ୍‌ ଚିଠିର ଓଜନ ଯେମିତି ଅନେକ ବଢ଼ି ଯାଇଛି !! ହାତ ପୁରାଇ ଟାଣି ଆଣିଲା ସେ । ଲଫାପା ଭିତରୁ ଯାହା ଆସିଲା–ଦେଖି ଆଶ୍ଚର୍ଯ୍ୟ ହେଲା ସେ । ତା’ ଛାତିର ସ୍ପନ୍ଦନ ଶତଗୁଣରେ ବଢ଼ିଗଲା । ଚମକି ପଡ଼ିଲା ସେ । ସେଥିରେ ଥିଲା ବନ୍ଦନା ସହ ତା’ର ଅନେକ ଯୁଗଳ ପ୍ରତିଚ୍ଛବି ଅନେକ ଆଶ୍ଳେଶର ପ୍ରତିଛବି । ଫଟୋ କିଏ ଉଠେଇଲା ? ତେବେ ସେ କ’ଣ ସତରେ ବନ୍ଦନା ସହିତ ସେ ଦିନଟା ଏମିତି କାଟିଥିଲା । ନିଜ ଉପରେ ବିଶ୍ୱାସ ହେଉନଥିଲା ରାକେଶର ।

 

ଶେଷ ଫଟୋଟା ଯେଉଁଥିରେ ଦୁହେଁ ଆଶ୍ଳେଶର ଆବେଷ୍ଟନୀରେ ଆବଦ୍ଧ ଥିଲେ, ଦେଖି ଏକରକମ ଡରିଗଲା ରାକେଶ । ବନ୍ଦନା କିନ୍ତୁ ସେତେବେଳେ ଖୁବ୍‌ ସୁନ୍ଦର ଦେଖାଯାଉଥିଲା । ପରି ରାଇଜର ପରିଟିଏ ବାଟ ଭୁଲି ଚାଲି ଆସିଛି ବୋଧହୁଏ । ଏତେ ଦୁଃଖରେ ମଧ୍ୟ ବନ୍ଦନାକୁ ମନ ପୁରେଇ ଦେଖି ନେବାର ଇଚ୍ଛା ଛାଡ଼ି ପାରିଲାନି ରାକେଶ । ବନ୍ଦନାକୁ ସେ ଯେମିତି ନୂଆ ଦେଖୁଛି ।

 

ହଠାତ୍‌ କ’ଣ କରିବ କିଛି ଠିକ୍‌ କରି ପାରିଲାନି ରାକେଶ । କିଛି ସମୟ ପାଇଁ ସେ ପାଗଳ ହୋଇଯାଇଛି ଯେମିତି । ରାକେଶ ଦେଖିଲା ଆଉଖଣ୍ଡେ କାଗଜ ରହି ଯାଇଛି । ଏକ ପ୍ରକାର ଝାମ୍ପି ଆଣିଲା କାଗଜଟିକୁ । ଦେଖିଲା, ଗୋଟିଏ ଟାଇପ୍‍କରା ଚିଠି ।

 

ରାକେଶ,

 

ତୁମେ ବର୍ତ୍ତମାନ ଖୁବ୍‌ ବ୍ୟସ୍ତ ଜଣାଯାଉଛ । ବୋଧହୁଏ ବିରାଟ ଏକ ଭୁଲ୍‍ କରିଛ । ଚିନ୍ତାନାହିଁ; ମୋତେ ତାହା ଅଜଣା ନାହିଁ । ଏଥିରୁ ରକ୍ଷା ପାଇବାକୁ ହେଲେ ଯେତେ ଶୀଘ୍ର ପାର ଏଠୁ ଚାଲିଯାଅ, ନଚେତ୍‌ ଫଳ ବିଷମୟ ହୋଇ ଉଠିବ । ରହିଲି । ଇତି ।

 

ତୁମର ଜଣେ ଶୁଭାକାଂକ୍ଷୀ ।

 

ଇଙ୍ଗଲିସରେ ଟାଇପ୍‍କରା ଚିଠିଟାକୁ ଏକ ନିଶ୍ୱାସରେ ପଢ଼ିଦେଇ ଚିରିଦେବାକୁ ଯାଉଥିଲା କିନ୍ତୁ କ’ଣ ଭାବି ପକେଟରେ ରଖିନେଲା । ଫଟୋଗୁଡ଼ିକୁ ଲୁଚେଇ ରଖିଲା ।

 

ରାକେଶ ଠିକ୍‌ ବୁଝିପାରୁ ନଥିଲା କିଏ ଏପରି ତା’ର ସର୍ବନାଶ କରିବାକୁ ଚେଷ୍ଟା କରିଲା-। କିଏ ହୋଇପାରେ ସେ ? କି କ୍ଷତି ସେ କରିଥିଲା ତା’ର । ମନେ ମନେ ଭାବି ହେଉଥିଲା ରାକେଶ ।

 

ସେ ଯାହା ହେଉ ପଛେ ତାକୁ ଏଠା ଛାଡ଼ି ଚାଲିଯିବାକୁ ହେବ । ସେ ମୁରାରୀ ବାବୁଙ୍କ ଆଗରେ ମୁହଁ ଦେଖାଇବ କେମିତି ? ମୁରାରୀ ବାବୁ କ’ଣ ଭାବିବେ । ହୁଏତ ସେ ଧକ୍‌କା ମାରି ତଡ଼ି ଦେଇପାରନ୍ତି କିନ୍ତୁ ତା’ ପୂର୍ବରୁ ଚାଲିଯିବାଟା ଶତଗୁଣରେ ଭଲ ନୁହେଁ କି ? ଅନେକ ଦିନ ପର୍ଯ୍ୟନ୍ତ ତାକୁ ହୁଏତ ପୁଣି ଅନିଶ୍ଚିତ ପଛେ ଦୌଡ଼ିବାକୁ ହେବ । ପୁଣି ନିଖୋଜ ହେବାକୁ ପଡ଼ିବ । ବାସ୍ତବିକ କେତେ ସୁନ୍ଦର ସେ ଏଠାରେ ନଥିଲା । କିନ୍ତୁ ବନ୍ଦନା ପାଇଁ.....ଗୋଟିଏ ଝିଅ ପାଇଁ ତା’ ଜୀବନରେ ଗୋଟିଏ ଝଡ଼ ବୋହି ସବୁ ଓଲଟ ପାଲଟ ହେବ । ସେ ଯଦି ପିକ୍‌ନିକ୍‌କୁ ଯାଇ ନଥାଆନ୍ତା ତେବେ ହୁଏତ ତା’ର ଜୀବନଟା ଏଠି କଟି ଯାଇଥାଆନ୍ତା ।

 

ରାମ ରାବଣ ଯୁଦ୍ଧ, କାଞ୍ଚିଯୁଦ୍ଧ, ଟ୍ରୟଯୁଦ୍ଧ–ଏମିତି ତ କେତେ ଯୁଦ୍ଧ ସେମାନଙ୍କ ପାଇଁ ହୋଇଛି । ରକ୍ତର ନଦୀ ବୋହିଛି । ଅନେକ ନିରୀହ ଲୋକ ମୃତ୍ୟୁବରଣ କରିଛନ୍ତି । ଆଉ ଆଜି ବନ୍ଦନା ଲାଗି ତା’ ଜୀବନରେ ଗୋଟିଏ ଝଡ଼ ବୋହିବ ଓହୋ.....ଦୀର୍ଘ ନିଶ୍ୱାସ ଛାଡ଼ିଲା ରାକେଶ ।

 

ବାସ୍ତବିକ ଏ ଦୁନିଆରେ ଗଣ୍ଡିଏ ଖାଇ ଖଣ୍ଡିଏ ପିନ୍ଧି ଶାନ୍ତିରେ ଚଳିବାଟା କି ଯେ କଷ୍ଟକର ବ୍ୟାପାର ! ରାକେଶ ହଠାତ୍‌ ବୁଝି ପାରିଲାନି କିଏ ତା’ର ସର୍ବନାଶ କରିବାକୁ ଚାହୁଛି ? କି କ୍ଷତି ସେ କରିଛି ତା’ର ? ଅନେକ ମନେ ପକାଇଲା ପରେ ମଧ୍ୟ ସେ କାହାର କ୍ଷତି କରିଛି ବୋଲି ତା’ର ମନେ ପଡ଼ିଲାନି । ତେବେ ଏହି ଅପରିଚିତ କୋଉ ଜନ୍ମର ପ୍ରତିଶୋଧ ନେବାକୁ ଚାହୁଛି ? ସେ ଏମିତି କି ପାପ କରିଥିଲା ଯେ ତାକୁ ଏତେ ବଡ଼ ଦଣ୍ଡ ଦିଆଯିବ । ରାକେଶ ମନେ ମନେ ଏହି ସୁନ୍ଦର ପରିବେଶକୁ ଛାଡ଼ି ଚାଲିଯିବାକୁ ଠିକ୍‌ କଲା କିନ୍ତୁ ଯିବା ପୂର୍ବରୁ କିଏ ତାକୁ ଏମିତି ଧମକ ଦେଇଛି ଅନ୍ତତଃ ତାକୁ ଥରେ ଦେଖିବାକୁ ତା’ର ପ୍ରବଳ ଇଚ୍ଛା ହେଲା । ତାକୁ ସେ କିଛି କହିବନି ଖାଲି ତାକୁ ଦେଖିବ, ତାକୁ ଜାଣିବ ତାକୁ ବିଶ୍ଳେଷଣ କରିବ ।

 

ହଠାତ୍‌ ତା’ର ସରଲକ୍‌ ହୋମସଙ୍କ କଥା ମନେ ପଡ଼ିଗଲା । ଆଃ, କି ବୁଦ୍ଧି ଲୋକଟାର-! ଲୋକ ତ ନୁହେଁ ସେ ଜଣେ ଦେବତା, ଅଶରୀର । ହୋମସ୍‌ଙ୍କର କେତୋଟି ଫରମୁଲାକୁ ନେଇ ସେ ବର୍ତ୍ତମାନର ଘଟଣାକୁ ବିଶ୍ଳେଷଣ କରିବାକୁ ଲାଗିଲା ।

 

କିଏ ସେ, ଯେ କି ତା’ର ସୁଖ ଶାନ୍ତିକୁ ଝାମ୍ପି ନେବାକୁ ଚାହେଁ । କାହାର ସେ କି କ୍ଷତି କରିଛି ? ଏହି ବିଶାଳ ବମ୍ବେ ମହାନଗରୀରେ ତା’ର ଯେ କେହି ପରିଚିତ ଶତ୍ରୁ ଅଛି, ଚେଷ୍ଟାକରି ମଧ୍ୟ ମନେ ପକାଇ ପାରିଲାନି ରାକେଶ । ତେବେ କିଏ ? କିଏ ତାକୁ ଏମିତି ହଇରାଣ କରିବାକୁ ଚେଷ୍ଟା କରିଛି ? ବନ୍ଦନା......ବନ୍ଦନା ତାକୁ ବୋକା ବନେଇ ମଜା ଦେଖିବାକୁ ତା’ର ସାଙ୍ଗମାନଙ୍କ ଦ୍ୱାରା ଏମିତି କରିନି ତ ? କିନ୍ତୁ ବନ୍ଦନା ଏତେଦୂର ବିପଦଜନକ ମଜା କାହିଁକି କରିବ ? ସେ କ’ଣ ତାକୁ ଫାନ୍ଦରେ ପକାଇବାକୁ ଚାହେଁ । ଅନେକ ଚେଷ୍ଟା କରିଛି ବନ୍ଦନା ରାକେଶକୁ ନିଜର କରିବାକୁ, ନିଜର କରି ପାଇବାକୁ । କିନ୍ତୁ ସେ ପାରିନି । ସେ ଆଉ ନୂଆ ଫରମୂଲା ପକେଇନି ତ ? କଥାଟିକୁ ଚିନ୍ତାକରି ଝାଳେଇ ଗଲା ରାକେଶର ଦେହ ! ଅଥଚ ପଙ୍ଖାଟା ଫୁଲ୍‌ସ୍ପିଡ଼୍‌ରେ ଘୁରୁଛି !!

 

ଚିଠିର ଭାଷାକୁ ଭଲକରି ମନେପକାଇଲା ରାକେଶ ! ବନ୍ଦନା ପରି ସୁନ୍ଦରୀ କୋମଳାଙ୍ଗୀ ତରୁଣୀ ଏତେ କଠୋର ଭାଷା କଦାପି ଲେଖି ନଥିବ । ସେ ହୁଏତ କେବଳ ଫଟୋ ଗୁଡ଼ାକ ତା’ ପାଖକୁ ପଠାଇ ଥାଆନ୍ତା ତା’ ମନରେ ଆକର୍ଷଣ ସୃଷ୍ଟି କରିବାକୁ, ଉତ୍ତେଜନା ସୃଷ୍ଟି କରିବାକୁ, ପ୍ରେମର ମନ୍ଦାକିନୀ ସୃଷ୍ଟି କରିବାକୁ । ବନ୍ଦନା କି ଚାହେଁ କଳେବଳେ କୌଶଳେ ତାକୁ ପାଗଳ କରିଦେବାକୁ, ଦୁର୍ବଳ କରିଦେବାକୁ, ପ୍ରେମିକ କରି ଦେବାକୁ । ନା....କଦାପି ଏତେ ନୀଚ ହୋଇ ପାରେନା, ଏତେ ଘୃଣ୍ୟ ହୋଇ ପାରେନା ଏତେ କଦର୍ଯ୍ୟ ହୋଇ ପାରେନା । ତେବେ କିଏ.... ??

 

ତେବେ ରବିଶଙ୍କର...... !!

 

ରବିଶଙ୍କର କଥା ଚିନ୍ତା କରିବା ପରେ ରାକେଶ ମୁହଁରେ ସାମାନ୍ୟ ହସର ଝଲକ ଦେଖା ଦେଲା । ବୋଧହୁଏ ସେ ଭାବୁଥିଲା । ରବିଶଙ୍କର ପରି ଏତେ ସରଳ ଲୋକ କାଦୁଅର ଏତେ ଭିତରକୁ ଗୋଡ଼ ବଢ଼ାଇବନି । ରବିଶଙ୍କରକୁ ସେ ସନ୍ଦେହର ପରିଧି ଭିତରକୁ ଟାଣି ପାରିଲାନି କାରଣ ରାକେଶ ତାକୁ ଭଲ କରି ଜାଣେ ।

 

ଆଉ ଉମେଶ......

 

ଉମେଶ ସହ ତା’ର କେବେ ଝଗଡ଼ା ହେବା କଥା ତା’ର ମନେ ପଡ଼ୁନି । ତେବେ ଉମେଶ କାହିଁକି ତା’ର ଖାଇବା ଭାତରେ ଧୂଳିଦେବ ? ତା’ ସହିତ ତ ସେ କେବେ ବେଶୀ ସମୟ ଧରି ରହିନି । ଝଗଡ଼ା କରିବା ତ ଦୂରର କଥା ତା’ ସହିତ ବହୁତ ସମୟ ଦେଖା ମଧ୍ୟ ହୁଏନି ରାକେଶର । ଉମେଶ ଯେ ଏମିତି କରିଥିବ ହଠାତ୍‌ ବିଶ୍ୱାସ କରି ପାରିଲାନି ରାକେଶ ।

 

ବନ୍ଦନା ଏବଂ ତା’ର ସମ୍ପତ୍ତିକୁ ଭିନ୍ନ ଆଖିରେ ଦେଖି ସେଦିନ ପିକ୍‌ନିକ୍‌ର ସୁଯୋଗ ନେଇ, ଜାଣି ଜାଣି ଉମେଶ ଏହି ନାଟକକୁ ସୃଷ୍ଟି କରିନି ତ ? ଆଉ ମନର କେଇଟା କୁତ୍ସିତ କଳ୍ପନାକୁ ରୂପ ଦେବାକୁ ଯାଇ ଫଟୋ ଗୁଡ଼ାକର ସୁଯୋଗ ନେଇନି ତ ? କିନ୍ତୁ....ବନ୍ଦନାର ବନ୍ଧୁମାନେ ଯାଇଛନ୍ତି ବୋଲି ସେ ତ ପିକ୍‌ନିକ୍‌କୁ ଯାଇ ନଥିଲା । କିଛି ବୁଝିପାରୁ ନଥିଲା ରାକେଶ । ତା’ର ମୁଣ୍ଡ ଭିତରଟା ଯେମିତି ଟକର ମକର ଫୁଟିବାକୁ ଆରମ୍ଭ କରିଛି !!

 

ମୁରାରୀ ବାବୁ, ତାଙ୍କ ଅଫିସ ଆସିଷ୍ଟାଣ୍ଟ.....ଆଃ–କାହାକୁ ସେ ସନ୍ଦେହ କରିବ । ସମସ୍ତେ ଯେମିତି ତା’ର ସନ୍ଦେହ ପରିଧିରୁ ବାହାରି ଯାଉଛନ୍ତି !! ଅଫିସ୍‌ ଆସିଷ୍ଟାଣ୍ଟ ଦୋଳଗୋବିନ୍ଦ ବାବୁ କେଇଟା ଫାଇଲ ଧରି ଆସନ୍ତି ଏବଂ କାମସାରି ଚାଲିଯାଆନ୍ତି । ଦୋଳଗୋବିନ୍ଦ ବାବୁ ଦେଖିବାକୁ ସୁନ୍ଦର, ଗୋରା ଡେଙ୍ଗା । ସରଳ ସରଳ ଜଣା ପଡ଼ନ୍ତି । ଅପରାଧୀର ଚେହେରା ତାଙ୍କ ପାଖରେ ନାହିଁ । କେତେଥର ସେ ଗାଡ଼ିରେ ନେଇ ତାଙ୍କୁ ଘରେ ଡ୍ରପ କରି ଆସିଛି । ସେ କାହିଁକି ତା’ ଖାଇବା ଭାତରେ ଧୂଳି ଦେବାକୁ ଯାଉଥିଲେ, ଯିଏକି କେବେ ତାକୁ ମୁହଁ ଖୋଲି ଆଦେଶ ମଧ୍ୟ ଦେଇନାହାନ୍ତି କଡ଼ାକଥା କହିବା ତ ଦୂରର କଥା ।

 

ମୁରାରୀ ମୋହନ ବାବୁ....

 

ମୁରାରୀ ବାବୁ ତାକୁ ସ୍ନେହ କରନ୍ତି । ନିଜ ପୁଅ ପରି ଦେଖନ୍ତି । ତାଙ୍କର ଏମିତି ଚିଠି ଦେବା କ’ଣ ଦରକାର । ସେ ତ ସିଧା ବାହାରି ଯିବାକୁ ଆଦେଶ ଦେଇପାରି ଥାଆନ୍ତେ । ସେ ତ ଦୟା କରି ତାକୁ ରଖିଛନ୍ତି । ବନ୍ଦନା ଏବଂ ତା’ର ସଂପର୍କକୁ ସେ ଅନ୍ୟ ଦୃଷ୍ଟିରେ ଦେଖି ନାହାନ୍ତି ତ-? କେହି ତାଙ୍କ କାନରେ ଗୁଜବର ଗରଳ ଢାଳିନି ତ ? ବୋଧହୁଏ ଏସବୁ ଗୁଜବ ଶୁଣିବା ପରେ ତାଙ୍କ ମନରେ ଆନ୍ଦୋଳନ ସୃଷ୍ଟି ହୋଇଛି କିନ୍ତୁ ଏତେ ଦିନର ସ୍ନେହ ମମତା ତାଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧି ଦେଇଛି ଏବଂ ସେ ମୁହଁ ଖୋଲି କିଛି କହିପାରି ନାହାନ୍ତି । କିଛି ଗୋଟାଏ ଘଟିବା ପୂର୍ବରୁ ରାକେଶର ଚାଲିଯିବା ଉଚିତ ବୋଲି ଭାବିଛନ୍ତି ଯାହା ଫଳରେ......

 

ରବିଶଙ୍କର ଆସିଲା ।

 

ଅନ୍ୟମନସ୍କ ଭାବରେ ବସି ରହିଥିଲା ରାକେଶ । ସେ ରବିଶଙ୍କର ଆସିବା ଖବର ମୋଟେ ଜାଣିପାରି ନଥିଲା । ଅବଶ୍ୟ ଏଇଟା ରବିଶଙ୍କର ପାଇଁ କିଛି ନୂଆ କଥା ନୁହେଁ । ସେ ସବୁଦିନ ଡାକିବା ପରେ ହିଁ ଭାବନା ରାଇଜରୁ ଫେରେ ରାକେଶ । ଆଶ୍ଚର୍ଯ୍ୟ ହୁଏ ରବିଶଙ୍କର । ତା’ର ମନେହୁଏ ରାକେଶ ବାବୁ ଯେମିତି ଅର୍ଦ୍ଧପାଗଳ, କିନ୍ତୁ ମୁହଁ ଖୋଲି କିଛ କହିପାରେନି । ଆଉ ଆଜି ମଧ୍ୟ ରବିଶଙ୍କର ପାଟିକରି ଡାକିଲା : ରାକେଶ ବାବୁ ! ଚା’...

 

ମୁହଁ ବୁଲାଇ ଚାହିଁଲା ରାକେଶ । ହାଠାତ୍‌ ରବିଶଙ୍କରକୁ ନିଜର ଖୁବ୍‌ ନିକଟରେ ଆବିଷ୍କାର କରି ଚମକି ପଡ଼ିଲା ରାକେଶ । ‘ଚା’ କପ୍‌ଟିକୁ ଟେବୁଲ ଉପରେ ରଖିଦେଇ ବସିବାକୁ ନିର୍ଦ୍ଦେଶ ଦେଲା । ଆଶ୍ଚର୍ଯ୍ୟ ହେଲା ରବିଶଙ୍କର, ରାକେଶ ତାକୁ ବସିବାକୁ କହୁଛି !! ଅଗତ୍ୟା ସେ ବସିପଡ଼ି, ବୋକାଙ୍କ ପରି ରାକେଶର ମୁହଁକୁ ବଲବଲ କରି ଚାହିଁ ରହିଲା ।

 

ଖଣ୍ଡେ କାଗଜ ଟାଣିଆଣି ଲେଖିବାରେ ଲାଗିଲା ରାକେଶ ।

 

: ଆଚ୍ଛା ରବି, ଆମେ ଯେଉଁଦିନ ପିକ୍‌ନିକ୍‌ ଯାଇଥିଲୁ, ମୁରାରୀ ବାବୁ ଏବଂ ଦୋଳ ଗୋବିନ୍ଦ ବାବୁ କ’ଣ ଘରେ ଥିଲେ ? କାଗଜଟା ରବିଶଙ୍କରର ହାତକୁ ବଢ଼ାଇ ଦେଇ ଉତ୍ତରକୁ ପ୍ରତୀକ୍ଷା କଲା ରାକେଶ ।

 

: ହଁ । ବଡ଼ବାବୁ ଓ ଦୋଳ ଗୋବିନ୍ଦ ବାବୁ ତ ଅନେକ ସମୟ ଘରେ ଥିଲେ । ତା’ପରେ ଦୁହେଁ ମିଶି ଅଫିସ ଚାଲିଗଲେ ଏବଂ ବାବୁ ଠିକ୍‌ ସମୟରେ ଫେରି ଆସିଥିଲେ । କାହିଁକି କ’ଣ ହେଲା କି ? କାଗଜଟିକୁ ପଢ଼ିସାରି ଆଶ୍ଚର୍ଯ୍ୟ ହୋଇ ପଚାରିଲା ରବିଶଙ୍କର ।

 

: ଆଚ୍ଛା ଉମେଶ ବାବୁ–ସେ କ’ଣ ଘରେ ଥିଲେ ? ରବିଶଙ୍କରର ପ୍ରଶ୍ନର କୌଣସି ଉତ୍ତର ନଦେଇ ପୁଣି ଲେଖିଦେଲା ରାକେଶ ।

 

: ଉମେଶ ବାବୁ ଥିଲେ କେତେବେଳେ ? ସେ ପରା ତୁମେ ଯିବାର ପ୍ରାୟ ଅଧଘଣ୍ଟାକ ପରେ ମୋଟର ସାଇକେଲ, କ୍ୟାମେରା ଇତ୍ୟାଦି ଧରି ତରତରରେ ଚାଲିଗଲେ । ମୁଁ ପଚାରିଲାରୁ କହିଲେ କଲେଜକୁ ମନ୍ତ୍ରୀ ଆସୁଛନ୍ତି ଯେ ଫଟୋ ଉଠାଇବା ଦାୟିତ୍ୱରେ ସେ ଅଛନ୍ତି । କଲେଜରେ କୁଆଡ଼େ ତାଙ୍କୁହିଁ ସବୁ ଦାୟିତ୍ୱ ତୁଲାଇବାକୁ ପଡ଼େ । କାହିଁକି କ’ଣ ହେଲା ? ବାବୁ ଆପଣ ଏ ସବୁ କାହିଁକି ପଚାରୁଛ ।’’ ଏକ ନିଶ୍ୱାସକେ କହିଦେଇ ରବିଶଙ୍କର ରାକେଶକୁ ଉତ୍ତର ଆଶାରେ ଚାହିଁ ରହିଲା ।

 

ରବିଶଙ୍କରର ପ୍ରଶ୍ନକୁ, ରାକେଶ ‘‘ନାହିଁ, କିଛି ନାହିଁ’’ ଭଙ୍ଗୀରେ ମୁଣ୍ଡ ଟୁଙ୍ଗାରି, ଚା’ କପ୍‌ ଧରି ସିପ୍‌ ନେବାରେ ଲାଗିଲା । କିଂକର୍ତ୍ତବ୍ୟବିମୂଢ଼ ହୋଇ ରବିଶଙ୍କର ଫେରିଗଲା କାରଣ ସେ ଭଲକରି ଜାଣିଥିଲା ରାକେଶ ତାକୁ କୌଣସି ଉତ୍ତର ଦେବନି ।

 

ଝରକା ଦେଇ ଚାହିଁରହି ଚା’ ସିପ୍‌ କରୁଥିଲା ରାକେଶ । ଭାବନାରେ ଭାରାକ୍ରାନ୍ତ ମସ୍ତିସ୍କ ତା’ର ବେଳକୁ ବେଳ ଅଧିକ ଭାରାକ୍ରାନ୍ତ ହେବାକୁ ଲାଗିଥିଲା ।

 

ଅପୂର୍ବ ସନ୍ଧ୍ୟା ପୂର୍ବ ଦିନପରି ପୂର୍ବ ଆକାଶରେ ପୁଲକିତ ହେଉଥିଲା ।

 

ଚବିଶ ଘଣ୍ଟାର ସମୟମାନେ ଧାଡ଼ି ବାନ୍ଧି ଚାଲିଗଲା ପରେ, ରାକେଶ ମୁରାରୀ ବାବୁଙ୍କୁ ଫ୍ୟାକ୍ଟେରି ଅଫିସରେ ଡ୍ରପ କରି ତାକୁ ରୁମ୍‌କୁ ଫେରି ଶାନ୍ତିରେ ନିଶ୍ୱାସ ମାରିଲା ଏବଂ ବମ୍ବେ ପେଟନ ଖଟ ଉପରେ ଶୋଇ ଶୋଇ ସେ ଚିନ୍ତା କରୁଥିଲା ସରଲକ୍‌ ହୋମସଙ୍କ କୋଉ ଫରମୂଲାଟିକୁ ପ୍ରୟୋଗ କଲେ ସେ ସଫଳ ହୋଇ ପାରିବ ଦ ।

 

ହଠାତ୍‌ ରାକେଶର ମନେ ପଡ଼ିଲା, ବର୍ତ୍ତମାନ ରବିଶଙ୍କର ଓ ତା’ ଛଡ଼ା ବଙ୍ଗଳାର ଆଉ କେହି ନାହାନ୍ତି । ତା’ର ଇଚ୍ଛା ହେଲା ଉମେଶର ରୁମ୍‌କୁ ଥରେ ଦେଖି ନେବାକୁ । ସେ ଚଞ୍ଚଳ ପଦକ୍ଷେପରେ ଉମେଶର ରୁମ୍‌ ଆଡ଼କୁ ଚାଲିଲା । ପାଞ୍ଚ ମିନଟ ଭିତରେ ସେ ଉମେଶର ରୁମ୍‌ ସାମନାରେ ଠିଆ ହୋଇଥିଲା । ସେ ଦେଖିଲା ଉମେଶ ରୁମ୍‌ର କବାଟରେ ଗଡ଼ରେଜର ତାଲା ଝୁଲୁଥିଲା । ଉମେଶ ଯେ ପ୍ରତିଦିନ ତା’ର ରୁମ୍‌ରେ ତାଲା ପକାଇ ଯାଏ, ବର୍ତ୍ତମାନ ଜାଣିଲା ରାକେଶ । ବେଶୀ ସମୟ ସେଠାରେ ଠିଆହେବା ଉଚିତ ହେବନି ଭାବି ସେ ରୁମ୍‌କୁ ଫେରି ଆସିଲା ।

 

ରାକେଶର ମନେ ପଡ଼ିଲା ତା’ ପାଖରେ ପ୍ରାୟ ପନ୍ଦରଟି ଖଣ୍ଡେ ଗଡ଼ରେଜ ତାଲାର ଚାବି ଅଛି । ସେ ଘରେ ଥିଲାବେଳେ ସେଗୁଡ଼ାକୁ ଯତ୍ନରେ ରଖିବା ଦାୟିତ୍ୱରେ ଥିଲା ଏବଂ ଆସିଲା ବେଳେ ତାଆରି ଟ୍ରଙ୍କରେ ଚାଲିଆସିଛି । ବର୍ତ୍ତମାନ ତା’ର କାମରେ ଆସିବ ସେଗୁଡ଼ାକ । ରାକେଶ ଭଲକରି ଜାଣିଥିଲା ଯେ ଗଡ଼ରେଜ ତାଲା ଗୁଡ଼ିକ ଅନ୍ୟ ନମ୍ବରର ଗଡ଼ରେଜ ଚାବିରେ ଖୋଲିଯାଆନ୍ତି । ଖୁବ୍‌ ଶୀଘ୍ର ରାକେଶ ଟ୍ରଙ୍କ ଖୋଲି ଚାବି ଗୁଡ଼ାକୁ ବାହାର କଲା ଏବଂ ଉମେଶର ରୁମ୍‌ ଆଡକୁ ଲମ୍ବା ଲମ୍ବା ପାଉଣ୍ଡ ପକାଇ ଚାଲିଲା ।

 

ଉମେଶର ରୁମ୍‌ ନିକଟରେ ପହଞ୍ଚିସାରି ରାକେଶ ଭଲ ଭାବରେ ଚାରିଆଡ଼କୁ ଦେଖିନେଲା । ରବିଶଙ୍କର ବୋଧହୁଏ ଭିତରେ ଆଡ଼େ ବ୍ୟସ୍ତ ଅଛି । ଚାବି ଗୁଡ଼ାକ ବାହାର କରି ଗୋଟାକ ପରେ ଗୋଟାଏ ଚେଷ୍ଟା କରିଗଲା ସେ । ପରସ୍ତେ ଝାଳ ବୋହିଗଲା ତା’ର କାରଣ ରାକେଶ ଭଲକରି ଜାଣିଥିଲା ଏଇଟା ମଧ୍ୟ ଏକରକମ ବେଆଇନ କାମ । ମଝିରେ ମଝିରେ ଚାରିଆଡ଼କୁ ଆଖି ବୁଲେଇ ଚେଷ୍ଟା କରୁ କରୁ ରାକେଶ ଦେଖିଲା ତାଲାଟି ଖୋଲିଗଲା । ଖୁବ୍‌ ଶୀଘ୍ର ରୁମ୍‌ ଭିତରକୁ ପ୍ରବେଶ କରି ଭିତରପଟୁ ବନ୍ଦ କରିଦେଲା ସେ ।

 

ଉମେଶର ଟେବୁଲ ନିକଟରେ ପହଞ୍ଚି ତା’ର ବହିପତ୍ର ଇତ୍ୟାଦି ଘଣ୍ଟାଘଣ୍ଟି କଲା ରାକେଶ । ପ୍ରାୟ ପନ୍ଦର ମିନିଟ ଏହିପରି ଘଣ୍ଟାଘଣ୍ଟି କରିବା ପରେ ଉମେଶର ବମ୍ବେ ପେଟେନ ଖଟର ଡନ୍‌ଲପ ଗଦି ତଳୁ ଆବିଷ୍କାର କଲା କେତୋଟି ଫଟୋ କିନ୍ତୁ ନେଗେଟିଭ ଗୁଡ଼ାକ ପାଇଁ ଅନେକ ଚେଷ୍ଟା କରି ହତାଶ ହେଲା । ରାକେଶ ବହୁତ ଚେଷ୍ଟାକରି କିଛି ଲାଭ ହେଲାନି ତା’ର । ବେଶୀ ସମୟ ସେଠି ରହିବାଟା ବିପଦଜନକ ଜାଣି ରାକେଶ ଖୁବ୍‌ ଶୀଘ୍ର ତାଲା ପକାଇ ଫେରି ଆସିଲା । ଆସିବା ପୂର୍ବରୁ ରୁମ୍‌ଟିକୁ ପୂର୍ବପରି ସଜାଡ଼ି ଦେଲା ଏବଂ ଫଟୋଗୁଡ଼ାକ ପକେଟରେ ରଖିବାକୁ ଭୁଲିଲାନି । ନିଜ ରୁମ୍‌ର ବମ୍ବେ ପେଟେନ ଖଟ ଉପରେ ନିଜକୁ ଅଜାଡ଼ି ଦେଇ ଦୀର୍ଘ ନିଶ୍ୱାସ ତ୍ୟାଗକଲା ସେ ।

 

ଉମେଶ ଯେ ଏତେ କୁତ୍ସିତ, ଏତେ କଦର୍ଯ୍ୟ ଚରିତ୍ରର ଲୋକ ହୋଇପାରେ ବର୍ତ୍ତମାନ ଜାଣିଲା ରାକେଶ । ଅଥଚ ଲୋକଟା ଶାନ୍ତଶିଷ୍ଟ ପରି ଜଣାପଡ଼େ । ବନ୍ଦନା ଏବଂ ତାକୁ ଏକାଠି ଦେଖିଲେ ଅବଶ୍ୟ ଟିକିଏ ଚଙ୍ଗ୍‌ ଚଙ୍ଗ୍‌ ହୁଏ । ମୁହଁର ଡିଜାଇନ ବଦଳିଯାଏ । ହଠାତ୍ ଜଣାପଡ଼େ ସତେ ଯେମିତି ସେ ଛ’ ମାସର ମଳୁ !! ଆଉ ସେହି ଛ’ମାସର ମଳୁ ଆଜି ଦାରାସିଂର ବଳ ନେଇ ତା’ର ମନର ଯୁଦ୍ଧ ଭୂମିରେ ତାକୁହିଁ ହତ୍ୟା କରିବାକୁ ପଛପଟୁ ଲୁଚି ଛପି ଆଗେଇ ଆସୁଛି । ରାକେଶ ସବୁ ଜାଣୁଛି ଅଥଚ ଇଚ୍ଛା କରି ମଧ୍ୟ ସେ ତା’ର କିଛି କରି ପାରୁନି !!

 

ରାକେଶ ଜାଣିଥିଲା ଉମେଶ ଜଣେ ଭଦ୍ର ସନ୍ତାନ ବୋଲି, ଜାଣି ନ ଥିଲା ସେ ଭଦ୍ର–ପୋଷାକର ଆବରଣ ତଳେ ଏମିତି କୁତ୍ସିତ ଗୋଟାଏ ଚରିତ୍ର ଆତ୍ମଗୋପନ କରିଛି ବୋଲି !! ‘‘ପ୍ରେମ ଏବଂ ଯୁଦ୍ଧରେ ସବୁ ଜିନିଷ ନ୍ୟାୟ’’ ବୋଲି ସେ ଶୁଣିଛି ତଥାପି ରାକେଶ, ସେ ଚିନ୍ତାଧାରା ସହ ଏକମତ ହୋଇ ପାରୁ ନଥିଲା ।

 

ବନ୍ଦନା ପରି ଜଣଣେ କୁବେର ଦୁଲାଳୀ ଉର୍ବଶୀ, ରାକେଶ ପରି ଏକ କୁତ୍ସିତ ଭିକାରୀକୁ ଭଲ ପାଇ ପାରେ ବୋଲି ଉମେଶ କେମିତି ବିଶ୍ୱାସ କଲା !! ଉମେଶ କି ଆଉ ବନ୍ଦନାର କାର୍ଯ୍ୟକଳାପକୁ ଲକ୍ଷ୍ୟ କରିଛି ? ଆଉ ବନ୍ଦନାର ସେହି ପାଗଳାମି ଯୋଗୁଁ ତା’ର ମାନସିକ ଶାନ୍ତି ସବୁ କେଉଁ ଏକ ଅଜଣା ସମୁଦ୍ରର ଗଭୀର ଜଳରେ ବୁଡ଼ି ଆତ୍ମହତ୍ୟା କରିଛନ୍ତି । ବନ୍ଦନା କେମିତି ଜାଣିବ, କି ଯନ୍ତ୍ରଣାର ଶିକାର ହୋଇଛି ସେ । ଆଃ...କ’ଣ ସେ କରିବ କିଛି ବୁଝିପାରୁ ନଥିଲା ରାକେଶ ।

 

ଉତ୍ତେଜନା ଏବଂ ବିରକ୍ତିମାନେ ରାକେଶର ମନ ଭୂଇଁ ପରେ ଆନ୍ଦୋଳନ ଆରମ୍ଭ କରିଥିଲେ । ରାକେଶ କ’ଣ କରିବ ଏବଂ କ’ଣ ନ କରିବ, କିଛି ବୁଝିନପାରି ରୁମ୍‌ର ବାହାକୁ ଆସି ନିଜକୁ ରକ୍ଷା କରିବାକୁ ଉଚିତ ମନେ କଲା । ବାହାରକୁ ଆସି ରାକେଶ, ଉମେଶକୁ ଆବିଷ୍କାର କଲାପରେ ତା’ର ମନେହେଲା ହଠାତ୍‌ ସେ ଯେମିତି ଚୋରାବାଲିର ଶିକାର ହୋଇ ବେଳକୁ ବେଳ ଆହୁରି ନିମ୍ନଗାମୀ ହଉଛି !! ଉମେଶ କି ତେବେ ଲୁଚି ରହି ତାକୁ ଲକ୍ଷ୍ୟ କରୁଥିଲା । ମନରେ ତା’ର ସନ୍ଦେହ ସବୁ ଉବୁଟୁବୁ ହଉଥିଲେ । ନିଜର ଭାବନାକୁ ମୁହଁରେ ଟିକିଏ ମାତ୍ର ପ୍ରତିଫଳିତ ହେବାକୁ ନଦେଇ ରାକେଶ, ଉମେଶକୁ ନୀରବରେ ଲକ୍ଷ୍ୟ କଲା ।

 

ଉମେଶ, ରାକେଶର ଖୁବ୍‌ ନିକଟକୁ ଚାଲି ଆସିବା ପରେ ମଧ୍ୟ ରାକେଶର କିଛି ପରିବର୍ତ୍ତନ ହେଲାନି । ସେ ପୂର୍ବପରି ନିଶ୍ଚଳ ଭାବରେ ଠିଆହୋଇ ଉମେଶକୁ ଦୃଷ୍ଟିପାତ କରୁଥିଲା-। ଉମେଶ ଦେଖିଲା ରାକେଶ ସେମିତି ଠିଆହୋଇ ତାହାରି ଆଡ଼କୁ ଦେଖୁଛି । ସନ୍ଦେହରେ ପଡ଼ିଗଲା ।

ଉମେଶ ପଚାରିଲା : କ’ଣ ଏମିତି ଠିଆ ହୋଇଛ ରାକେଶ ?

ରାକେଶ ନିଶ୍ଚଳ ଏବଂ ଦୃଷ୍ଟି ଉମେଶ ଉପରେ ।

: କ’ଣ ହୋଇଛି ତୁମର, ରାକେଶ ? ମନରେ ତା’ର ସନ୍ଦେହ ସବୁ ଜମାଟ ବାନ୍ଧୁଥିଲେ-

ରାକେଶର ଚକ୍ଷୁରେ ଅସ୍ତରଙ୍ଗ !

: ଆରେ ଏମିତି ଅନେଇଛ କ’ଣ ? ସାମାନ୍ୟ ଗମ୍ଭୀର ହୋଇ କହିଲା ଉମେଶ ।

ରାକେଶର ଚକ୍ଷୁ ଜଳୁଛି ଯେମିତି !!

: ଲୋକଟା ବୋଧହୁଏ ହଠାତ୍‌ ପାଗଳ ହୋଇଗଲା । ସ୍ୱଗତୋକ୍ତି କଲା ଉମେଶ ଏବଂ କାନ୍ଧକୁ ବିଶେଷ ଢଙ୍ଗରେ ଝଟକା ଦେଇ ସେ ତା’ର ରୁମ୍‌ ଆଡ଼କୁ ଚାଲିଲା । ଗଲାବେଳକୁ ପଛକୁ ଥରେ ଦୁଇଥର ରହି ଦେଖିଲା ରାକେଶ ତାକୁ ପୂର୍ବପରି ଚାହିଁ ରହିଛି । ସାମାନ୍ୟ ଭୟଭୀତ ହେଲା ଉମେଶ । ତା’ର ମନେହେଲା ରାକେଶ ଯେମିତି ସବୁ ଜାଣି ଯାଇଛି । ରାକେଶର ଶାରୀରିକ ଶକ୍ତିକୁ ନିଜ ଶକ୍ତି ସହ ତୁଳନା କରି ଭୟଭୀତ ହେଲା ସେ । ରୁମ୍‌ ଭିତରକୁ ଯାଇ ଗୋଟାଏ ବିହଙ୍ଗମ ଦୃଷ୍ଟି ତୋଳିଲା ଉମେଶ । ବୁଝିବାକୁ ବାକି ରହିଲାନି । କେହି ତା’ର ରୁମରେ ତନ୍‌ ତନ୍‌ କିଛି ଖୋଜିଛି ।

ଡନଲପ ଗଦିତଳେ ନିଜର ଇପସିତ୍‍ ବସ୍ତୁ ନପାଇ ତା’ର ସନ୍ଦେହ ସତ୍ୟରେ ପରିଣତ ହେଲା ।

ଟ୍ରାଂଜିଷ୍ଟରରୁ ଗୋଟାଏ ପରେ ଗୋଟିଏ ବ୍ୟାଟେରୀ ବାହାର କରି ବିଜେତାର ହସ ହସିଲା ଉମେଶ ।

ଇତି ମଧ୍ୟରେ ପ୍ରାୟ ପାଞ୍ଚଦିନ ଅତିବାହିତ ହୋଇଛି । ପ୍ରତି ସାକ୍ଷାତରେ ରାକେଶ, ଉମେଶ ପ୍ରତି ପୂର୍ବପରି ବ୍ୟବହାର କରିଛି । ଉମେଶ ତା’ ପାଖରେ ଠିଆ ହେବାକୁ ସାହସ କରିନି, ବାଟ ଭାଙ୍ଗି ଚାଲିଯାଇଛି । ସେ ନିଶ୍ଚୟ ଚାଲିଯିବ କିନ୍ତୁ ଚାଲିଯିବା ପୂର୍ବରୁ ଉମେଶର ଭଦ୍ର ମୁଖାଟିକୁ ଖୋଲି ଦେଇଯିବ ବନ୍ଦନା ଆଗରେ । ସେ ଅପେକ୍ଷା କରିଛି ଉମେଶର ଦ୍ୱିତୀୟ ଚିଠିକୁ ବା ସମ୍ମୁଖ ଯୁଦ୍ଧ ଆହ୍ୱାନକୁ । ଏ ଦୁଇଟା ନିଶ୍ଚିତ ଭାବରେ ଗୋଟାକର ସାହାଯ୍ୟ ନେବ ଉମେଶ । ତେବେ ଏତେ ବିଳମ୍ବ କାହିଁକି ? ବିଶେଷ ବିଳମ୍ବକୁ ସେ ଯେମିତି ଆଉ ସହ୍ୟ କରି ପାରିବନି ! ପ୍ରତିଟି ମୁହୂର୍ତ୍ତ ସେ ଯେମିତି ନିଆଁର ଘେର ମଧ୍ୟରେ କଟଉଛି !!

ରବିଶଙ୍କର ତା’ ପାଇଁ ଚା’ ନେଇ ପଶି ଆସିଲା ଏବଂ ହାତରେ ଖଣ୍ଡେ ଲଫାପା । ଚା’ କପ୍‌ଟିକୁ ଟେବୁଲ ଉପରେ ରଖି ଲଫାପାଟିକୁ ରାକେଶକୁ ବଢ଼ାଇ ଦେଉ ଦେଉ ରବିଶଙ୍କର କହିଲା: ଆଜିକାଲି ଆପଣଙ୍କ ପାଖକୁ ବହୁତ ଚିଠି ଆସୁଛି ତ !

 

ରାକେଶ କିଛି କହିଲାନି, ସାମାନ୍ୟ ହସିଲା ।

 

ରବିଶଙ୍କର ଗୋଟାଏ ରହସ୍ୟ ପୂର୍ଣ୍ଣ ହସ ହସି ଚାଲିଗଲା ।

 

ଲଫାପାଟିକୁ ଚିରି ଚିଠିଟିକୁ ବାହାର କରି ଆଣିଲା ରାକେଶ । ପୂର୍ବପରି ସେ ଚିଠିକୁ ଦେଖି ଭୟଭୀତ ହୋଇନି । ସେତ ଏହି ଚିଠିକୁ ଅପେକ୍ଷା କରିଥିଲା । ତେବେ ସେ ଆଶ୍ଚର୍ଯ୍ୟ ହେଲା, ଉମେଶର ହାତଲେଖା ଚିଠିକୁ ଦେଖି । ଏଥର ଉମେଶ ଇଂରାଜୀରେ ଟାଇପ କରା ଚିଠି ନଦେଇ ଦେଇଛି ଓଡ଼ିଆରେ ହାତଲେଖା ଚିଠି । ଚିଠି ଉପରେ ଆଖି ବୁଲାଇଲା ସେ ।

 

ରାକେଶ,

 

ପୂର୍ବ ଚିଠିରୁ ଘଟଣାର ଗୁରୁତ୍ୱ ବୋଧହୁଏ ଅନୁମାନ କରିପାରିବନି । ସେଥିପାଇଁ ମୋତେ ପୁଣି ଲେଖିବାକୁ ପଡ଼ୁଛି । ଏଥର ଟାଇପ କରା ଚିଠି ପଠାଇନି କାରଣ ତୁମେ ମୋତେ ଭଲକରି ଜାଣି ଗଲାଣି । ପଜେଟିଭ ଗୁଡ଼ାକ ଚୋରାଇ ନେଇ ତୁମେ ମନେ ମନେ ଖୁବ୍‌ ଖୁସି । କିନ୍ତୁ ତୁମେ ଭୁଲିଯାଉଛ ରାକେଶ ନେଗେଟିଭ ଗୁଡ଼ାକ ଏବେ ମଧ୍ୟ ମୋ ପାଖରେ ସାଇତା ହୋଇଅଛି ଏବଂ ସେହି ନେଗେଟିଭରୁ ଶହ ଶହ ପଜିଟିଭ କରାଯାଇପାରେ । ଆଉ ସେଥିରୁ ଖଣ୍ଡେ ଖଣ୍ଡେ ମୁରାରୀ ବାବୁଙ୍କୁ ମଧ୍ୟ ସହଜରେ ପଠାଯାଇପାରେ । ଶୁଣ୍‌–ମୁଁ ତୁମଙ୍କୁ ଚବିଶ ଘଣ୍ଟା ସମୟ ଦେଉଛି ଏବଂ ଏହି ଚବିଶ ଘଣ୍ଟା ମଧ୍ୟରେ ତୁମେ ବମ୍ବେ ମହାନଗରୀର ଗଳି, ଅନୁଗଳିରେ ଖୋଜିଲେ ବି ଯେପରି ନ ମିଳ । ଚବିଶ ଘଣ୍ଟା ପରେ ଯଦି ମୁଁ ତୁମକୁ ଦେଖେ ତେବେ ବାଧ୍ୟ ହୋଇ ଆଉ ଗୋଟିଏ ଓଜନଦାର ଲଫାଫା ପୋଷ୍ଟ ବାକ୍‌ସରେ ପକାଇବାକୁ ହେବ । ଭାବୁଛି ଏଥର ବୋଧହୁଏ ତୁମର ଶୁଭବୁଦ୍ଧି ଉଦୟ ହେବ । ନିଆଁ ସାଙ୍ଗରେ ଖେଳିବାକୁ ଚେଷ୍ଟା କରିବନି ରାକେଶ-। ମୋତେ ଆହୁରି କଦର୍ଯ୍ୟ, ଭୟଙ୍କର ଏବଂ ନିଷ୍ଠୁର ହେବାକୁ ସୁଯୋଗ ଦିଅନି । ମନେ ରଖ, ମାତ୍ର ଚବିଶ ଘଣ୍ଟା ।

 

ତୁମର ଶୁଭାକାଂକ୍ଷୀ

 

ଉମେଶ ଯେ ଏମିତି ଏକ ପଦକ୍ଷେପ ନେଇପାରେ ସ୍ୱପ୍ନରେ ସୁଦ୍ଧା ଚିନ୍ତାକରି ନଥିଲା ରାଜେଶ । ସେ ଜାଣିଥିଲା ତାକୁ ଏଠାରୁ ଚାଲିଯିବାକୁ ହେବ କିନ୍ତୁ ଜାଣି ନଥିଲା ଏତେ ଶୀଘ୍ର ଚାଲିଯିବାକୁ ହେବ ବୋଲି । ମୁରାରୀ ବାବୁଙ୍କ ଆଖିରେ ନିଜକୁ ଛୋଟ ବୋଲି ପ୍ରମାଣିତ ହେବାକୁ ସେ ଚାହୁଁ ନଥିଲା । ସେ ଏତେ ନିଷ୍ଠୁର ନୁହେଁ ଯେ ଜଣେ ଦୁଃଖୀକୁ ଆହୁରି ଦୁଃଖ ଦେଇ ତା’ର ଅଶାନ୍ତିରେ ଆହୁରି ଅଶାନ୍ତିର ବୋଝ ଲଦି ଦେବ । ସେ ମୁରାରୀ ବାବୁଙ୍କୁ ଜାଣିଛି, ଅନୁଭବ କରିଛି-। ମୁରାରୀ ବାବୁ ଖୁବ୍ ଭାବପ୍ରବଣ ବନ୍ଦନା ଏବଂ ତାକୁ ନେଇ ଗଢ଼ି ଉଠିଥିବା ଘଟଣା ଜାଣିଲା ପରେ ସେ ହୁଏତ ପାଗଳ ହୋଇ ପାରନ୍ତି, ହାଟଫେଲ କରିପାରନ୍ତି, ଆତ୍ମହତ୍ୟା କରିପାରନ୍ତି-। ଏତେ ବଡ଼ ପାପର ଅଂଶୀଦାର ସେ କାହିଁକି ହେବ କୋଉ ଜନ୍ମର କି ପାପ କରିଥିଲା ଯେ ଏ ଜୀବନରେ ତା’ର ଫଳ ଭୋଗୁଛି । ପୁଣି କାହିଁକି....ଆଃ....ସେ କ’ଣ କରିବ ? ପୁଣି କେଉଁଠିକୁ ଯିବ-? କେମିତି ବଞ୍ଚିବ ସେ ? ମୁଣ୍ଡ ତା’ର ଗୋଳମାଳ ହୋଇଗଲା ଏବଂ କାନ ଦୁଇଟା ଗରମରେ ଲାଲ ହୋଇଗଲେ ।

 

ବରଂ ସେ ପୁଣି ନିଖୋଜ ହେବ କିନ୍ତୁ ମୁରାରୀ ବାବୁଙ୍କ ଦୁଃଖ ଆଉ ବଢ଼ାଇବ ନାହିଁ । ଆଃ.....ସେ ଯଦି ଖାଲି କଥା କହିପାରୁ ଥାଆନ୍ତା ତେବେ ବନ୍ଦନା ପାଇଁ ନିଜକୁ ଯୋଗ୍ୟ ବୋଲି ମନେ କରି ଥାଆନ୍ତା । ନିଶ୍ଚୟ ଭାବରେ ବନ୍ଦନାକୁ ସେ ନିଜର କରି ଥାଆନ୍ତା, ଆପଣାର କରି ଥାଆନ୍ତା, ବିବାହ କରି ଥାଆନ୍ତା । କିନ୍ତୁ ବର୍ତ୍ତମାନ ସେ ନାଚାର । ତା’ର ଚାଲିଯିବ ଛଡ଼ା ଅନ୍ୟ କୌଣସି ପଦକ୍ଷେପ ମୁରାରୀ ବାବୁଙ୍କର ଆଘାତ ପ୍ରାପ୍ତ ମନକୁ ଆହୁରି ରକ୍ତାକ୍ତ କରିଦେବ ସିନା !!

 

ରାତ୍ରିର ଘନ ଅନ୍ଧକାର ମଧ୍ୟରେ ତାକୁ ପୁଣି ନିରୁଦ୍ଦିଷ୍ଟ ହେବାକୁ ହେବ । ଅନ୍ଧାର ମଧ୍ୟରେ ତା’ର ଜୀବନର ରାସ୍ତାକୁ ତାକୁ ପୁଣି ଖୋଜିବାକୁ ହେବ । ସବୁ ସ୍ନେହ ସବୁ ମମତା ସବୁ ପ୍ରେମକୁ ଜଳାଞ୍ଜଳି ଦେଇ ତାକୁ ପୁଣି ଫେରିଯିବାକୁ ହେବ ଅଜଣା ରାସ୍ତାର ଅଣଓସାରିଆ ଫୁଟପାଥ ଉପରକୁ ।

 

ମନକୁ ଦୃଢ଼କଲା ରାକେଶ ।

 

ସନ୍ଧ୍ୟା ଆସୁଥିଲା । ଚନ୍ଦ୍ର ଉଙ୍କି ମାରିଲାଣି । ରାତ୍ର ଘନେଇ ଆସିଲାଣି । ମୁରାରୀ ବାବୁ ବନ୍ଦନାର ହସ ଡାଇନିଙ୍ଗ ରୁମ୍‌ରୁ ଝରି ପଡ଼ୁଛି । ଓଃ ସମୟ ଗୁଡ଼ାକ କେତେ ଶୀଘ୍ର ଚାଲିଯାଉଛି । ଏଇକ୍ଷଣାତ ସନ୍ଧ୍ୟା ହେଲା ଅଥଚ... । (ଉମେଶ ବୋଧହୁଏ ରବିଶଙ୍କର ଉପରେ ବିଗୁଡ଼ିଛି । ରବିଶଙ୍କର ତା’ ପାଇଁ ଖାଇବାକୁ ଆଣି ଦେଇଛି । କିନ୍ତୁ ତାକୁ ଖାଇବା ପାଇଁ ଆଦୌ ଇଚ୍ଛା ହେଉ ନଥିଲା । ଚିଠିଟି ପାଇବା ପରଠୁ ତା’ର ଭୋକ ମରିଯାଇଛି ।

 

ହାତବନ୍ଧା ଘଣ୍ଟାକୁ ଚାହିଁଲା ରାକେଶ । ରାତି ସାଢ଼େ ବାରଟା ବାଜିଲାଣି । ତା’ର ହାତରେ ସମୟ ଖୁବ୍‌ କମ୍‌ । ଚାଲିଯିବାକୁ ଠିକ୍‌ କଲା ରାକେଶ । ନ ହେଲେ ତା’ର ରକ୍ଷା ନାହିଁ । ସମସ୍ତେ ବୋଧହୁଏ ଶୋଇ ପଡ଼ିଲେଣି । ସୁଟକେଶଟି ସଜାଡ଼ି ନେଲା ରାକେଶ । କେତୋଟି ପୋଷାକ ପତ୍ର ଆଉ ଟଙ୍କାତକ । ଚମଡ଼ା ସୁଟକେଶଟା ଧରି ବାହାରିଲା ରାକେଶ । ଗେଟ ପାଖରେ ତା’ର ମନେ ହେଲା କେହି ଯେମିତି ତାକୁ ଡାକୁଛି । କେହି ଯେମିତି କରୁଣ ସ୍ୱରରେ କାନ୍ଦୁଛି । ସେ ସ୍ୱର ଗୋଟିଏ ନାରୀର । ବନ୍ଦନା ଆଉ ଆସୁନି ତ !!

 

ସବୁ ତା’ ମନର ଭ୍ରମ । ପଛକୁ ଥରେ ହେଲେ ନ ଚାହିଁ ରାକେଶ ଗେଟ ଖୋଲି ଆଗକୁ ଚାଲିଲା । ନିସ୍ତବ୍‌ଧ ନିଶିଥିନୀ । ତା’ର ମନେ ପଡ଼ୁଥିଲା.....। ଦିନେ ସେ ଏମିତି ଘରୁ ଚାଲି ଆସିଥିଲା । ଓହୋ.....ସେ ଦିନ ଗୁଡ଼ାକ.....

 

V. T. ଷ୍ଟେସନରେ ପହଞ୍ଚି ରାକେଶ ଦେଖିଲା ଟ୍ରେନ ଆସିବାକୁ ଆହୁରି ଦୁଇଘଣ୍ଟା ବାକି-। ଅନେକ ସାହସ ସଞ୍ଚୟ କରି ଖାତା ବାହାର କରି ବନ୍ଦନା ପାଖକୁ ଚିଠି ଖଣ୍ଡିଏ ଲେଖିବାକୁ କଲମ ଧରିଲା । କେବେ ସେ ବନ୍ଦନା ପାଖକୁ ଲେଖିନି ଆଜି ସେ ଲେଖିବ । ହୁଏତ ବନ୍ଦନା ଖରାପ ଭାବିପାରେ କିନ୍ତୁ ସେ ତ ଆଉ ସେଠାରେ ନଥିବ ତେଣୁ ଆଉ ଚିନ୍ତା କ’ଣ !

 

ଟ୍ରେନ ଆସିଗଲା । ଚିଠିଟିକୁ ଡ୍ରପ କରିଦେଇ ଟ୍ରେନରେ ଉଠିଲା ରାକେଶ । ସିଗାରେଟରେ ଅଗ୍ନି ସଂଯୋଗ କରି ବାହାରକୁ ଦେଖିଲା ରାକେଶ । ତା’ର ମନେ ପଡ଼ିଯାଉଥିଲା ଅତୀତର ଅନେକ ଅଭୁଲା ସ୍ମୃତି ।

 

ଆକାଶରେ ଅନେକ ଅଭେଦ୍ୟ ଅନ୍ଧକାର ।

 

ତା’ ପରଦିନ ରାକେଶର ରୁମ୍‌ କବାଟ ଖୋଲୁନି । ଦେଖୁ ଦେଖୁ ଆଠଟା ଆସି ବାଜିଲା-। ରବିଶଙ୍କର ବ୍ୟସ୍ତ ହୋଇ ପଡ଼ିଲାଣି ଡାକି ଡାକି । ମୁରାରୀ ବାବୁ ମଧ୍ୟ ଥରେ ଦୁଇଥର ଡାକି ସାରିଲାଣି । ତଥାପି ରାକେଶ ଉଠି ନାହିଁ ।

 

ରବିଶଙ୍କର ମନରେ ପାପ ଛୁଇଁଲା ।

ରାକେଶ ତେବେ....ଛି ଛି ସେ କାହିଁକି ଗୋଟାଏ ଅମଙ୍ଗଳ କଥା ଚିନ୍ତା କରୁଛି । ହୁଏତ କାଲି ରାତିରେ ଡେରିରେ ଶୋଇଥିବ । କିଛି ସମୟ ଚାଲିଗଲା । ରବିଶଙ୍କର ଆଉ ସମ୍ଭାଳି ପାରିଲାନି । ହଠାତ୍‌ ସେ ଦେଖିଲା ତଳ ହୁକ୍‌ଟା ପଡ଼ିଛି । ତେଣୁ କୌଣସି ପ୍ରକାରେ କବାଟଟିକୁ ଖୋଲିଦେଲା ।

ରୁମରେ କେହି ନାହାନ୍ତି ।

ଆଶ୍ଚର୍ଯ୍ୟ ହେଲା ରବିଶଙ୍କର । ଗାଧୁଆଘର, ପାଇଖାନା ପ୍ରଭୃତି ସବୁ ଦେଖିନେଲା ସେ-। କିନ୍ତୁ କେଉଁଠି ହେଲେ ନଥିଲା ରାକେଶ । ରବିଶଙ୍କରର ଉପସ୍ଥିତି ବୁଦ୍ଧି କେତେ ସମୟ ଯାଏ କାମ କଲାନି । ମୁକ ପାଲଟି ଗଲା ସେ । ହଠାତ୍‌ ସେ ଦୌଡ଼ିଯାଇ ବନ୍ଦନାକୁ ଖବରଟା ଦେଲା-। ବନ୍ଦନାର ମନେହେଲା ଆକାଶ ତା’ ମୁଣ୍ଡ ଉପରେ ଛିଣ୍ଡି ପଡ଼ିବ । ସେ କ’ଣ କରିବ କିଛି ବୁଝି ପାରିଲାନି । ଚାରିଆଡ଼େ ତାକୁ ଅନ୍ଧାର ଦେଖାଗଲା ।

ରବିଶଙ୍କର ଚାଲିଗଲା ।

ବୋଧହୁଏ ମୁରାରୀ ବାବୁଙ୍କୁ ଖବର ଦେବାକୁ ଯାଇଛି । ଏମିତି ଅକସ୍ମାତ ଅନ୍ତର୍ଦ୍ଧାନରେ ଖୁବ୍‌ ମର୍ମାହତ ହେଲା ସେ । ଆଶ୍ଚର୍ଯ୍ୟ ମଧ୍ୟ ହେଲା । ରାକେଶ କାହିଁକି ଚାଲିଗଲା ? କୌଣସି କାରଣ ସେ ଦେଖିପାରୁ ନଥିଲା । ହୁଏତ କୌଣସି ଦରକାରୀ କାମରେ ବାହାରକୁ ଯାଇଥିବ ଫେରି ଆସିବ ଯେ । ମନକୁ ସାନ୍ତ୍ୱନା ଦେଲା ସେ ।

କିଛି ସମୟ ଅତିବାହିତ ହେଲା ।

ହାତବନ୍ଧା ଘଣ୍ଟାକୁ ଚାହିଁ ଦେଖିଲା, ଗୋଟେ ବାଜି ଗଲାଣି । ରାକେଶ ନ କହି କେବେ କେଉଁଆଡ଼େ ଯାଏନି । ଡିଉଟିରେ ମଧ୍ୟ କେବେ ଅବହେଳା କରିନି ସେ । ତା’ର ଦେହପା’ ଖରାପ ହେଲା କି ଆଉ ? ଘରୋଇ ଡାକ୍ତରଙ୍କ ପାଖକୁ ଫୋନ କରି ମଧ୍ୟ କୌଣସି ଖବର ପାଇଲାନି ସେ-

ରବିଶଙ୍କର ଚିଠି ଖଣ୍ଡେ ଦେଇଗଲା ।

ବନ୍ଦନା ଖୁବ୍‌ ବ୍ୟଗ୍ର ଭାବରେ ଚିଠିଟିକୁ ଖୋଲିଦେଲା–ଦେଖିଲା ରାକେଶର ହସ୍ତାକ୍ଷର । ଖୁବ୍‌ ଆଶ୍ଚର୍ଯ୍ୟ ହେଲା ସେ । ବମ୍ବେରୁ ହିଁ ଚିଠିଟି ପୋଷ୍ଟ ହୋଇଛି । ରାକେଶ ଲେଖିଛି ଓଡ଼ିଆରେ ।

ବନ୍ଦନା; ବମ୍ବେ

ରାତି ଦୁଇଟା

ମୋର କାପୁରୁଷ ପରି ପଳାୟନ ତୁମ ମନରେ ଅନେକ ଶଙ୍କା, ଆଶଙ୍କାର ଦ୍ୱନ୍ଦ୍ୱ ସୃଷ୍ଟି କରିଥିବ । ସାହସ କରି ଏ ଅଧମ କେବେ କିଛି ଲେଖିନି ଆଜି ଲେଖୁଛୁ ସେଥିପାଇଁ କ୍ଷମା କରିବ । ମୁଁ ଜାଣିଲି ତୁମେ ମୋ ଆଡ଼କୁ କ୍ରମେ ଆକୃଷ୍ଟ ହୋଇ ପଡ଼ୁଛ ଆଉ ଭୁଲ କରିବାକୁ ଯାଉଛ । ତେଣୁ ମୁଁ ସବୁବେଳେ ଦୂରେଇ ରହୁଥିଲି । ମୋ ରୁମରେ ତୁମ ଜୋତା ଆବିଷ୍କାର କରି ସାରିବା ପରେ ସବୁ ସ୍ପଷ୍ଟ ହୋଇଗଲା । ତୁ ମୋର ଅସଜଡ଼ା ରୁମକୁ ସଜାଡ଼ୁଥିଲ । ପିଆନୋ ଓ ଗୀଟାରରୁ ଧୂଳିଝାଡ଼ି ସଫା କରୁଥିଲ । ମୋର ପାଣ୍ଡୁଲିପି ଚୋରି କରି, ଛାପୁଥିଲ । ଏହାସବୁ ଆକୃଷ୍ଟ ହେବାର ପ୍ରମାଣ ନୁହେଁ କି ? କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି–ମୋ ପରି ଗୋଟିଏ ହତଭାଗା, ଅଧମ ନିମ୍ନ ଶ୍ରେଣୀର ଗୋଟିଏ ଡ୍ରାଇଭରକୁ ତୁମେ ଭଲ ପାଇପାରିଲ କେମିତି ?

 

ମୋର ଧନ ନାହିଁ, ସମ୍ମାନ ନାହିଁ, ଦୁନିଆରେ କେହି ନାହାନ୍ତି କିଛି ନାହିଁ । ତଥାପି ତୁମେ....ମୁଁ ବୁଝିପାରୁନି । ତୁମେ କୁବେର ଦୁଲାଳି, ତୁମେ ମେନକା, ତୁମେ ଉର୍ବଶୀ ଆଉ ମୁଁ କ’ଣ ତୁମେ ଭଲକରି ଜାଣ । ବାମନ ହୋଇ ଚନ୍ଦ୍ରକୁ ପାଇବାର ଆଶା କଲେ ଜଗତେ କେବଳ ଜନେ ହସିବେ ସିନା !!

 

ମୁରାରୀ ବାବୁଙ୍କର ଦାନାପାଣି ଖାଉଛି–ଲୁଣ ଖାଉଛି ତାଙ୍କ ପାଖରେ ବେଇମାନି ମୁଁ କେମିତି କରିପାରି ଥାଆନ୍ତି । ମୋର ବିବେକ ମୋତେ କେମିତି ପ୍ରଶ୍ରୟ ଦେଇ ଥାଆନ୍ତା । ତୁମେ ଭଲପାଇବାର ପ୍ରତିଦାନ ମୁଁ ଦେଇନି ସେଥିପାଇଁ ଦୁଃଖିତ । ତୁମ ଚିଠିର ଉତ୍ତର ମଧ୍ୟ ମୁଁ ଜାଣିଶୁଣି ଦେଇନି ସେଥିପାଇଁ କ୍ଷମାଦେବ ।

 

ମୋତେ ତୁମେ ଭଲ ପାଇଥିଲେ, ତୁମ ବାପା, ଉମେଶ ଓ ଦୁନିମ ତୁମକୁ ଘୃଣା କରିଥାଆନ୍ତେ ଭୁଲ ବୁଝିଥାଆନ୍ତେ । ମୁଁ ତାହା କେମିତି ହେବାକୁ ଦେଇଥାନ୍ତି । ସତ କହିବାକୁ ଗଲେ ‘‘ଆକାଶ କୁସୁମ’’ ତୋଳିବାକୁ ମୁଁ ଭଲ ପାଏନା । ‘‘ଆଶାର ମିନାର’’ ମୋତେ ଗଢ଼ି ଆସେନା । ‘‘ସ୍ୱପ୍ନର ସୌଧ’’ ପାଇଁ ମୁଁ ଚିନ୍ତା କରେନା । ତା’ପରେ ମୁଁ ପତ୍ର ଗୋଟାଇବା ଲୋକ ତୋଟା ମୂଲ କରିବି କେଉଁ ସାହସରେ । ଛାଡ଼.....

 

ତଥାପି ସମସ୍ତଙ୍କ ପରି ମୋର ହୃଦୟଟା ଗୋଟାଏ ହୃଦୟ । ସେଥିରେ ମଧ୍ୟ ପ୍ରେମର ମନ୍ଦାକିନୀ ପ୍ରବାହିତ । ପ୍ରେମ ବିନା ମନୁଷ୍ୟ ବଞ୍ଚି ପାରିବ ନାହିଁ । ଦୁନିଆର ଶତ ଘୃଣା ସତ୍ତ୍ୱେ ତାକୁ ଦୁନିଆକୁ ଭଲ ପାଇବାକୁ ହେବ, ପ୍ରେମ କରିବାକୁ ହେବ । କିନ୍ତୁ ନିଷ୍ଠୁର ଦୁନିଆ ମୋ ପ୍ରେମର ମୂଲ୍ୟ ବୁଝିଲାନି । ତୁମେ ହୁଏତ ଆଜି ମୋତେ ଭଲ ପାଇଛ, ସାମୟୀକ ଉତ୍ତେଜନାରେ, ଭାବପ୍ରବଣ ହୋଇ କିନ୍ତୁ କିଛି ଦିନ ପରେ କୁଷ୍ଠରୋଗୀ ପରି ମୋତେ ଘୃଣା କରିଥାଆନ୍ତ । ବଡ଼ ଲୋକ ମାନଙ୍କର ଖିଆଲ ବଡ଼ ବିଚିତ୍ର ।

 

ତୁମେ ଭାବିବନି ଯେ ମୁଁ ଗୋଟାଏ ଅମିମାଂସିତ ବ୍ୟର୍ଥ ପ୍ରେମ କାହାଣୀ ତୁମକୁ କହୁଛି ମୋତେ କେହି ପ୍ରେମ କରି ନାହାନ୍ତି–କାରଣ ତୁମେ ଜାଣିଥିବ । ଦୁନିଆଁଠୁ ବିଶ୍ୱାସ ପରିବର୍ତ୍ତେ ଅବିଶ୍ୱାସ ପାଇଛି, ପ୍ରେମ ପରିବର୍ତ୍ତେ ବ୍ୟଭିଚାର ପାଇଛି, ସାରଲ୍ୟ ପରିବର୍ତ୍ତେ କପଟତା ପାଇଛି, ସର୍ବସ୍ୱ ଦେଇ ଜ୍ୱାଳା ପାଇଛି ।

 

ବେଲ ପାଚିଲେ ଦୁଆର କି ଯାଏ !!

 

ବେଲ ଗଛରେ ବେଲ ପାଚେ ବନ୍ଦନା । ବାସନା ଚହଟି ଯାଏ । ଭୋକିଲା କୁଆ ଉଡ଼ିଆସେ । ଥଣ୍ଟ ମାରେ । ବେଲର କିଛି ହୁଏନା । କୁଆ ତା’ର ସ୍ୱାଦ ପାଏନା । କିନ୍ତୁ ବାସନାକୁ ଅନୁଭବ କରିପାରେ । ଥଣ୍ଟ ମାରି ମାରି ଥଣ୍ଟ ଦରଜ ହୁଏ । ମନ ହାଲିଆ ହୋଇଯାଏ । ଆଶା ଭାଙ୍ଗିଯାଏ । ବିଚାରା ଗଛ ଡାଳରେ ବସି ରହେ । ବେଲର ବାସନାରେ ନିଜକୁ ଜଳାଇ ପୋଡ଼ି ମାରେ । ମନରେ ଭରି ଆସେ କ୍ଳାନ୍ତି, ନିରାଶା, ହତାଶା ।

 

ତୁମେ କୁହ ତ ବନ୍ଦନା ବିଚାରା କୁଆ ଆଉ କ’ଣ କରିଥାଆନ୍ତା । ତୁମେ କ’ଣ ଭାବୁଛ ବେଲ ଖାଇବା ଅଧିକାର କୁଆର ନାହିଁ ? ନିଶ୍ଚୟ ଅଛି । ଅଥଚ ସେ କିଛି କରିପାରୁନି । ଖାଲି ହନ୍ତସନ୍ତ ହେଉଛି–ଜଳୁଛି । ବେଲ ତା’ର ବାସନା ଚହଟାଇ ମଜା ଦେଖୁଛି–ଆଃ ସେ ଜ୍ୱଳନରେ କେତେ ଆଲୋକ କେତେ ଉତ୍ତାପ ।

 

ଶୁଖିଲା ଦୂବଘାସର ଲନ୍‍କୁ ତୁମେ ପାଣି ଢାଳି ସବୁଜ କରିବାକୁ ଚେଷ୍ଟା କରିଥିଲ । ମୋର ଅସହାୟ ନିଉକାକୁ ଝଡ଼ରୁ ରକ୍ଷା କରିବାକୁ ଉଦ୍ୟମ କରିଛ । ମୁଁ ତୁମର କୌଣସି କଳ୍ପନାକୁ ବାସ୍ତବ ରୂପ ଦେଇନି–କ୍ଷମା ଦେବ ।

 

ବହୁତ ଗୁଡ଼ାଏ ଲେଖିଗଲିଣି ପଢ଼ିବାକୁ ସମୟ ନଥିବ କିମ୍ବା ପତ୍ରଟିକୁ ଚିରି ଦେବାକୁ ବ୍ୟଗ୍ର ହୋଇଉଠିବଣି । ଆଉ ଅଳ୍ପ ବାକି ଅଛି ।

 

ସେ ଦିନ ପିକ୍‌ନିକ ପରେ ତୁମ ଘରେ ରହିବା ଆଉ ସମ୍ଭବ ହେଲା ନାହିଁ । ତାହା ହୁଏତ ତୁମେ ଏହି ଫଟୋ ଗୁଡ଼ାକରୁ ବେଶ୍‌ ଅନୁମାନ କରି ପାରୁଥିବ । ତୁମର ମନକଥା ବୋଧହୁଏ ଉମେଶ ଜାଣି ପାରିଛି । ଆଉ ମୋ ପାଖକୁ ମଧ୍ୟ ଏହି ଫଟୋ ସହିତ ଗୋଟିଏ ଧମକପୂର୍ଣ୍ଣ ଚିଠି ପଠାଇଛି । ଉମେଶ ବୋଧହୁଏ ତୁମକୁ......

 

ସାମାନ୍ୟ ଗୋଟାଏ ଚିଠିରେ ଡରିଯିବା ପରି ଲୋକ ମୁଁ ନୁହେଁ । କାରଣ ମୋର ଡରିବା ପରି ଜିନିଷ ବା କ’ଣ ଅଛି ? ଅଛି କେବଳ ଏହି ଅଲୋଡ଼ା ଜୀବନଟା । ସେଇଟା ପ୍ରତି ମୋର ସେତେ ମମତା ମଧ୍ୟ ନାହିଁ । ତେବେ ଦ୍ୱିତୀୟ ଚିଠିରେ ଉମେଶ ଫଟୋଗୁଡ଼ିକ ମୁରାରୀ ବାବୁ ପାଖକୁ ପଠାଇବ ବୋଲି ଧମକ ଦେଇଛି । ମୁରାରୀ ବାବୁ ଯିଏ କି ମୋତେ ସ୍ନେହ କରନ୍ତି, ଆଦର କରନ୍ତି, ବିଶ୍ୱାସ କରନ୍ତି । ମୁରାରୀ ବାବୁଙ୍କ ଆଖିରେ ଏତେ ଛୋଟ ହେବାକୁ ମୋର ସାହସ ନାହିଁ । ଅଶାନ୍ତିରେ ପୁଣି ଅଶାନ୍ତି ମୁଁ ଲଦି ଦେଇ ପାରିବିନି । ବରଂ ମୋର ସବୁ କ୍ଷତି ହେଉ କିନ୍ତୁ ମୁଁ ତାଙ୍କର କ୍ଷତି ଦେଇପାରିବିନି–ନା ମୁଁ ପାରିବିନି । ମୁଁ ଜାଣେ ସେ ହୃଦୟ ରୋଗୀ ଆଉ ମୁଁ ଜାଣି ଜାଣି ସେହି ରୋଗାକ୍ରାନ୍ତ ହୃଦୟକୁ ପୁଣି ଆଘାତ କରିବି–ନା ମୁଁ ପାରିବିନି । କ୍ଷମା କରିବ ।

 

ତୁମେ କୁହ ତ, ଏହାପରେ ମୁଁ ତାଙ୍କ ଆଗରେ ମୁହଁଟେକି ଚାଲିପାରି ଥାଆନ୍ତି ତ ? ତେଣୁ ମୋର ଅନ୍ୟ ପନ୍ଥା ନ ଥିଲା । ରବିଶଙ୍କରର ସ୍ନେହ ମୁଁ ଜୀବନରେ ଭୁଲି ପାରିବିନି । ମୋତେ ସେ କେବେ ଖରାପ ବ୍ୟବହାର କରିନି । ମୁଁ ହୁଏତ ତାକୁ ଖରାପ ବ୍ୟବହାର କରିଥିବି, ତୁମ ଅନାବିଳ ପ୍ରେମର ପ୍ରତିଦାନ ମୁଁ ପ୍ରତାରଣା ରୂପେ ଦେଇଛି । ମୁଁ ଜାଣେ ତା’ର କ୍ଷମା ନାହିଁ । କିନ୍ତୁ କ’ଣ କରି ଥାଆନ୍ତି । ମୋର ଅନ୍ୟ ଉପାୟ ନଥିଲା ।

 

ଟ୍ରେନ୍‌ ଟାଇମ୍ ହୋଇ ଗଲାଣି । ଆଉ ସମୟ ନାହିଁ । ମୁଁ କୁଆଡ଼େ ଯିବି ନିଜେ ମଧ୍ୟ ଜାଣେନି । ସେ ଦିନ ପରି ଆଜି ମଧ୍ୟ ନିରୁଦ୍ଦିଷ୍ଟ ହେବାକୁ ହେବ । ଜୀବନରେ ବୋଧହୁଏ ଆଉ କେବେ ଦେଖା ହେବନି । ହୁଏତ ଅନେକ ଭୁଲ କରିଥିବି ତେଣୁ ପୁଣି ଥରେ କ୍ଷମା ମାଗି ନେଉଛି । ଯୁଗ ଯୁଗ ପାଇଁ ତୁମକୁ ବହୁତ ବହୁତ ନମସ୍କାର । ରହିଲି ।

 

ଇତି

ତୁମର ଡ୍ରାଇଭର

 

ରାକେଶର ଲୁହରେ ଅସ୍ପଷ୍ଟ ହୋଇଥିବା ଅକ୍ଷର ଗୁଡ଼ିକ ବନ୍ଦନାର ଲୁହରେ ଆହୁରି ଅସ୍ପଷ୍ଟ ହୋଇ ଉଠିଲା । ଚିଠିଟିକୁ ଛାତିରେ ଜୋର୍‍କରି ଚାପିଧରିଲା ବନ୍ଦନା । ଫଟୋଗୁଡ଼ାକ ଦେଖି ଶିହରି ଉଠିଲା ବନ୍ଦନା । ପ୍ରତିଶୋଧ ନେବାକୁ ଉମେଶ ଏମିତି କରିଛି । ତଥାପି ଫଟୋ ଗୁଡ଼ାକୁ ଆଲବମରେ ନୀରବ ପ୍ରେମର ନିର୍ବିକାର ରୂପେ ସାଇତି ରଖିଲା ସେ ଜୀବନରେ ସେ ଜଣକୁ ଭଲ ପାଇଥିଲା ଅଥଚ ଭଗବାନ ତା’ ପ୍ରତି ନିଷ୍ଠୁର ହେଲେ । ଆଉ କେହି କ’ଣ ତା’ ହୃଦୟରେ ଏତେ ସ୍ଥାନ ଅଧିକାର କରିପାରିବ ? ମୁଣ୍ଡଟା ଝିମ୍‌ ଝିମ୍‌ କରୁଥିଲା ବନ୍ଦନାର । ତା’ ମୁଣ୍ଡ ଉପରେ କେହି ଯେମିତି ମୁଦ୍‌ଗରରେ ପ୍ରହାର କରୁଛି ।

 

ସେ କାନ୍ଦି ପାରୁନି । ତା’ର ପାଟିକୁ କେହି ଚାପି ଧରିଛି ଯେମିତି । ତା’ର ମୁଣ୍ଡ ଘୁରି ଯାଉଛି । ମୁହଁ ମାଡ଼ି ପଲଙ୍କ ଉପରେ ପଡ଼ିଯାଇ ପାଗଳ ପରି ପ୍ରଳାପ କରିବାକୁ ଲାଗିଲା ସେ । ବାସ୍ତବିକ କ୍ଷଣିକ ଉତ୍ତେଜନା, କ୍ଷଣିକ ଉନ୍ମାଦନା କ୍ଷଣିକ, ଆନନ୍ଦ ପାଇଁ ମନୁଷ୍ୟ କ’ଣ ନ କରିପାରେ-!

 

ଚିଠିଟିକୁ ପଢ଼ିସାରିବା ପରେ ଗଭୀର ଭାବରେ ଚିନ୍ତା କଲା ବନ୍ଦନା । ତା’ର ଇଚ୍ଛା ହେଲା ସେହି ମୁହୂର୍ତ୍ତରେ ଯାଇ ଉମେଶକୁ ତଣ୍ଟି ଚିପି ହତ୍ୟା କରିବାକୁ । ଭୀଷଣ ରାଗ ହେଲା ବନ୍ଦନାର । ସେ ନିଶ୍ଚୟ ଉମେଶକୁ ପାଠ ପଢ଼ାଇ ଛାଡ଼ିବ ।

 

ଉମେଶ ନାରୀର ପ୍ରେମ ଦେଖିଛି, ଘୃଣା ଦେଖିନି, ସାରଲ୍ୟ ଦେଖିଛି, କପଟତା ଦେଖିନି, ସ୍ନେହ ଦେଖିଛି କ୍ରୋଧ ଦେଖିନି । ସେ ଉମେଶକୁ ବୁଝେଇଦେବ ଯେ ଉଜ୍ଜ୍ୱଳ ଚନ୍ଦ୍ରର ପଶ୍ଚାତ ଭାବରେ ରହିଛି ଅମା ଅନ୍ଧକାର । ଉମେଶ ବୋଧହୁଏ ଜାଣିନି ଯେ ହୀରାକୁ ଚୁମ୍ବନ କଲେ ମୃତ୍ୟୁ ଅନିର୍ବାର୍ଯ୍ୟ । ଉମେଶ ହୁଏତ ଶୁଣିନି ଯେ ବୁମୋରାଂ ଠିକ୍‌ ବ୍ୟବହାର ନ କଲେ ପୁଣି ନିଜ ଉପରକୁ ଫେରି ଆସେ । ଏସବୁ ବୁଝିଲା ପରେ ହିଁ ସେ ଅନୁଭବ କରିବ ଯେ କେବଳ ଅଗ୍ନିରେ ହିଁ ଦାହିକା ଶକ୍ତି ନାହିଁ, ନିଜ କୃତ କର୍ମର ଫଳରେ ମଧ୍ୟ ଦାହିକା ଶକ୍ତି ଅଛି ।

 

ବନ୍ଦନା ଜାଣିଥିଲା ଉମେଶ ଜଣେ ଅଭଦ୍ର କିନ୍ତୁ ଜାଣିନଥିଲା ଏତେ ନୀଚ ସ୍ତରର ଅଭଦ୍ର ବୋଲି । ସେ କିନ୍ତୁ ତାକୁ କଦାପି କ୍ଷମା କରିବନି । ସୁବିଧା ସୁଯୋଗ ଦେଖି ବାପାଙ୍କ ଆଗରେ ସେ ଉମେଶର ଭଦ୍ରମୁଖା ଖୋଲି ଦେବ । ସେ ମଧ୍ୟ ପ୍ଳାନ କରିବ ଠିକ୍‍ ଯେମିତି ଉମେଶ କରିଥିଲା ।

 

ଉଠି ଠିଆ ହେଲା ବନ୍ଦନା ।

 

କ୍ରୋଧବଶତଃ ସେ ରାକେଶ କଥା ଭୁଲି ଯାଇଥିଲା ଯେମିତି ! ରାକେଶକୁ କେମିତି ଭୁଲିପାରିବ ସେ ? କେମିତି ବଞ୍ଚିବ ସେ ରାକେଶ ବିନା ? ସେ ରାକେଶକୁ ଅପେକ୍ଷା କରିବ ଜୀବନସାରା ସେ ତାକୁହିଁ ପ୍ରତୀକ୍ଷା କରିବ । ଆଃ...ସେ ପ୍ରତୀକ୍ଷାର ଦିନଗୁଡ଼ାକ କେମିତି ଯେ କଟିବ ! ନିଜକୁ ଖୁବ ଦୁର୍ବଳ ଅନୁଭବ କଲା ବନ୍ଦନା-

 

ଆଖି ତା’ର ଜକେଇ ଆସିଲା ଲୁହରେ ।

 

କେଇ ଟୋପା ଗରମ ଲୁହ !

 

ଝରକା ପାଖରେ ଠିଆ ହେଲା ପରି ଶକ୍ତି ନ ଥିଲା ବନ୍ଦନାର । ବମ୍ବେ ପେଟନ ଖଟ ଉପରେ ନିଜକୁ ଅଜାଡ଼ି ଦେଲା ସେ । ଫୁଲି ଫୁଲି କାନ୍ଦି ଉଠିଲା ବନ୍ଦନା । ସେ କାନ୍ଦଣାରେ ଶବ୍ଦ ନଥିଲା, କେବଳ ଆଖିରେ ଥିଲା ଆଖିଏ ଗରମ ଲୁହ !

 

ଜୀବନ ନାଟକର ଏଇଟା ଯେମିତି ଏକ ବିରହ ଦୃଶ୍ୟ !

 

ଆଉ ଏହାପରେ ବୋଧହୁଏ ପଟ୍ଟପତ୍ତନ !

 

ବାସ୍ତବିକ ବେଲ ପାଚିଲେ କୁଆର କ’ଣ ଯାଏ ? ବିଚାରା କେବଳ ଜଳିପୋଡ଼ି ହୋଇ ହନ୍ତସନ୍ତ ହୁଏ ସିନା । ଆଃ....ଚିତ୍କାର କରି ଉଠିଲା ବନ୍ଦନା । ମୁଣ୍ଡ ତା’ର କ’ଣ ହୋଇ ଯାଉଛି ।

 

ବନ୍ଦନା କଇଁ କଇଁ ହୋଇ କାନ୍ଦି ଉଠିଲା । ସେ କାନ୍ଦଣା ବଂଶୀର କରୁଣ ବିଳାପଠାରୁ ଆହୁରି କରୁଣ ମନେ ହେଲା । ସେ କାନ୍ଦର ମହତ୍ତ୍ୱ କେହି ବୁଝୁ ନଥିଲେ, କେହି ଦେଖୁ ନଥିଲେ, କେହି ଶୁଣୁ ନଥିଲେ । ସେ କ୍ରନ୍ଦନ କେତେ କରୁଣ, କେତେ ମର୍ମସ୍ପର୍ଶୀ, କେତେ ହୃଦୟ ବିଦାରକ ।

 

ସତୀଚଉଁରା ନିକଟରେ ସଞ୍ଜବତୀଟି ଲିଭି ଲିଭି ଯାଉଥିଲା । କଦଳୀ ଗଛର ଫାଙ୍କରେ ଅଷ୍ଟମୀର ବଙ୍କାଚାନ୍ଦ ହସୁଥିଲା ଆକାଶରେ ।

 

ଆରମ୍ଭ

ଶେଷ

୭ । ୮ । ୭୮

୧ । ୫ । ୭୯

 

ଭୁବନେଶ୍ୱର

Image